ଘଟାନ୍ତର

 

 

 

 

 

 

 

 

 

 

ଘଟାନ୍ତର

ପଣ୍ତିତ ଗୋଦାବରୀଶ ମିଶ୍ର

 

ସୂଚିପତ୍ର

 

୧.

ଦୁଆର ରହସ୍ୟ

୨.

ସଦେଇ ଜେନାକୁ ଖୋଜିବା

୩.

ଡାକ୍ତର ନାୟକ ନିଶ୍ଚିନ୍ତ ହେଲେ

୪.

ଚୁଡ଼ଙ୍ଗ ନରହତ୍ୟା ମକଦ୍ଦମା

୫.

ଖଣ୍ଡିଏ ଚିଠି

୬.

ଡାକ୍ତର ଦାସଙ୍କ ଦୁର୍ଘଟଣା

୭.

ଝରକାପାଖ ଦୃଶ୍ୟ

୮.

କାଳରାତ୍ରି

୯.

ଡାକ୍ତର ଦାସଙ୍କ ଆତ୍ମକଥା

୧୦.

ଡାକ୍ତର ନାୟକଙ୍କ ଆତ୍ମ-ପ୍ରକାଶ

•••

 

ଦୁଆର ରହସ୍ୟ

 

ରାମବାବୁ ଓକିଲ ଜଣେ ଶୁଖିଲାମୁହାଁ ଲୋକ; ବେଶି ହସାହସି କରନ୍ତିନାହିଁ, ଅଳ୍ପ କଥା କହନ୍ତି; ଦେଖିବାକୁ ସେପରି ସୁଶ୍ରୀ ନୁହନ୍ତି । ତାଙ୍କ ଲୁଗାପଟାରେ ଆଡ଼ମ୍ୱର ନଥାଏ । ଲୋକେ ତାଙ୍କୁ ମୋଟାମୋଟି ମରହଟୀ ଅମଳର ବୋଲି ଧରି ନେଇଥାନ୍ତି । ତଥାପି ତାଙ୍କ ପାଖେ ସେ ସାଙ୍ଗସାଥି ନ ଯୁଟନ୍ତି ତା ନୁହେଁ । ବନ୍ଧୁ ମେଳରେ କଥାବାର୍ତ୍ତା ଯୁକ୍ତିତର୍କ ଚାଲିଥିବାବେଳେ ସେ ଅବଶ୍ୟ ବେଶି ପାଟିତୁଣ୍ଡ କରନ୍ତି ନାହିଁ; କିନ୍ତୁ ସମୟ ସମୟରେ ତାଙ୍କ ଆଖି ଉଜ୍ଜ୍ୱଳ ଦିଶିଯାଏ ଓ ଭିତରୁ ହୃଦୟର ଆଭାସ ଦେଖାଇଦିଏ । ସାଙ୍ଗସାଥିଙ୍କ ମଧ୍ୟରେ କଥା ପ୍ରସଙ୍ଗରେ ଗୋଟା କିଛି ନିଷ୍ପତ୍ତି ହେଲେ, ତାକୁ ପ୍ରଥମେ ପାଳିବା ଲୋକ ହେଉଛନ୍ତି ରାମବାବୁ ।

 

ରାମବାବୁଙ୍କର ଗୋଟାଏ ବଡ଼ ସୁଖ୍ୟାତି ଯେ ସେ ଜଣେ ଖାଣ୍ଟି ଲୋକ । ଖେଳ ତାମସା ଆଡ଼କୁ ତାଙ୍କର ମନ ଯାଏ ନାହିଁ । ନାଟକ ସେ ଆଗ୍ରହରେ ପଢ଼ନ୍ତି, ଲୋକଚରିତ୍ର ତନ୍ନ ତନ୍ନ କରି ଦେଖନ୍ତି, ନାୟକ ନାୟିକାଙ୍କ କାର୍ଯ୍ୟକଳାପର ଆଲୋଚନା କରନ୍ତି; କିନ୍ତୁ କୋଡ଼ିଏବର୍ଷ ଭିତରେ ଥରେ ସୁଦ୍ଧା ରଙ୍ଗମଞ୍ଚ ମାଡ଼ି ନାହାନ୍ତି । ଅଥଚ ନିଜ ବନ୍ଧୁ ବାନ୍ଧବମାନେ ଅଭିନୟ ଦେଖିବାକୁ ଗଲେ ମନା ମଧ୍ୟକରନ୍ତି ନାହିଁ । ଦୁନିଆରେ ଦୋଷଦର୍ଶୀ ତାଲିକାରେ ଯେଉଁମାନଙ୍କ ନାମ ଲେଖା ଯାଇପାରିବ, ସେ ତାଙ୍କ ଭିତରର ଜଣେ ନୁହନ୍ତି । କାହାରି କେବେ ଗୋଡ଼ ଖସିଗଲେ, ସେ ଗାଳିଫଜିତ୍‌ ଦିଅନ୍ତି ନାହିଁ, ବରଂ ଆଗକୁ ସତର୍କ ହୋଇ ଚଳିବା ପରାମର୍ଶ ଦେଇଥାନ୍ତି । କୁପଥରେ ଚାଲିବା ଲୋକେ ତାଙ୍କ ପାଖକୁ ଯାଇ, ଭଲ ମାର୍ଗରେ ଚଳିବା ନିମନ୍ତେ ପ୍ରତିଜ୍ଞା କରି ଫେରନ୍ତି ।

 

ସଂସାରରେ ସମସ୍ତଙ୍କୁ ସେ ଭଲ ବୋଲି ଭାବନ୍ତି । ବ୍ୟବସାୟ କ୍ଷେତ୍ରରେ କେତେପ୍ରକାର ଲୋକ ତାଙ୍କ ପାଖକୁ ଆସନ୍ତି । ସେମନଙ୍କ ମଧ୍ୟରେ ଓ ପ୍ରତ୍ୟେକଙ୍କ ଭିତରେ ନାରାୟଣ ପୁରୁଷ ଅଛନ୍ତି ଓ ତାଙ୍କୁ ସତ୍‌ପଥରେ ଚଳାଇ ନେଇଛନ୍ତି, ଏ ବିଶ୍ୱାସର ବଶବର୍ତ୍ତୀ ହୋଇ ସମଗ୍ର କାର୍ଯ୍ୟ କରନ୍ତି । ଅଥଚ କାହାରି ସହିତ ସେ ଖୁବ୍‌ଘନିଷ୍ଠ ଭାବେ ମିଶି ଯାଆନ୍ତି ନାହିଁ । ଲୋକକୁ ବହୁକାଳ ଦେଖିଲା ପରେ ସେ ତାଆଡ଼କୁ ଆସ୍ତେ ଆସ୍ତେ ଢଳନ୍ତି । ବନ୍ଧୁତା କ୍ଷେତ୍ରରେ ତାଙ୍କୁ ହାବିଳି ବାଣ ଶ୍ରେଣୀରେ ଧରାଯିବ ନାହିଁ । ମାଳତୀଲତା ପରି ସେ ଧୀରେ ଧୀରେ ଡଙ୍କ ବଢ଼ାଇ ମାଡ଼ନ୍ତି; ଅଥଚ କାହାରିକୁ ଜାକି ଯାବୁଡ଼ି ଧରନ୍ତି ନାହିଁ, ନିଜର ସୁବାସରେ ଚହଟାନ୍ତି ମାତ୍ର । ସୁବାସ ପାଉଥିବା ଲୋକ ତାକୁ ଗ୍ରହଣ କରୁଛି କି ନାହିଁ; ଜାଣିବାକୁ ଭ୍ରୂକ୍ଷେପ ସୁଦ୍ଧା କରନ୍ତି ନାହିଁ ।

 

ଗୋପାଳବାବୁଙ୍କ ସଙ୍ଗେ ସବୁଠାରୁ ବେଶି ବନ୍ଧନ ରାମବାବୁଙ୍କର । ଉଭୟେ କଟକ ସହରର ଦୁଇ ଜଣ ଜଣାଶୁଣା ବ୍ୟକ୍ତି । ନିଜ ନିଜ ପରିପାର୍ଶ୍ୱ ମଧ୍ୟରେ ଉଭୟଙ୍କର ଯଥେଷ୍ଟ ପ୍ରତିପତ୍ତି ଅଛି । ଦୁହେଁ ଯେପରି ଗୋଟିଏ ଚୁମ୍ୱକର ଦୁଇଟା ଅଗ । ତେଣୁ ସେ ଦୁହିଙ୍କ ମଧ୍ୟରେ ଲୋକେ ପରସ୍ପର ପ୍ରତି ଏତେ ଆକର୍ଷଣର କାରଣ ଖୋଜି ପାଆନ୍ତି ନାହିଁ । ଦୁହେଁ ପ୍ରତି ରବିବାର କିମ୍ୱା ଅନ୍ୟ ଛୁଟି ଦିନମାନଙ୍କରେ ଏକାଠି ବୁଲିବାକୁ ଯାଆନ୍ତି ଓ ସକାଳୁ ଯାଇ, ସୂର୍ଯ୍ୟ ଦେବତା ଆକାଶ ମାର୍ଗରୁ ପ୍ରାୟ ଏକତୃତୀୟାଂଶ ଅତିକ୍ରମ କଲା ବେଳକୁ, ଘରକୁ ଫେରନ୍ତି । ବାଟରେ ସେମାନେ ନିଜ ନିଜ ଭିତରେ ବିଶେଷ କଥାବାର୍ତ୍ତା ହେବାର କେହି କେବେ ଦେଖିନାହିଁ । ଏପରି କି ଦେଖିଲେ ମନେହୁଏ, କେବଳ ବାଟ ଚାଲିବାପାଇଁ ତାଙ୍କୁ କେହି ମଜୁରି ଦେଇ ନିଯୁକ୍ତ କରିଛି ଓ ନିଜ କାର୍ଯ୍ୟରେ ଅବହେଳା କରି ପରସ୍ପର ଆଡ଼କୁ ଚାହିଁଲେ, ମଜୁରିରୁ କିଛି କିଛି କଟିଯିବ ବୋଲି, ସତର୍କ କରାଇ ଦେଇଛି । ତଥାପି ଛୁଟିଦିନ ସକାଳୁ ଉଠି ସେମାନେ ନିଶ୍ଚୟ-ଡକାଡକି ହୋଇ ବୁଲିବାକୁ ଯିବେ । ନଗଲେ ସତେ ଅବା ଆର ଦିନ ରାମବାବୁଙ୍କୁ କଚେରିରେ ହାକିମ ମିସଲ ବାସନ୍ଦ କରିଦେବେ ଓ ଗୋପାଳବାବୁଙ୍କୁ ଇସ୍କୁଲ ଚାକିରି ଇସ୍ତଫା ଦେବାକୁ ପଡ଼ିବ । ତେଣୁ ଛୁଟିଦିନ ସକାଳେ ମହକିଲ ଟଙ୍କା ଧରି ରାମବାବୁଙ୍କ ଦୁଆରେ ଆସି ଠିଆ ହେଲେ ମଧ୍ୟ ସେ କହନ୍ତି, ‘‘ଭାଇ, କାଲିକି ଆସ । ଜାଣ ତ ମୋର ଆଜି ଛୁଟି ।’’ ସେହିପରି ପାଠ ପାଇଁ ଭୋକିଲା ପିଲାମାନେ ବେଶି ପାଠ କଣ୍ଠସ୍ଥ କରିବା ଇଚ୍ଛାରେ ଗୋପାଳବାବୁଙ୍କୁ ଆସି ଧଇଲେ ଉତ୍ତର ଦିଅନ୍ତି, ସୂର୍ଯ୍ୟ ପଛକେ ସକାଳେ ଉଦୟ ନୋହିବ, ମୋର ବୁଲିବାକୁ ଯିବା ବନ୍ଦ ହବନାଇଁ । ଦୁଇ ପହରକୁ ଆସ ।’’

 

ଦିନେ ସାଥିହୋଇ ବୁଲି ଯାଉ ଯାଉ ଦୁହେଁ ଦରଘାବଜାର ଡେଇଁ ମକର୍ବାରେ ଯାଇଁ ପହଞ୍ଚିଲେ । ବାଲୁବଜାର ଓ ଚୌଧୁରୀ ବଜାର ଯେଉଁ ସହରର ଗୋଟାଏ ଗୋଟାଏ ଅଙ୍ଗ, ମକର୍ବା ଯେ ତାହାରି ଭିତରେ, ଏକଥା ତାକୁ ଦେଖିଲେ କେହି ମନେ କରିବ ନାହିଁ । ଘରଗୁଡ଼ାକ ବହୁ ଛାଡ଼ି ଛାଡ଼ି ତୋଳା ହୋଇଛି, ସତେ ଅବା ତୋଳିବା ଲୋକେ ମନେ କରିଛନ୍ତି ଯେ ପରସ୍ପରଠାରୁ ଯଥେଷ୍ଟ ଦୂରରେ ନ ରହିଲେ ସେ ସବୁ ନିଜ ନିଜ ମଧ୍ୟରେ କଳିଗୋଳ କରିବେ । ଘର ଚାରିପାଖେ ଠିଆ ହୋଇଥିବା ଉଚ୍ଚ ଉଚ୍ଚ ପାଚେରିମାନ ଦେଖିଲେ, ଏ ଧାରଣା ଆହୁରି ଦୃଢ଼ ହୁଏ । ପତ୍ୟେକ ଘର ଚାରିପାଖେ ଗୋଟାଏ ଗୋଟାଏ ପ୍ରକାଣ୍ଡ ହତା ବୁଲିଛି । ହତାରେ ଫୁଲ ଫଳର ବଗିଚା ରହିଛି-। ଛୁଟିଦିନ ଥିବାରୁ ବାବୁମାନେ ନିଜେ ବଗିଚାରେ ପାଣି ଦେଉଛନ୍ତି, ଘାସ ବାଛୁଛନ୍ତି ଓ ଫୁଲଫଳ ତୋଳିବାରେ ଲାଗିଛନ୍ତି । ବାବୁଆଣୀମାନେ ଛୁଆ ପିଲା ଧରି ଖେଳ କୌତୁକରେ ମାତିଛନ୍ତି । ପ୍ରତ୍ୟେକ ଘର ଯେପରି ଗୋଟାଏ ଜୀବନ୍ତ ପଦାର୍ଥ-ବଞ୍ଚିଛି, ଦେଖୁଛି, ଶୁଣୁଛି, କେବଳ ପାଟି ଫିଟାଇ କଥା କହିପାରୁନାହିଁ; କିନ୍ତୁ ଇଙ୍ଗିତରେ ଜଣାଇ ଦେଉଛି ଯେ ଆଜି ତାର ଆନନ୍ଦର ସୀମା ନାହିଁ ।

 

ସେହି ବାଟେ କିଛି ଦୂର ଗଲା ପରେ, ବାଙ୍କ ମୁଣ୍ଡରେ ଗୋଟାଏ ଘର ପଡ଼ିଲା । ସେ ଘରର ମଧ୍ୟ ହତା ରହିଛି ଓ ହତା ଚାରିପାଖେ ପାଚୀରି ବୁଲିଛି । ଘର ଓ ପାଚୀରି ଭିତରେ କେତେ ଗୁଡ଼ାଏ ଗଛ ମୁଣ୍ଡ ଟେକି ଠିଆ ହୋଇଛନ୍ତି । କିନ୍ତୁ ସେ ମୁଣ୍ଡଗୁଡ଼ାକ ସତେ ଯେପରି ନୁଖୁରା ମୁଣ୍ଡ, ବାରମାସ ହେଲା ତେଲ ହାତ ବାଜିନାହିଁ । କାହିଁରେ ଫଳ ଗୋଟାଏ ଅଧେ ଅଛି ତ, ଆଉ କାହିଁରେ ନାହିଁ । କାହାର ଡାଳ ଭାଜିପଡ଼ିଛି, କିଏ ବା ମୂଳରୁ ଶୋଇଯାଇଛି । ଘରଟିଏ ଗୋଟିଏ ଦୋମହଲା ପକା; ମାତ୍ର ଖାଲି କାନ୍ଥରେ ଗଢ଼ା; ଦୁଆର ଝରକାର ଚିହ୍ନ ସୁଦ୍ଧା ନାହିଁ । କେବଳ ତଳମହଲାରେ ଭିତରକୁ ଯିବା ଲାଗି ଗୋଟିଏ ଛୋଟିଆ ଦୁଆର ଅଛି । ଦୁଆର ଆଗକୁ ଗୋଟିଏ ଅଣଓସାରିଆ ବାରଣ୍ଡା । ମାଗିଖିଆମାନେ ସେଠାରେ ଖଣ୍ଡେ ଖଣ୍ଡେ ଆଟିକା ପକାଇଦେଇ ସକାଳୁ ରବିବାର ଭିକ ମାଗିବାକୁ ବାହାରି ଯାଇଛନ୍ତି । ଖଣ୍ଡିଏ ଅଧେ ଛିଣ୍ଡା ମଇଳା କନା ଓ କତରା ପଡ଼ିରହିଛି । କଡ଼ି ଉପରେ ବରଗା ଫାଙ୍କରେ ବାୟା ଚଢ଼େଇ ବସା କରିଛନ୍ତି । କେତେକ ସ୍ଥାନରୁ ପଲସ୍ତରା ଖସିପଡ଼ିଛି । ଛାତ୍ରମାନେ କାନ୍ଥଯାକ ଅ ଆ ଠାରୁ ଆରମ୍ଭ କରି ପଚିଶିକ ପଣିକିଆ ପର୍ଯ୍ୟନ୍ତ ବିଦ୍ୟାଳୟର ସମଗ୍ର ବିଦ୍ୟାରେ ପୂର୍ଣ୍ଣ କରିଦେଇଛନ୍ତି । କେତେ କାହା ଘରର ଛିଦ୍ର ସୁଦ୍ଧା ସେଠାରେ ସ୍ଥାନ ପାଇଛି । ଏ ସବୁରେ ଦିନେ କେହି କେବେ ପ୍ରତିବାଦ କରିଥିଲା ପରି ମନେ ହେଉନାହିଁ ।

 

ଆକାଶ ତଡ଼ିତ୍‌ ମେଘମାଳା ଦେହରେ ଜଡ଼ିତ ହୋଇ ଲୁଚି ରହିଥାଏ, ବାହାରକୁ ପ୍ରକାଶ ପାଏନାହିଁ । କିନ୍ତୁ ଶେଷରେ ଏପରି ଏକ ମୁହୂର୍ତ୍ତ ଆସି ପହଞ୍ଚେ, ଯେତେବେଳେ କି, ଚିର ନିସ୍ତବ୍‌ଧତା ଭାଙ୍ଗି, ଗୋଟାଏ ପ୍ରଚଣ୍ଡ ଘଡ଼ଘଡ଼ି ଶବ୍ଦରେ ଆକାଶ ପୃ‌ଥିବୀ କମ୍ପିଯାଏ । ସେହିପରି ଗୋପାଳବାବୁ ପାଟି ଫିଟାଇ ପଚାରିଲେ, ‘‘ଆଚ୍ଛା, ଏ ଦୁଆରଟା ତୁମେ କେବେ ଲକ୍ଷ୍ୟ କରି ଦେଖିଚ ?’’ ରାମବାବୁ ସ୍ତୋକରେ ଉତ୍ତର ଦେଲେ, ହଁ, ଦେଖିଚି । ତାଶୁଣି ଗୋପାଳବାବୁ କହିଲେ, ‘‘ଓଃ, ଦେଖିଲାମାତ୍ରେ ମୋର କେତେ କେତେ ଯୁଗ ତଳର ଘଟଣା ମନେ ପଡ଼ିଯାଉଚି ।’’କହି ସେ ହୃଦୟ ଭିତରୁ ଗୋଟାଏ ଦୁଃଖର ଆବରଣ ଯେପରି ଏକ ଦୀର୍ଘନିଶ୍ୱାସରେ ଉଡ଼ାଇ ଦେବାକୁ ବସିଲେ । ରାମବାବୁ ତାହା ଲକ୍ଷ୍ୟ କରି ଘଟଣାଟା ଗୁରୁତର ହୋଇଥିବ ବୋଲି ଧରିନେଲେ । ତେଣୁ ସେ ଶଶବ୍ୟସ୍ତ ହୋଇ ପଚାରିଲେ, ‘‘ଏପରି କି ଘଟଣାଟା ଗୋପାଳବାବୁ ?’’

 

ଗୋପାଳବାବୁ କହି ବସିଲେ, ‘‘ଥରେ ବଡ଼ଦିନ ଛୁଟିପରେ ଗାଁରୁ ଫେରୁଥିଲି । ଫସର ଫାଟିବାକୁ ଆହୁରି ଘଡ଼ିଏ କାନ୍ତର ରାତି ଅଛି, କାଠଯୋଡ଼ି ପାରି ହୋଇ, ତେଲଙ୍ଗାବଜାରରେ ପହଞ୍ଚିଲି । ଜନପ୍ରାଣୀ ଗୋଟିଏ ଦେଖିଲି ନାହିଁ । କେବଳ ନିଷ୍କର୍ମା କୁକୁରଗୁଡ଼ାକ, ଶୀତପାହାନ୍ତି ପହରର ନିସ୍ତବ୍ଧତା ଭାଙ୍ଗି, ଖାଲି ମୁଣ୍ଡଟାମାନ ଟେକି, ଶୋଇ ଶୋଇ ଭୁକୁଥିଲେ । ମ୍ୟୁନିସିପାଲିଟିର ବାଟ ପାଖ ଆଲୁଅମାନ ବତିଖମ୍ୱ ଉପରେ, ଶେଷ କେତେ ଟୋପା ତେଲ ଆହରଣ କରି, ନିଭିବା ପୂର୍ବରୁ ଦପ୍‌ଦପ୍‌ ହୋଇ ଜଳୁଥିଲା । ମୁଁ ଯେତେ ଅଗ୍ରସର ହେବାକୁ ଲାଗିଲି, ଘର ଭିତରୁ ଘୁଙ୍ଗୁଡ଼ି ଶବ୍ଦ ସେତିକି ବେଶି ବେଶି କାନରେ ପଡ଼ିଲା । କଟକ ସହରରେ ଏକୁଟିଆ ରାତିରେ କେତେ ବୁଲିଛି । ମାତ୍ର ସେ ଦିନର ଅନୁଭୂତି କେବେ ହୋଇ ନଥିଲା ବା ତାପରେ ମଧ୍ୟ ହୋଇନାହିଁ । ଓହୋ, ଛାତି ଥରି ଯାଉଛି ।’’

 

ଉପକ୍ରମଣିକା ସାରି, ଘଟଣାର ପ୍ରକୃତ ଅଂଶ କହିବାପାଇଁ ନିଜକୁ ତିଆର କରିବା ନିମନ୍ତେ ଗୋପାଳବାବୁ ମୁହୂର୍ତ୍ତେ ତୁନି ହୋଇ ପୁଣି ଆରମ୍ଭ କଲେ, ମୁଁ କିଛି ବାଟ ଯାଇଚି, ବାଖରାବାଦ ଛକର ଅଳ୍ପ ଆଗରୁ ଯୋଡ଼ିଏ ମୂର୍ତ୍ତି ଭେଟିଲି । ସେ ନିର୍ଜନ ରାତିରେ ହଠାତ୍‌ ଦୁଇଜଣ ଲୋକଙ୍କୁ ଦେଖି ମନରେ ଆଶ୍ୱାସନା ଆସିଗଲା । ତାଙ୍କ ମଧ୍ୟରୁ ଜଣେ ଠୁରାଆସିଆ ମୋଟା ଯୁବକ-। ସେ ସହର ଭିତରୁ ନଦୀଆଡ଼କୁ ଯାଉଥିଲା । ଆରଜଣକ ଗୋଟିଏ ଅଣଓସାରିଆ ଗଳି ଭିତରୁ ବାହାରି ପଡ଼ିଲା । ତାର ବୟସ ଦଶରୁ ଡେଇଁବ ନାଇଁ । ଦେହର ବର୍ଣ୍ଣ ଗୋରା, ମୁଣ୍ଡର ବାଳଗୋଛାଟି ପିଠିରେ ଦୋହୋଲୁଚି । ଦେଖିଲେ ମନେହେଉଚି, କୌଣସି ବାବୁ ଭାୟାଙ୍କ ଝିଅ ସକାଳ ପବନ ଖାଇବାକୁ ଘରୁ ବାହାରି ପଡ଼ିଚି । କାଳି ଅନ୍ଧାରରୁ ବାପା ମାତାକୁ ଏକୁଟିଆ କିପରି ଛାଡ଼ିଦେଲେ, ମୁଁ ମନକୁ ମନ ବାଣ୍ଟୁଚି, ଆଖି ଆଗରେ ଏକ ଭୀଷଣ କାଣ୍ଡ ଘଟିବାର ଦେଖିଲି । ଯୁବକଟା ସେହି ବାଳିକାକୁ ଧରି, ତଳେ ପକାଇ, ତାଉପରେ ଠିଆ ହୋଇଗଲା । ମୋର ତ ଆଖି ଖୋଷିହୋଇଗଲା । ମାତ୍ର ତାପରେ କଣ ହେଲା ନା, ଲୋକଟା ବାଳିକାଟି ଉପରେ ଦୁଇ ଚାରିଥର ନାଚି ଡେଇଁ, ତାକୁ ଗୋଡ଼ରେ ଦଳିଚକଟି, ନିରାଲମ୍ୱରେ ପଳାଇବାକୁ ବସିଲା । ବାଳିକାଟି ପ୍ରଥମେ ଭୟ ଓ ଯନ୍ତ୍ରଣାରେ ଚିତ୍କାର କରୁଥିଲା; ପରେ ମୂର୍ଚ୍ଛାରେ ମଲା ପରି ପଡ଼ିଗଲା । ସେ ଦୃଶ୍ୟ ମୁଁ କଣ ବର୍ଣ୍ଣନା କରିପାରୁଚି ? ନିଜେ ଆଖିରେ ନ ଦେଖିଲେ କେବଳ ଶୁଣିବାରେ ବୁଝି ହେବନାଇଁ । ଓଃ, ମୋ ରୋମ ଟାଙ୍କୁରି ଯାଉଚି ପରା !’’

 

ଗୋପାଳବାବୁଙ୍କ ପାଦ ଚଳିଲା ନାହିଁ । ପାଟିରୁ କଥା ମଧ୍ୟ ବାହାରିଲା ନାହିଁ । ଏଣେ ରାମବାବୁଙ୍କର ଉତ୍କଣ୍ଠା ବଢ଼ିଛି । ତେଣୁ ସେ ପଚାରିଲେ, ‘‘ତା ପରେ’’ ?

 

ଗୋପାଳବାବୁ ଉତ୍ତରରେ କହିଲେ, ‘‘ତାପରେ ? ତାପରେ ତ ଲୋକଟା ପଳାଇବାକୁ ବସିଲା । ମାତ୍ର ମୁଁ କଣ ସହଜରେ ଛାଡ଼ିବା ଲୋକ ? ମୁଁ ଧାଇଁଯାଇ ତାବେକ ପାଖ କୁର୍ତ୍ତା ଧରି ଘୋଷାରି ଘୋଷାରି ଆଣିଲି । ମୋ ଦେହରେ ଏତେ ବଳ ସେତେବେଳେ କୁଆଡ଼ୁ ଆସିଗଲା କେଜାଣି ବାଳିକାର ପାଟି ଶୁଣି ଲୋକେ ଆସି ରୁଣ୍ଡ ହୋଇଯାଇଥିଲେ । ଲୋକଟା ଭିଡ଼ିଭାଡ଼ି ନ ହୋଇ ମୋ ସଙ୍ଗେ ସଙ୍ଗେ ଆସିଗଲା । ଯେତେବେଳେ ଥରେ ତାଆଖିକି ମୋ ଆଖି ଚତୁରକ୍ଷ ହୋଇଗଲା, କହନା, ରାମବାବୁ, ସେ କଥା, ମୋ କଲିଜା ପାଣି ଫାଟିଗଲା । ତାବେକରୁ ମୋ ହାତ ଆପେ ଆପେ ଖସିପଡ଼ିଲା; କିନ୍ତୁ ତାର ଚାଲିଯିବାର ତ ବାଟ ନାହିଁ । ଲୋକେ ତାକୁ ଘେରିଗଲେଣି-। ବାଳିକାର ବାପ ଭାଇ ଆସି ପହଞ୍ଚିଛନ୍ତି । ତାଙ୍କ ଘରେ ମଳୁ ପଡ଼ିଚି । ତାର ନୟାନ୍ତ ଅବସ୍ଥା ହେବାରୁ ଡାକ୍ତର ଡାକିବାପାଇଁ ବାଳିକା ଯାଉଥିଲା । ସେ ଆଗ ଛାଲି ଆସିଚି । ଡାକ୍ତର ପଛେ ପଛେ ଆସୁଥିଲେ । ସେ ମଧ୍ୟ ଆସି ସେଠାରେ ପହଞ୍ଚିଲେ ।’’

 

‘ସେ ଲୋକଟାକୁ ତ ସେ ଦିନ ଖୁବ୍‌ମାଡ଼ ଚଢ଼େଇ ଥିବ ।’

 

‘ମାଡ଼ ! ଖାଲି ମାଡ଼ ! ପ୍ରାଣରେ ମାରିଦେଇଥାନ୍ତୁ । ଲୋକଟା ମଧ୍ୟ ସେ କଥା ବୁଝିପାରିଲା । ଆମେ ତାକୁ ଥାନାକୁ ନେବାକୁ ଭିଡ଼ିଲୁ । ଥାନା ନାଁ ପଡ଼ିବାରୁ ସେ ଖାଲି ବରଡ଼ାପତର ପରି ଥରିଲା । କହିଲା, ‘ଯା ହେବାର ହେଲାଣି । ତୁମ ପିଲା ତ ମରିନାହିଁ । ମତେ ମାରିପକେଇବ କାହିଁକି ? ଥାନାକୁ ବା ନବ କାହିଁକି ? ଯାହା ତଣ୍ଡ ନବ ନିଅ ପଛକେ, ମତେ ଛାଡ଼ିଦିଅ । ବହୁତ ଧକଚକ ପରେ ପାଞ୍ଚଶହ ଟଙ୍କା ତୁଟିଲା । ଟଙ୍କାଟା ବାଳିକାର ବାପା ପାଇବା କଥା ହେଲା, ମାତ୍ର ଟଙ୍କା ତ ତାଅଣ୍ଟାରେ ନଥିଲା । ସେ କହିଲା, ‘ମୋ ସଙ୍ଗେ ଚାଲ, ମୁଁ ଦେଇଦେବି । ’ଆମକୁ କୋଉଠାକୁ ଆଣିଲା ଜାଣ ? ସେଇ ଯେ ଦୁଆର ଦେଖେଇ ଦେଲି ସେଇ ଘରକୁ । ସେ ଦୁଆର ପାଖେ ପହଞ୍ଚି ଗୋଟିଏ ମସ୍ତ ଚାବି କୁଆଡ଼ୁକାଢ଼ିଲା । ତାଲା ଫିଟାଇ ଘର ଭିତରକୁ ଗଲା । ଆମେସବୁ ବାହାରେ ଠିଆ ହୋଇ ରହିଲୁ । ଟଙ୍କାଟା ଏଡ଼େ ସହଜରେ ମିଳିବ ବୋଲି ଆମର କାହାରି ଆଶା ନଥାଏ । କିନ୍ତୁ ପାଞ୍ଚ ମିନିଟ୍‌ମଧ୍ୟରେ ଲୋକଟା ଖଣ୍ଡିଏ ଶହେ ଟଙ୍କିଆ ନୋଟ ଓ ବାକି ଚାରିଶ ଟଙ୍କାର ଖଣ୍ଡିଏ ଚେକ୍‌ଧରି ଆସି ପହଞ୍ଚିଲା । ଚେକ୍‌ଖଣ୍ଡ ଦେଖି ତ ଆମେ ସମସ୍ତେ ଆବାକ୍‌ହୋଇଗଲୁ । ସେଥିରେ ଏପରି ଜଣକର ଦସ୍ତଖତ୍‌ହୋଇଥିଲା, ଯାହାକୁ କି ଖାଲି କଟକ ସହର କାହିଁକି, ସାରା ଓଡ଼ିଶାରେ କେହି ନଜାଣି ନାହିଁ । ସେ ଦସ୍ତଖତ୍‍ର ସିହାଇ ପୁଣି ସମ୍ପୂର୍ଣ୍ଣ ଶୁଖିନାଇଁ । ସେଟା ଆହୁରି ବିଚିତ୍ର କଥା ।’’

 

କଣ ଲୋକଟା କାହା ନାଁ ଜାଲ କରି ଦସ୍ତଖତ୍‌ କରିଦେଲା ?’’

 

‘‘ଆମେ ତ ସମସ୍ତେ ସେଇକଥା ଭାବିଲୁ । କହିଲୁ, ‘ତୁ ମଣିଷମାରୁ, ତୁ ଜାଲିଆ । ତୋଠି କି ବିଶ୍ୱାସ ଅଛି ? ଗୋଟାଏ ଅପରାଧ କରିଥିଲୁ,ଏବେ ଦିଟା ହେଲା; ଚାଲ ଥାନାକୁ ।’’ ତାଶୁଣି ସେ ଅଧୀର ନହେଲାପରି କହିଲା; ଥାନାକୁ ନେଲେ କଣ ଟଙ୍କା ପାଇଯିବ ? ତୁନିହୁଅ, ଥୟଧର, ରାତିପାଉ, ବେଙ୍କ ଫିଟୁ, ମୁଁ ନିଜେ ଯାଇ ଚେକ୍‌ଭଙ୍ଗାଇ ତୁମକୁ ଟଙ୍କା ଦେଇଦେବି । ଘରେ ପାଞ୍ଚଶ ଟଙ୍କା ଥିଲେ, କଣ ମୁଁ ନଗଦ ଗଣି ନଦେଇ ଚେକ୍‌ଦେଇଥାନ୍ତି ? ଏଥିରେ ଜାଲ୍‌ ଜୁଆଚୋରି ନାଇଁ-। ତୁମେ ଟଙ୍କା ପାଇଲେତ ଗଲା ।’’ଏକଥା ଶୁଣି ଆମେ ଲୋକଟାକୁ ଧରି ମୋ ବସାରେ ଯାଇ ପହଞ୍ଚିଲୁ । ଗାଧୁଆ ପାଧୁଆ ଖିଆ ପିଆ କରି ବେଙ୍କକୁ ଯାଇ ମୁଁ ଚେକ୍‌ଟା ଦେଖାଇ କହିଲି, ‘ଦେଖନ୍ତୁ ତ, ବାବୁ ! ଆପଣ ଏ ଚେକ୍‌ଭଙ୍ଗାଇ ଟଙ୍କା ଦେଇପାରିବେ ? ଏଟା ଜାଲ୍‌ଚେକ୍‌ ବୋଲି ଆମର ସନ୍ଦେହ ହେଉଚି ।’ ବେଙ୍କର ବାବୁ ଚେକ୍‍ଟାକୁ ଦେଖି କହିଲେ; ‘ଏ ଜାଲ୍‍ କାହିଁକି ହବ ? ଠିକ୍‍ ଅଛି’ । କହି, ଚାରିଶ ଟଙ୍କା ନଗଦ ଗଣି ଦେଲେ ।’’

 

‘‘ଏ ତ ଦେଖୁଚି, ଗୋଟାଏ ଆଠ କାଣ୍ଡର ରାମାୟଣ ।’’

 

‘‘ଆଠ କାଣ୍ଡ କଣ ?ଚଉଦ କାଣ୍ଡ କହିଲେ ଚଳିବ । ଲୋକଟା କି ଦୁର୍ଦ୍ଧର୍ଷ । ସାକ୍ଷାତ୍‌ ଯମ କି ବ୍ରହ୍ମରାକ୍ଷସ । ଯେତେବେଳେ ତାକଥା ମୁଁ ମନେପକେଇଚି, ଭୟରେ ମୋ ପିଳେହି ପାଣି ହୋଇଯାଇଚି । ମାତ୍ର ସେ ଯେ ଆର ଜଣକ, କିଏ ନା, ଯାହାଙ୍କ ନାଁରେ ଚେକ୍‌ଟା ସେ ଆଣିଲା, ତାଙ୍କ ନାଁ କଣ ତୁମେ ଜାଣନା ? ଖାଲି ତୁମେ କଣ, କିଏ ନଜାଣେ, ରାମବାବୁ ? ହୁଏତ ସେ ତୁମର ଜଣେ ମହକିଲ ହୋଇଥିବେ । ଭାରି ଭଲ ଲୋକଟା, ଋଷି ବୋଲି କହିଲେ ହବ । ହେଲେ ୟାକୁ କାହିଁକି, ରାତି ପାହାନ୍ତିରୁ ଉଠି, ଶୀତରେ ଥୁରୁଥୁରୁହେଇ ଚାରିଶ ଟଙ୍କା ଚେକ୍‌ ଲେଖିଦେଲେ-? ପୁଣି ଚାରିଶ ଟଙ୍କା; କଣ ସାମନ୍ୟ ହେଇଚି, ମୋର ଚାରି ମାସର ଦରମା; ତୁମର ଧର ମାସକର ଆୟ ଏଥିରେ କି ରହସ୍ୟ ନିଶ୍ଚୟ ଥିବ । ଏ ଏକ ଗୁଣ୍ଡାରାମ । କଟକୀ ଗୁଣ୍ଡାଙ୍କ କଥା ତ ଜାଣ ତୁମେ । ନର ମାୟା ନାରାୟଣଙ୍କୁ ଅଗୋଚର । ଲୋକଟା ବାହାଚୁଡ଼ା ହେଇନାଇଁ । ଏକୁଟିଆ ଏକୁଟିଆ ଚଳୁଚି । ରକ୍ତ ମାଂସର ଦେହ ତ । କଣ ଏକା ଗଲତି ଥିବ । ଗୁଣ୍ଡାଗୁଡ଼ାକ ତ ସେଇମାନଙ୍କ ପାଇଁ ଅଛନ୍ତି । ମଝିରେ ମଝିରେ ଏମିତି ଦୁଇ ଚାରିଶ ତାଙ୍କଠୁ ମାରୁଥିବ । ଏଥିରେ ତାଙ୍କର କ୍ଷତି ବୃଦ୍ଧି କଣ ? ଯେତିକି ଯାଉଚି, ସେତିକି ଆସୁଚି । ଏ ଡାକ୍ତରି ବ୍ୟବସାୟଟା ଗୋଟାଏ ବଢ଼ିଆ ଜିନିଷ, ଦେଖୁଚି । ବାପା ମତେ କହୁଥିଲେଟି ଡାକ୍ତରି ପଢ଼ିବାକୁ । କିଏ ମୋର ମଡ଼ା କାଟିବ ବୋଲି ମୁଁ ଅମଙ୍ଗ ହେଲି, ବାପାଙ୍କ କଥା ଶୁଣିଲେ, ଆଜି ଟଙ୍କା ପଇସା ଖାଲି ଛାଣୁଥାନ୍ତି ।’

 

‘‘ଗୁଣ୍ଡାଙ୍କୁ ଗଣୁଥାନ୍ତି ମଧ୍ୟ’’- କହି ରାମବାବୁ ଈଷତ୍‌ ହସିଦେଲେ । ମାତ୍ର ପର ମୁହୂର୍ତ୍ତରେ ମୁହଁ ପୁଣି ବର୍ଷା ବେଳର ମେଘ ପରି ମଇଳା ହୋଇଗଲା, ତଥାପି ସେ ତୁନି ହୋଇ ରହିପାରିଲେ ନାହିଁ । ପଚାରିଲେ, ‘‘ଆଚ୍ଛା, ସେ ଚେକ୍‌ ଯେ ଦସ୍ତଖତ୍‌କଲେ, ସେ କଣ ନିଜେ ସେ ଘରେ ରହନ୍ତି-?’’

 

‘କେଜାଣି, ରହୁଥିବେ, ମାତ୍ର ତାଙ୍କ ଠିକଣା ତ ଏ ନୁହେଁ । ତାଙ୍କ ଘରଟା ହେଉଚି ଆର ସାଇରେ । ସେ ବାଙ୍କ ବୁଲିଗଲେ ।’

 

‘‘ଏ ଘରଟା ବିଷୟରେ ଆଉ କଛି ଖବର ଅନ୍ତର ତୁମେ ରଖିନାହଁ ?’’

 

‘‘ନା, ମୁଁ ସେ ଧରଣର ଲୋକ ନୁହେ ତ ତୁମେ ଜାଣ । ଆମେ ଅବଧାନିଆ ଜନ୍ତୁ, ବାଛୁରୀ ଚରାଇ ପେଟ ପୋଷୁ । ଆମର ଚକୁଳି ଖାଇଲେ ହେଲା, ବିନ୍ଧ ଗଣିବା ଦରକାର କଣ ? ବାବୁ, ଦେଖ, ଗୋଟାଏ କଥା କଣ ଆଖିରେ କି କାନରେ ପଡ଼ିଲା । ସେଠୁ ଖୋଳା ତଡ଼ା ଆରମ୍ଭ ହେଲା । ଆଳୁ ଖୋଳୁ ଖୋଳୁ ମହାଦେବ ଉପୁଜିବେ, ଏତେ କଥାକୁ ଯାଏ କିଏ ? ପର୍ବତ ଉପରେ ଚଢ଼ି ପଥର କେବେ ଗଡ଼େଇଚ ନା ? ତୁମେତ ଗୋଟାଏ ପଥର, ଛାଡ଼ିଦିଅ । ସେଟାଯାଇ ବାଟରେ କେତେ ପଥରରେ ବାଜେ ଓ ପ୍ରତ୍ୟେକକୁ ଗଡ଼ାଇବାରେ ଲାଗେ । ସେମାନେ ପୁଣି ଆଉ ଆଉ ପଥର ଗଡ଼ାନ୍ତି । ଫଳରେ ତୁମର ଗୋଟାଏ ପଥର ସ୍ଥାନରେ, ଶହେ ପଥର ଯାଇ ପର୍ବତ ତଳେ ଗଡ଼ି ଗଡ଼ି ପଡ଼େ । ଛୋଟ ଛୋଟ ଜନ୍ତୁ ସେଥିରେ ଚୂନା ହୋଇଯାନ୍ତି, ବଡ଼ ବଡ଼ମାନଙ୍କ ଗୋଡ଼ ଛୋଟା ହୁଏ । ଝିମିଟି ଖେଳରୁ ମହାଭାରତ ଜାତ ହୁଏ । ମୁଁ ଜୀବନର ଗୋଟାଏ ନୀତି କରି ଧରିଚି ଯେ ଯେଉଁଠି ସନ୍ଦେହର ସତ୍ତା ପାଇବି, ସେଠି ଖୋଳତାଡ଼ କିଛି କରିବିନାଇଁ ସବ୍‌ସେ ଚୁପ୍‌ଭଲା ।’’

 

‘‘ନୀତିଟା ମନ୍ଦ ନୁହେଁ ।’’

 

‘‘ହେଲେ, ସେ ସ୍ଥାନଟାକୁ ମୁଁ ଭଲ କରି ଠଉରେଇ ନେଇଚି । ସେଟା କଣ ଗୋଟାଏ ଘର ପଦବାଚ୍ୟ ? ଦୁଆର ସେଇ ଗୋଟିକ । ତାପରେ ପୁଣି ସେ ବାଟେ କେହି କେବେ ଯିବା ଆସିବା କରେ ନା, ଅବଶ୍ୟ କେବଳ ସେଇ ଜଣକ ଛଡ଼ା । ଦୋତାଲାରେ ତିନିଟା ଝରକା ଅବଶ୍ୟ ଅଛି । ମାତ୍ର କୌଣସିଟା କେବେ ଫିଟେନାଇଁ । ତେବେ ବେଳେ ବେଳେ ଭିତରୁ ଖୁଡ଼୍‌ଖାଡ଼୍‌ଶବ୍ଦ ଆସେ । ସେଥିରୁ ମନେ ହୁଏ ଯେ କେହି ନିଶ୍ଚୟ ରହୁଥିବେ । ତାପରେ ପୁଣି ଝରକାଗୁଡ଼ାକ ବେଶ୍‌ସଫାସୁତରା ମଧ୍ୟ ଅଛି ।’’

 

ତାପରେ ଆଉ କେହି କିଛି କହିଲେ ନାହିଁ, କେବଳ ଚାଲିଲାଗିଲେ । କେତେକ ସମୟ ଗଡ଼ିଗଲା । ଶେଷରେ ରାମବାବୁ ଚିନ୍ତାକୁଳ ଭାବରେ କହିଲେ, ‘‘ଗୋପାଳବାବୁ, ତୁମର ସେ ନୀତିଟା ବେଶ୍‌ ।’’

 

‘‘ହଁ, ମୋର ତ ମନେ ହେଉଚି ଖୁବ୍‌ଭଲ ବୋଲି ।’’

 

‘‘ସେ ଯାହା ହେଉ, ମୁଁ ଗୋଟାଏ କଥା ତୁମକୁ ନ ପଚାରି ରହିପାରୁ ନାଇଁ । ଓକିଲ ଲୋକ କି ନା, ଆମର ବ୍ୟବସାୟ ହେଲା ଅଲଗା ରକମର । ତୁମେ କିଛି ମନେକରିବନାହିଁ । ଆଚ୍ଛା, ସେ ବାଳିକାକୁ ଯେଉଁ ଲୋକଟା ମାରିଥିଲା, ତାନାଁ କଣ ?’’

 

ତାନାଁଟା କହିବାରେ ପୁଣି କ୍ଷତି କଣ ? ଶିକ୍ଷକ ଲୋକ ଆମେ ; ଆମ ପ୍ରକୃତି ହେଲା, ଜାଣିଥିଲେ, ପଚାରିଲେ କହିବା । ତାନାଁ ସଦେଇ ଜେନା ।’

 

‘‘ହୁଁ, ଲୋକଟା ଦେଖିବାକୁ କିପରି କହତ ?’’

 

‘‘ତାକଣ କଥାରେ କହି ହବ ? ଚେହେରାଟା ଆଦୌ ଭଲ ନୁହେଁ । ଦେଖିଲେ ପ୍ରାଣରେ ଆତଙ୍କ ଉପୁଜିବ । ସେପରି ଆଉ ଜଣେ ମୁଁ ଜୀବନରେ କେବେ ଦେଖିନାଇଁ-ଏବେ ତ ପଚାଶ ପାଖ ଆଖ ଆସି ହେଲା । ତାଭିତରେ କଣ ଗୋଟାଏ ବଡ଼ ତ୍ରୁଟି ଥିଲା ପରି ଜଣାପଡ଼େ; ମାତ୍ର ସେଟା କଣ ମୁଁ କେବେ ବୁଝିପାରି ନାଇଁ । ଯେତେ ଚେଷ୍ଟାକଲେ ମଧ୍ୟମୁଁ କଥାରେ ତା ପ୍ରକାର-ଅନ୍ତର ବର୍ଣ୍ଣନା କରିପାରିବି ନାଇଁ । ମନେ ନ ପଡ଼ିବାଯୋଗେ ଯେ ପାରିବି ନାଇଁ, ସେ କଥା ଭାବନା । ତା ଚେହେରାଟା ଏଇ ଏବେ ମଧ୍ୟ ମୋ ଆଖି ଆଗେ ବିଲକ୍ଷଣ ନାଚି ଯାଉଚି । ଏଇ ମୁଁ ଦେଖୁଚି, ମାତ୍ର ବୁଝି ପାରୁନାଇଁ । କି ବିଚିତ୍ର କେଜାଣି ?’’

 

ଗୋପାଳବାବୁ ତୁନି ହେଲେ । କେତେ ସମୟ ଚାଲିଗଲା । ଦୁହେଁ ବାଟ ସେହିପରି ଚାଲୁଛନ୍ତି । ରାମବାବୁଙ୍କ ମୁଡଁରୁ ଜଣାପଡ଼ୁଛି ଯେ ସେ ଖୁବ୍‌ଚିନ୍ତାକୁଳ । ଶେଷରେ ସେ ପଚାରିଲେ, ‘‘ତୁମେ କଣ ଠିକ୍‌ଦେଖିଚ ସେ ଗୋଟାଏ ଚାବିକାଠିରେ ଦୁଆର ଫିଟେଇଲା ?’’

 

‘ଆଉ କଣ ନ ଦେଖି କହୁଚି ? ମୋ କୋଷ୍ଠିରେ ସେ କଥା ନାଇଁ ।’’ ଜଣାଗଲା, ଗୋପାଳବାବୁ ଏପରି ପ୍ରଶ୍ନରେ ଚିଡ଼ିଗଲେ ।

 

‘ମୁଁ ବୁଝିଚି, ଗୋପାଳବାବୁ, ଏ କଥାଗୁଡ଼ାକ ତୁମକୁ ସୁଖ ଲାଗୁ ନ ଥିବ । ମୁଁ ସିଧା ପଚାରିଦେଲେ ହୁଏତ ତୁମେ ଉତ୍ତରଟା ଦେଇ ଦେଇ ନିଶ୍ଚିନ୍ତ ହୁଅନ୍ତ । ମୁଁ ଆର ଜଣକର ନାଁ ତୁମକୁ ପଚାରୁ ନାଇଁ; କାରଣ ମୁଁ ନିଜେ ଜାଣିଚି । ମୁଁ ସବୁ ରହସ୍ୟ ଠଉରେଇ ନେଇଚି; ବରଂ ତୁମର କହିବାରେ କୁଠେଇ କିଛି ହୁଏତ ବ୍ୟତିକ୍ରମ ଘଟିଥାଇପାରେ ।’’

 

‘‘ନା, ଭୁଲ୍‌କହି ମୋର କି ଲାଭ ?ସେ ଲୋକଟା ପାଖେ ଗୋଟାଏ ଚାବିକାଠି ରହିଚି । ଏଇ ସେଦିନ ଫେର୍‌ସେଇ ଚାବିରେ ସେ ଦୁଆର ଫିଟାଇବାର ମୁଁ ଦେଖିଚି, ଆଜିକି ପାଞ୍ଚ ସାତ ଦିନ ହବ ।’’

 

ରାମବାବୁ ଶୁଣି କିଛି କହିଲେ ନାହିଁ, କେବଳ ଗୋଟାଏ ଦୀର୍ଘନିଃଶ୍ୱାସ ପକାଇଲେ । ତାଙ୍କ ପ୍ରାଣକୁ ଯେ କିଛି ଗୋଟାଏ କଥା ବାଧିଛି, ବେଶ୍‌ଜଣାଗଲା । ଗୋପାଳବାବୁ କହିଲେ, ‘‘ମୁଁ ତ ସେଇଆ ଆଶଙ୍କା କରିଥିବାରୁ ପାଟି ଫିଟାଉ ନ ଥିଲି । ଏବେ ନିଜେ ଏଣୁ ତେଣୁ ପଚାରି ଶୁଣିଲ, ମନ ମାରିଦେଲ । ମୁଁ କାହିଁକି କହିଲି କେଜାଣି । ହଉ, ଯାହା ହବାର ହେଲାଣି । ଆଜିଠୁ ନିୟମ କର, ଆଉ ତୁମେ ଏ କଥା ପଚାରିବ ନାଇଁ କି ମୁଁ କହିବି ନାଇଁ ।

 

‘‘ଭଲ, ଏକଥା ଏତିକିରେ ଜଳିପୋଡ଼ି ଯାଉ ।’’

•••

 

ସଦେଇ ଜେନାକୁ ଖୋଜିବା

 

ସେଦିନ ରାମବାବୁ ଯେତେବେଳେ ଘରକୁ ଫେରିଲେ, ତାଙ୍କ ପ୍ରାଣ ଖୁବ୍‌ଭାରାକ୍ରାନ୍ତ । ସବୁଦିନ ପରି ଅବଶ୍ୟ ଖାଇଲେ, ବସିଲେ, ପଢ଼ାପଢ଼ି କଲେ; ମାତ୍ର କାହିଁକି ମନ ବୁଝିଲାନାହିଁ । ଛୁଟି ଦିନମାନ ସେ ସନ୍ଧ୍ୟାରୁ ଖାଇଦେଇ କୌଣସି ପୁରାଣ ବା ଭଗବଦ୍‍ଗୀତା ଧରି ବସନ୍ତି; ରାତି ବାରଟା ବାଜିଲେ ଯାଇ ଶୁଅନ୍ତି । ସେ ଦିନ ରାତିରେ ବ୍ୟତିକ୍ରମ ଘଟିଲା; ଘଣ୍ଟାରେ ଯେତେବେଳେ ଠନ୍‌ଠନ୍‌ ଦଶଟା ବାଜିଗଲା, ସେ ଗୋଟାଏ ଲଣ୍ଠନ ଧରି ଯାଇ ନିଜର କଚେରି ଘରେ ପଶିଲେ । ଲୁହା ଆଲମାରି ତିନିଟା ଚାବି କାଠିରେ ଫିଟାଇ, ସେଥିରୁ ଗୋଟାଏ ଦଲିଲ କାଢ଼ି ଧଇଲେ । ତାହା ଯେଉଁ କାଗଜ ମୁଣିରେ ଥିଲା, ତାଉପରେ ବଡ଼ ବଡ଼ ଅକ୍ଷରରେ ଲେଖା ଅଛି–‘ଡାକ୍ତର ନାୟକଙ୍କ ଉଇଲ ।’ ଦଲିଲଟି ଫିଟାଇ ସେ ଆଖି ମାଡ଼ି ବସି ପଢ଼ିଲେ । ମୂଳରୁ ଶେଷ ପର୍ଯ୍ୟନ୍ତ ଦଲିଲଟିଯାକ ଡାକ୍ତର ନାୟକଙ୍କ ନିଜ ହାତରେ ଲେଖା । ଦଲିଲ ଲେଖା ହେଲାବେଳେ ରାମବାବୁ ସେଥିରେ ସାହାଯ୍ୟ କରିବାକୁ ମନା କରିଦେଇଥିଲେ, କିନ୍ତୁ ହୋଇଗଲା ପରେ ତାହା ନିଜ ପାଖରେ ରଖିବାକୁ ସ୍ୱୀକାର କଲେ । ସେଥିରେ ଲେଖାଥିଲା–‘‘ମୋର ମୃତ୍ୟୁ ପରେ ମୋର ସମୁଦାୟ ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ ହେବେ ସଦେଇ ଜେନା; କାରଣ ସେ ମୋର ଘନିଷ୍ଠ ବନ୍ଧୁ ଓ ଉପକାରୀ; କିନ୍ତୁ ମୁଁ ଯଦି କେବେ ଫେରାର୍‌ହୋଇଯାଏ ଓ ତିନି ମାସ ମଧ୍ୟରେ ଫେରି ନ ଆସେ, ତାହାହେଲେ ମଧ୍ୟ ଉକ୍ତ ତିନି ମାସ ଅତୀତ ହୋଇଯିବା ଦିନଠାରୁ ସେହି ସବୁ ସମ୍ପତ୍ତି ସଦେଇ ଜେନା ଭୋଗଦଖଲ କରିବେ ।’’

 

‘ଏ ଦଲିଲ ରାମବାବୁଙ୍କ ପାଖେ ଅନେକ ଦିନ ଧରି ରହିଛି । ସେ ଯେତେବେଳେ ୟା ଉପରେ ଆଖି ପକାଇଛନ୍ତି, ନାକ ଟେକିଛନ୍ତି । ପ୍ରଥମେ, କୌଣସି ବିବେକବନ୍ତ ଓକିଲ ଏପରି ଏକ ଉଇଲ ଲେଖିବାକୁ ପରାମର୍ଶ ଦେବନାହିଁ । ଦ୍ୱିତୀୟରେ, ସଦେଇ ଜେନା ଡାକ୍ତର ନାୟକଙ୍କର ଏପରି କିଏ ଯେ ଏତେ ସମ୍ପତ୍ତି ଏଡ଼େ ସହଜରେ ପାଇଯିବ ? ସଦେଇ ଜେନାର ଗୁଣଗ୍ରାମ ଜାଣି ନଥିବା ଯୋଗେ ରାମବାବୁ ଏ ଉଇଲକୁ ଆଜିଯାଏ ନାପସନ୍ଦ କରୁଥିଲେ । ଆଜି ନାପସନ୍ଦ କରୁଛନ୍ତି, କାରଣ ତାକୁ ସେ କିଛି କିଛି ଜାଣିଯାଇଛନ୍ତି । ଆଗରୁ ସଦେଇ ଜେନାର ନାମ ତାଙ୍କ ପାଖେ ଗୋଟାଏ ନାମ ହୋଇଥିଲା, ସେ ତାରୂପଭେଦ କିଛି ଦେଖି ନଥିଲେ । ଆଜି ତାନାମ ସହିତ କେତେକ ଗୁଣର ମଧ୍ୟ ସଂଯୋଗ ହୋଇଛି । ଗୋପାଳବାବୁ ତାକୁ ଗୁଣ୍ଡା ବୋଲି କହିଛନ୍ତି ମାତ୍ର; କିନ୍ତୁ, ତାହାର ଯେଉଁ ବର୍ଣ୍ଣନା ଦେଇଛନ୍ତି, ସେଥିରେ ସେ ସହସ୍ର ଗୁଣ୍ଡାଙ୍କ ମୁହଁରେ କଳା ବୋଳିଦେବା ଭଳି ଲୋକପରି ପ୍ରତୀୟମାନ ହେଉଛି । ରାମବାବୁ ଦଲିଲଟାକୁ ଯେତେ ଦେଖିଲେ, ତାଙ୍କ ପ୍ରାଣରେ ଦୁଃଖ ଓ କ୍ରୋଧ ସେତିକି ଘୋଟିଗଲା । ତେଣୁ କାଗଜପତ୍ରଗୁଡ଼ାକ ସେ ଗୁଡ଼ାଇ ଯଥାସ୍ଥାନରେ ରଖିଦେଲେ । ସେତେବେଳେ ସେ ମନକୁ ମନ କହିଲେ, ‘ମୁଁ ଭାବିଥିଲି ଯେ ଏଟା ଗୋଟାଏ ପାଗଳାମି; ମାତ୍ର ବର୍ତ୍ତମାନ ମୋର ଆଶଙ୍କା ହେଉଚି, ଏଥିରେ ବଦ୍‌ମତଲବ କିଛି ଥାଇପାରେ । ଓଃ, ସଂସାରଟା କି ନିଉଛୁଣା !’’

 

ରାମବାବୁ ଲୁଗାପଟା ପିନ୍ଧି, ଲଣ୍ଠନ ନିଭାଇଦେଇ, ଘରୁ ବାହାରି ପଡ଼ିଲେ ଓ ଲମ୍ବେ ଲମ୍ୱେ କାଳୀଗଳି ଆଡ଼କୁ ଚାଲିଲେ । ସେତେବେଳେ ସେ ମନେ ମନେ ଭାବିଲେ, ‘‘ଯଦି କେହି କିଛି ଜାଣିଥିବ, ସେ ହେଉଚି ଡାକ୍ତର ଦାସ ।’’ ଡାକ୍ତର ଦାସଙ୍କ ପ୍ରସାର ଖୁବ୍‌ ବେଶି । ପ୍ରତିଦିନ ଶହ ଶହ ରୋଗୀ ତାଙ୍କ ପାଖେ ଜୁଟନ୍ତି ।

 

ସେଦିନ ରାମବାବୁ ପହଞ୍ଚିଲାବେଳକୁ ଘର ଖାଲି ହୋଇଯାଇଥିଲା, ରୋଗୀମନେ ଚାଲିଯାଇଥିଲେ । ତେଣୁ ସେ ସିଧା ଯାଇ ଡାକ୍ତର ଦାସଙ୍କ ପାଖେ ପହଞ୍ଚିଲେ । ଡାକ୍ତର ଦାସ ଧାଇଁ ଆସି ଅଧବାଟରୁ ତାଙ୍କୁ ପାଛୋଟି ନେଲେ, କୁଣ୍ଢାଇ ପକାଇଲେ, ନାନା ପ୍ରଶ୍ନରେ ପୋତି ଦେଇଗଲେ । ସେ ଜଣେ ଭାରି ସରସ ଲୋକ । ସ୍କୁଲ ଓ କଲେଜରେ ରାମବାବୁଙ୍କ ସହପାଠୀ । ପିଲାକାଳର ବନ୍ଧୁତା ଠିକ୍‌ ରଖିଛନ୍ତି । ତାଙ୍କ ଆଦର ଅଭ୍ୟର୍ଥନା ବାହାରକୁ ରଙ୍ଗମଞ୍ଚର ଅଭିନୟ ପରି ଅବଶ୍ୟ ଦିଶେ, କିନ୍ତୁ ସେଥିରେ ଯଥେଷ୍ଟ ସହୃଦୟତା ଥାଏ ।

 

ଦୁହେଁ କେତେକ ସମୟ କଥାବାର୍ତ୍ତା ହେଲାପରେ ଡାକ୍ତର ଦାସ କହିଲେ, ‘‘ରାମ, ତୁଖାଲି ମତେ ଦେଖିବାକୁ ଆସିନାହୁଁ, ଆଉ କଣ ମତଲବ ଅଛି । ନୋହିଲେ, ଏତେ ଅନ୍ୟମନସ୍କ ମୋ ପାଖରେ ହବା ଲୋକ ତ ତୁ ନୋହୁ । ତାପରେ ପୁଣି, ଏତେ ରାତିରେ କଣ ତୁ ଘରୁ ଗୋଡ଼ କାଢ଼ୁ ?’’

 

‘‘ଠିକ୍‌ ଧରିପାରୁଚୁ, ଦାସ । ନହେଲେ କି ତୁ ଏଡ଼େ ବଡ଼ ଡାକ୍ତର ହୋଇଥାନ୍ତୁ ? ମୁଁ ଗୋଟାଏ କାମରେ ଆସିଚି । ଆଚ୍ଛା, ତୋ ମୋ ଛଡ଼ା, ଡାକ୍ତର ନାୟକର ଆଉ ଅନ୍ତରଙ୍ଗ ବନ୍ଧୁ କଣ କେହି ଅଛି ?’’

 

‘‘ମୁଁ ତ ଆଉ କାହାକୁ ଜାଣେନା । କାହିଁକି, କଣ ହେଲା ? ଏପରି ପ୍ରଶ୍ନର ଦରକାର ବା କଣ ଥିଲା ? ତୁ କଣ ଖାଲି ଏଇକଥା ପଚାରିବାକୁ ଏତେ ରାତିରେ ଦଉଡ଼ି ଆସିଚୁ ? ଆଚ୍ଛା, କାହିଁ, ସେ ନାୟକର ହେଇଚି କଣ ? ମୁଁ ତ ଏବେ ଆଉ ତାକୁ ଦେଖୁନାଇଁ । ତାର କେତେକ ରୋଗୀ ତାକୁ ଛାଡ଼ି ମୋ ପାଖକୁ ଆସିଲେଣି । ସେ ଗଲା କୁଆଡ଼େ ? ଯାହାକୁ ପଚାରିଲେ ମୁଁ ଶୁଣେ କଣ ନା ସେ ନାହାନ୍ତି । ଆରେ ବାବୁ, ନାହାନ୍ତି ତ; କଣ ଦୁନିଆ ଛାଡ଼ି ଚାଲିଗଲେ ?’’

 

‘‘ତୋର ତାର ତ ଖୁବ୍‌ମନ ମିଳୁଥିଲା ।’’

 

‘‘ହଁ, ବେଶ୍‌ ମିଳୁଥିଲା । ଏକା ନାଡ଼ିଚିପା ଦିଟା ନା; ମାତ୍ର ତାର କଣ ହେଲା, ସେ କ୍ରମେ ବିଗିଡ଼ିଗଲା; ବେଆଡ଼ା କଥା କହିବାକୁ ଆରମ୍ଭକଲା; ଟିକିଏ ରାଗିଲା; ବେଳେ ବେଳେ ଅବୁଝା ହେଲା । ଏ ସଂସାରରେ ବାବୁ, ଏପରି ହେଲେ ଚଳିବ କେତେ ଦିନ ? ତେଣିକି ତାକୁ ଦେଖିଲେ ମତେ ଡର ମାଡ଼ିଲା । ତୁମ ଆମ କଥା କଣ ? ଏପରି ଆଚରଣରେ ହରଗୌରୀ ତ ପରସ୍ପରକୁ ଛାଡ଼ପତ୍ର ଦେବେ ।’’

 

ଡାକ୍ତର ଦାସଙ୍କ କଥାର ସ୍ରୋତ ଛାଲିଥିଲେ, ଛାଲିଥାଏ । ତାକୁ ରୋଧିବାକୁ ହେଲେ, ଗୋଟାଏ ବନ୍ଧ ଦରକାର । ସେହି ବନ୍ଧ ପକାଇବାକୁ ଯାଇ ରାମବାବୁ ପଚାରିଲେ, ‘‘ଆଚ୍ଛା ଦାସ, ନାୟକର ସଦେଇ ଜେନା ବୋଲି ଜଣେ ପ୍ରିୟ ଲୋକ କିଏ ଅଛି, ତାକୁ ତୁ କେବେ ଦେଖିଚୁ ?’’

 

‘‘ସଦେଇ ଜେନା, ଜେନା ? ଦେଖିବି କଣ ? ଏପରି ଗେଟାଏ ନାଁ ତ କେବେ ଏ କାନରେ ପଡ଼ିନାଇଁ ।’’ଡାକ୍ତର ଦାସ ବାଁ ହାତରେ ନିଜର କାନ ଦେଖାଇଲେ ।

 

ସେହି ଖବରଟା ମୁଣ୍ଡରେ ଧରି ରାମବାବୁ ଘରକୁ ଫେରିଗଲେ । ସେ ଶେଯରେ ଯାଇ ଶୋଇଲେ ଅବଶ୍ୟ,କିନ୍ତୁ ନିଦ ହେଲା ନାହିଁ । ଖାଲି ଏ କଡ଼ ସେ କଡ଼ ହେବାରେ ଲାଗିଲେ । କଚେରୀ ଘଣ୍ଟା ଗୋଟାକଠାରୁ ଛ’ଟା ପର୍ଯ୍ୟନ୍ତ ନିୟମିତ ସମୟ ଅନ୍ତରରେ ବାଜି ଚାଲିଲା; କିନ୍ତୁ କେତେବେଳେ କେତେଟା ବାଜିଲା, ସେ ଖିଆଲ ରାମବାବୁଙ୍କର ନାହିଁ । ସେ ଗୋଟାଏ କୌତୂହଳମୟ ଅଭିନୟ ଦେଖିବାରେ ଲାଗିଛନ୍ତି । ଦୃଶ୍ୟପରେ ଦୃଶ୍ୟ ଅଭିନୀତ ହେଉଛି । ପଟ ପଡ଼ୁଛି, ପଟ ଉଠୁଛି । ଅଭିନେତୃମାନେ ଆସୁଛନ୍ତି ଯାଉଛନ୍ତି । ତାମଧ୍ୟରେ ତାଙ୍କର ଗୋପାଳବାବୁଙ୍କଠାରୁ ଶୁଣିଥିବା ବାଖରାବାଦ ଛକ ଦୃଶ୍ୟ ଆସି ପ୍ରବେଶ ହେଲା । ଗୋଟାଏ ରାକ୍ଷସୀରୂପୀ ଲୋକ ଗୋଟିଏକୋମଳ ବାଳିକାକୁ ଦଳିଚକଟି ଚାଲିଗଲା । ତା ପରେ ଦୃଶ୍ୟରେ ମକର୍ବାର ଦୋମହଲା କୋଠାଘର ଦିଶିଲା । ଶୀତଋତୁର ଶେଷ ଯାମର ଅନ୍ଧକାରରେ ଗୋଟାଏ ଲୋକ ସେ ଘର ଭିତରକୁ ପଶିଯାଇ ମୁହୂର୍ତ୍ତକ ମଧ୍ୟରେ ପାଞ୍ଚଶହ ଟଙ୍କା ଘେନି ଆସିଲା । ତାପୁଣି ତାଙ୍କ ନିଜର ଜଣେ ଅନ୍ତରଙ୍ଗ ସଙ୍ଗୀଙ୍କଠାରୁ । ଏ ଦୁଇଟା ଦୃଶ୍ୟର ନାୟକ ଜଣେ ଲୋକ । ସେ ଅଭିନୟରେ ତାହାକୁ ହିଁ ଦେଖୁଛନ୍ତି ମାତ୍ର; କିନ୍ତୁ ପ୍ରକୃତରେ ତାନାମ ଛଡ଼ା ଆଉ କିଛି ଦେଖିନାହାନ୍ତି । ସେ ଯେ କିପରି ଲୋକ, ଗୋରା କି କଳା, ନିଶୁଆ କି ମାଖୁନାମୁହାଁ, ତାତ କିଛି ଜାଣନ୍ତି ନାହିଁ । ଅତଏବତାକୁ ଅକସ୍ମାତ୍‌ କେଉଁଠାରେ ଦେଖିଲେ ଚିହ୍ନିବେ କିପରି ? ଯାହାକୁ ଛ’ଘଣ୍ଟା କାଳ ଅଭିନୟରେ ଦେଖୁଛନ୍ତି, ତାର ପ୍ରକୃତ ଚେହେରା ଖଣ୍ଡ ଦେଖିବାପାଇଁ ତାଙ୍କର ଇଚ୍ଛା ବଳବତୀ ହୋଇଉଠିଲା । ଡାକ୍ତର ନାୟକର ସମଗ୍ର ସମ୍ପତ୍ତିର ଉତ୍ତରାଧିକାରୀ କେଉଁ ଲୋକ, ତାର ମୁହଁ ଖଣ୍ଡକ ନ ଦେଖିଲେ, ରାମବାବୁଙ୍କର ଏ ଜଡ଼ଜଗତରେ ପ୍ରାଣ ଧରି କି ଲାଭ ?

 

ସେଦିନ ଶେଯରୁ ଉଠିବା ପୂର୍ବରୁ ସେ ପ୍ରତିଜ୍ଞା କଲେ ଯେ ସଦେଇ ଜେନାକୁ ଖୋଜି ବାହାର କରିବେ । ଥରକେ ପ୍ରତିଜ୍ଞା କାଳେ ଅଟକ ନୋହିବେ, ସେଥିପାଇଁ ଆଗେ ବହୁ ପ୍ରତିଜ୍ଞା ନେଇ ମୂଳଦୁଆ ପକାଇଲେ । ତାପରେ ଚୂନ ସିମେଣ୍ଟ ପଲସ୍ତରା ଦେଇ ପ୍ରତିଜ୍ଞାକାନ୍ଥ ପଥରରେ ଗଢ଼ିଲେ । ମକର୍ବାର ଦୋମହଲା ଘର ଆଦର୍ଶରେ ସେଥିରେ ଦୁଆର ଝରକା ପାଇଁ ଫାଙ୍କ ରଖିଲେନାହିଁ । ଉପରେ ପୁଣି ନୂତନ ପ୍ରତିଜ୍ଞାର ଛାତ ପକାଇଲେ । ଏହିପରି ଭାବରେ ପ୍ରତିଜ୍ଞାସୌଧ ଯେତେବେଳେ ତିଆରି ସରିଲା, ସେ ଶେଯରୁ ଧଡ଼୍‌କିନି ଉଠି ଠିଆ ହେଲେ, ମନକୁ ମନ କହିଲେ, ‘‘ଏଥର ଆଉ କୋଉ ସଦେଇ ଜେନା ମୋ ଆଖି ଆଗରୁ ଖସି ପଳାଇପାରିବ, ଦେଖିବି ।’’

 

ତେଣିକି ସେ କି ସକାଳେ, କି ଦୁଇପହରେ, କି ସନ୍ଧ୍ୟାରେ, କି ରାତି ଅଧରେ–ସର୍ବଦା ମକର୍ବାକୁ ଧାଇଁଲେ । ଖାଇବା ପିଇବା ଭୁଲିଗଲେ । ମହକିଲ ଆସି ବସି ଦୁଆରୁ ଫେରିଯିବାକୁ ଲାଗିଲେ । ଜଣାଗଲା, ସୃଷ୍ଟି ପଛକେ ପ୍ରଳୟ ହୋଇଯିବ, ରାମବାବୁ ସଦେଇ ଜେନାକୁ ଖୋଜିବା ଛାଡ଼ିବେ ନାହିଁ । ସେ ଗୋଟିଏ ଜିନିଷ ଜାଣନ୍ତି, ତାହେଉଛି, ‘ଶରୀରଂ ବା ପାତୟେତ୍‌, ମନ୍ତ୍ରଂ ବା ସାଧୟେତ୍‌’ ।

 

ସାଧନାର ଅସାଧ୍ୟ କିଛି ନାହିଁ । ସାଧନାବଳରେ ଇନ୍ଦ୍ର ସିଂହାସନ ଚ୍ୟୁତ ହୋଇଛନ୍ତି, ସାଧନାଦ୍ୱାରା ମନୁଷ୍ୟର ସ୍ୱର୍ଗପ୍ରାପ୍ତି ହୋଇଛି । ରାମବାବୁଙ୍କ ସାଧନାର ପୁରସ୍କାର ପାଇବାର ଖୁବ୍‌ବିଳମ୍ୱ ହେଲାନାହିଁ । ଦିନେ ନିର୍ମଳ ଆକାଶ ତାରକାମାଳାରେ ସୁଶୋଭିତ ଦିଶୁଛି, ମୃଦୁଳ ମଳୟ କାଠଯୋଡ଼ିର ବିସ୍ତୀର୍ଣ୍ଣ ଶୀତଳ ବାଲୁକାରାଶି ସ୍ପର୍ଶକରି ବହିଆସୁଛି, ସମଗ୍ର ସହର ସୁଷୁପ୍ତି କୋଳରେ ଶୋଇବାପାଇଁ ଧୀର କଳରବ କର୍ଣ୍ଣ - କୁହରରେ ଆହରଣ କରୁଛି, ସେହି ପରିସ୍ଥିତି ମଧ୍ୟରେ ମକର୍ବାରେ ଉତ୍କଣ୍ଠିତ ନେତ୍ରରେ ରାଜପଥରେ ଜଣେ ଚାଲିବାରେ ଲାଗିଛନ୍ତି । ଘରମାନଙ୍କରୁ କାନ୍ଥ ଘଣ୍ଟାର ଧ୍ୱନି ଆସୁଛି । ଏକ, ଦୁଇ, ତିନି, ଚାରି, ପାଞ୍ଚ, ଛ, ସାତ, ଆଠ, ନ, ଦଶ ଗଣି ରାମବାବୁ ଚାହିଁଲା ବେଳକୁ ଦେଖିଲେ ଯେ ସେ ସେହି ଏକ ଦୁଆରିଆ ଦୋମହଲା କୋଠାଘର ଆଗରେ ଆସି ଠିଆ ହେଲେଣି; ମାତ୍ର ତାଙ୍କୁ ବେଶି ସମୟ ଏକା ଠିଆ ହେବାକୁ ପଡ଼ିଲା ନାହିଁ । ଖଣ୍ଡେ ଦୂରରେ ଜଣକର ପାଦଶବ୍ଦ ଶୁଣିଲେ । ଏପରି ପାଦଶବ୍ଦ ଶୁଣିବା ତାଙ୍କ ପକ୍ଷରେ କିଛି ନୂଆ ନୁହେଁ । ସେତ ଠିକ୍‌ ସେହି ସ୍ଥାନରେ କେତେଥର ଆସି ଠିଆ ହୋଇଛନ୍ତି ଓ କେତେ ପାଦ ଶବ୍ଦ ଶୁଣିଛନ୍ତି; କିନ୍ତୁ ଏ ପାଦଶବ୍ଦ ଯେ ସେ ସବୁଠାରୁ ଭିନ୍ନ, ତାହା ସେ ବିଲକ୍ଷଣ ବୁଝିପାରିଲେ । ତେଣୁ ତାଙ୍କ ଛାତି ଦମ୍‌ ଦମ୍‌ ପଡ଼ିଲା ।

 

ଏଆଡ଼େ ଛାତି ପଡ଼ୁଛି ଉଠୁଛି; ସେ ଆଡ଼େ ପାଦ ପକାଇ, ରାମବାବୁ ଘର ଆଗରୁ ଘୁଞ୍ଚିଜାଇ ଆଢ଼ୁଆଳରେ ଲୁଚି ରହିଲେ । ସେଠାରୁ ତାଙ୍କୁ ସବୁ ଦିଶୁଥିଲା; କିନ୍ତୁ ସେ ନିଜେଗଲେ ନାହିଁ-। ପାଦ ଶବ୍ଦ କ୍ରମେ ନିକଟତର ହେଲା । ସେ ଦେଖିଲେ, ଜଣେ ବାଙ୍ଗର ମୋଟା ଆସିଆ ଯୁବକ କିଛି ଗୋଟାଏ ଲକ୍ଷ୍ୟ ଧରି ଆସିଲା ପରି ଆସୁଛି । ରାସ୍ତାର ଆଲୁଅରେ ସେ ତାର ମୁହଁଟା ଦେଖି ପାରିଲେ । ସେତେବେଳେ ମୁହୂର୍ତ୍ତକ ଲାଗି ତାଙ୍କ ଆଖି ବୁଜି ହୋଇଗଲା । ଶେଷରେ ଲୋକଟା ଦୁଆର ପାଖରେ ଆସି ଠିଆ ହେଲା । ଘରର ଲୋକ ଭିତରକୁ ଯିବାପାଇଁ ଯେପରି ନିରାଲମ୍ବରେ ତାଲା ଫିଟାଏ,ସେ ନିଜ ପକେଟରୁ ଗୋଟାଏ ଚାବିକାଠି ବାହାର କରି ଧଇଲା । ସେତେବେଳେ ରାମବାବୁ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ, ଡେଇଁପଡ଼ି ଆଢ଼ୁଆଳରୁ ଆସି ତାଆଗରେ ଠିଆ ହୋଇଗଲେ । ଠିକ୍‌ ଠିଆ ହେଉ ନ ହେଉଣୁ ପଚାରିଲେ, ‘‘କଣ ସଦେଇ ଜେନା ନା ?’’

 

ଏପରି ଏକ ପରିସ୍ଥିତି ଆସି ପଡ଼ିବ ବୋଲି ସଦେଇ ଜେନା ଆଶଙ୍କା କରି ନଥିଲା । ତେଣୁ ସେ ହଠାତ୍‌ କିଛି ଉତ୍ତର ଦେଇପାରିଲା ନାହିଁ । ତାପାଟି ଖନି ମାରିଗଲା; କିନ୍ତୁ ସେ ଶୀଘ୍ର ବୁଝିନେଲା ଯେ ଦୁର୍ବଳତା ଦେଖାଇଲେ ଚଳିବ ନାହିଁ । ତେଣୁ ସମଗ୍ର ଦେହର ସବଆଡ଼ର ବଳ ପାଟିକି ଟାଣି ଆଣି କହିଲା, ‘‘ହଁ, ମୋର ସେଇ ନାଁ । ତୁମର କଣ ଦରକାର, କହ ଦେଖି ?’’

 

‘‘ନା, ବେଶି କିଛି ନୁହେଁ । ମୋତେ ବୋଧହୁଏ ତୁମେ ଚିହ୍ନ ନାହିଁ । ମୁଁ ଡାକ୍ତର ନାୟକଙ୍କର ଜଣେ ସାଙ୍ଗ । ମୋ ନାଁ ହେଉଛି ରାମବାବୁ । ରାମବାବୁ ଓକିଲ ନାଁ ତୁମେ ହୁଏତ ଶୁଣିଥିବ । ମୁଁ ଆସିଚି ଡାକ୍ତର ନାୟକଙ୍କ ସାଙ୍ଗେ ଦେଖା କରିବାକୁ । ମୋତେ ଟିକିଏ ନେଇ ଚାଲ ତ ଘର ଭିତରକୁ, ଏଆଡ଼ୁ ବାଟ ଅଛି ପରା !’’

 

‘‘ଭିତରକୁ ତୁମକୁ ନେଇଯିବାରେ କଣଅଛି ? ମାତ୍ର ଡାକ୍ତର ତ ନାହାନ୍ତି । ସେ କୁଆଡ଼େ ବାହାରି ଯାଇଛନ୍ତି । କେତେ ରାତିକି ଫେରିବେ କେଜାଣି । ହୁଏତ ଆଜି ନଆସିପାରନ୍ତି । ଆଚ୍ଛା, କହ ଦେଖି, ତୁମେ ମୋ ନାଁ କିପରି ଜାଣିଲ ?’’

 

‘‘ଆଚ୍ଛା, କହୁଚି । ତେବେ କହିବା ଆଗରୁ ମୁଁତୁମକୁ ଗୋଟିଏ ଅନୁରୋଧ କରିବି ।’’

‘‘କର, କଣ କରିବ ।’’

 

‘‘ମୁଁ ଟିକିଏ ତୁମ ମୁହଁଟା ଦେଖିନେବି । ତୁମ ନାଁ କିପରି ଜାଣିଲି, କହିଦେବି, ଅଥଚ ଅସଲ ଲୋକଟିରେ ଯେବେ ଭୁଲ ରହିଯାଏ ।’’

 

ସଦେଇ ଜେନା ଛାତିରେ ଗୋଟାଏ ପଥର ପଡ଼ିଗଲା; କିନ୍ତୁ ସେ ତ କଂସାରି ଘର ପାରା, କୁଲା ଢାଉଁ ଢାଉଁରେ ଡରିବା ଲୋକ ନୁହେଁ । କହିଲା, ‘‘କଟକ ସହରରେ ଏଡ଼େ ସୁନ୍ଦର ସୁନ୍ଦର ମୁହଁ ଥାଉ ଥାଉ ମୋ ମୁହଁଟା କଣ ଦେଖିବ, ଓକିଲବାବୁ ? ହଉ, ଯେବେ ରସିଲ, ଦେଖ-।’’ ସେ ପର୍ଯ୍ୟନ୍ତ ମୁହଁଟା ଆଲୁଅଆଡ଼କୁ ଆଢ଼ୁଆଳ କରି ତଳକୁ ପୋତି କଥାବାର୍ତ୍ତା ହେଉଥିଲା; ହଠାତ୍‌ ଟେକିଦେଲା । ରାମବାବୁ ଯେପରି ତା ମୁହଁ ପରିଷ୍କାର ଦେଖିଲେ, ସେ ମଧ୍ୟ ତାଙ୍କ ମୁହଁଟା ଦେଖିବାର ସୁବିଧା ପାଇଲା । କେତେକ ମୁହୂର୍ତ୍ତ ଉଭୟେ ଚତୁରକ୍ଷ ହେଲାପରେ, ରାମବାବୁ କହିଲେ, ଆଚ୍ଛା, ଏଥର ତ ଚିହ୍ନାଚିହ୍ନି ହୋଇଗଲା, ଆଉ ଦେଖାଦେଖି ହେଲେ କେହି କାହାକୁ ଅଚିହ୍ନା ପାଇବା ନାହିଁ ।’’

 

‘‘ଠିକ୍‌ କଥା । କି ଭାଗ୍ୟକୁ ଦେଖାହେଲା କି । ତୁମେ ଓକିଲବାବୁ ବଡ଼ଲୋକ, ଫେର୍‌ ହୁଏ ତ କେବେ ଦେଖା ଦେଖି ହେଲେ କହିବ, ତୋ ମୁହଁ ଦେଖା । କିଛି ମନେ କରିବ ନାହିଁ । ବଡ଼ଲୋକଙ୍କ ଢଙ୍ଗ ଏମିତି । ଆଚ୍ଛା, ମୁହଁତ ଦେଖିଲ; ମୋ ଠିକଣାଟା ଜାଣି ରଖ । ମୁଁ ଥାଏ ତୁଳସୀପୁରରେ ।’’

 

‘‘ହେ ଭଗବାନ୍‌, ଏ କଣ ସେହି ଉଇଲ କଥା ମନେ ମନେ ବିଚାରୁଛି ?’’ ରାମବାବୁ ମନକୁ ମନ ଏହି କଥାଟା କହିଲେ ଏବଂ ଠିକଣାପାଇ ସଦେଇ ଜେନାକୁ ଖୁବ୍‌ ଧନ୍ୟବାଦ ଦେଲେ; କିନ୍ତୁ ଧନ୍ୟବାଦରେ ସେ ତ ଭୁଲିବା ଲୋକ ନୁହେଁ । କହିଲା, ‘‘କଣ ଚାଲିଯିବାକୁ ବସିଲଣି, ଓକିଲବାବୁ , ମୁଁ ଯାହା ପଚାରିଥିଲି, ଭୁଲିଗଲ କି ? କହ, ମୋ ନାଁ କିପରି ଜାଣିଲ ତୁମେ?

 

‘‘ବର୍ଣ୍ଣନାରୁ ?’’

‘‘କାହାର ବର୍ଣ୍ଣନା ?’’

 

‘‘ଏପରି କଣ ଲୋକ ନାହାନ୍ତି ଏ ପୃଥିବୀରେ, ଯେ କି ତୁମକୁ ଆଉ ମତେ ଦୁହିଙ୍କି ଜାଣନ୍ତି ?’’

 

ସଦେଇ ଜେନା ଚମକି ପଡ଼ିଲା । କହିଲା, ‘‘ଦୁହିଁଙ୍କି ଜାଣନ୍ତି ! କିଏ ଏପରି ଅଛି ?’’

‘‘ଧର, ଜଣେ ତ ଡାକ୍ତର ନାୟକ ।’’

 

‘‘ସେ ତୁମକୁ କେବେ କହି ନ ଥିବେ । ତୁମେ ଏଡ଼େ ବଡ଼ ଜଣେ ଓକିଲହୋଇ ଏଇ ସାମାନ୍ୟ କଥାରେ ଏପରି ଗୋଟାଏ କଞ୍ଚା ମିଛ କହିଦେବ, ମୁଁ ଭାବି ନ ଥିଲି ।’’

 

‘‘ଗାଳିଦିଅ ନାଇଁ, ସଦେଇ ଜେନା ।’’

 

ଗାଳି, ଗାଳି; ମୁଁ ଗାଳି ଦେଲି ? କହି ସଦେଇ ଜେନା ଠୋ ଠୋ ହସିଉଠିଲା ଏବଂ ବୁଲିପଡ଼ି ଦୁଆର ତାଲାଟା କ୍ଷଣକ ମଧ୍ୟରେ ଫିଟାଇ ଘର ଭିତରକୁ ଚାଲିଗଲା । ଚାହୁଁ ଚାହୁଁ କବାଟ କିଳିଣି ଭିତରୁ ଧଡ଼କିନି ଲାଗିଗଲା ।

 

ରାମବାବୁଙ୍କ ପାଟି ଫିଟିଲା ନାହିଁ କି ପାଦ ଚଳିଲା ନାହିଁ । କିପରି ଯେ ବିକଟ ହସ ହସି ସଦେଇ ଜେନା ମୁହୂର୍ତ୍ତକେ ବିଜଗୁଳିବେଗରେ ଘର ଭିତରେ ପଶିଗଲା, ତା ମଧ୍ୟରେ ସେ ନିଜର ସତ୍ତା ଅନୁଭବ କରିପାରିଲେ ନାହିଁ । କିଛି ସମୟ ପରେ ତାଙ୍କର ସଂଜ୍ଞା ଆସିଲା ଓ ସେ ଧୀରେ ଧୀରେ ବାଟେ ବାଟେ ଫେରିବାକୁ ଆରମ୍ଭ କଲେ । ଦେଖିଲେ ମନେ ହେଲା, ସେ ସତେ ଅବା ଯନ୍ତ୍ରଚାଳିତ ହୋଇ ଚାଲୁଛନ୍ତି । ତାଙ୍କ ମୁଖମଣ୍ଡଳ କି ଏକ ଚିନ୍ତାରେ ଆବୃତ ହୋଇ ରହିଛି । ଜଣାଯାଉଛି, ସେ ଚିନ୍ତାର ଯେପରି ଅନ୍ତ ନାହିଁ । ସଦେଇ ଜେନା ସତେ ଅବା ରାମବାବୁଙ୍କୁ ଗ୍ରାସ କରିପକାଇଛି ।

 

ଲୋକଟା ବାଙ୍ଗର, ବର୍ଣ୍ଣରେ କଳା, ଦେହ ତମାମ୍‌ କୌଣସିଠାରେ କିଛି ଖୁଣ ନାହିଁ, ତଥାପି ଲୋକଟା ନିତାନ୍ତ ବେଆଡ଼ା, ବେଢଙ୍ଗିଆ । ତା ହାସ୍ୟରେ ବିକଟତା ଓ କଥାରେ ଭୀଷଣତା-। ସେ ଭୟାଳୁ, ଅଥଚ ଦୁଃସାହସୀ ମାତ୍ର ଏ ସବୁ ଛଡ଼ା ଅଲକ୍ଷିତ ଭାବରେ ଆହୁରି କି ବୀଭତ୍ସତା ଅଛି, ଯହିଁରୁ କି ମନେ ହେଉଛି ଯେ ଲୋକଟାର ସ୍ୱଭାବରେ ନରହନ୍ତାର ଦୁର୍ଗୁଣ ସବୁ ପୂରି ରହିଛି । ରାମବାବୁ ଅନେକ ଭାବି ଭାବି ଶେଷରେ ମନକୁ ମନ କହିଲେ, ‘‘ଓଃ କଣ ହେଲା ? ସେ ତ ମନୁଷ୍ୟ ନୁହେଁ । ପ୍ରେତାତ୍ମାରେ ଯେ ସେ ଗଢ଼ା । ଡାକ୍ତର ନାୟକ, ସେ ନରରାକ୍ଷସ କବଳରୁ ସତେ ତୁମେ ଉଦ୍ଧାର ପାଇବ ।’’

 

ଏହିପରି ଭାବି ଭାବି ରାମବାବୁ ପ୍ରଥମ ବାଙ୍କରେ ବାଁ ହାତ ପଟେ ଯାଇ ଗୋଟାଏ ବଡ଼ କୋଠାଘର ପାଖେ ପହଞ୍ଚିଲେ । ତାହା ସତେ ଅବା ଏକ ରାଜପ୍ରାସାଦ, କେବଳ ସାମାନ୍ୟ ବେମରା ମତି ଅବସ୍ଥାରେ ଅଛି । ସେହି ଘରେ ସେ ଦୁଆରେ ଡାକି ଶିକୁଳି ଝଣଝଣ କଲେ । ଦୁଆର ପିଟାଇ ଜଣେ ଲୋକ ବାହାରିଲା । ତାକୁ ଦେଖି ସେ କହିଲେ, ‘‘କିଏ ଯଦୁନାଥ ? ଡାକ୍ତର ଅଛନ୍ତି-?’’

 

‘‘ମୁଁ ଯାଇ ଦେଖୁଚି, ଆପଣ ବସନ୍ତୁ ।’’ ଯଦୁନାଥ ରାମବାବୁଙ୍କୁ ବୈଠକଖାନାରେ ନେଇ ବସାଇଲା ଓ ସେଠାରେ ଗୋଟିଏ ଲଣ୍ଠନ ଆଣି ଥୋଇଦେଇ ନିଜେ ଚାଲିଗଲା । ରାମବାବୁ ସେ ବୈଠକଖାନାରେ କେତେ ସମୟ ବସିଛନ୍ତି; କେତେ ଶାସ୍ତ୍ରଚର୍ଚ୍ଚା ଓ କଳ୍ପନା ଜଳ୍ପନା ଡାକ୍ତର ନାୟକଙ୍କ ସମେତ ବନ୍ଧୁବାନ୍ଧବମାନଙ୍କ ସଙ୍ଗେ କରିଛନ୍ତି; କିନ୍ତୁ ଏବେ କେତେ କାଳ ହେଲା ସେ ସେଠାରେ ଅପରିଚିତ କହିଲେ ଚଳେ ।

 

ବିଶେଷରେ ଆଜି ତାଙ୍କୁ ସେ ବୈଠକଖାନାରେ ଏକା ବସିବାକୁ ଭୟ ଲାଗୁଛି । ସେହି ଭୟଭିତରେ ସେ ସଦେଇ ଜେନାର ମୂର୍ତ୍ତି ବାରମ୍ୱାର ଦେଖୁଛନ୍ତି; ତେଣୁ ପଳାଇ ଯିବାର ତାଙ୍କର ଏକାନ୍ତ ଇଚ୍ଛା; ଅଥଚ ଡାକ୍ତର ନାୟକ ଅଛନ୍ତି କି ନା ଖବର ଆଣିବାକୁ ଯଦୁନାଥକୁ ପଠାଇଦେଇ ସେ ଚାଲିଯାଇପାରୁ ନାହାନ୍ତି । କେତେ ସମୟ ପରେ ଯଦୁନାଥ ଫେରିଆସି କହିଲା, ‘‘ନାହାନ୍ତି, କୁଆଡ଼େ ଯାଇଚନ୍ତି ।’’

 

‘‘ଦେଖ, ଯଦୁନାଥ, ସେ ପୁରୁଣା ଓଷଦଖାନା ଘର ଦୁଆର ବାଟେ ସଦେଇ ଜେନା ଭିତରକୁ ଆସିଲା, ଦେଖିଲି । ଡାକ୍ତର ନାୟକ ତ ନାହାନ୍ତି, ସେ କାହିଁକି ଧାଇଁଚି ?’’

 

‘‘ନା, ସେ ସେଇବାଟେ ବରାବର ଯିବାଆସିବା କରନ୍ତି । ତାଙ୍କ ପାଖେ ସେ ଦୁଆର ତାଲାର ପଟେ ଚାବିକାଠି ଅଛି ।’’

 

‘‘ତାଠେଇଁ ତୁମ ମାଲିକଙ୍କର ଭାରି ବିଶ୍ୱାସ, ନା ?’’

‘‘ହଁ, ତାଙ୍କ କଥା ଶୁଣିବାପାଇଁ ଆମକୁ ସବୁ ହୁକୁମ୍‍ ଅଛି ।’’

‘‘ମୁଁ ତାକୁ ଆଜି ଦେଖିଲି, ଆଗରୁ କେବେ ଆଉ ଦେଖି ନ ଥିଲା ପରି ଲାଗୁଚି ।’’

 

‘‘ଆପଣ କିପରି ଦେଖିବେ ?ସେ ତ ଏଠାକୁ ଖୁବ୍‌ କମ ଆସନ୍ତି । ଏଠି ଖିଆପିଆ, ବସାଉଠା, ମଉଜ ମଜଲିସ, ନାଟତାମସା ଯେତେ ହୁଏ, ସେ କାହିଁରେ ନ ଥାନ୍ତି । ରାତିକି ଆସନ୍ତି, ସକାଳୁ ଚାଲିଯାଆନ୍ତି । ଏବେ ଦିନରେ କେବେ କେବେ ରହୁଛନ୍ତି । ଡାକ୍ତରବାବୁ ଘରୁ ବାହାରକୁ ଗଲେ ସେ ଆସନ୍ତି । ପୁଣି ଏଆଡ଼କୁ ଆସନ୍ତି ନାଇଁ, ସେଇପଟେ ରହନ୍ତି । ବାବୁଙ୍କର ତାଙ୍କର ସେଇଆଡ଼େ ଏକାନ୍ତରେ ଦେଖା ସାକ୍ଷାତ୍‌ ହୁଏ ।’’

 

‘‘ଆଚ୍ଛା, ତେବେ ମୁଁ ଯାଏ, ଯଦୁନାଥ । ଡାକ୍ତର ଆସିଲେ କହିବ, ମୁଁ ଆସିଥିଲି ।’’

‘‘ଏ କଥା ଆଉ ନ କହନ୍ତି ନା ? ଆଚ୍ଛା, ନମସ୍କାର ।’’

 

ରାମବାବୁ ବାହାରି ଚାଲିଗଲେ । ବାଟଯାକ ସେ ମନକୁମନ ଭାବିଲେ, ‘‘ଡାକ୍ତର ବିଚାରା କି ଗୋଟାଏ ହରିକାଠରେ ପଡ଼ିଚି! ଯୌବନରେ ସେ ଭାରି ଉଦାସ ଥିଲା । ସେ ତ ବେଶିଦିନ ତଳ କଥା ନୁହେଁ । ବେଶିଦିନ ହୋଇଥିଲେ ବା କଣ ହୁଅନ୍ତା ? ଗଧ ଛୁଆ ଗଧ, ଘୋଡ଼ା ଛୁଆ ଘୋଡ଼ା, ସେଇଥିପାଇଁ ତ କହନ୍ତି, ତୁଳସୀ ଦୁଇ ପତ୍ରରୁ ବାସେ ଆଉ ବିଛୁଆତି ? ବିଛୁଆତି ଦୁଇ ପତ୍ରରୁ ଗଲୁକରେ । କି ପାପ କରିଚି କେଜାଣି, ପରଜନ୍ମ ପର୍ଯ୍ୟନ୍ତ ନ ଯାଇ ଏଇ ଦେହରେ ଘାଣ୍ଟି ହେଉଚି ।

 

ଏହିପରି ଭାବି ଭାବି ରାମବାବୁ କ୍ରମେ ନିଜ ଆଡ଼କୁ ଆଖି ବୁଲାଇଲେ । ତାଙ୍କ ଜୀବନଟା ନିଷ୍କଳଙ୍କ କହିଲେ ଚଳେ । ଯୌବନରେ ସେ ଏପରି କିଛି କରିନାହାନ୍ତି ଯାହା ମାନିବାକୁ ଆଜି ତାଙ୍କର ଲଜ୍ଜା ବା ଭୟ ହେବ । ସେହି କଥା ମନେ ପକାଇ ସେ ଆନନ୍ଦ ଅନୁଭବ କଲେ । ପ୍ରାଣରେ ସାହାସ ମଧ୍ୟ ଜନ୍ମିଲା । ଆତ୍ମସମ୍ମାନ ଯେତିକି ଲାଭକଲେ, ଡାକ୍ତର ନାୟକଙ୍କ ଦୁର୍ଗତିରେ ତାଙ୍କର ସେତିକି ଦୁଃଖ ଓ ସଦେଇ ଜେନାର ଦୁର୍ବୃତ୍ତତା ଯୋଗେ ସେତିକି କ୍ରୋଧ ଅନୁଭବ କରିବାକୁ ଲାଗିଲେ ।

 

ବାଟ ସରୁ ନାହିଁ । ରାମବାବୁ ନିଜ ଘର ଆଡ଼କୁ ଯେତିକି ଅଗ୍ରସର ହେଉଚନ୍ତି, ସେତିକି ଭାବୁଛନ୍ତି, ‘‘ଏ ସଦେଇ ଜେନା ଗୋଟାଏ ମହାପାପୀ । ଗୋହତ୍ୟା, ନରହତ୍ୟା, ଭୃଣହତ୍ୟା କଣ ସେ ନ କରିଥିବ । ପେଟଟାଯାକ ମଇଳା ଭର୍ତ୍ତି କରିଚି ନିଶ୍ଚୟ । ମୁହଁରୁ ତ ସଫା ସଫା ଜଣାପଡ଼ି ଯାଉଚି । ଡାକ୍ତର କଣ ଏପରି ପାପୀ କେବେ ହେବ ! ୟା ପାପ ତୁଳନାରେ ଫେର୍‌ ଡାକ୍ତର ! ନାୟକର ପାପ ପୁଣ୍ୟ ଆକାରରେ ବିରାଜିବ । ୟାର ଅମାବାସ୍ୟାର ଅନ୍ଧାର ହେଲେ, ଡାକ୍ତରର ହବ ପୁନିଅର ଜହ୍ନ । ଓଃ, ଏ ଲୋକଟା ଡାକ୍ତର ନାୟକ ଶୋଇବା ଘରକୁ ଲମ୍ୱେ ଲମ୍ୱେ ଆସିଯାଉଚି, ତାପୁଣି ଚୋରଙ୍କ ପରି ଛପି ଛପି । ଓଃ କି ଆପଦର କଥା ।

 

ଏ ଯେବେ କୁଆଡ଼ୁ ସେ ଉଇଲର ସୁରାକ ପାଇବ, କଣ ସମ୍ପତ୍ତି ମାଡ଼ି ବସିବାକୁ ଅଧୀର ନ ହୋଇ ରହିବ ? ଅଧୀର ହେବା ଅର୍ଥ କଣ ? ହେ ଭଗବାନ, ମୁଁ ଆଉ ଭାବିପାରୁ ନାଇଁ-। ମୋ ମନରୁ ଚିନ୍ତାଶକ୍ତି ଲୋପ କରିଦିଅ, ମତେ ଗୋଟାଏ ବଳଦ ପାଲଟାଇ ପକାଅ । ମୁଁ କଣ ୟାକୁ ଏମିତି ଛାଡ଼ିଦେବି ? ଡାକ୍ତର, ତୁମେ ମୋ କଥା ଶୁଣିବ ନାଇଁ ? ହଁ, ଶୁଣିବି, ମୁଁ ପରା ତୁମ ସାଙ୍ଗଟା-।’’

•••

 

ଡାକ୍ତର ନାୟକ ନିଶ୍ଚିନ୍ତ ହେଲେ

 

ସେ ରାତିର ଘଟଣା ପରେ ପନ୍ଦର ଦିନ ବିତିଯାଇଛି । ଡାକ୍ତର ନାୟକ ଛଜଣ ସଙ୍ଗୀକୁ ଭୋଜଖାଇବାକୁ ନିଜ ଘରକୁ ଡାକିଛନ୍ତି । ଗାନା ବାଜଣା କଥାବାର୍ତ୍ତା ଖିଆପିଆ, ମଉଜ ମେଳାପ-ସବୁ ସରିଲା । ରାତି ମଧ୍ୟ ଅନେକ ହୋଇଗଲା । ସଙ୍ଗୀମାନେ ବିଦାୟ ନେବାକୁ ବସିଲେ । କହିଲେ, ‘‘ଡାକ୍ତର, ତୁମେ କଣ କ୍ରମେ ଆମକୁ ସବୁ ଛାଡ଼ିଦେବାକୁ ବସିଛ ? ସପ୍ତାହକେ ଥରେ ଯେ ଭୋଜିଟାଏ ଦେଉଥିଲ, ଏବେ ଦିମାସରେ ଥରକୁ ଆଣିଲଣି । କେବେ ଦେବ, କହ । ଟଙ୍କା ସବୁ କୁଠେଇ ରଖୁଚ ? କଣ ସାଙ୍ଗରେ ନେଇଯିବ । ଆଚ୍ଛା ଆମେ ଚାଲିଲୁ ।’’ କହି ଡାକ୍ତର ନାୟକଙ୍କ ଉତ୍ତରକୁ ଅପେକ୍ଷା ନ କରି, ସମସ୍ତେ ଚାଲିଲେ । କେବଳ ଜଣେ ପଛକୁ ରହିଗଲେ । ତାହା ଦେଖି ଅନ୍ୟାନ୍ୟମାନେ କହିଲେ, ‘‘ଚାଲ ଆମେ ଯିବା ଚାଲି । ରାମବାବୁ ବଢ଼ିଆ ସଙ୍ଗ କିନା, ସେ ଏକୁଟିଆ ପୁଣି ଆଉ ଥରେ ଭଲ ଭଲ ମାଲ ଖାଇବ ।’’

 

ଆଉ ସମସ୍ତେ ଚାଲିଗଲେ, ରାମବାବୁ ରହିଲେ । ସେ ଯେ ଏହିପରି ପଛକୁ ରହି ପ୍ରକୃତରେ ଭଲ ଭଲ ମାଲ ଖାଆନ୍ତି ତାନୁହେଁ । ତେବେ ସେ ନିଶ୍ଚୟ ଜଣେ ବଢ଼ିଆ ସାଙ୍ଗ । ସେ ଯେଉଁଠାକୁ ଭୋଜି ଖାଇବାକୁ ଯାଆନ୍ତି, ଅନ୍ୟାନ୍ୟମାନେ ବିଦାୟ ନେଇ ଗଲାପରେ ପଛରେ ରହନ୍ତି-। ମଉଜ ମେଳାପରେ ମନଟା ଯାଇ ଆକାଶରେ ଉଡ଼େ । ତାକୁ ସେହିପରି ଉଡ଼ିବା ଅବସ୍ଥାରେ ଛାଡ଼ିଦେଲେ କେତେବେଳେ ଯେ ଅଗୋଚରରେ ତଳେ ପଡ଼ିଯିବ ଓ ପିଟିହୋଇ ଛିନ୍‌ଛତ୍ର ହୋଇଯିବ, ତାର କୌଣସି ଠିକଣା ନାହିଁ । ତେଣୁ ସୂତା ଲଟେଇ ଗୁଡ଼ାଇ ଘୁଡ଼ିକୁ ତଳକୁ ଆଣିଲାପରି ମନଟାକୁ ଆସ୍ତେ ଆସ୍ତେ ପ୍ରାକୃତିକ ଅବସ୍ଥାକୁ ଆଣିବା ଦରକାର । ସେଥିପାଇଁ ପ୍ରକୃତ ସଙ୍ଗୀ ହେଉଛନ୍ତି ରାମବାବୁ । ତାଙ୍କୁ ସବୁଠାରେ ଏହି କାର୍ଯ୍ୟ କରିବାକୁ ପଡ଼େ । ଏଇଥିପାଇଁ ସାଧାରଣ ଓକିଲ ହୋଇ ସୁଦ୍ଧା, ପଦସ୍ଥ ଲୋକ ସମାଜରେ ଏତେ ପ୍ରିୟ । ସେ ଯେଉଁଠାରେ ବସନ୍ତି, ପ୍ରାୟ ନୀରବତାରେ କର୍ମସାଧନ କରନ୍ତି । ଏ ପ୍ରକାର ସାହାଯ୍ୟ ପୃଥିବୀରେ ଅନ୍ୟାନ୍ୟ ଲୋକଙ୍କର ଯେତେ ଦରକାର ସେ କଥା ରାମବାବୁ ସ୍ପଷ୍ଟ ବୁଝିଛନ୍ତି; ଡାକ୍ତର ନାୟକ ହୁଏତ ବେଶି ନହେଲେ ସୁଦ୍ଧା ସାମାନ୍ୟ ଉପଲବ୍ଧି କରୁଥିବେ ।

 

କେତେକ ସମୟ ବସିଲାପରେ ବୈଠକଖାନାର ନୀରବତା ଭାଙ୍ଗି ରାମବାବୁ କହିଲେ, ‘‘ମୁଁ କିଛିଦିନହେଲା ତୁମକୁ ଗୋଟାଏ କଥା କହିବି କହିବି ହେଉଛି; ମାତ୍ର ସୁବିଧା ପାଉନାହିଁ । ତୁମର ସେ ଉଇଲ ଦଲିଲଟା ଯେ ମୋ ପାଖେ ପଡ଼ିରହିଲା ।’’ ସେକଥା ଶୁଣିବାମାତ୍ରେ ଡାକ୍ତର ନାୟକଙ୍କ ମୁହଁ ଫିକା ପଡ଼ିଗଲା; କିନ୍ତୁ ବହୁ ଚେଷ୍ଟାରେ ସେ ତାକୁ ଘୋଡ଼ାଇପକାଇ କହିଲେ, ‘‘ରାମବାବୁ, ତୁମର ଦୁର୍ଭାଗ୍ୟ ଯେ ମୋଭଳି ଜଣେ ମହକିଲ ତୁମକୁ ଯୁଟିଛି । ମୋର ସେ ଉଇଲଟା ଯୋଗେ ତୁମେ ଭାରି ବ୍ୟସ୍ତ, ମୁଁ ଜାଣେ ସେହିପରି ବ୍ୟସ୍ତ ଆଉଜଣେ । ସେ ହେଉଛି ଡାକ୍ତର ଦାସ-। ଭଲ ଲୋକଟା ମାତ୍ର ଭାରି ଗର୍ବୀ । ଡାକ୍ତରି ବିଦ୍ୟାରେ ନିହାତି ନିପଟୁ, ହେଲେ କଥା କହିଲାବେଳକୁ ଦିଗଣ୍ଡା ଦିକଡ଼ା; ଯେପରି ସବ୍‌ଜାନତା । ମୁଁ ତାକୁ ବେଶ୍‌ସୁଖ ପାଏ; କିନ୍ତୁ ତାର ଏଇ ଦୁର୍ଗୁଣଗୁଡ଼ାକ ମତେ ଭଲ ଲାଗେନାହିଁ । ସେ ତ ଏବେ କେତେକାଳ ହେଲା ଏଠି ଆଉ ପାଦ ପକାଉ ନାଇଁ । କଣ ହେଉଛି କେଜାଣି ।’’ ଡାକ୍ତର ନାୟକ ଏସବୁ କହି ଅସଲ କଥାଟା ବାଁରେଇ ଦେବାକୁ ବସିଲେ ଦେଖି, ରାମବାବୁ କହିଲେ, ‘‘ତୁମେ ତ ଜାଣ ମୁଁ କେବେ ଏଟା ପସନ୍ଦ କରିନାଇଁ, କରିବା କଥା ମଧ୍ୟ ନୁହେ ।’’

 

‘‘ଦାସକୁ ଏକଥା ଶୁଣାଇଦିଅ, ତେବେ ଅବା ସେ ବୁଝିପାରିବ ।’’

‘‘ମୁଁ କଣ ଦାସ କଥା କହୁଚି ?’’

 

‘‘ଓଃ ତେବେ ମୋ ଉଇଲ କଥା ! ହଁ ମୁଁ ଜାଣେ । ତୁମେ ତ କେତେଥର ମତେ କହିଚ । ଇଥେରେ ତ ଲୁଚାଚୋରା କିଛି ନାହିଁ ।’’

 

‘‘ମୁଁ କେତେଥର କହିଚି, ଆଜି ମଧ୍ୟ ଫେର୍‌ କହୁଚି । ସଦେଇ ଜେନା ନାଁରେ ମୁଁ ନାନା କଥା ଶୁଣୁଚି ।’’

 

ଡାକ୍ତର ନାୟକଙ୍କର ସୁନ୍ଦର ଉଜ୍ଜ୍ୱଳ ମୁଖମଣ୍ଡଳ କଳା ପଡ଼ିଗଲା । ଓଠ ଥରିଲା, ଆଖିରୁ ଜ୍ୟୋତି ଚାଲିଗଲା । ମୁର୍ଦାର ମଧ୍ୟ ଚିତା ଉପରେ ବେଳେବେଳେ ଉଠି ବସେ ବୋଲି ଶୁଣାଯାଏ । ସେହିପରି ଡାକ୍ତର ନାୟକ କହିଲେ, ‘‘ମୁଁ ବୁଝିଥିଲି ଯେ ତୁମେ ଏକଥା ଆଉ ପକାଇବ ନାଇଁ ବୋଲି ସ୍ଥିର କରିଚ । ଆଚ୍ଛା, ସେତିକିରେ ଥାଉ ।’’

 

‘‘ହଁ, ମୁଁ ସ୍ଥିର କରିଥିଲି; ମାତ୍ର ଯାହା ଶୁଣୁଚି, ଅସହ୍ୟ ।’’

 

‘‘ସେ ଯାହା ହେଉ, ମୁଁ ଆଉ କିଛି ବଦଳାବଦଳି କରିପାରିବି ନାଇଁ । ତୁମେ ତ ମୋ ଅବସ୍ଥା ବୁଝିବ ନାଇଁ । ମୁଁ କିପରି ଚଳୁଚି, ଜାଣିଚ ? ଯେତେ କହିଲେ, ତୁମେ ଶୁଣିମା ଜନ୍ତୁ ନୁହ । କହନ୍ତି ନା, ‘ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପଡ଼ା କାଠ ।’ ମୁଁ ଶହେ ଥର ମନା କରିବିଣି–ଯେ ସେ କଥା ପକାଅ ନାଇଁ, ମାତ୍ର ତୁମେ ମତେ ଚଳେଇଲା ପରି ପୁଣି ସେଇଆ କହିବ । ହଁ, ମୋ ଭାଗ୍ୟ ! ତୁମର କି ଦୋଷ ? ହେଲେ ବୁଝିଥାଅ, ଏଥେରେ ଅଦଳବଦଳ ହେବନାଇଁ ।’’

 

‘‘ଡାକ୍ତର, ତୁମେ ତ ମତେ ଜାଣ । ମୁଁ ଆଉ ଯେତେ ଯାହା ହୁଏ, ଅବିଶ୍ୱାସର ପାତ୍ର କଦାପି ନୁହେ । ମତେ ବିଶ୍ୱାସରେ ସବୁ କହିଯାଅ, ପଦେ ଲୁଚାଅ ନାଇଁ । ମୋର ତ ଖୁବ୍‌ଭରସା ଅଛି ଯେ ସବୁକଥା ଠିକ୍‌ ଠିକ୍‌ ଜାଣିଲେ, ମୁଁ କିଛି ଗୋଟାଏ କିନାରା ବାହାର କରିପାରିବି ।’’

 

‘ରାମବାବୁ, ଏଟା ତୁମର ଭାରି ଭଲପଣିଆ । ମୁଁ ଏଥିପାଇଁ ତୁମକୁ ଶତ ଶତ ଧନ୍ୟବାଦ ଦେଉଚି । ତୁମକୁ ମୁଁ ଷୋଳଅଣା ବିଶ୍ୱାସ ମଧ୍ୟ କରେ; ଏପରି କି ନିଜଠୁ ମଧ୍ୟ ବେଶି, ମାତ୍ର ତୁମେ ଯାହା ସନ୍ଦେହ କରୁଚ, କଥାଟା ସେପରି ନୁହେଁ । ତୁମେ ନିଶ୍ଚିନ୍ତ ରହ; ମୁଁ ତୁମକୁ କହି ରଖୁଚି, ଯେଉଁ ମୁହୂର୍ତ୍ତରେ ମୁଁ ଇଚ୍ଛା କରିବି, ସଦେଇ ଜେନାକୁ ଦୂର କରିଦେଇପାରିବି । ୟା ପରେ ଆଉ ତୁମର କଣ କହିବାର ଅଛି ? ମୁଁ ଶେଷରେ ଏତିକି ଅନୁରୋଧ କରୁଚି, ଏଟା ଗୋଟାଏ କରୁଚି, ଏଟା ଗୋଟାଏ ତାମୋ ଭିତର କଥା, ତୁମେ ୟା ଭିତରେ ପଶି ଘାଣ୍ଟି ହେବାକୁ ବସନାହିଁ ।’’

 

କଥାଗୁଡ଼ାକ ସବୁ ରାମବାବୁଙ୍କ କାନରେ ପ୍ରବେଶ କଲା କି ନା କେଜାଣି; କିନ୍ତୁ ପ୍ରାଣରେ ଚାଉଁ ଚାଉଁ ବାଜିଲା । ସେ ଉଠିପଡ଼ି ଠିଆହୋଇ କହିଲେ, ‘‘ଖୁବ୍‌ଭଲ କଥା ଆଚ୍ଛା, ତେବେ ମୁଁ ଆସୁଛି ।’’

 

‘‘କଣ ରାଗିଗଲ ? ଆଚ୍ଛା, ଟିକିଏ ରହ । ତୁମେ ତ ଆଜି କଥାଟା ଆରମ୍ଭ କରିଚ । ଆଉ ଏ କଥା କେବେ ପକାଇବ ନାହିଁ ମଧ୍ୟ । ତେବେ ଏଇ ଶେଷ ଥର ମୁଁ ତୁମକୁ ଆଉ ଗୋଟିଏ ବିଷୟ କହି ରଖେ । ସଦେଇ ଜେନା ମୋର ଭାରି ଅନ୍ତରଙ୍ଗ ପ୍ରକୃତରେ । ତୁମେ ତ ତାକୁ ଦେଖିଛ-। ସେ ମତେ ସେ କଥା କହିଚି । ତୁମ ପ୍ରତି ସେ ନିଷ୍ଠୁରତା କରିଚି, ମୁଁ ଜାଣେ, ମାତ୍ର ତୁମ ଭଳି ମହତ୍‌ ଲୋକ ତାକୁ ମନେ ରଖି ପ୍ରତିଶୋଧ ନେବ ତ ନାଇଁ । ମୁଁ ତାକୁ ଭାରି ସୁଖ ପାଏ । ବୁଝ ସେ ମୋ ଜୀବନର ଜୀବନ, ମୋ ଦେହର ଅସ୍ଥି ମାଂସ । ରାମବାବୁ, କହି ରଖେ, ମୁଁ ମରିଗଲେ, ତୁମେଇ ତାର ସାହା ଭରସା । ସେ ଯେପରି ତାର ନ୍ୟାଯ୍ୟ ଦାବୀରୁ ବଞ୍ଚିତ ନ ହୁଏ, ସେ ବ୍ୟବସ୍ଥା କରିବା ଲୋକ ତୁମେ । ତୁମେସବୁ ଭିତିରିକଥା ଜାଣିଲେ, ନ କରି ରହିପାରିବ ନାଇଁ । ତୁମେ ତାକୁ ସାହାଯ୍ୟ କରିବ, ଜବାବ ଦିଅ; ମୁଁ ଟିକିଏ ନିଶ୍ଚିତ ହୁଏ ।’’

 

‘‘ମୁଁ ଯେ ତାକୁ ସୁଖ ପାଇବି, ଡାକ୍ତର, ଏ ଛଳନା ମୁଁ କରିପାରିବି ନାଇଁ ।’’

 

‘‘ଠିକ୍‌କଥା । ମୁଁ ସେ ଦାବୀ କରୁ ନାଇଁ, ଖାଲି ନ୍ୟାୟ ଚାହୁଁଚି । ମୋ ଅନ୍ତେ ମୋ ଉପରୋଧରେ, ମୋ ମୁହଁକୁ ଚାହିଁ, ତୁମେ ତାକୁ ସାହାଯ୍ୟ କରିବ । ମତେ ଜବାବ ଦିଅ ।’’

 

‘‘ଦେଉଚି ।’’ ରାମବାବୁ ଜବାବ ଅବଶ୍ୟ ଦେଲେ । ତାହାପାଇଁ ଡାକ୍ତର ନାୟକ ନିଶ୍ଚିତ ମଧ୍ୟ ହେଲେ । ତଥାପି ରାମବାବୁ ନିଜ ହୃଦୟ ମଧ୍ୟରେ ଗୋଟାଏ ପ୍ରଚଣ୍ଡ ଦୀର୍ଘ ନିଶ୍ୱାସ ରୋଧି ରଖି ପାରିଲେନାହିଁ । ସେ ସତେ ଅବା ଡାକ୍ତର ନାୟକଙ୍କର ଏହି ବୈଠକଖାନାରୁ ପେଲିହୋଇ ବାହାରି ପଡ଼ିଲେ, ଯେପରି ରେଳଇଞ୍ଜିନ ବାଷ୍ପ ବାନ୍ତିକରି ସିଟି ଦେଲାପରେ, ହଠାତ୍‌ ଆଗକୁ ନ ଯାଇ କ୍ଷଣକଲାଗି ପଛଘୁଞ୍ଚା ଦିଏ ।

•••

 

ଚୁଡ଼ଙ୍ଗ ନରହତ୍ୟା ମକଦ୍ଦମା

 

ପ୍ରାୟ ବର୍ଷେ ଚାଲିଗଲା, ମାବସୁନ୍ଧରା ନିଜ ଅୟନାଂଶ ଉପରେ ସୂର୍ଯ୍ୟ ଦେବତାଙ୍କ ଚାରିପାଖେ ଥରେ ପ୍ରଦିକ୍ଷଣ କରି ଆସିଲା । ସେତେବେଳେ ଦିନେ ହଠାତ୍‌ କଟକ ସହର କମ୍ପିଉଠିଲା । ସହସ୍ର ମୁଖରେ ଶୁଣାଗଲା, ଖବରକାଗଜ ବଡ଼ ବଡ଼ ଅକ୍ଷରରେ ଛାପିଲେ; ସଭା ସମିତିରେ କଥା ପଡ଼ିଲା, ଚୁଡ଼ଙ୍ଗ ଜମିଦାରଙ୍କୁ ଖୁଣ କରାଯାଇଛି; ଅଥଚ ପ୍ରକୃତ ତଥ୍ୟ ବେଶ କିଛି ଜଣାଗଲା ନାହିଁ । ଅନୁସନ୍ଧାନରେ ଦେଖାଗଲା ଯେ ଗୋଟାଏ ଘରେ ମାଲିକ କେହି ନାହାନ୍ତି, କେବଳ ଜଣେ ଯୁବତୀ ଦାସୀଘର ଜଗି ରହିଛି । ସନ୍ଧ୍ୟାବେଳୁ ଖାଇପିଇ ସେ ଘରଦ୍ୱାର କିଳି ଦୋତାଲା ଉପରେ ଝରକା ପାଖେ ବସି ବାହାରକୁ ଚାହିଁଛି ।

 

ଶରତ୍‍ କାଳ ସନ୍ଧ୍ୟାରେ ଜହ୍ନ ଆଲୁଅରେ ଲୋକେ କିପରି ସଡ଼କରେ ଯାତାୟାତା କରୁଛନ୍ତି, ତାହା ଦେଖି ସେ ନିଜର ନିର୍ଜନତା ବହୁପରିମାଣରେ ଦୂର କରୁଚି । ବେଳେ ବେଳେ ଚିନ୍ତାସ୍ରୋତ ଭାସିଯାଇ ଏ ଜଡ଼ ସଂସାର ଛାଡ଼ି ବିଜୁଳି ସହିତ ଗଗନମାର୍ଗରେ ଖେଳିବାରେ ମାତିଯାଉଛି । ଚକ୍ରବାଳ ପାଖେ କେଉଁ କେଉଁଠାରେ ଖଣ୍ଡିଏ ବଉଦ ଦୋତାଲା ଘରାମନଙ୍କ ବ୍ୟବଧାନ ବାଟେ ଦିଶୁଛି । ଯୁବତୀ ତାହା ଦେଖି କ୍ଷୀଣକଣ୍ଠରେ କେବେ କିପରି ଗାଉଛି – ‘‘ମେଘ ଲୋକେ ମୋର ଘର, ଲୋ ସଜନି, ମେଘ ଲୋକେ ମୋର ଘର ।’’

 

ସନ୍ଧ୍ୟା ବିଦାୟ ନେଇ ରାତିକି ସ୍ଥାନ ଛାଡ଼ି ଦେଇଗଲା । କାନ୍ଥ ଘଣ୍ଟାରେ ଟଣ୍‍ ଟଣ୍‍ ହୋଇ ଏଗାରଟା ବାଜିଲା । ଦାଣ୍ଡ ସଡ଼କରେ ଆଉ ଲୋକଙ୍କର ଯାତାୟାତ ନାହିଁ । ସବୁ ନିର୍ଜନ ହୋଇଆସିଲା । ଯୁବତୀ ମନକୁ ମନ ଭାବିଲା, ‘‘ଆଉ କେତେ ଚାହିଁମି ?’’ଭାବି ଭାବି ସେ ଗାଇଲା–

 

‘ରେ ସହି,

‘‘କେତେ କାଳ ହେଲା ଦେଖି ନାହିଁ’’

ରେ ସହି,

‘‘ଶେଯଯାକ ତିନ୍ତିଗଲା ଲୁହ ବହି,

ରେ ପ୍ରାଣ-ସହି ।’’

 

ଗାଉ ଗାଉ ତାଆଖିରୁ ଲୁହ ବହିଗଲା । ଲୁହଟା ପିନ୍ଧିବା ଲୁଗାରେ ପଡ଼ି କାଳେ ନଷ୍ଟହେବ, ଅଥଚ ଶେଯଟା ଶୁଖିଲା ରହିଯିବ, ସେଥିପାଇଁ ସେ ଶୋଇବାକୁ ଯିବା ଲାଗି ଉଠି ଠିଆହେଲା । ସେତେବେଳେ ସେ ଦେଖିଲା, ସଡ଼କରେ ଧୀରେ ଧୀରେ ଚାଲି ଜଣେ ପ୍ରୌଢ଼ ବ୍ୟକ୍ତି ଆସୁଛନ୍ତି । ଲୁଗାପଟାରୁ ଜଣାଯାଉଛି ଯେ ସେ ଜଣେ ପଦସ୍ଥଲୋକ । ମୁଖମଣ୍ଡଳ ଚନ୍ଦ୍ରକିରଣରେ କଇଁଫୁଲ ପରି ଦାଉ ଦାଉଦିଶୁଛି । ତାଆଖି ଦିଓଟି ତାଙ୍କରି ଉପରେ ଲାଖିରହିଲା ।

 

ତେଣୁ ତାଙ୍କ ପଛେ ପଛେ ଚାଲିଥିବା ଆଉ ଜଣକୁ ସେ ସେତେ ଭଲ ଭାବରେ ଦେଖିପାରିଲା ନାହିଁ । ଏକେ ସେ ଲୋକଟା ବୟସରେ ଯୁବକ ହେଲେ ମଧ୍ୟ ଆକୃତିରେ ଗେଡ଼ା, ବର୍ଣ୍ଣରେ କଳା, ତାପରେ ପୁଣି ତାଚେହେରାଟା ସେ କ୍ଷୀଣ ଆଲୋକରେ ସୁଦ୍ଧା ଏଡ଼େ ବିଭତ୍ସ ଦିଶୁଛି ଯେ ଆଖି ସେ ଆଡ଼େ ଯିବାକୁ ଏକା ବେଳେ ଚାହୁନାହିଁ; କିନ୍ତୁ ସେ ଦ୍ରୁତଗତିରେ ଚାଲିଛି, ତେଣୁ ଅବିଳମ୍ବେ ଯୁବତୀର ଦୃଷ୍ଟିପଥର ପରିଧିଭିତରେ ଆସି ପହଞ୍ଚିଗଲା । ସେ ପରିଧିର କେନ୍ଦ୍ର ରହିଲା ତାଝରକାର ଠିକ୍‌ତଳେ ସଡ଼କ ଉପରେ । ପ୍ରୌଢ଼ ବ୍ୟକ୍ତି ମୁହଁ ବୁଲାଇ ଯୁବକକୁ ଦେଖିବା ମାତ୍ରେ ତାକୁ ଭଦ୍ରଭାବରେ ପଚାରିଲେ, ‘‘ବାବୁ, ଏତେ ରାତିରେ କୁଆଡ଼େ ଚାଲିଚ, ଧଇଁସଇଁ ହେଇ ?

 

ବକ୍‌ସିବଜାର ଛକକୁ ଏଇ ବାଟ ତ ? ମୁଁ କେବେ ରାତିରେ ଚାଲି ଚାଲି ଏ ସବୁ ଗଳିବାଟେ ଯିବାଆସିବା କରିନାଇଁ । ଠିକ୍‌ ବାଟେ ଯାଉଛି ଟିକି, ବାପା ?’’ ଏ କଥା ଚାରିପଦ ଶୁଣି ଯୁବତୀର ମନେହେଲା, ସତେ ଯେପରି କୌଣସି ପିତା ନିଜର ପୁତ୍ରକୁ ସମ୍ବଧୋନ କରି ପ୍ରଶ୍ନ ପଚାରୁଛନ୍ତି ।

 

ପ୍ରଶ୍ନର ଉତ୍ତର ଯେଉଁଠାରୁ ଆସିବ, ଯୁବତୀ ନିଜ ଦୃଷ୍ଟିରେଖା ସେ ଆଡ଼କୁ ବୁଲାଇ ଯାହା ଦେଖିଲା, ସେଥିରେ ସେ ଚମକିପଡ଼ିଲା ଓ ଠିଆ ହୋଇ ନ ପାରି ହଠାତ୍‌ପୁଣି ବସିଗଲା । ସେ ମନକୁ ମନ କହିଲା, ‘‘ଏ ତ ସେଇ ସଦେଇ ଜେନା । ଥରେ ଆମ ଏଠାକୁ ମାଲିକଙ୍କ ପାଖକୁ ଆସିଥିଲା । ଓ, ସେ ଦିନ ପରା ତାକୁ ଦେଖି ମୋ କଲିଜା ପାଣି ହୋଇଯାଇଥିଲା । ଲୋକଟାର ଚେହେରାଟା କି ରାକ୍ଷସ ପରି ! ଏବେବି ଠିକ୍‌ ସେଇମିତି ଅଛି । ସେଦିନ ସେ ଗୋଟାଏ ନିରୀହ ବାଛୁରୀକି ଗୁପ୍ତିରେ ଭୂଷି ଦେଇଥିଲା । ସାକ୍ଷାତ୍‌ ଯମ ନା କଣ କେଜାଣି ! ଆଜି ୟାଙ୍କ ପିଛା ପୁଣି କାହିଁକି ଧରିଚି?’

 

ସଦେଇ ଜେନା ହାତରେ ମସ୍ତ ଏକ ଶିଶୁକାଠର ଠେଙ୍ଗା । ସେ ପାଟିରେ ଏଣେ ଶିଶିରି ବଜାଉଛି ଓ ଠେଙ୍ଗାଟାକୁ ହାତରେ ବୁଲାଇ ଲାଗିଛି । ସେହିପରି ଅବସ୍ଥାରେ ସେ ସେହି ପ୍ରୌଢ଼ ବ୍ୟକ୍ତିଙ୍କ ପାଖକୁ ଲାଗି ଯାଇ କହିଲା, ‘‘ଆବେ ବୁଢ଼ା ଧାକଡ଼, ବାଟ ଜାଣିନାଉଁ ତ ଘରୁ ଆସୁଥିଲୁ କାହିଁକି?’’ ୟାପରେ ଆଉ କଥାବାର୍ତ୍ତା ନାହିଁ, ସେ ସେହି ବ୍ୟକ୍ତିଙ୍କୁ ଧକା ମାରି ତଳେ ଶୁଆଇଦେଲା ଓ ଠେଙ୍ଗାରେ ଦୁମ୍‌ଦାମ୍‌ପିଟି ଲାଗିଲା । ପ୍ରହାରରେ ହାଡ଼ କଡ଼୍‌କାଡ଼୍‌ ଭାଜିଲାବେଳେ ଯୁବତୀ କାନରେ ଆସି ଶବ୍ଦଟା ନିଶ୍ଚୟ ବାଜିଥିବ, କିନ୍ତୁ ସେ କିଛି ଶୁଣିନାହିଁ; କାରଣ ପ୍ରୌଢ଼ ବ୍ୟକ୍ତି ତଳେ ପଡ଼ିବା ବେଳୁ ତାର ମୂର୍ଚ୍ଛା ହୋଇଯାଇଛି ।

 

ଯୁବତୀର ମୂର୍ଚ୍ଛା ଯେତେବେଳେ ଭାଜିଲା, କାନ୍ଥ ଘଣ୍ଟାରେ ଟଣ୍‌ଟଣ୍‌ ଦୁଇଟା ବାଜିଲା । ସେଦିନ ଏକାଦଶୀ, ଚନ୍ଦ୍ର ଆହୁରି ଦିଗ୍‌ବଳୟ ଉପରେ କେତେ ବାଟ ଛାଡ଼ି ରହିଛି । ସେ ତାରି ଆଲୋକରେ ଦେଖିଲା ଯେ ସଡ଼କରେ ଖାଲି ମୁର୍ଦ୍ଦାରଟାଏ ପଡ଼ିଛି ଓ ସଦେଇ ଜେନାର ଚିହ୍ନବର୍ଣ୍ଣ ନାହିଁ । ଘରଟା ତାକୁ ଖାଇ ଗୋଡ଼ାଇଲା । ପ୍ରତ୍ୟେକ ଲୋକର ଜୀବନରେ ଏପରି ମୁହୂର୍ତ୍ତମାନ ଅଛି, ଯେତେବେଳେ କି ଘର ଭିତରେ ଦୁଆର କିଳି ରହିବା ଅପେକ୍ଷା, ସେ ଘର ବାହାରକୁ ଚାଲିଯିବା ନିରାପଦ ମଣେ । ଏଟା ଯୁବତୀ ପକ୍ଷେ ସେହିପରି ଗୋଟାଏ ମୁହୂର୍ତ୍ତ ।

 

ତାପରେ ପୁଣି ଏଡ଼େ ବଡ଼ ଘଟଣା ତାଆଖି ଆଗରେ ଘଟିଥିଲା, ସେ ପୋଲିସକୁ ଖବର ନ ଦେଇ ରହିଯିବ କିପରି ? କିନ୍ତୁ ସେ ଖବର ଦେବାକୁ ହେଲେ, ତାକୁ ନିଜେ ଯିବାକୁ ପଡ଼ିବ । ସେ ତ ଏକା ଘର ଭିତରେ ରହିପାରୁନାହିଁ, ତାକୁ କିଏ ତଣ୍ଟିଆ ଦେଇ ସତେ ଅବା ବାହାରକୁ ପେଲି ପକାଉଛି । ତେଣୁ ନାନା ଯୁକ୍ତିପରେ, ପାଦ ଆଗକୁ ପଛକୁ ଦଶଥର ପକାଇ, ଶେଷରେ ସେ ଥାନାକୁ ଚାଲିଗଲା । ସେତେବେଳେ ଯାଇ ତାପିଣ୍ଡରେ ପ୍ରାଣ ପଶିଲା ।

 

ପୋଲିସ ଘଟଣା ସ୍ଥଳକୁ ଆସି ଦେଖିଲେ ଯେ ଗୋଟିଏ ମଡ଼ା ପଡ଼ିଛି ଓ ତାଦେହତମାମ୍‌ ମାଡ଼ରେ ଫୁଲିଯାଇଛି, ଖଣ୍ଡିଆ ହୋଇଚି । ଖୁଣି କରିବାରେ ଯେଉଁ ଠେଙ୍ଗାଟା ଲାଗିଥିଲା, ତାର ଅଗ ଗଡ଼ଟା ନର୍ଦ୍ଦମାରେ ଯାଇ ପଡ଼ିଛି । ମୃତ-ବ୍ୟକ୍ତିଙ୍କ ଲୁଗାପଟା ଖୋଜି ପୋଲିସ ଗୋଟିଏ ଟଙ୍କାଥାଳି ଓ ସୁନା ଘଣ୍ଟା ପାଇଲେ; କିନ୍ତୁ ସେ ଯେ କିଏ ସେ କଥା ଜାଣିବା ଭଳି କୌଣସି ପ୍ରମାଣ ପାଇଲେନାହିଁ । କେବଳ ତାଙ୍କ କୁରୁତା ପକେଟରୁଗୋଟିଏ ପୁଲିନ୍ଦା ମିଳିଲା । ସେଥିରେ ଜଉମୁଦ ଦିଆଯାଇଥିଲା ଓ ଡାକ ଟିକଟ ବସିଥିଲା । ତାଉପରେ ପୁଣି ଠିକଣା ଲେଖାଥିଲା–

 

ବାବୁ ରାମଚନ୍ଦ୍ର କର, ଓକିଲ,

ଚାନ୍ଦିନୀଚଉକ, କଟକ

 

ଖୁବ୍‌ ଭୋରରୁ ଏ ପୁଲିନ୍ଦା ଧରି ପୋଲିସ ରାମବାବୁଙ୍କ ଘରେ ଆସି ପହୁଞ୍ଚିଲେ । ରାମବାବୁ ତାହା ଦେଖି ଓ ସବୁ କଥା ଶୁଣି କହିଲେ, ‘‘ପୁଲିନ୍ଦା ମୋଠାକୁ ପଠା ଯିବାକୁ ତିଆରି ହୋଇଥାଇପାରେ; ମାତ୍ର ଲୋକଟା କିଏ, ମୁଁ ନ ଜାଣିଲେ, କଣ କହିବି ? ଆପଣମାନେ ତ କିଛି ଚିହ୍ନଟ ଦେଇପାରୁନାହାନ୍ତି । ତେବେ ମତେ ନିଜେ ଯାଇ ଦେଖିବାକୁ ହେବ ।’ ତାହାହିଁ ହେଲା । ଲାସଟା ଥାନାକୁ ଆସି ସାରିଥିଲା । ରାମବାବୁ ଯାଇ ଦେଖିବା ମାତ୍ରେ କହିଲେ, ‘‘ହଁ, ମୁଁ ବେଶ୍‌ ଚିହ୍ନୁଚି । ଏ ଚୂଡ଼ଙ୍ଗ ଜମିଦାର ଜନାର୍ଦ୍ଦନ ମର୍ଦଗାଜି ଭ୍ରମରବର ଚମ୍ପତିରାୟ ।’’

 

‘‘ହେ ଭଗବାନ୍‌, ସ୍ୱୟଂ ସେ ପୋଲିସ କର୍ମଚାରୀ ପ୍ରଥମେ ବିବ୍ରତ ହୋଇଗଲେ; ମାତ୍ର ପର ମୁହୂର୍ତ୍ତରେ ତାଙ୍କ ଆଖି ଉଜ୍ଜ୍ୱଳ ଦିଶିଲା । ସେ ଉପର ଦାନ୍ତ ପାଟିରେ ତଳ ଓଠକୁ କାମୁଡ଼ି କହିଲେ, ଏ ତ ତେବେ ଗୋଟିଏ ସଙ୍ଗୀନ ମକଦ୍ଦମା ହବ । ଆଚ୍ଛା, କହନ୍ତୁ ଆପଣଙ୍କ ସାହାଯ୍ୟ ମୁଁ ପାଇବି କି ନା । ନା, ଆପଣ ଅପରପକ୍ଷ ନେବେ ? ଦେଖନ୍ତୁ, ସେଥିରେ ଟଙ୍କା ମିଳିପାରେ; ନାଁ ହବନାଇଁ । ମତେ ସାହାଯ୍ୟ କଲେ, ମୋର ତ ‘ରାୟ ସାହେବ’ ଥୁଆ । ଆପଣଙ୍କର ମଧ୍ୟ ନାଁ ହେବ; ସରକାରୀ ଓକିଲ ହୋଇଯିବେ ?’’ ତାପରେ ସେ ଯୁବତୀ ପୋଇଲୀ କଣ କଣ ବର୍ଣ୍ଣନାକରିଥିଲା କରିଗଲେ ଏବଂଠେଙ୍ଗାର ଯେଉଁ ଗଡ଼ଟା ପାଇଥିଲେ, ଦେଖାଇଲେ ।

 

ସଦେଇ ଜେନା ନାଁ ଶୁଣି ରାମବାବୁଙ୍କ ପିଳେହି ତ ଏକେ ପାଣି ହୋଇଯାଇଥିଲା; ତାପରେ ଠେଙ୍ଗା ଗଡ଼ଟା ଦେଖି ସେ ଚମକି ପଡ଼ିଲେ । ଅନେକ ବର୍ଷ ତଳେ ସେ ଡାକ୍ତର ନାୟକଙ୍କୁ ଯେଉଁ ଗଡ଼ଜାତି ଶିଶୁକାଠ ଠେଙ୍ଗା ଭେଟି ଦେଇଥିଲେ, ଏ ତାରି ଗଡ଼େ ବୋଲି ଚିହ୍ନିବାକୁ ତାଙ୍କୁ ମୁହୂର୍ତ୍ତେ ଲାଗିଲା ନାହିଁ । ତଥାପି ସନ୍ଦେହ ଲାଗି ସାମାନ୍ୟ ସୁଦ୍ଧା ଛିଦ୍ର ନ ରଖିବାକୁ ସେ ପଚାରିଲେ, ‘‘ଆଚ୍ଛା, ଏ ସଦେଇ ଜେନା ଲୋକଟା କଣ ଗେଡ଼ାଆସିଆ ଜଣେ ?’’

 

‘‘ହଁ, ସେ ପୋଇଲୀ କହେ, ଖୁବ୍‌ଗେଡ଼ା, ଆଉ ବଡ଼ ବଦମାସିଆ ଚେହେରାବାଲା ।’’

 

‘‘ଆଚ୍ଛ, ଆପଣ ଯେବେ ଟିକିଏ ମେହେନତ କରିବାକୁ ରାଜିହେବେ, ମୁଁ ଆପଣଙ୍କୁ ତାଘରକୁ ନେଇଯାଇପାରିବି । ତେବେ ଅନେକ ବାଟ, ଗୋଟାଏ ଗାଡ଼ି ଡାକିବାକୁ ହେବ ।’’

 

ଗାଡ଼ିରେ ବସି ଦୁହେଁ ବାହାରିଲେ । ଗାଡ଼ିଟା କଟର୍‌ କଟର୍‌ ଖଡ଼ର୍‌ ଖଡ଼ର୍‌ ଶବ୍ଦକରି ଗଳିକି ଗଳି ପାରି ହୋଇ ଚାଲିଲା । ଦୁଇ ପାଖେ ଆଗ ପଛ ହୋଇ ଛଜଣ ବରକନ୍ଦାଜ ବାଇସାଇକାଲରେ ବସି ଅଗ୍ରସର ହେଉଛନ୍ତି । ପ୍ରଭାତର ସୂର୍ଯ୍ୟକିରଣ ଲମ୍ବ ଲମ୍ବ ଛାଇମାନ ପ୍ରକଟକରି ପଛରୁ ପଡ଼ିଛି । ଗାଡ଼ିର ପଛ ଆସନରେ ଦୁହେଁ ବସିଛନ୍ତି ଓ ଆଗପଟ ଆସନଟା ଖାଲି ଥିବାରୁ ସେଥିରେ ଟୋପି କାଗଜ ପତ୍ର ଛଡ଼ା ଦୁହେଁ ଚାରିଟା ଗୋଡ଼ ଥୋଇଛନ୍ତି ।

 

ଏପରି ବିଭିନ୍ନ ମତି ଗତିରେ ଦୁଇ ଜଣ ଲୋକ କଟକ ସହରରେ ହୁଏତ ପୂର୍ବରୁ କେବେ କାନ୍ଧକୁ କାନ୍ଧ ଲଗାଇ ଏକା ଗାଡ଼ିରେ ବସି ନ ଥିବେ । ରାମବାବୁଙ୍କ ମୁଖମଣ୍ଡଳ ଶ୍ରାବଣ ମାସର ମେଘଖଣ୍ଡ ପରି ଭୀଷଣ ଦିଶୁଛି; କିନ୍ତ ତାଙ୍କର ସଙ୍ଗୀ ପ୍ରଫୁଲ୍ଲ ଦେଖାଯାଉଛନ୍ତି । ସେ ପ୍ରଫୁଲ୍ଲତା ସତ୍ତ୍ୱେ, ରାମବାବୁ ତାଙ୍କ ଆଡ଼କୁ ଚାହିଁଲେ, ନିଜ ଛାତି ଥରିଯାଉଛି । ସେ ମନକୁ ମନ ଭାବୁଛନ୍ତି, ‘‘ଓ, କି ଜନ୍ତୁ ଏମାନେ ! ବାଘଛୁଆକୁ ସୁଦ୍ଧା ଯନ୍ତାରେ ବାନ୍ଧି ପାରନ୍ତି । ଲୋକ ଯେତେ ସତ୍‌ ହେଲେ ବି ତାର ନିସ୍ତାର ନାଇଁ । ଆଇନ୍‌ଟା ଏଇପରି ଗୋଟିଏ ବିଚିତ୍ର ଜିନିଷ ।’’

 

ଘୋଡ଼ାଗାଡ଼ି କାଫଲା ବଜାର ପାରିହୋଇ ଇଦଗା ପଡ଼ିଆ ଇଦଗା ପଡ଼ିଆ ପାଖେ ପାଖେ ଚାଲିଲା । ପରେ ଶେଷରେ ସଡ଼କର ଦୁଇ ପାଖେ ଦୁଇଟା ସାହୀ ପଡ଼ିଲା । ଆଜି କାଲି ସେ ସାହୀ ଉଠିଯାଇଛି । ତାର ଘରଗୁଡ଼ାକରେ ନୁଆଣିଆ, ସିଧା ପଶିବାକୁ ବସିଲେ ଚାଳ ମୁଣ୍ଡରେ ବାଜିବ । କେଉଁଠାରେ ପିଲାମାନେ ଦାଣ୍ଡରେ ଝାଡ଼ା ଫେରି ବସିଛନ୍ତି । ତାରିପାଖରେ ଆଉ କେତେକ ପିଲା ହାତରେ ଖଣ୍ଡେ ଖଣ୍ଡେ ପୋଡ଼ପିଠା ଧରି ନାଚି ନାଚି, ହେଣ୍ଡିମାରି, ଖାଇ ଲାଗିଛନ୍ତି-

 

କାହା କାହାର ପିଠା ଖଣ୍ଡମାନ ହାତରୁ ପଡ଼ିଗଲେ, ତାକୁ ଗୋଟାଇ ଆଣି ପୁଣି ପାଟିରେ ପୂରାଉଛନ୍ତି । ଅନେକ ପିଲାଙ୍କର ନାକରୁ ଶିଙ୍ଘାଣି ସଡ଼ସଡ଼ ବହିଯାଉଛି । ଆଉ କେଉଁଠାରେ ମାଇପେ ଖଣ୍ଡେ ଖଣ୍ଡେ ଛିଣ୍ଡା କନା ଗୁଡ଼ାଇ ହୋଇ ପରସ୍ପର ସହିତ କଳି ଦ୍ୱନ୍ଦ୍ୱରେ ରତ ହୋଇଛନ୍ତି- । ନାନା ଅପଭାଷାର ପ୍ରୟୋଗ ଚାଲିଛି । ଲାଲ ପଗଡ଼ିଆଙ୍କୁ ଦେଖି ସେମାନେ ଘର ଭିତରକୁ ଅବଶ୍ୟ ଚାଲିଗଲେ; କିନ୍ତୁ ଦାଣ୍ଡର ବାୟୁମଣ୍ଡଳରେ ନିଜ ନିଜ ଦେହର ଗନ୍ଧ ଓ ଅପଭାଷାର ପ୍ରତିଧ୍ୱନି ଛାଡ଼ିଦେଇ ଗଲାପରି ବୋଧ ହେଲା ।

 

ସେହି ସାହୀ ଦୁଇଟା ଶେଷ ନୋହୁଣୁ ଗୋଟିଏ ଛୋଟିଆ ଏକ ମହଲା ପକାଘର ପଡ଼ିଲା । ରାମବାବୁ ସେହିଠାରେ ଗାଡ଼ିଭିତରୁ ପାଟିକରି କହିଲେ, ‘‘ରଖ ଗାଡ଼ିବାଲା; ଏଇଘରଟା-।’’ ସେହି ପକା ଘରଖଣ୍ଡି ଡାକ୍ତର ନାୟକଙ୍କ ଅନ୍ତେ ଯେ ଉତ୍ତରାଧିକାରୀ ସୂତ୍ରେ ଲକ୍ଷପତି ହେବ, ତାରି ବାସସ୍ଥାନ । ଘର ଭିତରୁ ଜଣେ ପାଚିଲା ବୁଢ଼ୀ ଦୁଆର ଫିଟାଇ ବାହାରି କହିଲା, ‘‘ହଁ ବାବୁ, ଠିକ୍‌ କହିଛ, ଏଇଟା ସଦେଇ ଜେନା ଘର । ମାତ୍ର ସେ ତ ଘରେ ନାଇଁ । କାଲି ରାତିରେ ଆସିଥିଲାଦଣ୍ଡୁଟାଏ ରହିଚି କି ନା, ଚାଲିଗଲା ।’’

 

‘‘ଆଚ୍ଛା, କୁଆଡ଼େ ଗଲା ?କେତେବେଳେ ଆସିବ ?’’

 

‘‘ସେ କଥା କଣ ମୁଁ କିଛି କହିପାରିବି ?ସେ ତ ଏଠି ବେଶି ରୁହାରୁହି କରେ ନାଇଁ । ଦିମାସ ବାଦେ ପରା କାଲି ଆସିଥିଲା । ’

 

‘‘ଆଚ୍ଛା, ସେ ଚୁଲୀକି ଯାଉ । ବାଟରୁ ଉଠ ବୁଢ଼ୀ ଆମେ ଏ ଘର ଖାନତଲାସ କରିବୁ ।’’

 

‘‘ସେ କଥା ହବନାଇଁ, ବାବୁ ! ସଦେଇ ଆସିଲେ ସେ ବୁଝିବ, ତୁମେ ବୁଝିବ । ମୁଁ ତୁମକୁ ଘର ଭିତରକୁ ଛାଡ଼ି ଦେବି ନାଇଁ ।’’

 

‘‘ବୁଢ଼ୀ, ଶୁଣ୍‌, ମୁଁ କହିଦିଏଁ ଏ ବାବୁ କିଏ । ଏ ହେଉଛନ୍ତି ଥାନା ଦାରୋଗାବାବୁ । ତୁ ବାଟ ଛାଡ଼ି ଦେ ।’’

 

‘‘ଏ କଣ ମୋ ଘର ଯେ ମୁଁ ବାଟ ଛାଡ଼ିଦେବି ? ଭାରି ଘରେ ପଶିଲାବାଲା ।’’

 

‘‘ତୋ ଘର ନୁହେ ତ ତୁ ପଳା’’ –କହି ବରକନ୍ଦାଜମାନେ ବୁଢ଼ୀକୁ ଦୁଇ ତଣ୍ଟିଆରେ ଦାଣ୍ଡମଝିରେ ନେଇ ଛାଡ଼ିଦେଲେ । ସେମାନଙ୍କ ଧୈର୍ଯ୍ୟ ସୀମା ଅତିକ୍ରମ କରିସାରିଥିଲା । କେବଳ ଦାରୋଗାବାବୁ ଓ ଓକିଲବାବୁଙ୍କ କଥା ଉପରେ ସେମାନେ କଥା କହିବାକୁ ଇଚ୍ଛା କରୁନଥିଲେ । ଓକିଲବାବୁଙ୍କ ଆଗେ ଦାରୋଗାବାବୁ ମଧ୍ୟ ନିଜେ କୌଣସି ସଂକେତ ଦେବାକୁ ଆଗେଇଲେ ନାହିଁ-

 

ଆଗନ୍ତୁକମାନ ଘର ଭିତରେ ପଶି ଦେଖିଲେ ଯେ ଘରଟା ତମାମ୍‌ ଗୋଟାଏ ଭୁତକୋଠି ପରି ଖାଲିପଡ଼ିଛି, କେବଳ ଗୋଟିଏ କୋଠରୀରେ ଚାବି ଲାଗିଛି । ସେ କୋଠରୀର ଚାବି ଭାଙ୍ଗିବାରେ ଦେଖାଗଲା, ତାହା ଜଣେ ଧନିଲୋକ ଘର ପରି ସଜାହୋଇଛି । ବେତବୁଣା ଖଟରେ ଚାଖଣ୍ଡେ ବହଳ ଗଦି ଓ ତାସାଙ୍ଗକୁ ଖାପଖାଇଲା ଭଳି ତକିଆ ଓ ମଶାରୀ । ଭଲ ଚଉକି ଟେବୁଲ ପଡ଼ିଛି, ରୂପା ବାସନ ରହିଛି; କିନ୍ତୁ ତାଭିତରେ ନାନା ଜିନିଷ ବିଶୃଙ୍ଖଳ ହୋଇ ତଳେ ଏଣେ ତେଣେ ପଡ଼ି ରହିଛି । ଅଳ୍ପ ସମୟ ପୂର୍ବେ ଘରଟାଯାକ କେହି ତରତରରେ, ଅଥଚ ତନ୍ନ ତନ୍ନ କରି ଖୋଜିଥିଲା ପରି ଜଣାଯାଉଛି । କୁରୁତା ତଳ ପକେଟର ଭିତର ପାଖ ବାହାରକୁ ବାହାରି ପଡ଼ିଛି ।

 

ଲୁହା ସିନ୍ଦୁକଟା ମେଲା ହୋଇ ରହିଛି । ଗୋଟାଏ କଣରେ ଗଦାଏ ପାଉଁଶ ଜମା ହୋଇଛି । ଦେଖିଲେ ବେଶ୍‌ ବୁଝାଯାଉଛି ସେ ଅନେକଗୁଡ଼ାଏ କାଗଜପତ୍ର ପୋଡ଼ି ଦିଆଯାଇଛି । ପାଉଁଶଗଦାରୁ ଦାରୋଗାବାବୁ ଗୋଟାଏ ଚେକ୍‌ ବହିର ପୋଡ଼ି ପାରିନଥିବା ମୁଣ୍ଡା ଚେକ୍‌ଗୋଛା ଗୋଟାଇ ଧରିଲେ । ସୂତାହାଟ ସଡ଼କରୁ ଯେଉଁ ଠେଙ୍ଗାର ଅଧେ ମିଳିଥିଲା, ତାର ବାକି ଅଧକ କାନ୍ଥକୁ ଡେରା ହୋଇ ରହିଥିଲା । ତାହା ହାସଲ କଲେ । ବେଙ୍କକୁ ଯାଇ ବୁଝିଲେ ଯେ ସଦେଇ ଜେନା ନାମରେ ହଜାର ହଜାର ଟଙ୍କା ଜମା ଅଛି ।

 

ଏ ସବୁ ପରେ ଦାରୋଗାବାବୁ ଖୁସୀ ହୋଇ କହିଲେ, ‘‘ଓକିଲବାବୁ, ମୋ ଦିହାତି ଯାହାଥିଲା ମୁଁ କରିଦେଲି । ଏଣିକି ଆପଣମାନଙ୍କ କାମ । ଆଉ ପ୍ରଣାମ ଅଭାବ କଣ? ଲୋକଟାର ନିଷ୍କୃତି ନାଇଁ ଦେଖୁଚି । ସେଟା ଗୋଟାଏ ପାଗଳା ନା କଣ? ଖୁଣ କରି ପ୍ରଣାମ ସବୁ ଘରେ କିଏ କେବେ ସାଇତି ରଖେ ? ପୁଣି ଚେକ୍ ବହିଟା ବା କଣ ଅପରାଧ କରିଥିଲା ? ତାକୁ ପୋଡ଼ି ପକାଇଲା କିଆଁ ? ଏବେ ଖାଲି ବାକି ରହିଲା ଲୋକଟାକୁ ଗିରଫ କରିବା । ବେଙ୍କରେ ଯାଇ ଜଗି ବସିଲେ ହବ । ଚେକ୍‌ ଭଙ୍ଗାଇବାକୁ କଣଥରେ ହେଲେ ନ ଆସିବ ?’’

 

ବେଙ୍କର ଦାରୋଗା ବସି ରହିବାପରେ ଦିନେ ଗଲା, ଦୁଇଦିନ ଗଲା, ତିନି ଦିନ ଗଲା, ଶହ ଶହ ଲୋକ ଚେକ୍‌ ଭଙ୍ଗାଇବାକୁ ଆସିଲେ, କିନ୍ତୁ ସଦେଇ ଜେନା ନାମକ କେହି ନିଜେ ଆସିଲା ନାହିଁ, କି ତା ଦସ୍ତଖତ୍‌ ଥିବା ଚେକ୍‌ ଧରି ଅନ୍ୟ କେହି ମଧ୍ୟ ଆସିଲା ନାହିଁ । ହୁଏତ ସଦେଇ ଜେନା ଖବର ନେବାପାଇଁ ଆସିଥିବ ଓ ଖବର ନେଇ ଫେରିଥିବ; କିନ୍ତୁ ତାକୁ ଚିହ୍ନିବାର ଉପାୟ ନଥିଲା । କଟକ ସହରଯାକରେ ଅତି ଅଳ୍ପ ଲୋକ ତାକୁ ଚିହ୍ନିଥିଲେ । ସେ ପିଲାକବିଲା ଧରି କେଉଁଠାରେ ରହୁଥିଲା, କେହି ଜାଣି ନଥିଲେ । ତୁଳସୀପୁରକୁ ସେ କେବେ କିପରି ଆସେ ।

 

ମକର୍ବାର ସେ ଘରେ ଦୁଆର ଫିଟାଇ ସେ ପ୍ରବେଶ କରେ, କିନ୍ତୁ ଥରେ ପ୍ରବେଶ କଲେ ଯେ କେଉଁଆଡ଼େ ଭିତରେ ଉଭେଇ ଯାଏ, କେହି ତାରସୁରାଖ ପାଆନ୍ତି ନାହିଁ; ଏପରି କି ଘରେ ରହୁଥିବା ଡାକ୍ତର ନାୟକଙ୍କୁ ପଚାରିଲେ ସେ ଉତ୍ତର ଦିଅନ୍ତି, ‘‘କେଜାଣି, ବାବୁ, ଆସିଥିବ; ମୁଁ ତ ଦେଖିନାଇଁ ।’’ ତାର ଫଟୋ ନଥିଲା । ତାକୁ ଚିହ୍ନନ୍ତି ବୋଲି ଦାବୀ କରିବା ଲୋକେ ତାର ଯେଉଁ ବର୍ଣ୍ଣନା ଦିଅନ୍ତି, ତାଭିତରୁ କାହାର କାହାରି ସହିତ ମେଳ ହୁଏନାହିଁ । ତେବେ ଗୋଟାଏ କଥା ସମସ୍ତେ ଏକ ସ୍ୱରରେ କହନ୍ତି ଯେ ଲୋକଟାର ଚେହେରାରେ କଣ ଗୋଟାଏ ବଡ଼ ରକମ ଦୋଷ ଅଛି; ମାତ୍ର ସେତିକିରୁ ତ କୌଣସି ଲୋକକୁ ଚିହ୍ନିବା ସମ୍ଭବପର ନୁହେ ।

•••

 

ଘଟାନ୍ତର

ଖଣ୍ଡିଏ ଚିଠି

 

ସେ ଦିନ ଉପର ଓଳି, ସୂର୍ଯ୍ୟଦେବତା ଅସ୍ତାଚଳ ମୁଣ୍ଡ ଛୁଇଁବା ପୂର୍ବରୁ, ରାମବାବୁ ଡାକ୍ତର ନାୟକଙ୍କ ଘରେ ଯାଇ ପହଞ୍ଚଲେ । ଯଦୁନାଥ ଦେଖିବା ମାତ୍ରେ ତାଙ୍କୁ ଭିତରକୁ ଡାକିନେଲା । ଡାକ୍ତର ତାଙ୍କ ଖାସ୍‌ କାମରାରେ ବସିଥିଲେ । ସେଠାକୁ ସିଧା ବାଟରେ ନଯାଇ ସେ ଯେୁଉଁବାଟେ ଗଲେ, ମଝିରେ ଓଷଦଖାନା କୋଠରୀଟା ପଡ଼ିଲା । ସେ କୋଠରୀଟା ରାମବାବୁ ପୂର୍ବରୁ କେବେ ଦେଖି ନ ଥିଲେ ।

 

ତାହା ଏକ ସମୟରେ ଗୋଟାଏ ଭଲ ଘର ଥିଲା; କିନ୍ତୁ ଏବେ ଅଳିଆମଳିଆ ହୋଇପଡ଼ିଛି । ତହିଁରେ ଜିନିଷପତ୍ର ଏଣେ ତଣେ ଗଡ଼ୁଛି । ତାହା ସବୁ ଠିକ୍‌ ରଖିବା ଇଚ୍ଛା କାହାରି କେବେ ହୋଇଥିଲା ପରି ଦେଖାଯାଉ ନାହିଁ । ପବନ ବା ଆଲୋକ ଭିତରକୁ ଆସୁନାହିଁ; ଯେଉଁବାଟେ ଆସନ୍ତା, ସେ ତିନିଟା ଝରକା ବରାବର ବନ୍ଦ ରହିଛି, କେବେହେଲେ ଥରେ ଅଧେ ଫିଟିଲା ଭଳି ଦିଶୁ ନାହିଁ ।

 

ଯାହାହେଉ ସେହି ବାଟେ ଯାଇ ରାମବାବୁ ଖାସ୍‌ କାମରାରେ ପହଞ୍ଚିଲେ । ଡାକ୍ତର ନାୟକ ସାକ୍ଷାତ୍‌ ନିଜର ଛାୟା ସ୍ୱରୂପ ସେଠାରେ ବସିଥିଲେ, ଅନ୍ୟାନ୍ୟ ଦିନ ପରି ତାଙ୍କୁ ପାଛୋଟି ନେବାପାଇଁ ପାହୁଣ୍ଡେ ଆଗେଇ ଆସିଲେ ନାହିଁ, କି ଉଠି ଠିଆ ମଧ୍ୟ ହେଲେ ନାହିଁ । ଯଦୁନାଥ ତାଙ୍କୁ ଛାଡ଼ିଦେଇ ଚାଲିଗଲା । ରାମବାବୁ ପଚାରିଲେ, ‘‘ଖବର ଶୁଣିଲଣି ନା ?’’

 

ଡାକ୍ତର ନାୟକ ଥରିଲା ପରି ହେଲେ । ଶୁଖିଲା ଓଠ ଭିତରୁ ସେ କହିଲେ, ‘‘ହଁ, ବାଟରେ ଗପି ଗପି ଯାଉଥିଲେ, ମୋ କାନରେ ପଡ଼ିଛି । କଣ ହେଲା ?’’

 

‘‘ହବ କଣ ? ତେବେ ପଦେ କଥା କହୁଚି, ଶୁଣ । ଚୂଡ଼ଙ୍ଗ ଜମିଦାର ମୋରି ମହକିଲ୍‌ ଥିଲେ । ତୁମେ ତ ମଧ୍ୟ ମୋ ମହକିଲ୍‍ । ମୁଁ ବଡ଼ ମୁସ୍କିଲ ଅଡ଼ୁଆରେ ପଡ଼ିଚି । ଆଚ୍ଛା, ତୁମେ କଣ ସତେ ଏ ଲୋକଟାକୁ କୁଠି ଗାଏବ କରି ରଖିଚ ?’’

 

‘‘ରାମବାବୁ, ମୁଁ ଈଶ୍ୱରଙ୍କୁ ଚାହିଁ କହୁଚି, ମୁଁ ଆଉ ତାମୁହଁ କେବେ ଚାହିଁବି ନାଇଁ । ଏ ଜନ୍ମରେ ଆଉ ନୁହେ, କେଜାଣି ଅବା ଆର ଜନ୍ମକୁ କଣ ହେଲେ ହୋଇପାରେ । ଏ ଅଧ୍ୟା ଏଇଠି ସରିଲା । ମୋ ସାହାଯ୍ୟ କଣତାର କିଛି ଦରକାର ? ତୁମଠୁଁ ତ ତାକୁ ସହସ୍ର ଗୁଣ ଜାଣେ । ସେ ଯେ ଏଇ ଥର ଫେରାର୍‌ ହୋଇଗଲା ।

 

ମୁଁ କହି ରଖୁଚି, ଆଉ ତାନାଁ ଗାଁ ଶୁଣାଯିବ ନାଇଁ । ଯାଇଚି, ପାପ ଯାଇଚି ।’’ଏ କଥାଗୁଡ଼ାକ କହିଲାବେଳେ, ଯେପରି ଡାକ୍ତର ନାୟକଙ୍କ ପ୍ରେତ ଅବା କହୁଛି, ସାକ୍ଷାତ୍‌ ସେହିପରି ବୋଧ ହେଉଥିଲା ।

 

ରାମବାବୁ ଶୁଣି ଉତ୍ତରରେ କହିଲେ, ‘‘ତୁମେ ଯେପରି କହୁଚ, ଶୁଣିଲେ ମନେ ହବ, ତୁମକୁ ଲୋକଟାର ଖବର ଅନ୍ତର ସବୁ ଜଣା । ମୋର ତ କାହିଁକି ମନେହେଉଚି, ତାମକଦ୍ଦମା ବିଚାର ହେଲାବେଳେ ତୁମ ନାଁ ମିସଲ୍‌ ଉପରେ ବାହାରିବ ।’’

 

‘‘ମୋ ନାଁ ! କେଜାଣି; ଏ ସଇତାନ ପୋଲିସଙ୍କୁ ତ ତିଳେ ହେଇ ବିଶ୍ୱାସ ନାଇଁ । କଳାକୁ ଧଳା, ଧଳାକୁ କଳା କରିପାରନ୍ତେ ପାଜିଏ । ତୁମ ଓକିଲଙ୍କଠୁ କଣ ମୁଁ ତାଙ୍କୁ ଭଲ ଜାଣେ ? ତେବେ ଗୋଟାଏ କଥା ଅଛି, ସେଥିପାଇଁ ତୁମ ପରାମର୍ଶ ଲୋଡ଼ା । ମୁଁ ଖଣ୍ଡେ ଚିଠି ପାଇଚି । ସେଟା ପୋଲିସିଙ୍କି ଦେଖେଇବି କି ନାଇଁ, କହ ଦେଖି ।

 

ତୁମେ ଯାହା କହିବ ସେଇପରି କରିବି । ଏକେ ତ ତୁମେ ଓକିଲ, ଏସବୁ କଥା ଭଲ ବୁଝ; ତାପରେ ପୁଣି ମୋର ବନ୍ଧୁ । ତୁମଠୁଁ ବେଶି ବିଶ୍ୱାସୀ ମୁଁ ଆଉ କାହାକୁ ପାଇବି, କହ ଦେଖି-।’’

 

‘‘ଏ ଚିଠିଟା ଯୋଗେ ସେ ଧରାପଡ଼ିଯାଇପାରେ, ନା ?’’

 

‘‘ନା, ନା, ମୁଁ ସେ କଥା ଭାବୁନାଇଁ । ସେ ଧରାପଡ଼ୁ ନପଡ଼ୁ, ମୋର ସେଥିରେ ଥାଏ କଣ?ମୁଁ ସବୁ ସମ୍ପର୍କ ଛିଣ୍ଡାଇ ଦେଇଚି ପରା ! ମୁଁ ମୋ ନିଜ କଥା ବିଚାରୁଚି । କଳଙ୍କଟା କାଳେ କଣିକାଏ ମୋ ଉପରକୁ ଆସିଯିବ । ଓଃ, କଣ ନ କଲା । କି କାଣ୍ଡ ନ ଭିଆଇଲା ?’’

 

ରାମବାବୁ ଏ କଥାଗୁଡ଼ାକ ଶୁଣି ମନେ ମନେ କେତେ କଣ ଭାବିଲେ । ଡାକ୍ତର ନାୟକ ଯେ ଏତେ ସ୍ୱାର୍ଥପର ତାହା ତାଙ୍କ ଦୃଷ୍ଟିରେ କେବେ ପଡ଼ି ନ ଥିଲା; କିନ୍ତୁ ସେ ଯାହାହେଉ, ତାଙ୍କୁ ଟିକିଏ ହାଲୁକା ବୋଧହେଲା । ଶେଷରେ ସେ କହିଲେ, ‘‘ଆଚ୍ଛା, ଦେଖେ ସେ ଚିଠିଟା ।’’

 

ଚିଠିଟା ବିଚିତ୍ର ଢଙ୍ଗରେ ଲେଖା ଯାଇଥିଲା । ରାମବାବୁ ପଢ଼ିଲେ;

 

 

‘‘ପ୍ରିୟ ଡାକ୍ତରବାବୁ,

 

ଆପଣ ମୋର ଯେତେ ଯେତେ ଉପକାର କରିଛନ୍ତି, ମୁଁ ଏ ଜନ୍ମ କାହିଁକି, ଚଉଦ ଜନ୍ମରେ ସୁଦ୍ଧା ସୁଝି ପାରିବି ନାହିଁ । ତେବେ ମୁଁ ବିଦାୟ ନେଉଛି । ଆଉ ହୁଏ ତ ଜନ୍ମରେ ଦେଖା ସାକ୍ଷାତ୍‌ ହେବ ନାହିଁ । ମୋ ଲାଗି ଚିନ୍ତା କରିବେ ନାହିଁ । ମୁଁ ଏପରି ସ୍ଥାନରେ ଯାଇ ଛପିଯିବି, ଯେୁଉଁଠାରୁ କିଏ ପୋଲିସ ଗୃହିଣୀ-ସୋଦରମାନେ ମୋ ଗନ୍ଧ ବାସନା କିଛି ପାଇବେ ନାହିଁ ।’’

 

ଆପଣଙ୍କର ଏକାନ୍ତ,

ସଦେଇ ଜେନା

 

ଏ ଚିଠିଟା ପଢ଼ି ରାମବାବୁଙ୍କର ସନ୍ଦେହ ପନ୍ଦର ପଣ ତିନିଗଣ୍ଡା କଟିଗଲା । ଏକ ଦୀର୍ଘ ନିଃଶ୍ୱାସରେ ସେ ନିଜ ହୃଦୟ ଉପରୁ ଗୋଟାଏ ପ୍ରବଳ ଭାର ଫିଙ୍ଗି ଦେଲେ । ପଚାରିଲେ, ‘‘ପୁଲିନ୍ଦାଟା ରଖିଚ ନା ? ସେହିଟା ଖୁବ୍‌କାମ ଦେଖେଇବ । ଡାକରେ ଆସିଥିଲା ତ ?’’

 

‘‘ପୁଲିନ୍ଦା ? ପୁଲିନ୍ଦାଟା ତ ମୁଁ ପୋଡ଼ିଦେଲି । ତୁମେ ନ ଆସିଥିଲେ, ଏ ଚିଠିଟା ମଧ୍ୟ ପୋଡ଼ି ପକାଇଥାନ୍ତି । ଚିଠିଟା ଯୋଗେ ଭଲ ହବ କି ଅସାର ହବ, ମୁଁ କଣ କିଛି ଭାବି ସ୍ଥିର କରିପାରିଲି ? ତେବେ ପୁଲିନ୍ଦାଟାରେ ତ ଡାକମୋହର ନ ଥିଲା । ଏଠି କିଏ ହାତେ ହାତେ ଆଣି ଦେଇଗଲା । ତା’ପରେ ପୁଣି ଖୋଦ୍‌ ମୋ ହାତେ ନୁହେଁ; ମାତ୍ର ତା ସଙ୍ଗେ କଣ ଅଛି ?’’

 

‘‘ଆଚ୍ଛା, ଚିଠିଟା କଣ ମୋ ପାଖେ ଥିବ ?’’

 

‘‘ତୁମେ ଭାବି ଠିକ୍‌ କର, କଣ ଭଲ ହେବ । ମୋ ବୁଦ୍ଧି ହଜିଗଲାଣି । ମୋର ଆଉ ଆତ୍ମପ୍ରତ୍ୟୟ ନାଇଁ ।’’

 

‘‘ଆଚ୍ଛା, କଣ କଲେ ହବ, ମୁଁ ଭାବି ଦେଖିବି । ତେବେ ଆଉ ଗୋଟାଏ କଥା ପଚାରି ବୁଝିନିଏ । ଉଇଲ୍‌ରେ ଯେ ତୁମ ଫେରାର୍‌ ହବା କଥାର ଉଲ୍ଲେଖ ଅଛି; ସେଟା କଣ ସେଇ ସଦେଇ ଜେନା ପରାମର୍ଶରେ ଲେଖାଯାଇଥିଲା ?

 

ଡାକ୍ତର ନାୟକଙ୍କୁ ମୂର୍ଚ୍ଛା ହେଲାପରି ଲାଗିଲା । ତାଙ୍କ ପାଟି ଫିଟିଲା ନାହିଁ । ସେ କେବଳ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ । ରାମବାବୁ କହିଲେ; ‘‘ହଁ, ମୁଁ ଠିକ୍‌ ଧରିଥିଲି, ତୁମକୁ ଖୁଣ୍‍ କରିବା ତାର ମତଲବ ଥିଲା । ତୁମ ଭାଗ୍ୟଟା ଭଲ, ଖସିଗଲ ।’’

 

‘‘ଖାଲି ଖସଗଲି ନୁହେଁ, ଗୋଟାଏ ବଡ଼ ଶିକ୍ଷା ମଧ୍ୟ ପାଇଲି ।’’ ଏତିକି କହି ଡାକ୍ତର ନାୟକ ନୀରବ ହେଲେ । ରାମବାବୁ ବିଦାୟ ନେଇ ବାହାରିଲେ । ଗଳାବେଳେ ବାଟରେ କହିଲେ, ‘‘ଯଦୁନାଥ, ଆଜି ଯେ ଖଣ୍ଡେ ଚିଠି ଆଣି ଦେଇଗଲା, ସେ ଲୋକଟା କିଏ, କିମିତିକା !’’ ଯଦୁନାଥ ଆଶ୍ଚର୍ଯ୍ୟ ହେଲା । କହିଲା, ‘‘ଆଜି ଡାକରେ ଖଣ୍ଡିଏ ଖବରକାଗଜ ଆସିଥିଲା । ତାଛଡ଼ା ଆଉ କିଛି ନାଇଁ । ଅନ୍ୟ କେହି ଆଣି କୌଣସି ଚିଠିପତ୍ର ଦେଇଯାଇ ନାଇଁ । ମୁଁ ଦିନତମାମ୍‌ ଅଛି ।’’

 

ରାମବାବୁଙ୍କର ମନରୁ ସନ୍ଦେହ ତ ତୁଟିଯାଇଥିଲା, କେବଳ ସାମାନ୍ୟ ବକଟେ ଝୁଲି ରହିଯାଇଥିଲା । ଯଦୁନାଥ କଥାରେ ତାହା ହଠାତ୍‌ ପ୍ରଚଣ୍ଡ ଶିଖା ଟେକି ଦାଉ ଦାଉ ଜଳିଉଠିଲା । ସେ ମନକୁ ମନ ଭାବିଲାଗିଲେ, ‘‘ଚିଠିଟା ତାହେଲେ ନିଶ୍ଚୟ ଓଷଧଖାନା ଘର ଦୁଆରବାଟେ ଆସିଚି । ସେଇ ଦୁଆରଟା ତ ସବୁ ଗୋଳମାଳର ମୂଳ । ତାନହେଲେ ଖାସ୍‌କାମରାରେ ଖାସ୍‌ଲେଖା ହେଇଥିବ । ତେବେ ତ ଏ ଚିଠିର ଅର୍ଥ ଠିକ୍‌ ଓଲଟା କରିବାକୁ ହବ ।’’ ସେଦିନ ଖବରକାଗଜ ବାହାରି ସାରିଥିଲା । ବୁଲାବିକାଳିମାନେ ପାଟି କରି ଆକାଶ ଫଟାଉଥିଲେ, ‘‘ଅଦ୍ଭୁତ ହତ୍ୟାକାଣ୍ଡ, ବିଚ୍‌ ଦାଣ୍ଡରେ ଚୂଡ଼ଙ୍ଗ ଜମିଦାର ଖୁଣ ।’’ ଶୁଣି ସେ ମନକୁ ମନ ଭାବିଲେ, ‘‘ମୋର ଜଣେ ବନ୍ଧୁ ଓ ମହକିଲଙ୍କ ମୃତ୍ୟୁଡିଣ୍ଡିମ ଏଇ ରାସ୍ତା ଘାଟରେ ଆଜି ବାଜୁଚି । ହୁଏ ତ କାଲିକି ଆଉ ଜଣେ ବନ୍ଧୁ ଓ ମହକିଲଙ୍କର ବହୁ ବର୍ଷର ସୁନାମ ପଦାରେ ପଡ଼ିଯିବ । କିଏ ଜାଣେ, ଏଇ ମକଦ୍ଦମାରେ ସେ ଟଣା ହୋଇ ପ୍ରଥମେ କଚେରିକି ଓ ତାପରେ ଜେଲଖାନାକୁ ନ ଯିବେ? ଜେଲଖାନାକୁ ତ ବାଟ ହେଉଛି ଏଇ କଚେରି । ବଡ଼ ଗୋଟାଏ ପ୍ରମାଣ ଏବେ ମୋ ହାତରେ । ୟାକୁ ପୁଣି ମୁଁ କଣ କରିବି ? ଏଟା ବାଇ ମନ୍ତ୍ର ନା କଣ? ୟାକୁ ଧରିବାରୁ ନାୟକର ବୁଦ୍ଧି ହଜିଯାଇଥିଲା । ଏବେ ତ ମୋ ବୁଦ୍ଧି ହଜିଲା ଉପରେ । ମତେ ତ କଣ କ୍ରମେ କ୍ରମେ ସବୁ ଅନ୍ଧାର ଦିଶିଲାଣି । ଦେଖୁଚି, କାହାଠୁ ପରାମର୍ଶ ଲୋଡ଼ିବାକୁ ହବ । ପ୍ରଭୁ ପରମେଶ, ମତେ ବାଟ ବତାଇ ଦିଅ ।’’

 

କେତେକ ସମୟ ପରେ ଦେଖାଗଲା ଯେ ରାମବାବୁ ନିଜ କଚେରି ଘରେ ବସିଛନ୍ତି, ମହକିଲମାନେ ଆସି ଅଳ୍ପ ସମୟରେ ବିଦାୟ ହୋଇ ଚାଲିଇଯାଇଛନ୍ତି; ଖଣ୍ଡେ ଦୂରରେ ତଳେ ଦୁଇଟା ହାତେ ହାତେ ଉଚ୍ଚ ଖାରୁଆ କନା ବସ୍ତାନି ପଛରେ, ଗୋଟାଏ ଦଲିଲ୍‌ ଉପରେ ମୁହଁ ମାଡ଼ି ବସି ରହିଅଛି ଅନନ୍ତ । ବାହାରୁ ଲୋକଗହଳି କମିଗଲାଣି । ଦଶ ମିନିଟରେ ହୁଏ ତ ଥରେ ବାଇସାଇକଲ ଘଣ୍ଟି ଟିଣ୍‌ ଟିଣ୍‌ ଶୁଭୁଛି । ଯୋତା ମଚ୍‌ମଚ୍‌ ଶବ୍ଦ ଗୋଟାଏ ଗଳି ମୁଣ୍ଡେ ଯାଇ ଲୀନ ହୋଇଗଲା ପରେ ଆଉ ଗୋଟାଏ ଧୀରେ ଧୀରେ ଖଣ୍ଡେ ଦୂରରେ ବାହାରୁଛି । ଗୋଧୂଳି ସମୟରେ ସବୁ ଗୋଠ ଯେପରି କେବଳ ଗୋଟାଏ ଦିଗକୁ ଚାଲିଥାନ୍ତି, ସଡ଼କରେ ଲୋକେ ସେହିପରି ଏକମୁହାଁ ହୋଇ ସହରର ସବୁ କାମଦାମ ସାରି, ନିଜ ନିଜ ଘରକୁ ନିଶୀଥ କୋଳରେ ମୁଣ୍ଡ ଗୁଞ୍ଜିବାପାଇଁ ଚାଲିଥିଲେ ।

 

ରାମବାବୁ ବସି ବସି କେତେ କଣ ଭାବୁଥିଲେ । ଅନନ୍ତ ତାଙ୍କର ପନ୍ଦର ବର୍ଷର ମୋହରିର । ତାଙ୍କ ଧନସମ୍ପତ୍ତି କୋଠାବାଡ଼ି ଯାହା ସବୁ ହୋଇଚି, ସେଥିରୁ ଆଠ ପଣ ତାଙ୍କ ନିଜ ବୁଦ୍ଧି ଓ ମେହେନତ ଯୋଗେ ହେଲେ, ବାକି ଆଠପଣ ଲାଗି ପ୍ରଶଂସା ଅନନ୍ତ ମୁଣ୍ଡକୁ ଯିବ । ସେ ଯେ ଖାଲି ଜଣେ ମୋହରିର, ତା ନୁହେଁ, ସେ ରାମବାବୁଙ୍କର ବିଶ୍ୱାସୀ ମଧ୍ୟ । ରାମବାବୁଙ୍କ ମହକିଲମାନଙ୍କ ଭିତରୁ କାହାରି ଘରେ ସୋରିଷ ଫୁଟିଲେ, ତାର ଶବ୍ଦ ଅନନ୍ତ କାନରେ ନ ପଡ଼ି ଯାଏନାହିଁ । କୋଡ଼ିଏ ବର୍ଷ କାଳ ଦଲିଲ୍‌ ଘାଣ୍ଟି ଘାଣ୍ଟି ସେ ପୋକ ହୋଇଯାଇଛି । ମହକିଲ କାଗଜପତ୍ର ଧରି ଆସିଲେ, ଥରେ ଚାହିଁଦେଇ ସେ କେତେ କହିଛି, ‘‘ଏଟା ଚଳିବ ନାଇଁରେ ବାୟା, ଜାଲ୍‌ ଦଲିଲ୍‌ ବୋଲି ହାକିମ ଦେଖିବା ମାତ୍ରେ ଫୋପାଡ଼ି ଦେବେ ।’’ ଏହା କହି, ସେ କେତେ ଦଲିଲ୍‌ ହାକିମ ଫୋପାଡ଼ିବା ପୂର୍ବରୁ, ନିଜେ ମହକିଲ ଆଡ଼କୁ ଫୋପାଡ଼ିଛି । ତା ହାତକୁ ଦଲିଲଟିଏ ବଢ଼ାଇଦେଲା ପରେ ସେ ଯେତେବେଳେ ଚଷମା କାଢ଼ିବାକୁ ବସେ, ମହକିଲଙ୍କର ଛାତି ଥରୁଥାଏ, କାଳେ ଜାଲ ବୋଲି କହି ଫିଙ୍ଗି ଦେବ ।

 

ରାମବାବୁ କେତେକ ସମୟ କାମଦାମ ଛାଡ଼ି ବସିବା ପରେ କହିଲେ, ‘‘ଅନନ୍ତ, ଏଟା ଗୋଟାଏ ବଡ଼ ଦୁର୍ଘଟଣା ?’’ ଓକିଲବାବୁ କେଉଁ ଦୁର୍ଘଟଣାକୁ ଲକ୍ଷ୍ୟ କରି ଏ କଥା କହିଲେ, ପ୍ରକାଶ କରି ନ ଥିଲେ ସୁଦ୍ଧା ଅନନ୍ତ ଶୁଣିଲାମାତ୍ରେ ଉତ୍ତର ଦେଲା, ‘‘ହଁ; ବାବୁ ! ଯେ ଶୁଣୁଚି ଚୁଚୁ କରୁଚି । ଲୋକଟା ଜମିଦାର ହେଲେ କଣ ହେବ, ଥିଲା ଯେମିତି ସତେ ଅବା ଗୋଟାଏ ଗୋରୁ, ଭାରି ସାଧାସିଧା, ଧୀରସ୍ଥିର । ଏ ଠିକ୍‌ ଶାଳଗ୍ରାମକୁ ଗୋଇଠା ମାରିବା ନ୍ୟାୟ । ଆଉ ସେଟା ନିଶ୍ଚୟ ଗୋଟାଏ ପାଗଲ ହବ ।’’

 

‘‘ତୁମକୁ ସେଇକଥା ମୁଁ କହିବାକୁ ଯାଉଥିଲି, ଅନନ୍ତ । ତା ହାତଲେଖା ଚିଠିଖଣ୍ଡିଏ ମୁଁ ପାଇଚି । ଏ କଥା ଚାରି କାନରୁ ଛକାନ ହେବନାଇଁଟି । ତାନିଜ ହାତର ଲେଖା । ଏପରି ସମୟରେ ଏମିତି ଗୋଟାଏ ଚିଠି ଧରି ବସିବା ମହା ବିପଦର କଥା କି ନା ।’’

 

‘‘ହଁ, ତା ଠିକ୍‌ ‘ଆ ବଳଦ ମୋତେ ବିନ୍ଧ ।’’

 

‘‘ମୁଁ ତ ସେଇ କଥା ଭାବୁଚି, ଅନନ୍ତ ! ଆଚ୍ଛା, ନିଅ, ଥରେ ଦେଖ ତ । ତୁମ ବୁଦ୍ଧିକି କଣ ଆସୁଚି, ଦେଖିବା’’ କହି ରାମବାବୁ ଚିଠି ଖଣ୍ଡ ବଢ଼ାଇ ଦେଲେ । ମୋହରୀର ସେତେବେଳେ ମନେକଲା ତାର ଦୁଇଟା ଆଖି ଓ ଗୋଟାଏ ଚଷମା ଯେପରି ସେ କାର୍ଯ୍ୟପାଇଁ ଯଥେଷ୍ଟ ହେଉନାହିଁ-। କେତେକ ସମୟ ପରେ ସେ କହିଲା, ‘‘ନା, ବାବୁ ଏ ପାଗଲ ନୁହେଁ । ଏକ ପୁରୁଣା ଦାଗୀ । ବୃଦ୍ଧ ଡକାୟତ ।’’

 

‘‘ତୁମେ ବି ସେଇ ମତ ଦେଉଚ, ନା ?’’

 

ରାମବାବୁ ଆଉ କିଛି କହିବା ପୂର୍ବରୁ ଚାକର ଖଣ୍ଡିଏ ଚିଠି ଧରି ଆସିଲା । ସେ ତାହା ଫିଟାଇ ପଢ଼ି ବସିଲେ । ଅନନ୍ତ କହିଲା, ‘‘ଡାକ୍ତର ନାୟକଙ୍କ ଚିଠି ନା ? ତାଙ୍କ ହାତଲେଖା ମୁଁ ଦେଖିଲାମାତ୍ରେ ଚିହ୍ନି ଦେବି । କଣ କିଛି ଗୁପ୍ତ କଥା ଅଛି ?’’

 

‘‘ନା, ଖାଇବାକୁ ଡାକିଚନ୍ତି । କାହିଁକି, ତୁମେ କଣ ଦେଖିବାକୁ ଇଚ୍ଛା କରୁଚ ?’’

‘‘ହଁ, ଯେବେ କିଛି ଆପତ୍ତି ନ ଥିବ ।’’

 

ରାମବାବୁ ଚିଠିଟା ହାତରେ ଧରି ବଢ଼ାଇଦେଲେ । ଅନନ୍ତ ସସମ୍ଭ୍ରମେ ଉଠି ଆସି, ଚିଠିଖଣ୍ଡକ ନେଇ, ନିଜ ସ୍ଥାନକୁ ଫେରିଯାଇ ଦୁଇଖଣ୍ଡ ଯାକ ଚିଠି ପାଖକୁ ପାଖ ଲଗାଇ ଚାହିଁ ବସିଲା । କେତେକ ସମୟ ଚାହିଁବା ପରେ ତା ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇ ଆସିଲା । ସେ ଦୁଇଖଣ୍ଡି ଯାକ ଚିଠି ନେଇ ରାମବାବୁଙ୍କ ପାଖେ ଥୋଇଦେଇ କହିଲା, ‘‘ଆଉ କି ଚିଠି ଆସୁଚି, ଦେଖନ୍ତୁ ।’’

 

‘‘ଅନନ୍ତ, ଏ ଦିଟା ଚିଠି ମିଳେଇ ତୁମେ କଣ ଦେଖୁଥିଲ ?’’

 

‘‘ଦିଟା ଯାକ ଚିଠି ଏକା ହାତରେ ଲେଖା, ଆଜ୍ଞା ! ଖାଲି ଅଲଗା ଅଲଗା ଲୋକଙ୍କ ଲେଖା ବୋଲି ଦେଖାଇବାକୁ ଚେଷ୍ଟା ହେଇଚି; ମାତ୍ର କଥାଟା ଫୁଟି ବାହାରୁଚି ।’’

 

‘‘ଏଁ କଣ କହୁଚ ?’’

 

‘‘ଆଜ୍ଞା, ଯାହା କହୁଚି ଠିକ୍‌ । ଭୁଲ ହେଲେ ବସ୍ତାନି ବାନ୍ଧି ଚାଲିଯିବ । ମୁଁ ପରା ରାମବାବୁଙ୍କ ମୋହରୀର ।’’

 

‘‘ମାତ୍ର ଏ କଥା ତୁମ ମୋ ଦୁହିଁଙ୍କ ଛଡ଼ା ଆଉ କେହି ଜାଣିବେ ନାଇଁଟି । ସହଜ ବିଷୟ ନୁହେଁ, ଅନନ୍ତ ସାବଧାନ ।’’

 

‘‘ଆଜ୍ଞା, ଥରକେ ମୁଁ ବଝିଚି । ଏ କଣ ଥଟା କଉତୁକ କଥା ? କେଡ଼େ କେଡ଼େ ଲୋକଙ୍କର ମାନ ମହତ ଏଥିରେ ଅଛି ।’’

 

ସେଦିନ ରାତିରେ ଶୋଇବା ପୂର୍ବରୁ ରାମବାବୁ ନିଜ ଲୁହା ସିନ୍ଦୁକରେ ନେଇ ଦୁଇଖଣ୍ଡିଯାକ ଚିଠି ଯତ୍ନରେ ସାଇତି ରଖିଲେ; କିନ୍ତୁ ରାତିସାରା ତାଙ୍କର ନିଦ ହେଲା ନାହିଁ । ସେ କେବଳ ଭାବି ଲାଗିଲେ, ‘‘କଣ ଡାକ୍ତର ନାୟକ ଗୋଟାଏ ନରହନ୍ତା ପାଇଁ ଜାଲ କରିବାକୁ ଗଲେ-?’’ ସେ ଏଇ କଥା ଯେତିକି ଭାବିଲେ, ତାଙ୍କ କଲିଜା ସେତିକି ପାଣି ହୋଇଯିବାକୁ ଲାଗିଲା-

•••

 

ଡାକ୍ତର ଦାସଙ୍କ ଦୁର୍ଘଟଣା

 

ସମୟ ଯେପରି କାହାକୁ କେବେ କୌଣସିଠାରେ ଅପେକ୍ଷା କରି ନାହିଁ, ସେହିପରି ନକରି ବହିଯିବାକୁ ଲାଗିଲା । ଚୂଡ଼ଙ୍ଗ ଜମିଦାରଙ୍କ ହାତ୍ୟାକାରୀକୁ ଖୋଜି ବାହାର କରିବାପାଇଁ ପାଞ୍ଚ ହଜାର ଟଙ୍କା ପୁରସ୍କାର ଘୋଷଣା କରାଗଲା, କିନ୍ତୁ ସଦେଇ ଜେନାର ଚିହ୍ନ ବର୍ଣ୍ଣ ମିଳିଲା ନାହିଁ-। ତେବେ ତାକୁ ଖୋଜିବାଦ୍ୱାରା ଏତିକି ଲାଭହେଲା ଯେ, ତା ବିଷୟରେ ନାନା ଘଟଣା ବାହାରକୁ ବାହାରିଲା । ସେ କେଉଁଠାରେ ନିଶା ଖାଇ ମାତାଲ ହୋଇଥିଲା, କେଉଁ ନାରୀ ଉପରେ ଅତ୍ୟାଚାର କରିଥିଲା, କେବେ କାହା ଘର ପୋଡ଼ିଛି, କାହାକୁ ମାରିଛି, କେଉଁ ସ୍ଥାନରେ ଡକାୟତି କରିଚି–ସବୁ ଗୋଟିକି ଗୋଟି ଜଣାପଡ଼ିଲା । ଏପରି ଦିନ କଟିଲା ନାହିଁ, ଯେୁଉଁ ଦିନ କି ତା ବିଷୟରେ ଅନ୍ତତଃ ଗୋଟାଏ ନୂଆ କଥା ଶୁଣା ନଗଲା । ସେ ଯେ ପିଶାଚ, ରାକ୍ଷସ, ନରରକ୍ତ-ପିପାସୁ, ପରବିତ୍ତଲୋଲୁପ, ଜଗତର ଶତ୍ରୁ, ସମାଜର କଳଙ୍କ–ସବୁ ପ୍ରକାଶ ପାଇଗଲା । କିନ୍ତୁ ସେ କେଉଁଆଡ଼େ ଗଲା ବା କେଉଁଠାରେ ଅଛି–ସେ ବିଷୟରେ ପଦେ କାହାରି ମୁହଁରୁ ଶୁଣାଗଲା ନାହିଁ-। ହତ୍ୟାକାଣ୍ଡ ଦିନ ରାତିରେ ସେ ଯେ ତୁଳସୀପୁର ଘରୁ ଚାଲିଯାଇଛି, ମନେ ହେଲା, ସେହିଦିନ, ତାପରେ, ମା ଧରିତ୍ରୀ ଫାଟି ଯାଇଛନ୍ତି ଓ ତାକୁ ଗିଳି ପକାଇ ତାର ସତ୍ତା ଲୋପ କରିଦେଇଛନ୍ତି ।

 

ସମୟ ଯେତେ ବିତିଗଲା, ରାମବାବୁଙ୍କ ଦୁଃଖ ଓ ଭୟ ସେତିକି କମିବାକୁ ଲାଗିଲା । ସେ ମନକୁ ମନ କହିଲେ, ‘‘ଚୂଡ଼ଙ୍ଗ ଜମିଦାରଙ୍କ ମୃତ୍ୟୁ ଅବଶ୍ୟ ଦେଶର ଗୋଟାଏ ବଡ଼ କ୍ଷତି; କିନ୍ତୁ ଆଂଶିକ କାହିଁକି, ପ୍ରାୟ ପନ୍ଦର ପଣ କ୍ଷତି ପୂରଣ ହୋଇଗଲା ଏଇ ସଦେଇ ଜେନାର ଅସ୍ତିତ୍ୱ ଲୋପରେ ।’’ ସଦେଇ ଜେନା ଚାଲିଯିବାରୁ ଡାକ୍ତର ନାୟକ ପୁଣି ନୂଆ ଜୀବନ ପାଇଲେ । ସେ ଘର କୋଣରେ ଆଉ ଲୁଚି ରହିଲେ ନାହିଁ; ସାଙ୍ଗସାଥି, ବନ୍ଧୁବାନ୍ଧବଙ୍କ ମେଳାପ ପୁନରାୟ ଲୋଡ଼ିଲେ; ଭୋଜି କରି ଖାଇବାକୁ ଦେଲେ, ଦାନ ପୁଣ୍ୟ କରିବାରେ ଲାଗିଲେ, ଧର୍ମ ସଞ୍ଚୟ କରିବା ନିମନ୍ତେ ନାନା ସତ୍କାର୍ଯ୍ୟ କଲେ । ତାଙ୍କ ମୁଖମଣ୍ଡଳରେ ଶାନ୍ତି ବିରାଜମାନ କଲେ; ତାଙ୍କ ଚେହେରା ବଦଳିଗଲା ।

 

ଦୁଇ ମାସ ଏହିପରି ଭାବରେ କଟିଗଲା ପରେ ଦିନେ ଡାକ୍ତର ନାୟକଙ୍କ ଭୋଜିକି ରାମବାବୁ ଓ ଡାକ୍ତର ଦାସ ନିମନ୍ତ୍ରିତ ହୋଇ ଆସିଥିଲେ । ଖିଆ ପିଆ ତ ହେଲା; ପୂର୍ବର ହାଲଚାଲ ମଧ୍ୟ ପଡ଼ିଲା । ତିନି ଜଣ ଯାକ ଦିନେ ଏକ ଆତ୍ମା ଥିଲେ; ମାତ୍ର କାଳ କଣ କରିପାକାଇଛି, ସେ କଥା କୁହାକୁହି ହେଲେ । ତାପରେ କେତେ କାଳ ଚାଲିଗଲା ଉତ୍ତାରେ ରାମବାବୁ ଦୁଇ ଦିନ ଆସି ଯଦୁନାଥଠାରୁ ଶୁଣିଲେ, ‘‘ବାବୁ ଭିତରେ ଅଛନ୍ତି, କାହାରିକି ଦେଖା ଦେଉନାହାନ୍ତି ।’’ ସେ ଦୁଇ ଦିନ ଯାକ ଫେରି ଯାଇ ପୁଣି ତୃତୀୟ ଦିନ ଆସିଲେ । ସେ ଦିନ ମଧ୍ୟ ଦେଖାହେଲା ନାହିଁ । ତେଣୁ ସେ ଚିନ୍ତିତ ହୋଇପଡ଼ିଲେ । ତାଙ୍କ ବିଶ୍ୱାସୀ ମୋହରିର ଅନନ୍ତ ମଧ୍ୟ ତାଙ୍କୁ ଆଶ୍ୱାସନା ଦେଇପାରିଲାନାହଁ ।

 

ସେଥିପାଇଁ ଦିନେ ସେ ଡାକ୍ତର ଦାସଙ୍କ ଘରେ ଯାଇ ପହଞ୍ଚିଲେ; କିନ୍ତୁ ସେଠାରେ ପହଞ୍ଚି ଯାହା ଦେଖିଲେ, ସେଥିରେ ସେ ନିଜକୁ ଗୋଟାଏ ପଥରର ମୂର୍ତ୍ତି ପାଲଟିଗଲାପରି ବୋଧକଲେ-। ଡାକ୍ତର ଦାସଙ୍କ ଚେହେରାରୁ ସଫା ଜଣା ଯାଉଥିଲା ଯେ ଯମ ଆସି ତାଙ୍କ ଚୁଟି ଭିଡ଼ିଲାଣି-। ତାଙ୍କ ମୁହଁ କଳା ପଡ଼ିଯାଇଛି, ମୁଣ୍ଡରୁ ବାଳ ଉପୁଡ଼ି ଟାଙ୍ଗରା ହୋଇଛି, ରୋଟା ମୋଟା ଦେହ ଶୁଖି କଣ୍ଟାପରି ଦିଶୁଛି । କିନ୍ତୁ ଏସବୁ ଅପେକ୍ଷା ଆହୁରି ଭୀଷଣ ଆକାର ଧାରଣ କରିଛି ତାଙ୍କ ଆଖିର ଭଙ୍ଗୀ । ତାଙ୍କୁ ଯେ ଗୋଟାଏ କଣ ପ୍ରଚଣ୍ଡ ଭୟ ଗ୍ରାସ କରିପକାଇଛି, ତାହା ସ୍ପଷ୍ଟ ଜଣାଯାଉଛି । ଡାକ୍ତର ଦାସ ମୃତ୍ୟୁକୁ ଡରିବା ଲୋକ ନୁହନ୍ତି; କିନ୍ତୁ ତାଙ୍କର ଏପରି ଏକ ଘୋର ପରିବର୍ତ୍ତନର ଅନ୍ୟ କୌଣସି କାରଣ ମିଳିଲାନାହିଁ । ରାମବାବୁ ତାଙ୍କୁ ଦେଖି ମନକୁ ମନ କହିଲେ, ‘‘ଏ ତ ଡାକ୍ତର ଲୋକ, ନିଜ ସ୍ୱାସ୍ଥ୍ୟର ଅବସ୍ଥା ନିଜେ ବୁଝୁଥିବେ । ମରିବ ବୋଲି ଥରେ ଜାଣିଗଲେ, କିଏ ଯମକୁ ଫୁଟକି ମାରି ଖୁସି ବାସିରେ ରହିପାରିବ ?’’ ଡାକ୍ତର ଦାସ ମଧ୍ୟ ନିଜେ କହି ପକାଇଲେ, ‘‘ମୋର ଗୋଟାଏ ବଡ଼ ଦୁଃଖ ଘଟିଗଲା, ମୁଁ ଆଉ ଏ ଘାଟି ପାରିହୋଇ ପାରିବି ନାଇଁ, ଆଉଦିନ କେତେଟାର କଥା । ତୁ ଆସିଲୁ, ରାମ, ଭଲ ହେଲା, ଟିକିଏ ଦେଖିଯିବୁ । ଏ ଜନ୍ମରେ ତ ଆଉ ଦେଖା ସାକ୍ଷାତ ବେଶି ଦିନ ହବନାଇଁ । ଜୀବନଟାକୁ ଆମେମାନେ ବେଶ୍‌ ଉପଭୋଗ କଲେ ନା ? ମୁଁ କଣ ଖୁସୀରେ ମରୁଚି ? ମାତ୍ର ଏ ସଂସାରଟା କଣ ଆଗରୁ ଜାଣିଥିଲେ ଆମେ ସମସ୍ତେ କେତେ ଦିନୁଁ ମରିସାରନ୍ତେଣି ।’’

 

‘‘ନାୟକର ମଧ୍ୟ ଫେର୍‌ କଣ ହେଲାଣି ତୁ ତାକୁ ଦେଖିଚୁ ?’’

 

ଡାକ୍ତର ଦାସଙ୍କ ଶୀର୍ଣ୍ଣ ଦେହଟା ଆପାଦ ମସ୍ତକ ଥରିବାକୁ ଲାଗିଲା । ସେ କମ୍ପିତସ୍ୱରରେ ଉତ୍ତର ଦେଲେ, ‘‘ତା କଥା ଆଉ ମୋ କାନରେ ପକାଅନା ରାମ । ସେ ମଲାଣି ବୋଲି ମୁଁ ଧରିନେଲିଣି । ସେ ପାପିଷ୍ଠ ନାଁ ମୋ ଆଗରେ ଆଉ ଧରିବାର ଅର୍ଥ ହେଉଚି ତା ପ୍ରେତାତ୍ମାକୁ ଆଣି ମୋ ମୁଣ୍ଡରେ ବସାଇବା ।’’

 

‘‘କଥା କଣ, କଥା କଣ ? ଏମିତି କଣ ହେଇଯାଇଚି ? ମତେ କହ, ମୁଁ ସବୁ ସଜାଡ଼ି ଦେବାକୁ ଚେଷ୍ଟା କରିବି । ଆମେ ତିନିଜଣ ବହୁତ ପୁରୁଣା ସାଙ୍ଗ । ଏ ବୟସରେ କଣ ଆଉ ନୂଆ ନୂଆ ସାଙ୍ଗ ଖୋଜିବାକୁ ଯିବା ନା ?

 

ଭାରି କଥାଟାଏ କହିଲୁ । ମୋ ଆଡ଼ୁ ଆଉ କିଛି ହବାର ନାଇଁ । ତାକୁ ପଚାର୍‍ ।

‘‘ପଚାରନ୍ତି, ମାତ୍ର ତାକୁ ଆଉ କଣ ଦେଖିବାର ବାଟ ଅଛି ?’’

 

‘‘ନଥିବ ତ, ଏଥିରେ ଆଉ ଆଶ୍ଚର୍ଯ୍ୟ କଣ ? ମୁଁ ତ ମରିଯିବି, ରାମ ! ତା ପରେ କେବେ ହେଲେ ତୁ ୟାର ଭଲ ମନ୍ଦ ବୁଝିବୁ; ମାତ୍ର ମୁଁ କହିପାରିବି ନାଇଁ । ଛାଡ଼ ସେ କଥା । ତୋର ଯେବେ ଆଉ କୁ ବିଷୟରେ କଥାବାର୍ତ୍ତା ହେବାକୁ ଅଛି ବସ୍‌, ନୋହିଲେ ଯା ତା କଥା ପଡ଼ିଲେ ମୋ ଛାତି କମ୍ପୁଚି ପରା ?’’

 

ଘରକୁ ଫେରିଯିବା ମାତ୍ରେ ରାମବାବୁ ସେ ଦିନ ଡାକ୍ତର ନାୟକଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖିଲେ । ଡାକ୍ତର ନାୟକ ତାଙ୍କ ସଙ୍ଗେ କାହିଁକି ଦେଖା କରୁନାହାନ୍ତି ଓ ଡାକ୍ତର ତାଙ୍କ ସଙ୍ଗେ କାହିଁକି କଳି କରିଛନ୍ତି–ଏ ଦୁଇଟି କଥା ସେଥିରେ ପଚାରିଲେ । ସେ ଚିଠିର ଉତ୍ତର ତା ପରଦିନ ଆସିଲା । ସେଥିରେ ଲେଖାଥିଲା, ‘‘ଡାକ୍ତର ଦାସଙ୍କ ସଙ୍ଗେ ଯେଉଁ କଳି ହୋଇଛି, ତାର ନିଷ୍ପତ୍ତି ନାହିଁ । ମୁଁ ତାଙ୍କୁ ଦୋଷ ଦେଉ ନାହିଁ; କିନ୍ତୁ ସେ ଯେ କହନ୍ତି ଆମେମାନେ ଆଉ ଦେଖା ଦେଖି ହେବା ନାହିଁ, ମୁଁ ସେ କଥାଟା ପସନ୍ଦ କରୁଛି । ମୁଁ ଏଣିକି ଅଲଗା ହୋଇ ରହିବି । ତୁମେ ସେଥିରେ ବାଧା ଦିଅନାହିଁ । ମୁଁ ସବୁ ବିପଦ ଓ ଶାସ୍ତି ନିଜେ ଲୋଡ଼ିଆଣିଛି । ମୁଁ ଯେତିକି ପାପୀ, ପାପର ଦଣ୍ଡ ମଧ୍ୟ ସେତିକି ପାଉଛି । ସଂସାରଟା ମୋ ପ୍ରତି ବିଷମୟ ହୋଇପଡ଼ିଛି । ତୁମେ ମୋ ସଙ୍ଗେ ବାରମ୍ବାର ଦେଖା କରିବାକୁ ଆସି କିମ୍ବା ମୋଠାକୁ ଚିଠିପତ୍ର ଲେଖି, ତାକୁ ଆହୁରି ବିଷମୟ କରନାହିଁ ।’’

 

ଚିଠି ପଢ଼ି ରାମବାବୁ ବିସ୍ମିତ ହେଲେ । ସେ ମନକୁ ମନ ଭାବିଲେ, ‘‘ସଦେଇ ଜେନା ପୋଡ଼ିପାଡ଼ି ଗଲା । ୟା ଉପରୁ ତା ପ୍ରଭାବ ମଧ୍ୟ ଗଲା ବୋଲି ମନେହେଲା । ଡାକ୍ତର ଆମମାନଙ୍କ ପାଖକୁ ଫେରିଆସିଲା । ସେ ତ ଏଇ ମାସକ ତଳର କଥା । ଆଗ ପରି ପୁଣି କଥାବାର୍ତ୍ତା, ଖିଆପିଆ, ମେଳାମଉଜ ହେଲା । ଏବେ ମୁହୂର୍ତ୍ତକେ ଫେର୍‌ ସବୁ ଓଲଟିଗଲା । ଏଟା କଣ ଭଲ ଲୋକର ଲକ୍ଷଣ ? ଲୋକ ପାଗଳ ନହେଲେ କଣ ଏପରି ହୁଏ ? ମାତ୍ର ଏ ତ ସାଧାରଣ ପାଗଳାମି ନୁହେଁ । ଦାସ କଥାରୁ ବୁଝାଯାଉଛି, ୟାର କିଛି ଗୋଟାଏ ଗୂଢ଼ କାରଣ ଅଛି ।’’

 

ସପ୍ତାହକ ମଧ୍ୟରେ ଡାକ୍ତର ଦାସ ଶଯ୍ୟାଶୟୀ ହେଲେ ଓ ତାପରେ ପନ୍ଦର ଦିନ ଭିତରେ ଇହସଂସାର ଛାଡ଼ି ଚାଲିଗଲେ । ତାଙ୍କର ଶବ ସଂସ୍କାର ସମ୍ପର୍କରେ ରାମବାବୁ ଶ୍ମଶାନକୁ ଯାଇଥିଲେ ଏବଂ ତେଣୁ ଫେରି, ରାତିରେ ଅନ୍ୟାନ୍ୟ ସବୁ କାମ ବନ୍ଦ ରଖି, ନିଜ କଚେରୀ ଘରେ, ଭିତରୁ ଦୁଆର କିଳି, ଏକାକୀ ଯାଇ ବସିଲେ । ସେ ଗୋଟିଏ ପୁଲନ୍ଦା ବାହାର କଲେ । ପୁଲିନ୍ଦାରେ ଡାକ୍ତର ଦାସଙ୍କ ମୋହର ସହ ଜଉମୁଦ ହୋଇଛି ଓ ଉପରେ ଲେଖାଅଛି–‘‘ଗୋପନୀୟ’’, ‘‘ଏହା କେବଳ ଓକିଲ ରାମବାବୁ ଖୋଲିବେ । ମୋ ଆଗରୁ ତାଙ୍କର ମୃତ୍ୟୁ ହେଲେ, ଅନ୍ୟ କେହି ଖୋଲିବେ ନାହିଁ-। ଏହା ନିଆଁରେ ପୋଡ଼ା ହୋଇଯିବ ।’’ ପୁଲିନ୍ଦା ଉପରେ ଏତକ ଦେଖିବା ମାତ୍ରେ ରାମବାବୁଙ୍କ ଛାତିରେ ଛନକା ପଶିଗଲା । ସେ ମନକୁ ମନ ଭାବିଲେ, ‘‘ଆଜି ତ ଜଣକୁ ନେଇ ମଶାଣିରେ ପୋଡ଼ି ଆସିଲି । ୟା ଯୋଗେ ଆଉ ଜଣେ ନଯାଉ । ହେଲେ; ଡରି ମରିବା ତ ଉଚିତ ନୁହେଁ ।’’

 

ଏହି ଶେଷ କେତେ ପଦ କଥା ମୂହୂର୍ତ୍ତକ ଭିତରେ ବିଷାୟନ ଔଷଧ ପରି, ରକ୍ତରେ ମିଶି ଶିରା ପ୍ରଶିରାରେ ବ୍ୟାପିଗଲା । ପରିଣାମ ପ୍ରତି ଭ୍ରୂକ୍ଷେପ ନ କରି ସେ ପୁଳିନ୍ଦାଟା ଫାଡ଼ି ପକାଇଲେ; କିନ୍ତୁ ଯାହା ଦେଖିଲେ ସେଥିରେ ତାଙ୍କର ଭୟ ଷୋଳ ଅଣାକୁ ଆସିଗଲା ।

 

ଭିତରୁ ଆହୁରି ଗୋଟାଏ ଜଉମୁଦବସା ପୁଲିନ୍ଦା ବାହାରିଲା । ତାଉପରେ ପୁଣି ଲେଖାଥିଲା–‘‘କେବଳ ଡାକ୍ତର ନାୟକ ମଲେ କିମ୍ବା ଅନ୍ତର୍ଦ୍ଧାନ ହୋଇଗଲେ ଖୋଲାଯିବ ।’’ ରାମବାବ ପ୍ରକୃତରେ ଏ କଥା ପଢ଼ୁଛନ୍ତି, ନା ଖାଲି କଳ୍ପନାରେ ଦେଖୁଛନ୍ତି, ତାଙ୍କର ସନ୍ଦେହ ହେଲା, ସେ ଭାବିଲେ, ‘‘ଫେର ତ ସେଇ ଅନ୍ତର୍ଦ୍ଧାନ ହବା କଥା । ଡାକ୍ତର ନାୟକଙ୍କ ଉଇଲ ମୁଁ ତାଙ୍କୁ ଫେରାଇ ନଦେଇ ଆଜି ନିକଟରେ ରଖିଥିଲେ, ସେଥିରେ ମଧ୍ୟ ଏଇଆ ଦେଖିଥାନ୍ତି । ତେବେ ଉଇଲରେ ଯାହା ଥିଲା, ସଦେଇ ଜେନା କଥାରେ ଲେଖା ଯାଇଥିଲା । ଏତ ଆଉ ତା କାମ ନୁହେଁ-। ୟାକୁ ତ ଡାକ୍ତର ଦାସ ଲେଖିଚି । ଏ ପୁଣି କଣ ? କେବେ ଡାକ୍ତର ନାୟକ ମରିବ, ନା ମୁଁ ୟାକୁ ଖୋଲିବି । ତା ବୋଲି କଣ ମୁଁ ତାରମରଣ ପାଞ୍ଚୁଛି ? ଡାକ୍ତର ନାୟକ ଶହେ ବର୍ଷ ବଞ୍ଚୁ । ମୁଁ ୟାକୁ ଖୋଲି ଦେଖେ । ମୁଁ ୟାକୁ ଖୋଲି ପକାଇଲେ ହୁଏ ତ ତା ବଞ୍ଚିବାଟା କାଏମ୍‌ ହବ ।’’

 

ଏହିପରି ଭାବି ରାମବାବୁ ପୁଲିନ୍ଦାଟା ଚିରିବାକୁ ଚାରି ଟିପ ଲଗାଇଲେ । କିନ୍ତୁ ସଙ୍ଗେ ସଙ୍ଗେ କହିଲେ, ‘‘ଏଁ, ମୁଁ କରୁଚି କଣ ? ଆଜି କଣଦାସ ବଞ୍ଚିଥିଲେ, ମୁଁ ତା ବରାଦ ନ ମାନି ୟାକୁ ଚିରିଥାନ୍ତି-? ଯେତେ ରହସ୍ୟ ଥାଉ ନା, ମୁଁ ପରା ଓକିଲ ଜଣେ । ଛି ୟା କଲେ ମୁଁ ଆଉ ଦାଣ୍ଡରେ ମୁହଁ ଦେଖେଇବି ନା ?’’ ଏହିପରି କହି ରାମବାବୁ ପୁଲିନ୍ଦାଟିକୁ ଲୁହା ସିନ୍ଦୁକରେ ରଖି ଚାବି ବନ୍ଦ କରିଦେଲେ ।

 

କୌତୂହଳକୁ ମନ ମଧ୍ୟରୁ ସମୂଳେ ଉତ୍ପାଟନ କରିବା ଗୋଟାଏ କଥା, ଦାବୀ ରଖିବା ଆଉ ଗୋଟାଏ କଥା । ଡାକ୍ତର ଦାସ ସିନା ମରିଗଲେ, ଡାକ୍ତର ନାୟକ ତ ବଞ୍ଚିଛନ୍ତି; କିନ୍ତୁ ତାଙ୍କୁ ଦେଖିବାକୁ ଯିବାପାଇଁ ରାମବାବୁଙ୍କର ଆଗ ସ୍ପୃହା ଆଉ ନାହିଁ । ତାଙ୍କ କଥା ଯେ ମନେ ନ ପଡ଼ୁଛି, ନୁହେ ମାତ୍ର ପଡ଼ିଲା ବେଳେ ସଙ୍ଗେ ସଙ୍ଗେ ଛାତିଟା ଦାଉଁ କରି ମଧ୍ୟ ପଡ଼ୁଛି । ଏଣିକି ସେ ବେଳେ ବେଳେ ଡାକ୍ତର ନାୟକଙ୍କ ଘରକୁ ଯାଉଛନ୍ତି; କିନ୍ତୁ ଦେଖା ସାକ୍ଷାତ୍‌ କିପରି ନହୁଅନ୍ତା, ସେହି କଥା ମନାସି ଯାଉଛନ୍ତି । ବାହାରୁ ପାହାଚ ଉପରୁ ଯଦୁନାଥ ସହିତ ପଦେ ଅଧେ କଥାବାର୍ତ୍ତା ହୋଇ ଫେରିଆସିବାଟା ସେ ପସନ୍ଦ କରୁଛନ୍ତି । ଯେତେବେଳେ ଯାଉଛନ୍ତି, ଯଦୁନାଥର କହିବାପାଇଁ ସେହି ଗୋଟାଏ କଥା ରହିଛି–‘‘କାଇଁ, କିଛି ତ ଭଲ ନାଇଁ, ସେଇପରି ଶେଯରେ ପଡ଼ି ରହିଚନ୍ତି ।’’ ସେହି ଗୋଟାଏ ବାରମ୍ବାର ପାଇବାରୁ ରାମବାବୁଙ୍କର ଆଉ ସେତେ ଯିବାକୁ ଇଚ୍ଛା ମଧ୍ୟ ହେଉ ନାହିଁ । ତେଣୁ ସେ ପୂର୍ବେ ସପ୍ତାହରେ ଦୁଇ ଥର ଯାଉଥିଲେ, ଏବେ ଦୁଇ ସପ୍ତାହରେ ଥରେ ଯାଉଛନ୍ତି । ଯେତେବେଳେ ଯାଉଛନ୍ତି ସେହି ପୁରୁଣା କଥା ଛଡ଼ା ଆଉ କିଛି ଶୁଣିବାର ନାହିଁ । ତା’ପରେ ପୁଣି ଡାକ୍ତର ନାୟକ ଅନେକ ଦିନ ତାଙ୍କ ବୈଠକଖାନା ବା ଖାଇବା ଘରକୁ ଆସୁନାହାନ୍ତି; ଓଷଧଖାନା ଓ ଖାସ୍‌କାମରା ଭିତରେ ଶୋଇବା ସ୍ଥାନ ଅଦଳ ବଦଳ କରିବାରେ ଲାଗିଛନ୍ତି । ଓଷଦଖାନା ପଛକୁ ବଗିଚା, ବଗିଚା ପାରିହୋଇ ଗଲେ ଖାସ୍‌କାମରା । ଦୁଇଆଡ଼ୁ ଦୁଇଟା ଘରର ବାରି ଏକତ୍ର ଲାଗିଛି-

•••

 

ଝରକାପାଖ ଦୃଶ୍ୟ

 

ଦିନେ ଛୁଟି ଦିନ ଉପର ଓଳି ରାମବାବୁ ଓ ଗୋପାଳବାବୁ ବୁଲିବାକୁ ଯିବାବେଳେ ମକର୍ବାର ସେ ପୁରୁଣା ପରିଚିତ ରାସ୍ତାରେ ଚାଲିଲେ । ସେହି ଘରଟାର ଆଗ ବାଟେ ଯାଉ ଯାଉ ଗୋପାଳବାବୁ କହିଲେ, ‘‘ସେ ଅଧ୍ୟାଟା, ସରିଚି, ରାମବାବୁ ! ଏବେ ଆଉ ସଦେଇ ଜେନା ରୂପ ଆଖିରେ ବଡ଼ିବ ନାଇଁ ।’’

 

ଆଉ କି ରୂପ ? ଆଚ୍ଛା, ତୁମକୁ ମୁଁ କହିଚି ନା, ତା ସାଙ୍ଗେ ମୋର ଥରେ ଦେଖା ହୋଇଥିଲା ବୋଲି ! ତୁମେ ଯାହା କହୁଥିଲ ଠିକ୍‌ ସେଇଆ । ଦେଖିବା ମାତ୍ରେ ମୋ କଲିଜା ଥରିଲା ଖାଲି । ବାପ୍‌ରେ ବାପ୍‌ । ସେ କଣ ମଣିଷ, ନା ଭୂତ ?’’

 

‘‘ଦେଖିଲେ ତାକୁ କଲିଜା ଦମ୍ଭ ରଖିବ; ଏମିତି ଲୋକ କଣ ଥିବେ ସଂସାରରେ ? ଆଚ୍ଛା, ଏଇ ବାଟେ କୁଆଡ଼େ ଡାକ୍ତର ନାୟକଙ୍କ ଘରକୁ ଯିବାପାଇଁ ଗୋଟାଏ ଚୋରି ଦୁଆର ଅଛି-?’’

 

‘‘ଥିବ ।’’

 

‘‘ଥିବ ? ତୁମେ ଭାବିଚ, ମୁଁ ଜାଣେନାଇଁ । ହଁ, ମୁଁ ତ ତୁମକୁ କହିନାଇଁ କେବେ; ତୁମେ ନ ଭାବିବ ବା କାହିଁକି? ତେବେ ତ ତୁମେ ମତେ ଗୋଟାଏ ଗଧ ମନେ କରୁଥିବ, ଯେ କି ପିଠିରେ ଶଗଡ଼େ ଚନ୍ଦନକାଠ ବୋହିଥାଏ, ମାତ୍ର ବାସନାରୁ କଣିକାଏ ପାଏନାଇଁ । ମୁଁ ଏଡ଼େ ବୋକା ନୁହେଁ-। ରାମବାବୁ ଯେତେ ଏବେ ମାଷ୍ଟରି କଲି, ବକଟେ ବୁଦ୍ଧି ତ ଫେର ମୁଣ୍ଡରେ ଅଛି । ହେଲେ ତୁମରିଠୁଁ ପେଞ୍ଚ ପାଇ ଏକା କଥାଟା ଜାଣିଲି ମୁଁ । ନୋହିଲେ ମୁଁ କିଏ, ଏ ଗମ୍ଭୀର ଘର କଥା କିଏ-?’’

 

‘‘ଦେଖୁଚି, ଗୋପାଳବାବୁ, ତୁମେ ପେଟରେ ମାଲ ଖୁବ୍‌ ଗପ୍‌ କରି ରଖିପାର । ଆଚ୍ଛା, ଜାଣିଚ ତ; ଆଉ ତୁମକୁ ଲୁଚେଇ ଲାଭ କଣ ? ଚାଲ ଟିକିଏ ଭିତରକୁ ଯାଇ ଦେଖିଆସିବା । ବିଚାରା ନାୟକ ବଡ଼ ବେମାରିରେ ପଡ଼ିଯାଇଚି । ତା ସାଙ୍ଗେ ତ କାହାରି ଆଉ ଦେଖା ହେଉ ନାଇଁ-। ଚାକରକୁ ହେଲେ କହିଯିବା, ଆମେ ଆସିଥିଲେ ବୋଲି ।’’

 

ପାଚିରୀ ଫାଟକ ପାରିହୋଇ ଦୁହେଁ ହତା ଭିତରକୁ ଗଲେ । ସୂର୍ଯ୍ୟ ଆଉ ଆଖିକୁ ଦିଶୁ ନଥିଲେ ସୁଦ୍ଧା, ତାର ଆଲୋକ ରେଖାରେ ଗଛ ଓ କୋଠାଘରମାନଙ୍କ ଚୂଡ଼ା ସୁବର୍ଣ୍ଣ ବର୍ଣ୍ଣରେ ସୁନ୍ଦର ଦିଶୁଛି । ଓଷଦଖାନାର ତିନିଟା ଝରକା ମଧ୍ୟରୁ ଆଡ଼ କଲାଭଳି ରହିଛି, ବାକି ଦୁଇଟା ପୂରାପୂରି ବନ୍ଦ । ରାମବାବୁ ଉପରକୁ ମୁହଁ ଟେକି ଦେଖିଲେ, ସେହି ଆଡ଼ପେଲା ଝରକା ପାଖେ ଗୋଟାଏ ମାଟି ମେଞ୍ଚା ପରି ଡାକ୍ତର ନାୟକ ବସଛନ୍ତି । ତହୁଁ ସେ ତଳୁ ପାଟିକରି ପଚାରିଲେ, ‘‘ଡାକ୍ତର, ଆଜି କଣ ଟିକେ ଭଲ ଅଛ ?’’

 

‘‘ନା, ରାମବାବୁ, ମୋ ବେମାରି ବଢ଼ିଚି । ହଁ; ଭଗବାନଙ୍କ ହାତ କଥା । ଆଉ କେତେଟା ଦିନ ବା ?’’

 

‘‘ତୁମେ ଜାଣି ତ ଦେହଟା ଖରାପ କରୁଚ । ସବୁବେଳେ ଘରଟା ଭିତରେ ବସିରହିଲେ, ଲୁହାର ଦେହରେ ମଧ୍ୟ କଳଙ୍କି ଲାଗିଯିବ । ଦେଖୁନାଅଁ, ଗୋପାଳବାବୁ ଆଉ ମୁଁ କିପରି ବୁଲୁଚୁ । ଏଇ ଗୋପାଳବାବୁ, ମୋର ଜଣେ ବହୁକାଳର ବୁଲିବା ସାଥୀ । ଆସ ତୁମେ, ଆମ ସଙ୍ଗେ ଦଶ ପାହୁଣ୍ଡ ବୁଲିଚାଲି ଆସିବ ।’’

 

‘‘ମୋ କପାଳରେ ଆଉ କଣ ସେ ସୁଖ ଅଛି ? ମୁଁ ତ ପାହୁଣ୍ଡେ ଚାଲିପାରୁ ନାଇଁ, ଦଶ ପାହୁଣ୍ଡ କଣ କହୁଛ ? ଯାହାହେଉ, ତୁମକୁ ଦେଖିଲି, ଭାରି ଆନନ୍ଦ ହେଲା । ତୁମକୁ ଆଉ ଗୋପାଳବାବୁଙ୍କୁ ଏଇ ଉପରକୁ ଟିକିଏ ଆସିବାକୁ କହନ୍ତି ଯେ, ସବୁ ଭାରି ମଇଳା ଅପରିଷ୍କାର ହେଇ ପଡ଼ିଚି । ନା ନା, ଥାଉ ।’’

 

‘‘ହଁ, ଆଉ । ଆମେ ଏଇଠୁ ଠିଆ ଠିଆ କଥାବାର୍ତ୍ତା ହେଉଚୁ । ସେଥେରେ କଣ ଅଛି ?’’

 

‘‘ମୁଁ ତ ଠିକ୍‌ ସେଇ କଥା କହିବାକୁ ଯାଉଥିଲି ।’’ ଡାକ୍ତର ନାୟକ ଏହି କେତେଟା ପଦକଥା ଖୁବ୍‌ ପାଟି କରି କହିଲେ । କାରଣ, ତାଙ୍କର ଆଶଙ୍କା ହେଲା, ତଳକୁ କାଳେ ତାଙ୍କ କଥା ଶୁଭୁ ନଥିବ । ଟିକିଏ ହସ ହସ ମୁହଁରେ ସେ ଏ କଥାଗୁଡ଼ାକ କହିଲେ ମଧ୍ୟ; କିନ୍ତୁ ପଲକ ମଧ୍ୟରେ ତାଙ୍କ ମୁଖମଣ୍ଡଳରୁ ହସଟା କେଉଁଆଡ଼େ ଉଭେଇଗଲା । ତାଙ୍କ ନୈରାଶ୍ୟପୂର୍ଣ୍ଣ ଚାହାଣି ସତେ ଅବା ସେହି ହସଟାକୁ ଦେଖିବା ମାତ୍ରେ ଗ୍ରାସ କରିପକାଇଲା । ତଳେ ରାମବାବୁ ଓ ଗୋପାଳବାବୁଙ୍କୁ ଦିଶିଲା ଯେପରି କି କାହାର ଗୋଟାଏ ପ୍ରେତାତ୍ମା ତାକୁ ଗ୍ରାସ କରିବା ନିମନ୍ତେ ଟାକି ବସିଥିଲା ଓ ନିଜର କରାଳ ମୁଖ ମେଲିଶୋଷି ନେଇଗଲା । ସଙ୍ଗେ ସଙ୍ଗେ ଝରକାଟା ଏକାବେଳକେ ବନ୍ଦ ହୋଇଗଲା ।

 

ଦୁହିଁଙ୍କର କଲିଜା ପାଣି ହୋଇଯିବାକୁ ବସିଲା । ତାଙ୍କ ପାଦ ଆପେ ପଛକୁ ପଡ଼ିଲା । କାହାରି ପାଟିରୁ କଥା ବାହାରୁ ନାହିଁ, ଅଷ୍ଟାଙ୍ଗ ଶରୀରରୁ ଝାଳ ଗମ ଗମ ବହିଯାଉଛି । ଏହିପରି ଭାବରେ ଦୁଇଟା ଚିତ୍ରପ୍ରତିମା ପରି ଦୁଇ ବନ୍ଧୁ କେତେ ବାଟ ଚାଲିଲେ କେଜାଣି, ମଙ୍ଗଳାବାଗଠାରେ ବାଦ୍ୟଶବ୍ଦ ଶୁଣି ତାଙ୍କର ସଂଜ୍ଞା ଆସିଲା । ସେତେବେଳେ ରାମବାବୁ କହିଲେ, ‘‘କିଏ, ଗୋପାଳବାବୁ ନା ? ତୁମେ କଣ ଡରିଲ କି ?’’ ଗୋପାଳବାବୁ ଉତ୍ତର ଦେଲେ, ‘‘କିଏ, ରାମବାବୁ ପଚାରୁଛ ? ଆମେ ସେଇଠି ଅଛେ, ନା ଆଉ କୁଆଡ଼େ ଆସିଲେଣି ?’’ ଏହି ପ୍ରଶ୍ନର ଉତ୍ତରରେ ରାମବାବୁ କହିଲେ, ‘‘କେଜାଣି, ଏଟା ଡାକ୍ତର ନାୟକର ବୈଠକଖାନା ପରା; ଏଇ ନାଟତାମସା ହେଉଚି ।’’ ଦୁହେଁ ଲୋକଙ୍କ ଦେହରେ ଯାଇ ପିଟିହେଲେ, ଥରକୁ ଥର ଝୁଣ୍ଟିଲେ, ନର୍ଦମାରେ ଯାଇ ପଡ଼ିବାକୁ ବସିଲେ । ଚିହ୍ନାଲୋକେ ଧରି ଗାଡ଼ିରେ ବସାଇ ଘରକୁ ନେଇଗଲେ । ଅନେକ କୁହାକୁହି ହେଲେ, ‘‘ଏ କଣ ? ଦିନେ କାଳେ କେବେ ତ ଶୁଣା ନ ଥିଲା, ଆଜି ୟାଙ୍କର କି ଚ୍ରେଷ୍ଟା ଏ ! ରାମବାବୁ ତ ସେପରି ଲୋକ ନୁହନ୍ତି । ଏ ନିଶା ନୁହେ, କିଛି ବେମାରି ଫେମାରି ହୋଇଥିବ ।’’

•••

 

କାଳରାତ୍ରି

 

ଦିନେ ରାତିରେ କାମ ଦାମ ସାରି ରାମବାବୁ ଶୋଇବାକୁ ଯାଉଛନ୍ତି, ହଠାତ୍‌ ଯଦୁନାଥ ଆସି ହାଜର ହେଲା । ତାକୁ ସେତେ ରାତିରେ ଦେଖି ରାମବାବୁ ବିସ୍ମିତ ହୋଇ ପଚାରିଲେ, ‘‘କିହୋ, ଅଧା ରାତିରେ କୁଆଡ଼େ ?’’ ଏ ପ୍ରଶ୍ନର ଉତ୍ତର ଯଦୁନାଥ ଦେବା ଆଗରୁ ତାଚେହେରାଟା ଭଲରୂପେ ଦେଖିବାର ସୁବିଧା ତାଙ୍କୁ ମିଳିଲା । ତହୁଁ ସେ ପୁଣି ପଚାରିଲେ, ‘‘ଯଦୁନାଥ, ତୁମେ ଏପରି କାହିଁକି ଦିଶୁଚ ? କଣ, ଡାକ୍ତରଙ୍କ ଦେହ କିଛି ବେଶି ଖରାପ ହେଉଛି କି ?’’

 

‘‘ବାବୁ, ମୁଁ ମରିଯାଇଥିଲେ ଭଲ ହେଇଥାନ୍ତା । ଏତେ ଜଞ୍ଜାଳରେ ପଡ଼ିନଥାନ୍ତି ।’’

 

‘‘ଟିକିଏ ବସିଯାଅ, ଯଦୁନାଥ । ଆଗ ହାଲିଆ ମାର, ତାପରେ କଥାଟା କଣ ମତେ ଠିକ୍‌ ଠିକ୍‌ କହ ।’’

 

‘‘ସେ ତ ଫେର୍‌ ଘରେ ଦୁଆର କିଳି ରହିଲେ । ମୁଁ ୟାର ରହସ୍ୟ କିଛି ବୁଝିପାରୁ ନାଇଁ । ଏମିତି ଢଙ୍ଗ ଧଇଲେ କଣ କରିବେ ?ମତେ ସେଠି ରହିବାକୁ ଡର ମାଡ଼ିଲାଣି, ବାବୁ ।’’

 

‘‘ଆଚ୍ଛା, ଯଦୁନାଥ, ଡର କାହିଁକି ମାଡ଼ୁଚି, କହ ଦେଖି । ଘର ଭିତରେ ଡର !’’

 

‘‘ଆଜି କି ହପ୍ତାଏ ହେଲା ମୋ ପିଣ୍ଡରେ ଆଉ ପ୍ରାଣ ନାଇଁ, ବାବୁ ! ଯେତେ ଘର ଭିତରେ ହେଲେ; ଏମିତି କୁଠେଇ ମଣିଷ ରହନ୍ତି ?’’ କଥାଗୁଡ଼ାକ ଖାଲି ଯେ ତାପାଟିରୁ ବାହାରୁଥିଲା, ତାନୁହେଁ; ତାଦେହର ପ୍ରତ୍ୟେକ ରୋମମୂଳରୁ ଏହାର ପରିଚୟ ମିଳୁଥିଲା । ତା ମୁଖମଣ୍ଡଳ ବିକଟ ଆକାର ଧାରଣା କରିଥିଲା । ଦେଖିଲେ ମନେ ହେଉଥିଲା ସେ ନିଜେ ଯଦୁନାଥ ନୁହେ, ଯଦୁନାଥର ପ୍ରେତ ମାତ୍ର । ସେ ପୁଣି କହିଲା, ‘‘ହପ୍ତାଏ ହେଲା, ବାବୁ; ମୁଁ ବଞ୍ଚିଚି ସିନା; ମାତ୍ର ଦେହରେ ଜୀଅ ନାଇଁ ।’’

‘‘ତାତ ମୁଁ ବେଶ୍‌ ଦେଖିପାରୁଚି, ଯଦୁନାଥ ! ତୁମେ ନକହିଥିଲେ ମଧ୍ୟ, ତୁମ ଚେହେରା ଦେଖି ମୁଁ ବୁଝିଥାନ୍ତି । ତୁମେତ ତାଙ୍କ ପାଖେ ଏତେ କାଳ ରହିଲଣି । ତାଙ୍କ ଗତିବିଧି ସବୁ ଦେଖୁଚ-। ମତେ ଲୁଚାଅ ନାଇଁ, କଥାଟା କଣ କହ ଦେଖି ? ଜାଣିଲେବା ତୁମକୁ ମୁଁ କିଛି ଗୋଟାଏ ବାଟ ବତେଇ ପାରିବି ।’’

‘‘ଏ ଗୋଟାଏ କଣ ଭାରି ଗଣ୍ଡଗୋଳିଆ କଥା ।’’ କହୁ କହୁ ଯଦୁନାଥ ଦୁଇଥର ଛେପ ଢୋକିଲା । ସେଥି ସହିତ ଅଧେ କଥା ଜିଭ ଅଗରୁ ପୁଣି ପେଟ ଭିତରକୁ ଚାଲିଗଲା ।

‘‘ଗଣ୍ଡଗୋଳ ! କହୁଚ କଣ ? ମୁଁ ତ କିଛି ବୁଝିପାରୁନାଇଁ । ତୁମେ ଯେବେ କଥାଟା ଖୋଲି ନକହିବ, ମୋଠାକୁ ଆସିଚ କିଆଁ ?’’

ରାମବାବୁଙ୍କ ସ୍ୱରରେ ବିରକ୍ତ ଭାବ ଦେଖି, ଯଦୁନାଥ ଧୀରେ ଧୀରେ କହିଲା, ‘‘ବାବୁ, ମୁଁ କଣ ଇଚ୍ଛା କରି କିଛି ଘୋଡ଼ାଉଚି ? ମୋ ଜିଭ ଲେଉଟୁ ନାଇଁ । ଆପଣ ଚାଲନ୍ତୁ, ନିଜେ ଆଖିରେ ଦେଖି ଆସିବେ । ଚାକର ବାକର ସମସ୍ତେ ଭୟରେ ଥରୁଚନ୍ତି ଖାଲି ।’’

ରାମବାବୁ ଉଠି ଠିଆ ହେଲେ । ତାପରେ ସେ ବୁଲିଯିବା ଜୋତା ହଳକ ଗୋଡ଼ରେ ଗଳାଇ ହାତରେ ବାଡ଼ି ଖଣ୍ଡିଏ ଧରି, ପଦେ ସୁଦ୍ଧା କଥା ନକହି, ବାହାରକୁ ବାହାରିପଡ଼ିଲେ । ସେତେବେଳେ ଯାଇ ଯଦୁନାଥ ନିଜର କର୍ତ୍ତବ୍ୟ ବୁଝିଲା ।

 

ବସନ୍ତ ଋତୁର ଅର୍ଦ୍ଧଚନ୍ଦ୍ର ଚକ୍ରବାଳ ଉପରକୁ କିଛି ଦୂର ଉଠି ସାରିଥିଲା । ଦେଖିଲେ ମନେହେଉଥିଲା, ଯେପରି କଟକ ସହରରେ ଆକାଶରେ ଆସି କିରଣ ଢାଳିବାକୁ, ତା ନିଜର ତିଳେ ମାତ୍ର ଇଚ୍ଛା ନଥିଲା; କିନ୍ତୁ ପଛରୁ ନେଇ ତାକୁ ପେଲି ପେଲି ପଠାଇବାରେ ଲାଗିଥିଲା । ସାଂୟକାଳୀନ ଶୀତଳ ମଳୟ କାକରିଆ କହଲରେ ପରିଣତ ହୋଇଅଛି । ଏତେ ବଡ଼ ସହରଟାର ଦାଣ୍ଡରେ ଗୋଟିଏ ସୁଦ୍ଧା ଜନପ୍ରାଣୀ ନାହିଁ । କେବଳ ହାତରେ ଗୋଟିଏ ଲଣ୍ଠନ ଧରି ଯଦୁନାଥ ଆଗେ ଆଗେ ଚାଲିଛି ଓ ପଛରେ ରାମବାବୁ ନୀରବରେ ଅନୁସରଣ କରି ପାଦ ପକାଇବାରେ ଲାଗିଛନ୍ତି । କେଜାଣି ଅବା ମନେ କରୁଛନ୍ତି ଯେ କଥା କହି ସେ ନିର୍ଜନ ରାତିର ବିଜନତା ଭାଙ୍ଗିଲେ ବାଟଟା ହୁଏତ ତାଙ୍କ ପାଦତଳୁ ଖସି ଚାଲିଯିବ । ଚାଲୁ ଚାଲୁ ଯଦୁନାଥ ହଠାତ୍‌ ଠିଆ ହୋଇଗଲେ-

 

ସେତେବେଳକୁ ଯାଇ ରାମବାବୁ ବୁଝିଲେ, ସେ କେତେ ବାଟ ଚାଲିଲେଣି । ଯଦୁନାଥ କହିଲା, ‘‘ବାବୁ, ମୋ ଗୋଡ଼ ଦିଟା ଥରିଯାଉଚି । ଘାଟିମୁଣ୍ଡ ହୋଇଗଲା କି ନା । ମାକାଳୀଙ୍କ ଦୟାରୁ କିଛି ଅଶୁଭ ଘଟି ନ ଥିଲେ ରକ୍ଷା ।’’ଏହିପରି କହୁ କହୁ ସେ ଧୀରେ ଧୀରେ କବାଟର ଶିକୁଳି ଝଣଝଣ କଲା । ଭିତରୁ ଶୁଣାଗଲା, ‘‘କିଏ ଯଦୁବାବୁ ? କଣ, ଆସିଲେ ?’’

 

‘‘ହଁ, ଦୁଆର ଫିଟାଅ । ସବୁ ଭଲ ତ ?’’

 

ଏ ପ୍ରଶ୍ନର ଉତ୍ତର ମନୁଷ୍ୟ କଣ୍ଠ ଦେଲାନାହିଁ । ଦୁଆର ଫିଟିବାରେ ଦେଖାଗଲା ଯେ ଘରଟାଯାକର ଚାକର ପୋଇଲୀ ସମସ୍ତେ ଗୋଟାଏ କୋଠରୀରେ ଆସି ରୁଣ୍ଡ ହୋଇଛନ୍ତି । ରାତିର ଅନ୍ଧକାରଟାକୁ ଇହ ସଂସାରରୁ ଅନ୍ତତଃ ସେହି ଦିନକ ଲାଗି ବିଦାୟ ଦେବା ଅଭିପ୍ରାୟରେ ବୋଧହୁଏ ତାଭିତରେ ଛ’ଟା ସରିକି ଲଣ୍ଠନ ଜାଳିଛନ୍ତି । ରାମବାବୁଙ୍କୁ ଦେଖିବା ମାତ୍ରେ ବର୍ଷାବେଳର ମେଘ, ବିଜୁଳି ଝଟକରେ କ୍ଷଣକ ଲାଗି ଉଜ୍ଜ୍ୱଳ ଦିଶିଲା ପରି, ସମସ୍ତଙ୍କ ମୁହଁରେ ପ୍ରଫୁଲ୍ଲତା ଖେଳିଗଲା । ବୁଢ଼ୀ ସୋଲିମା ଆଗକୁ ବଢ଼ି ଆସି କହିଲା, ‘‘ଓକିଲବାବୁ, ଏ ଘରଟା ଗୋଟାଏ ମଶାଣି ହବାକୁ ବସିଲାଣି । ଆମକୁ କଣ ବାଟ ବତେଇ ଦେଇ ଯାଅ ।’’ ରାମବାବୁଙ୍କ ପକ୍ଷେ ଅବସ୍ଥାଟା ଅନୁମାନ କରିବାରେ ବିଳମ୍ବ ହେଲା ନାହିଁ । ତଥାପି ସେ ଟିକିଏ ବିରକ୍ତ ଦେଖାଇ କହିଲେ, ‘‘ସୋଲିମା, ତୁ ମଧ୍ୟ ପିଲା ହେଲୁ ନା କଣ ? ସତୁରି ବର୍ଷର ବଢ଼ୀଟିଏ ହେଲୁଣି; ମୋ ମାଠୁ ଦଶବର୍ଷ ବଡ଼ ହେବୁ ।

 

ସେଥିରେ ପୁଣି କଣ ନା, ଘରଟା ମଶାଣି ହେବାକୁ ବସିଲାଣି । ଲାଜ ମାଡୁନାଇଁ ମୁହଁକୁ-? ତୁମେ ସବୁ ଗୋଟାଏ ନାଟ ଲଗାଇଚ । ମୁଁ ଦଣ୍ଡେ ଏ ସବୁ ବରଦାସ୍ତ କରିପାରନ୍ତି ନାଇଁ । ଏ ତ ଗୋଟାଏ ମରଦାନା ଘର । ଗୋଟାଏ ମାଲିକିଆଣୀ ବସିଥିଲେ, ତୁମେ ସବୁ କଣ ଏଇ ତାମସା ଲଗେଇ ଥାଆନ୍ତ । ଠିକ୍‌ କହନ୍ତି ନା, ଲୁହା କଅଁଳ ପାଇଲେ ବିଲେଇ କାମୁଡ଼େ ।’’ ଶୁଣି ଚାକର ବାକର ସମସ୍ତେ କୋଣକୁ ଆଉଜିଗଲେ । ସୋଲିମା ମଧ୍ୟ ଦଶ ପାହୁଣ୍ଡ ପଛକୁ ଘୁଞ୍ଚିଗଲା । କେବଳ ଯଦୁନାଥ କହିଲା, ‘‘ଭାରି ଡରୁଚନ୍ତି ସମସ୍ତେ ବାବୁ । ମୁଁ ଯେତେ କହିଲେ କଣ ଶୁଣୁଛନ୍ତି ? ହେଲେ, ଡରିବା କଥା ଏକା ।’’

 

ସେହି ବାଟଘାଟ କୋଠରୀରୁ ଯଦୁନାଥ ଆଗେ ଆଗେ ପଛ ବଗିଚାକୁ ଗଲା । ରାମବାବୁ ସଙ୍ଗେ ସଙ୍ଗେ ଚାଲିଲେ । ଯଦିନାଥ ଧୀରେ ଧୀରେ କହିଲା, ‘‘ଆପଣ ଆସିଗଲେ, ଆମ ସମସ୍ତଙ୍କ ପିଣ୍ଡରେ ପ୍ରାଣ ପଶିଲା । ଥିର୍‌ ଆସନ୍ତୁ । ଆପଣ ଆସିଥିବା ସୁରାକ୍‌ ଯେପରି ନ ମିଳେ । ଦେଖନ୍ତୁ, ସେ ଯେବେ ଆପଣଙ୍କୁ ଭିତରକୁ ଡାକିବେ, କେବେ ଯିବେ ନାଇଁଟି । ସେ ତ ଡାକିବେ ନାଇଁ, ମୁଁ ଜାଣେ । ତଥାପି କହି ରଖୁଚି ।’’

 

ରାମବାବୁ ବିଚଳିତ ହୋଇପଡ଼ିଲେ । ଏପରି କି ଆଗେଇବା ପାଇଁ ତାଙ୍କ ପାଦ ଚଳିବାକୁ ଚାହିଁଲାନାହିଁ । କିନ୍ତୁ ସମଗ୍ର ଦେହର ବଳ ପାଦ ଦୁଇଟାକୁ ଆଣି, ସେ ବଗିଚାରୁ ଯାଇ, ଓଷଦଖାନା ଛାଡ଼ି ଖାସ୍‌କାମରା ଆଡ଼କୁ ମୁହାଁଇଲେ । ଯଦୁନାଥ ତାଙ୍କୁ ଅପେକ୍ଷା କରିବାକୁ ଠାରି ଆହୁରି ଆଗେଇଲା । ତାପରେ ଦୁଆର ଖଡ଼୍‌ଖଡ଼୍‌ କରି କହିଲା, ‘‘ଆଜ୍ଞା ରାମବାବୁ ଆସିଚନ୍ତି । ଆପଣଙ୍କ ସାଙ୍ଗେ ଦେଖା କରିବାକୁ କହୁଚନ୍ତି ।’’ ଏତିକି କହି କାନ ପାରି ଶୁଣିବାଲାଗି ରାମବାବୁଙ୍କୁ ଦୂରରୁ ଠାରି ଜଣାଇଲେ । ଭିତରେ ଉତ୍ତର ମିଳିଲା, ‘‘ତାଙ୍କୁ କହ, ମୁଁ ବର୍ତ୍ତମାନ କାହାରି ସହିତ ଦେଖାସାକ୍ଷାତ୍‌ କରିପାରିବି ନାଇଁ ।’’ ‘‘ଯେ ଆଜ୍ଞା’’ ବୋଲି କହି ଯଦୁନାଥ ଫେରି ଆସିଲା । କିନ୍ତୁ ଦେଖାଗଲା ଯେ ତାମୁହଁରେ ନୈରାଶ୍ୟର ଭାବ ତ ନାହିଁ, ବରଂ ଗୋଟାଏ ଆନନ୍ଦର ରେଖା ଆସି ପଡ଼ିଛି । ରାମବାବୁଙ୍କୁ ଧରି ସେ ରୋଷେଇ ଘର ଆଡ଼କୁ ଚାଲିଗଲା । ସେଠାରେ ଯାଇ ପଚାରିଲା, ‘‘ବାବୁ, ଶୁଣିଲେ ତ; ଏଟା କଣ ଆମ ମାଲିକଙ୍କ ସ୍ୱର ?’’

 

‘‘ତାଙ୍କ ସ୍ୱରଟା ବହୁତ ବଦଳିଯାଇଚି କାହିଁକି ?’’

 

‘‘ବଦଳି ଯାଇଚି ! ମୁଁ ଏ ଘରେ କୋଡ଼ିଏ ବର୍ଷ ପାଖ ଆଖ ରହି କଣ ମାଲିକଙ୍କ ସ୍ୱରଟା ମଧ୍ୟ ବାରିପାରିବି ନାଇଁ ? ବିଧାତା ମୁଣ୍ଡରେ ମୋର ଏତିକି ମଗଜ ଦେଇନାଇଁ ନା, ବାବୁ ମହାଶୟ; ଡାକ୍ତରବାବୁ ଏ ଘରେ ଆଉ ନାହାନ୍ତି । ଆଜିକି ଆଠ ଦିନ ହେଲା ସେ ଅନ୍ତର୍ଦ୍ଧାନ ହୋଇଗଲେଣି । ଗଲାବେବଳେ ମୁଁ ବୁଝିପାରିଚି ତାଙ୍କ ପାଟିରୁ । ସେ କାହିଁକି ଗଲେ, କୁଆଡ଼େ ଗଲେ, ଏବେ ଏ ଘରେ କିଏ ଆସି ଅଛି, କାହିଁକି ବା ଅଛି–ଏଇ ଗୁଡ଼ାକ ତ ମତେ ଖାଉଚି । ମୁଁ ସବୁ ଜାଣୁ ଜାଣୁ ଏ ମେଣ୍ଢା ପଲକୁ କେତେ କାଳ ସମ୍ଭାଳିବି ? ଏଇ ଦିନ ଚାରିଟାକୁ ପହିଲା ହୋଇଯିବ । ଦରମାପାଇଁ ମତେ କାଉକାଉ କରି ପକେଇବେ । ହେ ଭଗବାନ୍‌, ମତେ ନ ମାରି ରଖିଚ କାହିଁକି ?’’ଯଦୁନାଥର ଆଖି ଛଳଛଳ ହୋଇ ଆସିଲା । ରାମବାବୁ ପଚିଶ ବର୍ଷର ଓକିଲାତି ବ୍ୟବସାୟରେ ପ୍ରତ୍ୟୁତ୍ପନ୍ନମତି ଗୁଣଟା ଖୁବ୍‌ହାସଲ କରିଛନ୍ତି । ତଣୁ ସଙ୍ଗେ ସଙ୍ଗେ କହିଲେ, ‘‘ତୁମର ଦୁଃଖ ହେଉଥିବ ଯଦୁନାଥ! ମାତ୍ର କାନ୍ଦିଲେ କଣ ହବ ? କଥାଟାକୁ ବିଚାର କରି ଦେଖ । ଧର, ଡାକ୍ତରଙ୍କୁ କିଏ ଖୁନ୍‌କରିଚି । ମାତ୍ର ଖୁନ୍‌କରିସାରି ହତ୍ୟାକାରୀ ଏଠି ରହନ୍ତା କାହିଁକି । କଣ ଧରା ହେବାକୁ ? କଥାଟା ମୋ ମନକୁ ପାଉନାଇଁ । ତୁମେ ନିଜେ ବିଚାରି ଦେଖ ନା ।’’

 

‘‘ଓକିଲବାବୁ, ମୁଁ ବହୁତ ବିଚାରିଚି । ଦିନେ ନାଇଁ, ଦିଦିନ ନାଇଁ ସାତଦିନ ବିଚାରିଚି । ତାପରେ ଯାଇ ଆପଣଙ୍କ ପାଖେ ପହଞ୍ଚିଲି । ମନେ ମନେ କଥାଟାକୁ ବହୁତ ଫେଣ୍ଟିଚି । ଏ ସାତଦିନ ଯାକ ସେ ଘରେ ଯେ ରହିଚି, ଦିନ ରାତି କଣ ଗୋଟାଏ ଦବେଇ ଖାଲି ଖୋଜିବାରେ ଲାଗିଚି । ମୁଁ ତ ଜାଣେ, ଡାକ୍ତରବାବୁ ନିଜେ କୌଣସି ଓଷଦ ଦରକାର କଲେ ଖଣ୍ଡେ କାଗଜରେ ଲେଖି ବାହାରକୁ ଫିଙ୍ଗିଦିଅନ୍ତି । ହେଲେ, ତା କେବେ କେମିତି, କାଁ ଭାଁ । ଏବେ ହପ୍ତାଏ ହେଲା ଆଉ କିଛି ନାଇଁ, ଖାଲି ସେଇ କାଗଜ ପିଙ୍ଗା ଚାଳିଚି ।

 

ଆମେ କବାଟ ଟିକିଏ ମେଲେଇ ଭାତ ତରକାରି ଭିତରକୁ ଥୋଇ ଦେଉଚୁ । କିଏ ଖାଉଚି କେଜାଣି ! ଆଉ ଦିନ ଭିତରେ ତିନିଥର ନାଇଁ, ଚାରିଥର ନାଇଁ, ଓଷଦ ବରାଦ ଲାଗିଚି । ଦଉଡ଼ି ଦଉଡ଼ି ମୋ ପ୍ରାଣ ଗଲାଣି । ଯେତେ ଯୁଆଡ଼ୁ ବୁଲି ବୁଲି ଆଣିଲେ ମଧ୍ୟ ମନକୁ ପାଉନାଇଁ । ସାଙ୍ଗେ ସାଙ୍ଗେ ଖଣ୍ଡେ ଲେଖା ଆସି ଯାଉଚି ଯେ ଏଟା ନୁହେଁ, ଫେରାଇ ଦେ । ଆଉ ଗୋଟାଏ ଦେକାନରୁ ଆରିବାପାଇଁ ବରାଦ ହେଇଯାଇଚି; ମାତ୍ର ଆଣିଦେଲା ମାତ୍ରେ ପୁଣି ଫେରସ୍ତ । କାରଣଟା କଣ ନା, ଏ ନକଲି ଓଷଦ । ପୁଣି ଆଉ ଗୋଟିଏ ଦୋକାନକୁ ଦଉଡ଼ । ଆଉ କଟକ ସହର ତମାମ୍‌ ଓଷଦ ଦୋକାନ ବାକି ନାଇଁ, ଓକିଲବାବୁ ! ପୁଣି ସେଇ ଗୋଟାଏ ଗୋଟାଏ ଦୋକାନକୁ ପଚିଶ ଥର ।’’

 

‘‘ଆଚ୍ଛା ସେ ହାତଲେଖା ଚିଠା ତୁମପାଖେ କିଛି ଅଛି ? ସଙ୍ଗେସଙ୍ଗେ ଯଦୁନାଥ ନିଜ କୁରୁତା ପକେଟରୁ ଖଣ୍ଡିଏ ମୋଚାମୋଚି ହୋଇଥିବା କାଗଜ ବାହାର କରି ବଢ଼ାଇଦେଲା । ରାମବାବୁ ତାକୁ ଫିଟାଇ ପଢ଼ିଲେ, ‘‘ଡାକ୍ତର ନାୟକଙ୍କ ସଲାମ ଜାଣିବ । ତୁମେ ଯେ ଦବେଇ ଦେଇଛ, ସେଟା ନକଲି ଜିନିଷ । ଦୁଇବର୍ଷତଳେ ତୁମେ ମତେ ଏଇ ଓଷଦ ବୋତଲେ ଦେଇଥିଲ । ସେଟା ଥିଲା ଖାଣ୍ଟି ଅସଲି ପଦାର୍ଥ; ଖୋଜି ଦେଖ; ପୁରୁଣା ପୁରୁଣୀ ମାଲ ଭିତରେ କୁଠେଇ ହୁଏ ତ ବୋତଲେ ଖଣ୍ଡେ ପଡ଼ିଥିବ, ଯେତେ ଦାମ ହେଉ ପଛକେ, ପଠାଇଦିଅ । ଟଙ୍କାକ ଜିନିଷକୁ ମୁଁ ଶହେ ଟଙ୍କା ଦେବାକୁ ରାଜି ଅଛି । କହିଲେ, ହଜାରେ ଦେବି । ଡାକ୍ତର ନାୟକଙ୍କ ପ୍ରାଣ ସେହି ଓଷଦରେ ଅଛି ଜାଣିବ । ଦେଖ, ଖୋଜି ପଠାଇଦିଅ । ମୁଁ ପ୍ରାର୍ଥନା କରୁଛି, କୋଟି କୋଟି ନମସ୍କାର ଜଣାଉଛି ।’’ ଚିଠିଟା ସେତିକିରେ ସରିନଥିଲା । ଆହୁରି ଧାଡ଼ିଏ ବାକି ଥିଲା । ରାମବାବୁ ପଢ଼ିଲେ, ‘‘ମୋ ରାଣ, ମୋ ଚଉଦ ପୁରୁଷ ରାଣ, ଓଷଦଟା ନଦେଲେ ମୁଁ ମଲିଟି ।’’

 

ଚିଠି ପଢ଼ି ରାମବାବୁ ବିବ୍ରତ ହୋଇପଡ଼ିଲେ । ତଥାପି ଧୈର୍ଯ୍ୟ ଧରି ସେ କହିଲେ, ‘‘ଏ ତ ବିଚିତ୍ର ଲେଖା । ଆଚ୍ଛା ଯଦୁନାଥ, ତୁମେ ୟାକୁ ଖୋଲା ପାଇଲ କିପରି ? ଏ ତ ନିଶ୍ଚୟ ଲଫାପାରେ ବନ୍ଦ ଥିବ ।’’

 

‘‘ହଁ, ବନ୍ଦ ଥିଲା । ଓଷଦ ଦୋକାନୀ ଫିଟାଇ ପଢ଼ିଲା ମାତ୍ରେ ନିଆଁ ହୋଇଗଲା, ସାଙ୍ଗେ ସାଙ୍ଗେ ମୋଚାମୋଚି କରି ମୋ ମୁହଁକୁ ଫିଙ୍ଗିଦେଇ କହିଲା, ‘‘ଏ ଡାକ୍ତର ଆମ ପ୍ରାଣ ଖାଇବ ନା କଣ ? ଦେଖ, ଆଉ ଥରେ ଚିଠି ପତ୍ର ଧରି ଆସିଲେ, ତଣ୍ଟିଆ ଖାଇବ ।’’ ‘‘ମୁଁ ତ ଶୁଣି ଅବାକ୍‌ । ବର୍ଷକୁ ଦିତିନି ହଜାର ଟଙ୍କା ନେଉଥିବ ସେ ଦୋକାନୀ । ତଥାପି ଏତେ ଦିମାକ୍‌ । କଣ କରିବି, କପାଳ ସବୁ ଶୁଣୋଉଚି ।’’

 

‘‘ଆଚ୍ଛା ଯଦୁନାଥ, ଏ ଟା ତ ଡାକ୍ତରଙ୍କ ହାତ ଲେଖା, ତୁମେ ଚିହ୍ନିପାରୁ ନାହଁ ?’’

 

‘‘ହଁ ଦିଶୁଚି ସେପରି । ତେବେ ହାତ ଲେଖା ଫେଖାରେ କଣ ଅଛି ଯେ ? ମୁଁ ତ ତାଙ୍କୁ ଏଇ ଆଖିରେ ଦେଖିଚି ।’’

 

‘‘ଦେଖିଚି ! ନିଜେ ?’’

 

‘‘ହଁ, ଓକିଲବାବୁ, ନିଜେ ଦେଖିଚି । କେମିତି ଦେଖିଲି, ଶୁଣନ୍ତୁ । ମୁଁ ବଗିଚାରେ ଥିଲି । ଓଷଦଖାନାରେ ଖୁଡ଼ଖାଡ଼ ଶୁଣାଗଲା । କେବେ ତ ସେମିତି ହୁଏ ନାଇଁ; କଣ ହେଉଚି, ମୁଁ ଦେଖିବାକୁ ଗଲି । ସେ ବୋଧହୁଏ ଏଇ ଓଷଦଟା କାଳେ ସେଠି ଥିବ ବୋଲି ନିଜେ ଘଣ୍ଟାଘଣ୍ଟି କରୁଥିଲେ । ମୋ ଉପରେ ତାଙ୍କ ଆଖି ଯେତେବେଳେ ପଡ଼ିଗଲା, ଗୋଟାଏ ଚିଁ ଚିଁ ଆଁ ପାଟି କରି, ଦଉଡ଼ି ଖାସ୍‌କାମରାକୁ ଛାଟିପିଟି ହେଇ ପଳାଇଗଲେ ।

 

ଓଃ, ସେ ସ୍ୱରଟା ଏବେ ମଧ୍ୟ ପରା କାନ ଭିତରେ ଶୁଭୁଚି ।’’ ଯଦୁନାଥର ଦେହ ତମାମ୍‌ତାଳୁରୁ ତଳିପା ପର୍ଯ୍ୟନ୍ତ ରୋମଗୁଡ଼ାକ ଝିଙ୍କକାଠି ପରି ସିଧା ଠିଆ ହୋଇଗଲା । ସେ କାଳେ ସେତିକିରେ କଥା ବନ୍ଦ କରିଦେବ, ସେଥିପାଇଁ ରାମବାବୁ ଉତ୍କଣ୍ଠା ଦେଖାଇ କହିଲେ, ‘‘ତାପରେ କଣ ହେଲା, ସବୁ କହିଯାଅ ।’’

 

‘‘କହୁଚି, ବାବୁ !ଆଚ୍ଛା, ବୁଝନ୍ତୁ ଦେଖି, ସେ ତ ମୋର ମୁନିବ; ମତେ ଦେଖି ପଳେଇବା କଣ ଦରକାର, ଲୁଚିବା କଣ ଦରକାର, ପାଟିତୁଣ୍ଡ କରିବା କଣ ଦରକାର ? ଗୋଟାଏ ମୁଖା ବିନ୍ଧିବା ବା କଣ ଦରକାର ? ମୁଁ କୋଡ଼ିଏ ବର୍ଷ କାନ୍ତର ତାଙ୍କ ପାଖେ ଚାକିରି କଲି, ତାଙ୍କର ଅନ୍ନ ପାଣିରେ ଏଡ଼ୁଟିରୁ ଏଡ଼େଟିଏ ହେଲି । ମୋରି ପାଖେ ଏତିକି ଛନ୍ଦ କପଟ । ମୁଁ ଆଉ ଏ ଘରେ ଚଳିପାରିବି ନାଇଁ, ବାବୁ । ଆପଣ ତ ତାଙ୍କର ସାଙ୍ଗ, ମୋଠୁ ଇସ୍ତଫା ନିଅନ୍ତୁ । ମୋ କପାଳ ଆଦରି ମୁଁ ଯାଏ । ଏଇଠି କଣ ରହିବି ବୋଲି କୋଳି ଖାଇ ମୁଁ ମଞ୍ଜି ପୋତିଚି କି ? ଗରିବ ଲୋକ, ଯୁଠାକୁ ଯିବି, ମୁଣ୍ଡଝାଳ ତୁଣ୍ଡରେ ମାରିଲେ, ପେଟ ପୋଷିବି ।’’

 

ଯଦୁନାଥ ପାଟିରୁ କଥାର ସ୍ରୋତ ଚାଲିଥିଲା । ସେ ଆଉ ବା କଣ କହିଥାନ୍ତା । ରାମବାବୁ ବାଧା ଦେଇ କହିଲେ, ‘‘ଘଟଣାଗୁଡ଼ାକ ଅବଶ୍ୟ ବିଚିତ୍ର ବୋଧ ହେଉଚି; କିନ୍ତୁ ବର୍ତ୍ତମାନ ମୋ ମନର ସନ୍ଦେହ ବହୁତ ଚାଲିଯାଇଚି । ଯଦୁନାଥ, ତୁମ ମୁନିବଙ୍କର ଗୋଟାଏ କିଛି ଶକ୍ତ ବେମାରି ହେଇଚି, ଯାହା ଯୋଗେ କି ତାଙ୍କର କଷ୍ଟ ଯନ୍ତ୍ରଣା ଯେତିକି ହେଉଚି, ଚେହେରାଟା ମଧ୍ୟ ସେତିକି ବଦଳିଯାଇଚି । ସ୍ୱରଟା ସେଇ କାରଣରୁ ବିଗିଡ଼ି ଯାଇଥିବ । ଅନେକ କଠିନ ରୋଗରେ ଏପରି ହୋଇଥାଏ । ଏଇସବୁ କାରଣରୁ ସେ କାହାରି ସହିତ ଦେଖା ସାକ୍ଷାତ୍‌କରୁନାହାନ୍ତି; କାଳେ କିଏ ଦେଖି ପକାଇବ, ସେଥିଲାଗି ଗୋଟାଏ ମୁଖା ପିନ୍ଧୁଛନ୍ତି । ସେ ତ ନିଜେ ଜଣେ ମସ୍ତବଡ଼ ଡାକ୍ତର । କି ଓଷଦ ଧରିବ ଠିକ୍‌ ଜାଣିଛନ୍ତି । ତେଣୁ ସେଇ ଗୋଟାଏ ଓଷଦକୁ ଖୋଜି ଲାଗିଚନ୍ତି । ଓଷଦଟା ପାଇଲେ ସେ ଭଲ ହୋଇଯିବେ । ଏଇଆ ହେଉଚି ଠିକ୍‌କଥା । ତୁମେ ଆଉ ଏଣୁ ତେଣୁ ଭାବି ମୁଣ୍ଡ ଘୂରାଅ ନା, ମିଛରେ ଭୟ ନ କରିବାକୁ ସମସ୍ତଙ୍କୁ ବୁଝାଇଦିଅ । ମୋର ଆଉ ସନ୍ଦେହ ନାଇଁ, କଥାଟା ୟା ଛଡ଼ା ଆଉ କୁଛି ନୁହେ । ଓଷଦଟା ଖୋଜି ଆଣ ।’’

 

‘‘ହଁ, ବାବୁ, ଆପଣ ଯାହା ସବୁ କହିଲେ, ସତ କଥା; ମାତ୍ର ସେ ଲୋକଟା ଯେ ମୋ ମୁନିବ ନୁହନ୍ତି । ମୁଁ କଣ ଏଡ଼େ କଣା ଯେ ଡାକ୍ତରବାବୁଙ୍କୁ ଚିହ୍ନିପାରିବି ନାଇଁ ?’’ ତାପରେ ଯଦୁନାଥ ସ୍ୱର କମାଇଦେଇ, ଚାରିଆଡ଼କୁ ଥରେ ଅନାଇ, କହିଲା, ଡାକ୍ତରବାବୁ କେଡ଼େ ଡେଙ୍ଗା, ତାଙ୍କ ଚେହେରା କେଡ଼େ ସୁନ୍ଦର, ସାକ୍ଷାତ୍‌ ଯେପରି ରଜାଘର ପୁଅ; ମାତ୍ର ଏ ଲୋକଟା ଗୋଟାଏ କାଳିଆ ଅଳଂଭୂଷା ଠୁରା ।’’

 

ରାମବାବୁ ଶୁଣିବାମାତ୍ରେ କହିଲେ, ‘‘କଣ ଗୁଡ଼ାଏ କହୁଚ, ଯଦୁନାଥ ?’’ କିନ୍ତୁ ଯଦୁନାଥ ସେଥିରେ ନିବୃତ୍ତ ନ ହୋଇ ପୁଣି କହିବାକୁ ଲାଗିଲା, ‘‘ବାବୁ, ଆପଣ ଯେତେ ଯାହା କହନ୍ତୁ, ମୁଁ କଣ ଆଖିରେ ଦେଖିବା କଥାଟାକୁ ଉଡ଼େଇ ଦେଇପାରିବି ? ମୁଁ ଡାକ୍ତରବାବୁଙ୍କୁ ଚହ୍ନିପାରିଲି ନାଇଁ, ଆପଣ ଏକଥା କହିଲେ, ମୁଁ କଣ କେବେ ବିଶ୍ୱାସ କରିବି । ତାଙ୍କ ଦୁଆର ବନ୍ଧର କୁଠାକୁ ଲାଗେ, ମୁଁ ଜାଣି ନାହିଁ ? କୋଡ଼ିଏ ବର୍ଷକାଳ ଦେଖୁଚି ପରା । ନାଇଁ, ବାବୁ, ସେ ମୁଖା ଭିତରେ ଡାକ୍ତରବାବୁଙ୍କ ମୁହଁ କେବେ ନଥିଲା । ମୋର ତ ଖୁବ୍‌ ମନେ ହେଉଚି ଯେ ଡାକ୍ତରବାବୁ ଆଉ ସେ ରକ୍ତମାଂସ ଦେହରେ ନାହାନ୍ତି; କିଏ ତାଙ୍କୁ ଖୁନ୍‌ କରିଚି । ୟା ଭିତରେ ଆଉ ଅନ୍ୟ କଥା କିଛି ନାଇଁ-।’’

 

‘‘ଯଦୁନାଥ, ତୁମଠାରେ ମୋର ଅବିଶ୍ୱାସ ନାଇଁ; ମାତ୍ର ତୁମେ ଯାହା କହୁଚ, ମୁଁ ନିଜେ ଆଖିରେ ନ ଦେଖିଲେ ଠିକ୍‌ ବୋଲି ବୁଝିବି କିପରି ? ତୁମେ ତ ଫେର୍‌ ନିଜେ ଦେଖିବାରୁ ଏଡ଼େ ଜୋର୍‌ରେ କହିପାରୁଚ । ବର୍ତ୍ତମାନ ତୁମ କଥା ବିଶ୍ୱାସ କରିବାକୁ ହେଲେ, ମତେ ଦୁଆର ଭାଙ୍ଗି ଭିତରକୁ ଯିବାକୁ ହେବ; ବୁଝୁଚ ନା ? ସଥିରେ ତୁମ ମୁନିବ ଯାହା ଭାବନ୍ତୁ ।’’

 

‘‘ଆପଣ କହୁଚନ୍ତି ସିନା, ବାବୁ; ସତେ କଣ ଯିବେ କି ?’’

 

‘‘କାହିଁକି, ନ ଯିବି କି କାରଣରୁ ? ମୋ ସାଙ୍ଗକୁ ଆଉ ଜଣେ ଦିଅ; ଦେଖିବ, ମୁଁ ଯାଉଚି କି ନା ।’’

 

‘‘ଏ ଯେ କଥା ପରି କଥାଟାଏ କହିଲ । ଡରିବ ତ ନାଇଁ ? ଆଉ ଯଦି ସୁବିଧା ଅସୁବିଧା କଥାକହ ମୁଁ ଅଛି ।’’

 

ଯଦୁନାଥ ରାମବାବୁଙ୍କ ହାତରେ ଗୋଟାଏ ଶାବଳ ଆଣି ଦେଲା । ସେ ନିଜେ ଧଇଲା ଗୋଟାଏ କୁର୍ହାଡ଼ି । ଦୁହେଁ ଡାକ୍ତର ନାୟକଙ୍କ ଖାସ୍‌କାମରା ଆଡ଼କୁ ଯିବାକୁ ବସିଲେ । ସେତେବେଳେ ରାମବାବୁ କହିଲେ, ‘‘ଯଦୁନାଥ, ଇଥେରେ ବିପଦଆପଦ ଥାଇପାରେ, ବୁଝିପାରୁଚ-? ଟିକିଏ ରହ, କଥାଟାକୁ ପୁଣି ଥରେ ବିଚାର କର । ଦେଖ ଯେତେବେଳେ ଏପରି ଗୋଟାଏ କାମରେ ହାତ ଦବାକୁ, ଯିବା, ତୁମର ମୋର ବି ସରଳ ହେବା ଦରକାର । ମନରେ କପଟ ରଖିଲେ ଚଳିବ ନାଇଁ । ତୁମେ କହୁଚ, ମୁଁ ଶୁଣୁଚି; ମୁଁ କହୁଚି ତୁମେ ଶୁଣୁଚ; ମାତ୍ର ପେଟରେ ଆଉରି କିଛି ରହିଯାଉଚି–ସେ ତୁମର ବି, ମୋର ବି । ଚାଲ, ଥରେ ମନଟାମାନ ଖୋଲି କଥାବାର୍ତ୍ତା ହୋଇଯିବା । ନୋହିଲେ ଏ କାମରେ ହାତ ଦବାନାଇଁ । ଆଚ୍ଛା, କହ ଦେଖି, ଲୋକଟାର ମୁଖାଟା ତ ତୁମେ ଦେଖିଲ; ତାକୁ ଚିହ୍ନି ପାରିଚ ?’’

 

‘‘ମୁଁ ତ ଚାହୁଁ ଚାହୁଁ ଚାଲିଗଲା; ମାତ୍ର ସେଇ ମୁହୂର୍ତ୍ତକ ଭିତରେ ମତେ ଦି’ଟା ରୂପ ଦିଶିଲା ପରି ଲାଗିଲା । ତେବେ ଆପଣ ଯେବେ ଭାବୁଥିବେ ଯେ ସେ ସଦେଇ ଜେନା ପରି ଦିଶୁଥିଲା କି ନାଇଁ, ହଁ ନୁହେଁ କଣ, କେତେ କେତେ ତାରି ଭଳିଆ ଚେହେରାଟା । ତାରି ଭଳି ବାଙ୍ଗରା, ତାରି ଚାଲି, ତାରି ବେଢ଼ଙ୍ଗିଆ ଗଢ଼ଣ । ତାପରେ ପୁଣି ତାଛଡ଼ା ଆଉ କିଏ ଦବେଇଖାନା ବାଟେ ଆସନ୍ତା-? ସଦର ଦରଜା ବାଟେ ତ ମାଛିଟା ସୁଦ୍ଧା ଆସିବାର ଉପାୟ ନାଇଁ । ଖୁଣ କରିବା ଦିନଯାଏ ତ ପାଖେ ଦବେଇଖାନା ଦୁଆର ଚାବି କାଠିଟା ତ ରହିଥିଲା । ପୁଣି ଖାଲି ସେତିକି ନୁହେଁ- । ଆପଣ ତାକୁ କେବେ ନିଜେ ଦେଖିଚନ୍ତି କି ନା, ମୁଁ ଜାଣେ ନା ।’’

 

‘‘ହଁ, ମୁଁ ଥରେ ତାକୁ ଦେଖିଚି, କଥାବାର୍ତ୍ତା ମଧ୍ୟ ହେଇଚି ।’’

 

‘‘ତେବେତ ଆପଣ ଜାଣିଥିବେ, ସେଲୋକଟାକୁ ଦେଖିଲେ କଲିଜା ପାଣି ହୋଇଯାଏ । ଆପଣ ବଡ଼ଲୋକ, ଆପଣଙ୍କର କଣ ହୋଇଥିବ, କେଜାଣି; ମାତ୍ର ଆମ ଦଫା ଭିତରୁ ଯେ ଦେଖୁ ନା କାହିଁକି, ଥରେ ଚମକି ପଡ଼ିବା ମୁକର ।’’

 

‘‘ନା, ଯଦୁନାଥ, ମତେ ମଧ୍ୟ ବାଦ ଦିଅ ନାଇଁ । ତାକୁ ଯେତେବେଳେ ଦେଖିଲି, ମୋ ଛାତିରେ ଗୋଟାଏ ପଥର ପଡ଼ିଗଲା ।’’

 

‘‘ହଁ, ହେଇ ତ ଥିବ, ଆପଣ ଯେତେ ବଡ଼ଲୋକ ହେଲେ ତ ଫେର୍‌ ସେଇ ରକ୍ତମାଂସର ଶରୀର । ସେ ଦିନ ମୁଁ ଚାହିଁଚି; ମୁଖାଟା ପିନ୍ଧି ମୋ ଆଖି ଆଗରେ ଦବେଇଖାନା ଭିତରୁ, ଚାରି ପାହୁଣ୍ଡରେ ହନୁମାଙ୍କଡ଼ଙ୍କ ପରି, ଡେଇଁ ଡେଇଁ ଯାଇ, ଖାସ୍‌କାମରେ ପଶି, ଧଡ଼୍‌କିନି କବାଟଟା କିଳିଦେଲା । ମୋ ମେରୁହାଡ଼ ଗୋଟାଯାକ ଖଣ୍ଡ ବରଫ ପରି ମତେ ଜଣାପଡ଼ିଲା । ସେତିକିବେଳୁ ତ ମୁଁ ବରାବର ଆଖି ଆଗରେ ସେଇ ସଦେଇ ଜେନାକୁ ଦେଖୁଚି । ମୁଁ ସିନା ମୂର୍ଖଟାଏ ଓକିଲବାବୁ, ଓକିଲାତି ବିଦ୍ୟାର ‘ଓ’-ଅକ୍ଷର ଜାଣେନା; ତେବେ ଶୁଣାଶୁଣିରେ ତ କେତେଗୁଡ଼ାଏ ଏଣୁତେଣୁ ଶିଖିଚି ।

 

ସାକ୍ଷୀ ଗଡ଼ାରେ ଯାରଇ ଠିଆ ହୋଇ ମୁଁ ଏଇ କଥାଗୁଡ଼ାକ କହିଲେ, ଆପଣ ଜେରାରେ ସବୁ କାଟି ଦିଅନ୍ତେ ନାଇଁ କି ? ହେଲେ କଣ ହବ, ମଣିଷ ମନ ଭିତରେ କଥା କଣ କିଏ ନେଇଯିବ ? ନିର୍ମାଲ୍ୟ ଛୁଇଁ ମତେ କହିବାକୁ କହିଲେ ବି ମୁଁ କହିବି ଯେ ସେ ଲୋକଟା ସଦେଇ ଜେନା; ତା ଛଡ଼ା ଆଉ କେହି ନୁହେଁ ।’’

 

ଗୋଟିଏ ଝିଟିପିଟି ରାବିଲା । ରାମବାବୁ କହିଲେ, ‘‘ସତ ସତ । ଯଦୁନାଥ, ମୋର ମଧ୍ୟ ସେଇ ଅନୁମାନ । ଏବେ ତୁମ ମୋ କଥା ଖାପ ଖାଇଯାଉଚି । ଡାକ୍ତର ବିଚାରା ନିହାତ୍‌ ନିର୍ଦ୍ଦୋଷ ଲୋକ । ତାକୁ ନିଶ୍ଚୟ କେହି ଖୁନ୍‌କରିଚି । ଆସାମୀ ବୁଦ୍ଧି କି କଣ ଦିଶିଲା କେଜାଣି, ଏଇ ଘରଟାରେ ସେ ରହିଚି । ଆଜି ତାଦଫା ରଫା କରିବା । ଆଚ୍ଛା, ରାହାସିଆକୁ ଡାକ; ଦି’ଟା ଲୋକଙ୍କ କାମ ନୁହେଁ ଏ ।’’

 

ରାହାସିଆ ଆସିବାରୁ ରାମବାବୁ ତାକୁ କହିଲେ, ‘‘କିରେ, ଡରରେ ତ ମରିଯାଉଚ । କଣ ଏମିତି ସଢ଼ୁଥିବ ? ମର୍ଦ୍ଦପିଲା ହୋଇ ମନରେ ତିଳେ ସୁଦ୍ଧା ବଳ ନାଇଁ ? ଖାଲି ବରଡ଼ା ପତର ପରି ଥରିବ । ଡାକ୍‌ ଦାସିଆକୁ । ଦେଖି, ଯଦୁନାଥ ଆଉ ମୁଁ କବାଟ ଭାଙ୍ଗି ଖାସ୍‌ କାମରାରେ ପଶିବୁ-। ଆଇନ୍‌ ଅଦାଲତ କଥା ମତେ ଲାଗେ; ମାତ୍ର ମାରପିଟ୍‌କି ତ ମୁଁ ପାତ୍ର ନୁହେଁ । ଦେଖ୍‌ଏ ଘରୁ ବାହାରି ହେବେ କେହି ପଳେଇବାକୁ ବସିବ, ଯିବ ତ ସେଇ ଓଷଦଖାନା ଚୋରି ଦୁଆର ବାଟେ-। ତୁ ଆଉ ଦାସିଆ ଦି’ଟା ଭେଣ୍ଡା ଯାଇ ସେ ଦୁଆର ଜଗି ଠିଆ ହୁଅ । ଦିହେଁ ଦି’ଟା ଠେଙ୍ଗାଧର । କେହି ପଳେଇବାକୁ ବସିଲେ ପିଟି ପିଟି ହାଡ଼ ଗୋଡ଼ ଚୂନା କରିଦେବ, ଛାଡ଼ିବ ନାଇଁ-। କଣ ପାରିବ ଟି କି ?’’

 

‘‘ହଁ ମଣିମା, ପାରିବୁ । ଯୋଡ଼ାକୁ ଘୋଡ଼ା ସରି ନୁହେଁ । ଛାର ମଣିଷଟାଏ ବଳେଇଯିବ-। କଣ ଗୋଟାଏ ଲୋକଟି କି ?’’

 

‘‘ଗୋଟାଏ ନୁହେ ଆଉ କଣ ଦଶଟା ? ଗୋଟାଏ ଗୋଟାଏ । ଯାଅ, ଦିହେଁ ଅଣ୍ଟା ଭିଡ଼ି ଠିଆ ହୁଅ । ଖବରଦାର୍‌, ମାରି ଶୁଆଇଦେବ ପଛକେ, ବାଟ ଛାଡ଼ିଦେବ ନାଇଁ ।’’

 

ରାହାସିଆ ଦାସିଆକୁ ଧରି ଠିକ୍‌ ସ୍ଥାନରେ ଯାଇ ଠିଆ ହେଲା । ଦୁହିଁଙ୍କ ହାତରେ ଚିତାଏ ଉଚ୍ଚ ଗୋଟାଏ ଗୋଟାଏ ମୂଳୀବାଉଁଶ ଠେଙ୍ଗା । ଏଣେ ରାମବାବୁ ଯଦୁନାଥ ସହିତ ନିଜର କଳ୍ପିତ କାର୍ଯ୍ୟରେ ଅଗ୍ରସର ହେଲେ । ଉପରେ ଜହ୍ନଟା ଆକାଶରୁ ଚଉଠେ ଅତିକ୍ରମ କରି ଆସିଗଲାଣି । ତେଣୁ ବିନା ବତୀରେ ମଧ୍ୟ ବାଟ ଘାଟ ଦିଶୁଚି । ତଥାପି ଦୁହେଁ ଦୁଇଟା ଲଣ୍ଠନ ଧରିଛନ୍ତି । ଖାସ୍‌ କାମରା ଦୁଆର ଅଳ୍ପ ଦୂରରେ ଯାଇ ସେମାନେ ଠିଆ ହେଲେ । ବନ୍ୟାର ସ୍ରୋତ ବନ୍ଧ ଭାଙ୍ଗିବା ପୂର୍ବରୁ ମୁହୂର୍ତ୍ତେ ନିଶ୍ଚଳ ହୋଇ ରହିଯାଏ । ସେତେବେଳେ ସମଗ୍ର କଟକ ସହର ଗାଢ଼ ନିଦ୍ରାରେ ଅଭିଭୂତ । ପାହାନ୍ତି ପବନ ବେଳେ ବେଳେ ଗଛ ଡାଳରେ ବାଜି ବହିବାରୁ ଜଣାଯାଉଛି, ଯେପରି କି ସାରା ସହରଟା ଶୋଇ ଶୋଇ କେବେ କିପରି ଘୁଙ୍ଗୁଡ଼ି ମାରୁଛି ।

 

ସହର ଘୁଙ୍ଗୁଡ଼ି ମାରିବାରୁ ଦଣ୍ଡେ ବିରତ ହୋଇଛି, ଏପରି ସମୟରେ ଖାସ୍‌କାମରା ଭିତରେ ଗୋଟାଏ ପାଦ ଶବ୍ଦ ଶୁଣାଗଲା । ଯଦୁନାଥ ଫୁସ୍‌ଫୁସ୍‌ କରି କାନରେ କହିଲା, ‘‘ବାବୁ, ଥରେ ଅଧେ ନୁହେଁ, ଦିନ ତମାମ, ରାତି ତମାମ ଏପରି ଚାଲି ଲାଗିଚି । କେବଳ ଗୋଟାଏ ଦବେଇ ଆସି ପହଞ୍ଚିଗଲେ, ଚାଲିବାଟା ଦଣ୍ଡେ ଅଧେ ବନ୍ଦ ହେଉଚି; ନୋହିଲେ ପାଦ ବରାବର ଚାଲିଚି । ଶୁଆ ନାଇଁ କି ବସା ନାଇଁ । କି ପାପ ନ କରିଚି ଯେ ଶୋଇବା !

 

ୟାର ପୁଣି ନିଦ ହେବ ? ମାନିଦ୍ରାଦେବୀ ପୁଣି ୟାକୋଇ ଡାକି, ଆପଣ କୋଳରେ ଶୁଆଇ, କହିବେ, ଧୋରେ ବାୟା ଧୋ, ଯୋଉ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ’ । ଆଜି କୁଟି କାଣ୍ଡି ଚାଉଳ କାଢ଼ିଦେବି । ଆଜି ଦେଖେଇ ଦେବି, ସଦେଇ ଜେନା ବଳୁଆ ନା ଯଦୁଦାସ ବଳୁଆ । ଏଇ ଫେର୍‌, ଶୁଭିଲାଣି ଟିକିଏ କାନ ଡେରି ଶୁଣନ୍ତୁ ତ, ବାବୁ, ଇଏ କଣ ଡାକ୍ତରବାବୁଙ୍କ ପାଦ ଶବ୍ଦ ?’’

 

ଡାକ୍ତର ନାୟକ ଚାଲିଲାବେଳେ ପାଦ ପୂରା ଛାଡ଼ି ପକାନ୍ତି । ତେଣୁ ଶବ୍ଦଟା ଗୋଟାଏ ତାଳ କ୍ରମରେ ହୁଏ; କିନ୍ତୁ ଏ ଶବ୍ଦ ଖୁବ୍‌କ୍ଷୀଣ; ଯେପରି କି ଜୋର ବା ଡକାୟତ ଛପି ଛପି ଟିପ ଅଗରେ ଚାଲୁଛି । ରାମବାବୁ ଶୁଣିସାରି ପଚାରିଲେ, ‘‘ଆଚ୍ଛା, ଏ ପାଦଶବ୍ଦ ଛଡ଼ା କେବେ ଆଉ କୌଣସି ପ୍ରକାର ଶବ୍ଦ ଶୁଣିଚ ?’’

 

‘‘ହଁ, ଥରେ ଦି’ ଥର କାନ୍ଦ ଶୁଣିଚି ।’’

‘‘କାନ୍ଦ ! ସେ ପୁଣି କଣ ? ଏ କଥା ତ ମତେ କହିନାଅଁ ।’’

 

‘‘ହଁ, ବାବୁ, କାନ୍ଦିଲାବେଳେ କଇଁ କଇଁ ହେଇ କାନ୍ଦୁଚି, ସତେ ଯପରି ଗୋଟାଏ ତିର୍ଲା କି ନାବାଳକ ପିଲା । ଯେ ଶୁଣିମ, ତାନିଜକୁ କାନ୍ଦ ମାଡ଼ିବ ।’’

 

ଯଦୁନାଥ ସେ କାନ୍ଦ କଥା ଆହୁରି ଅବା କଣ କହିଥାନ୍ତା; କିନ୍ତୁ ପାଦ ଶବ୍ଦ କ୍ରମେ ବଢ଼ିବାକୁ ଲାଗିଲା । ତେଣୁ ରାମବାବୁ ଆଉ ଧୈର୍ଯ୍ୟଧରି ରହିପାରିଲେ ନାହିଁ । ତାପରେ ପୁଣି ରାହସିଆ ଓ ଦାଦିଆ ଦୁହେଁ ଓଷଦଖାନା ଚୋରି ଦୁଆର ପାଖେ ଯାଇ ଠିଆ ହୋଇଛନ୍ତି । ବୁଳମ୍ବହେଲେ କାଳେ ସେମାନେ ଶିଥିଳ ହୋଇପଡ଼ିବେ, ସୁତରାଂ ରାମବାବୁ ଖାସ୍‌ କାମରା କବାଟରେ ଦୁମ୍‍ଦାମ୍‌ ଓ ଧକ୍‌କା ମାରି, ଖୁବ୍‌ପାଟିକରି କହିଲେ, ‘‘ନାୟକ, ମୁଁ ତୁମକୁ ଦେଖିବାକୁ ଆସିଚି । ଦୁଆର ଫିଟାଇଦିଅ ।’’ କେତେକ ସମୟ ଚାଲିଗଲା । ଦୁଆର ଫିଟିଲା ନାହିଁ । ଫଳରେ ରାମବାବୁ ଆହୁରି ବେଶି ଚିତ୍କାର କରି କହିଲେ, ଆମ ମନରେ ତୁମ ବିଷୟରେ ନାନା ସନ୍ଦେହ ହେଉଚି । ମୁଁ ଆଜି ତମକୁ ନିଶ୍ଚୟ ଦେଖିବି । ତୁମେ ନିଜେ ଦେଖା ନ ଦେଲେ ମୁଁ କଳେ ବଳେ କୌଶଳେ ତୁମ ପାଖେ ଯାଇ ହାଜର ହେବି । ଦେଖ ସଫା ସଫା କହିଦେଉଚି ଦୁଆରଟା ଫିଟାଇଦିଅ ।’’

 

ଭିତରୁ ଉତ୍ତର ମିଳିଲା, ‘‘ରାମବାବୁ, ଜିଦ୍‌ କର ନାଇଁ । ଆଜି ଫେରିଯାଅ । ଆଉ ଦିନେ ପଛେ ଆସିବ ।’’

 

‘‘ଏ ତ କେବେ ଡାକ୍ତର ନାୟକଙ୍କ ସ୍ୱର ନୁହେ, ଏଟା ହେଉଚି ସଦେଇ ଜେନାର । ଯଦୁନାଥ, ଆଉ ଧର୍ମ କର୍ମକୁ ବିଚାର କଣ ? ଦିଅ, ଭାଙ୍ଗ କବାଟ ।’’ ଚାହୁଁ ଚାହୁଁ କବାଟରେ ଦୁମ୍‌ଦାମ୍‌ ଚୋଟ ପଡ଼ିଲା । କୁର୍ହାଡ଼ି ଦାଢ଼ରେ ପିଆଶାଳ ପଟାରୁ ଚେନାଏ ଚେନାଏ ଛାଡ଼ିବାକୁ ଆରମ୍ଭ ହେଲା । ସମଗ୍ର ଘରଟା କମ୍ପିବାକୁ ଲାଗିଲା । ଭିତରୁ ଶୁଭିଲା ‘‘ରାମବାବୁ, ଗୋଡ଼ ଧରୁଚି, ଏ କାମ କର ନାଇଁ ।’’ କିନ୍ତୁ ଏ ମିନତି କାଲା କାନରେ ଆସି ପଡ଼ିଲା । କୁର୍ହାଡ଼ି ପୂର୍ବପରି ଚାଲିବାର ଦେଖି କୋଠରୀ ଭିତରେ ଲୋକ କହିଲା, ‘‘ଦେଖ, ରାମବାବୁ, ବାଘର ଘରେ ଏ ମିରିଗର ନାଟ କଣ ? ମାମୁଁ ଘର ଦେଖିବାକୁ ଏତେ ମନ କାହିଁକି କରୁଚ ? ଫେରିଯାଅ । ମିନତି ଯେଉଁଠାରେ ପରାସ୍ତ ହୋଇଥିଲା, ଧମକ ମଧ୍ୟ ପରାସ୍ତ ହେଲା । ଆଉ କେତେଟା ଚୋଟରେ କବାଟଟା ଭାଙ୍ଗି ତଳେ ପଡ଼ିଗଲା ।

 

ଖାସ୍‌ କାମରାକୁ ଯିବା ବାଟ ତ ଖୋଲା ହୋଇଗଲା; କିନ୍ତୁ ସେମାନେ ହଠାତ୍‌ ପଶିଲେନାହିଁ; ବାହାରୁ ଚାହିଁ ଦେଖିଲେ, ଗୋଟାଏ ଲୋକ ତଳେ ମୁହଁ ମାଡ଼ି ପଡ଼ିଥିଲା । ସେ ଯେ ଡାକ୍ତର ନାୟକ ନୁହନ୍ତି; ସେ କଥା ସେମାନେ ବୁଝିପାରିଲେ; କିନ୍ତୁ ସେ କିଏ ଧରିପାରିଲେ ନାହିଁ । ତେଣୁ ସେମାନେ ତା’ ନିକଟକୁ ଯାଇ ତାକୁ ଲେଉଟାଇ ପକାଇଲେ । ସେତେବେଳେ ଯାଇ ସେମାନେ ଚିହ୍ନିଲେ ଯେ ସେ ପ୍ରକୃତରେ ସଦେଇ ଜେନା । ସେ ତା’ ନିଜ ଲୁଗାପଟା ଛାଡ଼ି ଡାକ୍ତର ନାୟକଙ୍କ ପୋଷାକପତ୍ର ପିନ୍ଧିଛି । ଆଖି ଦିଟା ଜୁଳୁ ଜୁଳୁ ଦିଶୁଛି । ଦେହରେ ତାପ ଅଛି । ଜଣାଯାଉଛି ଯେ ପ୍ରାଣବାୟୁ ଆହୁରି ଉଡ଼ିଯାଇନାହିଁ; କିମ୍ବା ଯଇଥିଲେ, ସେହି ମୁହୂର୍ତ୍ତରେ ଯାଇଛି । ନିକଟରେ ଗୋଟାଏ ଶିଶି ଭାଙ୍ଗି ଗୁଣ୍ଡା ହୋଇପଡ଼ିଛି । କୋଠରୀ ତମାମ ଗୋଟାଏ ତୀବ୍ର ଗନ୍ଧ ପୂରିରହିଛି । ଘଟନା କି ଆକାର ଧାରଣା କରିଛି, ରାମବାବୁ ବୁଝିପାରିଲେ । ସେ କହିଲେ, ‘‘ଆମର ଅଳ୍ପ ଡେରି ହୋଇଗଲା । ଏବେ ଦଣ୍ଡ ବି ଦେଇପାରିଲେ ନାହିଁ, କି ରକ୍ଷା ବି କରିପାରିଲେ ନାଇଁ । ସଦେଇ ଜେନା ଚାଲିଯାଇଚି । ଖାଲି ଡାକ୍ତରଙ୍କ ଲାସଟା ପାଇଲେ ହେଲା ।’’

 

ଘରର ଚାକର ବାକର ସମସ୍ତେ ଆସି ରୁଣ୍ଡ ହୋଇଯାଇଥିଲେ । କିଏ ଏ ଦୃଶ୍ୟ ଦେଖି ଜିଭ କାମୁଡ଼ି ଠିଆ ହେଲା; କିଏ କପାଳରେ ହାତ ମାଇଲା । ସୋଲିମା ସକେଇ ସକେଇ କାନ୍ଦିଲା; କିନ୍ତୁ ପ୍ରଥମେ କେତେ ମୁହୂର୍ତ୍ତ ପରେ ସମସ୍ତେ ଡାକ୍ତର ନାୟକଙ୍କୁ ଖୋଜିବାକୁ ବାହାରିଲେ । ସେ ଘରଟାରେ କୋଠରୀଗୁଡ଼ାକ ଅନେକ । ଗୋଟି ଗୋଟି କରି ସେମାନେ ସବୁ ଗୋଠରୀ ଖୋଜିଗଲେ; କିନ୍ତୁ କୌଣସିଠାରେ ଜୀବିତ ବା ମୃତ ଅବସ୍ଥାରେ ତାଙ୍କର ସତ୍ତା ପାଇଲେ ନାହିଁ । ଶେଷରେ ଯଦୁନାଥ ଘରର ଚଟାଣରେ ଗୋଟାଏ ସ୍ଥାନରେ ଗୋଇଠା ମାରି କହିଲା, ‘‘ଏଇଠାଟା ପୋଲା ଆବାଜ ହେଉଚି, ଏଇଠି ଖୋଳିଲେ ମିଳିବ । ସେଠା ଖୋଳା ହେଲା; କିନ୍ତୁ କେବଳ ମାଟି ଗୋଡ଼ି ଛଡ଼ା ଆଉ କିଛି ମିଳିଲାନାହିଁ । ଶେଷରେ ରାମବାବୁ କହିଲେ, ‘‘ଆଉ କଣ ହେଇପାରେ ?

 

ତୁମ ମୁନିବ ସଦେଇ ଜେନା ଜିମା ଘର ଛାଡ଼ିଦେଇ ପଳାଇଛନ୍ତି ।’’ ପଳାଇବାକୁ ତ ଏକମାତ୍ରବାଟ ଓଷଦଖାନା ତଳ ମହଲା ଦୁଆର । ରାହାସିଆ ଓ ଦାମା ଦୁହେଁଯାକ କହିଲେ ଯେ ତାହା ଭିତରୁ ବନ୍ଦ ଅଛି । ତଥାପି ତାହାପୁଣି ଥରେ ଦେଖାହେଲା; ପ୍ରକୃତରେ ଭିତରୁ ତାଲା ପଡ଼ିଥିଲା । ତା ଚାବିଟା ମଧ୍ୟ ଘରୁ ମିଳିଲା । ତାହା ଏକେତ ଭଙ୍ଗା, ତା ପରେ ପୁଣି ତା ଉପରେ ଗୋଟାଏ ପ୍ରସ୍ତ କଳଙ୍କି ଲାଗିଯାଇଥିଲା । ସେଥିରୁ ଦୁଇଟା କଥା ଜଣାଗଲା । ଗୋଟାଏ ହେଉଚି ଯେ ବାହାରୁ ତାଲା ଫିଟାଇ ଘର ଭିତରକୁ ସିନା କିଏ ଆସିଛି, ମାତ୍ର ଘରୁ ସେ ବାଟେ ବାହାରକୁ ଯାଇନାହିଁ । ପୁଣି, ସାତ ଆଠ ଦିନ ଭିତରେ କେହି ସେ ଚାବିକାଠି ଛୁଇଁ ନାହିଁ ।

 

ଡାକ୍ତର ନାୟକ କେଉଁଆଡ଼େ ଗଲେ, ଏ ତଥ୍ୟ ଯେତେବେଳେ ବୁଝା ନ ଗଲା, ଯଦୁନାଥକୁ ଧରି ରାମବାବୁ ପୁଣି ତାଙ୍କ ଖାସ୍‌କାମରାରେ ଯାଇ ଉପସ୍ଥିତ ହେଲେ । ସେଠାରେ ମେଜ ଉପରେ ଅନେକ ଶିଶି ଠିପି ଖୋଲି ହୋଇପଡ଼ିଥିଲା । ଅନେକ କାଚ ଗିଲାସରେ ଓଷଦ, କାହିଁରେ ପୂରା, କାହିଁରେ ବା ଅଧା ରହିଥିଲା । ସଦେଇ ଜେନା ଯେ କେତେ ପ୍ରକାର ଓଷଦ ଖାଇଛି, ସେଥିରୁ ବେଶ୍‌ ବୁଝାଗଲା । ଆହୁରି କେତେ ପ୍ରକାର ଓଷଦ ସେ ଖାଇନାହିଁ, ତାହା ମଧ୍ୟ ସେଇଥିରୁ ଜଣାପଡ଼ୁଥିଲା । ଆଉ ଗୋଟାଏ ମେଜ ନିକଟକୁ ଆସି ସେମାନେ ଗଦା ଗଦା କାଗଜପତ୍ର ଦେଖିଲେ । ତା ଭିତରେ ଗୋଟାଏ ବଡ଼ ପୁଲିନ୍ଦା ଡାକ୍ତର ନାୟକଙ୍କ ହସ୍ତାକ୍ଷରରେ ଥିଲା-। ପୁଲିନ୍ଦା ଉପରେ ଠିକଣା ଲେଖା ଥିଲା–‘‘ବାବୁ ରାମଚନ୍ଦ୍ର କର, ଓକିଲ, ଚାନ୍ଦିନୀଚଉକ, କଟକ ସହର ।’’ ତାହା ଦେଖିବା ମାତ୍ରେ ରାମବାବୁ ପ୍ରଥମେ ଚମକି ପଡ଼ିଲେ; କିନ୍ତୁ ପର ମୁହୂର୍ତ୍ତରେ ଯଦୁନାଥକୁ କହି ସେ ତାହା ଖୋଲିଲେ । ତା ଭିତରୁ ଅନେକଗୁଡ଼ାଏ କାଗଜ ବାହାରିଲା ।

 

ସେ ମଧ୍ୟରୁ ଗୋଟିଏ ହେଉଛି ଖଣ୍ଡିଏ ଉଇଲ ପତ୍ର । ଉଇଲ ପତ୍ରଟି ଦେଖିବା ମାତ୍ରେ ସେ ଚିହ୍ନିଲେ । ସେହି ଉଇଲ ପତ୍ରଟିକି କେତେକ ମାସ ପୂର୍ବେ ସେ ଡାକ୍ତର ନାୟକଙ୍କୁ ଫେରସ୍ତ ଦେଇଥିଲେ । ସେ ସେଥିରେ ସଦେଇ ଜେନାର ନାମ ଯେଉଁଠାରେ ଲେଖାଥିଲା, ସେ ଆଡ଼କୁ ଆଖି ପକାଇ ରାମବାବୁ ଅବାକ୍‌ ହୋଇଗଲେ । କାରଣ ସଦେଇ ଜେନା ପରିବର୍ତ୍ତେ ସେ ସେଠାରେ ନିଜ ନାମ ଦେଖିଲେ । ସେ ରହସ୍ୟ କିଛି ବୁଝି ପାରିଲେ ନାହିଁ, କେବଳ ଥରେ ଉଇଲ୍‌ ପତ୍ରକୁ, ଥରେ ସଦେଇ ଜେନା ଶବକୁ ଓ ଥରେ ଯଦୁନାଥ ମୁହଁକୁ, ଗୋଟିଏ ପରେ ଗୋଟିଏ, ଚାହିଁଲାଗିଲେ । ଶେଷରେ ସେ କହିଲେ, ‘‘ମୋ ମଥା ଘୂରିଯାଉଚି । ମୁଁ ଦେଖୁଚି, ତାଙ୍କୁ ଗୋଟିଏ ଭୂତ ଲାଗିଥିଲା ନା କଣ; ମୋ ନାଁରେ ଫେର୍‌ ଉଇଲ୍‌, ତା ପୁଣି ସଦେଇ ଜେନା ନାଁ କାଟି ।’’

 

ଏହିପରି ବିସ୍ମୟରେ ଘାରି ହେଉଥିବାବେଳେ ଆଉ ଖଣ୍ଡିଏ ଲେଖା ଉପରେ ତାଙ୍କ ଦୃଷ୍ଟି ପଡ଼ିଲା । ତାହା ମଧ୍ୟ ଡାକ୍ତର ନାୟକଙ୍କ ହାତଲେଖା ଖଣ୍ଡିଏ ଚିଠି । ସେଥିରେ ସେହି ଦିନର ତାରିଖ ବସିଥିଲା । ତାରିଖଟା ଯେ ମିଛରେ ଦିଆଯାଏନାହିଁ, ତାର ପ୍ରମାଣ ସିହାଇର ବର୍ଣ୍ଣରୁ ମିଳିଲା । ସିହାଇ ଶୁଖି ଅବଶ୍ୟ ଯାଇଥିଲା; କିନ୍ତୁ ଦୁଇ ତିନି ଘଣ୍ଟାତଳେ ଲେଖା ହୋଇଥିଲେ, ତାର ବର୍ଣ୍ଣ ଯେପରି ହେବାର କଥା, ଠିକ୍‌ ସେହିପରି ଦିଶୁଥିଲା । ତାହା ଦେଖି ରାମବାବୁ କହିଲେ, ‘‘ଯଦୁନାଥ, ତୁମେ କଣ କହୁଚ ଯେ ହପ୍ତାଏ ହେଲା ତୁମ ମୁନିବ ଖୁଣ୍‌ ହୋଇଗଲେଣି ? ସେ ତ ଦି ତିନି ଘଣ୍ଟା ତଳେ ଏଇଠି ଥିଲେ । ଏତିକି ସମୟ ଭିତରେ କେହି ତାଙ୍କୁ ଖୁଣ୍‌ କରିବା ଅସମ୍ଭବ ।

ସେ ନିଶ୍ଚୟ ପ୍ରାଣରେ ଅଛନ୍ତି, କେବଳ କୁଆଡ଼େ ପଳେଇଚନ୍ତି । ତେବେ ପଳେଇଲେ କାହିଁକି, କିମିତି, କେଉଁବାଟେ, କାହା ସାହାଯ୍ୟରେ, ଠିକ୍‌ କେତେବେଳେ ଏ ଲୋକଟା ଯେ ଆତ୍ମହତ୍ୟା କରି ମରିଚି, ଏ କଥା ତ ପୁଣି ପୋଲିସକୁ ଜଣାଇବାକୁ ହେବ ।

ଦେଖ ଯଦୁନାଥ, ଲେଡ଼ିଗୁଡ଼ କହୁଣିକି ବୋହିଗଲାଣି । ଏଣିକି ଆମକୁ ବଡ଼ ସାବଧାନ ହେବାକୁ ପଡ଼ିବ । ଆମର ସିନା କିଛି ହବନାଇଁ, ତୁମ ମୁନିବ ଯେ ବିପଦରେ ପଡ଼ିଯିବେ । ଏସବୁ ଘଟଣା ପୋଲିସ ହାତକୁ ଗଲେ, ସେମାନେ ତାଙ୍କୁ ଏ ଲୋକଟାର ହତ୍ୟାକାରୀ ବୋଲି ସାବ୍ୟସ୍ତ କରିଦେବେ । ଆଇନ ବଢ଼ିପାଣି ପରି ସହଜ ବାଟ ଖୋଜେ ।’’

‘‘ବାବୁ, ଏ ସବୁ ଦେଖି ଶୁଣି ମୋ ରକ୍ତ ପାଣି ଫାଟିଗଲାଣି । ମୁଁ ଆଉ କରିବି କଣ? ଆପଣ ଚିଠିଟା ଟିକିଏ ପଢ଼ି ଦେଖନ୍ତୁ ନା ସିଥେରେ ବା କଣ ଲେଖାଥିବ ।’’

‘‘ପଢ଼ନ୍ତି, ମାତ୍ର ପଢ଼ିବାକୁ ମୋ ମନ ଯାଉନାଇଁ । କଣ ଲେଖାଥିବ କେଜାଣି ? ହେ ଭଗବାନ୍‌ ! ହେ ବିପଦବାନ୍ଧବ, ତୁମେ ଏକା ସାହା ।’’ ରାମବାବୁ ଚିଠିଟା ପଢ଼ି ବସିଲେ । ସେ ପଢ଼ିଲେ–

ପ୍ରାଣପ୍ରିୟ ରାମବାବୁ,

ତୁମେ ହାତେ ଏଚିଠି ପଡ଼ିଲାବେଳକୁ ମୁଁ ଆଉ ନଥିବି, ଅନ୍ତର୍ଦ୍ଧାନ ହୋଇଯାଇଥିବି । କିପରି ଭାବରେ, କେଉଁଆଡ଼େ ଯିବି, ଏ ଚିଠିରେ ଲେଖିପାରୁନାହିଁ, କାରଣ ଏବେ ମଧ୍ୟ ସେ କଥା ମୁଁ ନିଜେ ଜାଣେନାହିଁ । ତେବେ ଏତିକି ମୁଁ ବୁଝିପାରୁଛି ଯେ ମୋର ଶେଷ କାଳ ଆସି ପହଞ୍ଚିଲାଣି-। ମୁଁ ଗୋଟାଏ ଅନୁରୋଧ କରୁଛି, ମୋ ଗଲାପରେ ତୁମେ ଡାକ୍ତର ଦାସର ବର୍ଣ୍ଣନାଟା ପଢ଼ିବ । ସେ ବର୍ଣ୍ଣନା ସେ ତୁମକୁ ଦେଇଥିବ । ତାକୁ ପଢ଼ିସାରି ତୁମେ ଯେବେ ଆହୁରି ରହସ୍ୟ ଜାଣିବାକୁ ଇଚ୍ଛାକର, ପରେ ମୋ ନିଜ ଆତ୍ମକାହାଣୀଟା ଥରେ ଦେଖିବ ।

ତୁମର ଅଯୋଗ୍ୟ ଓ ଅଭାଗା ସଙ୍ଗୀ

ନାୟକ

 

ଏ ପତ୍ର ପଢ଼ିସାରିବା ସଙ୍ଗେ ସଙ୍ଗେ ରାମବାବୁ ଯଦୁନାଥ ହାତରୁ ଆହୁରି ଗୋଟାଏ ପୁଲିନ୍ଦା ନେଲେ । ସେଥିରେ ବହୁତ ଜଉମୁଦ ବସିଥିଲା । ତାକୁ ନିଜ କୁରୁତା ପକେଟରେ ରଖି, ସେ କହିଲେ, ‘ଏ ଚିଠିଟା କଥା ଆମେ କାହାକୁ କିଛି କହିବା ଦରକାର ନାଇଁ । ନାୟକ ମରିଯାଇଥାନ୍ତୁ ବା ପ୍ରାଣ ଧରି କୁଆଡ଼େ ପଳାଇଥାନ୍ତୁ, ଯାହାହେଲେ ବି ତାଙ୍କ ସୁନାମଟା ଆମକୁ ରଖିବାକୁ ହବ । ଆଉ କେତେ ରାତି ଅଛି କେଜାଣି । ଓଃ ଏଇ ତ ପାହାନ୍ତି କୁଆ ରାବିଲା । ମୁଁ ଯାଏ, ଯଦୁନାଥ । ଏ କାଳରାତି ପାହିଲା ଆସି । ମୁଁ ଏକାନ୍ତରେ ବସି ଏ ସବୁ କାଗଜ ପତ୍ର ପଢ଼େ ଆଗ । ଦୁଇପହର ଆଗରୁ ମୁଁ ଆସିବି । ଆସିଲେ ପୋଲିସକୁ ଖବର ଦେବ ।’’

•••

 

ଡାକ୍ତର ଦାସଙ୍କ ଆତ୍ମକଥା

 

ଆଜିକି ଚାରି ଦିନ ତଳେ, ଜାନୁଏରି ମାସ ନଅ ତାରିଖରେ, ମୁଁ ଗୋଟିଏ ପୁଲିନ୍ଦା ପାଇଲି । ମୋର ସଙ୍ଗୀ ଓ ସହକର୍ମୀ ଡାକ୍ତର ନାୟକଙ୍କଠାରୁ ତାହା ଆସିଥିଲା । ଆମେ ତ ଏକା ସହରର ଲୋକ । ବାରବର ଆମର ଦେଖାସାକ୍ଷାତ୍‌ କତାବାର୍ତ୍ତା ଆଦି ହୁଏ । ତା ପରେ ପୁଣି ତାର ପୂର୍ବ ଦିନ ମୁଁ ତାଙ୍କ ଘରକୁ ଖାଇବାକୁ ଯାଇଥିଲି । ସେତେବେଳେ ତ ସେ ଏ ଚିଠି କଥା ମତେ କିଛି କହିଲେ ନାହିଁ; ଅଥଚ ଗୋଟାଏ ଏତେ ବଡ଼ ଚିଠି ଜଉମୁଦ ବସା ପୁଲିନ୍ଦାରେ, ରେଜେଷ୍ଟ୍ରି କରି କାହିଁକି ଦେଲେ, ବୁଝିନପାରି ମୁଁ ବଡ଼ ବିସ୍ମିତ ହେଲି । ଚିଠିଟା ଖୋଲି ପଢ଼ିବାକୁ ବସିବାରେ ମୋର ବିସ୍ମୟ ଆହୁରି ବଢ଼ିଗଲା । ଚିଠି ଏହି ପ୍ରକାର–

 

ଡିସେମ୍ବର ୧୦ ତାରିଖ

 

ପ୍ରିୟ ଦାସ,

 

ତୁମେ ମୋର ବହୁକାଳର ବନ୍ଧୁ । ବୈଜ୍ଞାନିକ ବିଷୟ ଘେନି ତୁମର ମୋର କେବେ କିପରି ସିନା ମତଭେଦ ହୁଏ; ମାତ୍ର ମୋ ଆଡ଼ୁ କେବେ ମନୋମାଳିନ୍ୟ ଘଟିଥିବାର ମୋର ମନେ ହେଉନାହିଁ । ତୁମର କୌଣସି ଉପକାର କରିବାରେ ମୋର ସମସ୍ତ ଧନସମ୍ପତ୍ତି ବ୍ୟୟ କରିବା ଦରକାର ପଡ଼ିଥିଲେ, ମୁଁ ତହିଁକି ପଛାନ୍ତି ନାହିଁ । ବର୍ତ୍ତମାନ ମୋ ଜୀବନ ଓ ମୋ ମାନ ତୁମ ହାତରେ-। ତୁମେ ଯଦି ଆଜି ରାତିରେ ମୋତେ ସାହାଯ୍ୟ କରିବାକୁ ନାସ୍ତିକର, ମୋର ଆଉ ନିଷ୍କୃତି ନାହିଁ । ଏହା ପଢ଼ି ଭାବିବ ନାଇଁ ଯେ, ତୁମ ନିଜ ଜୀବନ ବା ମାନ ଉପରେ ଆଘାତ ଆସିବା ଭଳି କୌଣସି କାର୍ଯ୍ୟ କରିବାପାଇଁ ମୁଁ ତୁମକୁ ଅନୁରୋଧ କରୁଛି । କଥାଟାକୁ ଟିକିଏ ଭଲ କରି ବିଚାର କରିବ ।

 

‘ଆଜି ରାତିରେ ତୁମକୁ ଆଉ ସବୁ କାମ ଛାଡ଼ିଦେବାକୁ ହେବ । କୌଣସି ରାଜା ମୃତ୍ୟୁଶଯ୍ୟାରେ ପଡ଼ି ଡକାଇଲେ ବି ଯିବ ନାହିଁ । ତୁମ ନିଜ ଗାଡ଼ି ବାହାର କରିବାକୁ ଡେରି ହେଲେ, ଗୋଟାଏ ଭଡ଼ା ଗାଡ଼ି ଚଢ଼ି ଏଚିଠି ପାଇବା ସଙ୍ଗେ ସଙ୍ଗେ, ସିଧା ମୋ ଘରକୁ ଆସ । ଏ ଚିଠିଟା ସାଥିରେ ଆଣିବାକୁ ଭୁଲିଯିବନାହିଁ । ମୋ ଗୁମାସ୍ତା ଯଦୁନାଥ ତୁମ ଅପେକ୍ଷାରେ ଦୁଆରେ ଠିଆ ହୋଇଥିବ । ଜଣେ କମାର ମଧ୍ୟ ତା ପାଖେ ରହିଥିବ । ମୋ ଶୋଇବାଘର ଚାବିଟା ମୁଁ ସଙ୍ଗରେ ନେଇ ଆସିଛି; ତେଣୁ ଦୁଆରର କବାଟ ଭାଙ୍ଗି ଏକା ତୁମେ ଭିତରେ ପଶିବ । ବାଁ ପାଖ କାଚ ଆଲମାରିଟା ଚାବି ବନ୍ଦଥିଲେ, ତାଲା ଭାଙ୍ଗି ତାକୁ ଫିଟାଇବ । ଉପରୁ ଚତୁର୍ଥ, ତଳୁ ତୃତୀୟ ଥାକରେ, ଗୋଟାଏ ଥାଳିରେ, ଯେତେ ଯାହାଥିବ, ଥାଳି ସମେତ ସବୁ କାଢ଼ିଆଣିବ । ମୋ ମତି ଠିକ୍‌ ନ ଥିବା ଯୋଗେ ମୁଁ ହୁଏତ ଭୁଲ କଥାଟା ଲେଖୁଥିବି । ତେବେ ଏ ଥାକରେ ନ ଥିଲେ, ଆଉ କେଉଁ ଥାକରେ ଥାଇପାରେ । ମୁଁ ଯେଉଁ ସବୁ ଜିନିଷର ବିବରଣ ଦେଉଛି, ତୁମକୁ ସେଥିରୁ ଧରି ନେବାକୁ ହେବ । ଜିନିଷ ହେଉଛି-ଖଣ୍ଡିଏ ଖାତା, ଗୋଟାଏ ଶିଶି ଓ କେତେକ ଗୁଣ୍ଡ । ଏସବୁ ଜିନିଷ ଥାଳିରେ ଯେପରି ରହିଥିବ, ସେହି ଅବସ୍ଥାରେ ତାକୁ ଧରି, ନିଜ ଘରକୁ ଫେରିଯିବ ।

 

‘‘ଏ ଗଲା ପ୍ରଥବ ବରାଦ । ଏବେ ଦ୍ୱିତୀୟ ବରାଦ କଥା ଲେଖୁଛି । ଏ ଚିଠି ପାଇବା ସଙ୍ଗେ ସଙ୍ଗେ ତୁମେ ଆସିଲେ, ରାତି ବାରଟାର ବହୁତ ପୂର୍ବରୁ ଫେରିଯାଇପାରିବ, କିନ୍ତୁ ଏତେ ଆଗରୁ ଫେରିଲେ, କିଛି ଲାଭନାହିଁ । ତୁମ ଘରେ ସମସ୍ତେ ଶୋଇପଡ଼ିଲା ପରେ, ଏକାନ୍ତରେ ବସି, ତୁମକୁ କାମ କରିବାକୁ ପଡ଼ିବ । ତୁମେ ତୁମ କଚେରି ଘରେ ବସିବ । ସେତେବେଳେ ମୋର ଜଣେ ଲୋକ ଯାଇ ତୁମ ସଙ୍ଗେ ଦେଖା କରିବି । ତାରି ହାତେ ସେ ଥାଳିଟା ତୁମେ ଦେଇଦେବ । ତାହାହେଲେ ମୋ ଅନୁରୋଧ ଅନୁସାରେ ତୁମେ କାମଟା କଲ ବୋଲି ବୁଝିବାକୁ ହେବ । ଏ କାମ ଲାଗି ମୁଁ ବଡ଼ କୃତଜ୍ଞ ହେବି, ଜାଣିବ । ଏସବୁ ବଡ଼ ଜରୋରୀ । ୟାରି ଉପରେ ମୋ ଜୀବନ ମରଣ ନିର୍ଭର କରୁଛି । ମୁଁ ଯାହା ସବୁ ଲେଖିଲି, ଭୁଲ କ୍ରମେ ଏଥିରୁ ଗୋଟିକରେ ବ୍ୟତିକ୍ରମ ଘଟିଲେ ମୋର ମୃତ୍ୟ, ପାଗଳାମି କିମ୍ବା ଘୋର ଅପମାନ ପାଇଁ ତୁମକୁ ଦାୟୀ ହେବାକୁ ପଡ଼ିବ ।’’

 

‘‘ମୋ ଅନୁରୋଧ ଯେ ତୁମେ ରକ୍ଷା ନ କରିବ, ସେ ସନ୍ଦେହ ମୋର ନାହିଁ । ତଥାପି କାଳେ ତୁମେ ନାରାଜ ହେବ, ସେ କଥା ଭାବିଲେ, ମୋ ହାତ ଥରୁଛି, ମୋ ହୃତ୍‌ପିଣ୍ଡ କମ୍ପୁଛି । ଦେଖ, ଭାଇ ! ମୁଁ ଗୋଟାଏ ମସ୍ତ ବିପଦରେ ପଡ଼ିଛି । ମୋ ବରାଦ ମୁତାବକ ତୁମେ ଏ କାମତକ କରିଦେଲେ, ମୁଁ ସେଥିରୁ ଉଦ୍ଧାର ପାଇବି ।

 

ତୁମର ସଙ୍ଗୀ

ନାୟକ’’

 

‘‘ପୁନଶ୍ଚ–ଲେଖିସାରିବା ପରେ ମୋର ଆଉ ଗୋଟାଏ ଆତଙ୍କ ହେଉଛି, କାଳେ ଯଦି ଡାକବାଲା ଡେରି କରିଦେବ, ଏ ଚିଠି କାଲି ସକାଳକୁ ଯାଇ ପାଇବ । ତେବେ ମଧ୍ୟ ତୁମକୁ ଏ ବରାଦ ଅନୁସାରେ ସଙ୍ଗେ ସଙ୍ଗେ କାମ କରିବାକୁ ହେବ । ଅବଶ୍ୟ ମୋ ଲୋକ ଆଜି ରାତି ଅଧକୁ ତୁମ ପାଖକୁ ଯିବ; କିନ୍ତୁ କାଲି ରାତି ଅଧକୁ ପୁଣି ଯିବାପାଇଁ ତୁମେ ତାକୁ କହିବ । କାଲି ରାତି ପର୍ଯ୍ୟନ୍ତ ଗଡ଼ିଗଲେ, ବହୁତ ଡେରି ହୋଇଯିବ ଅବଶ୍ୟ; ମାତ୍ର କାଲି ରାତି ଭିତରେ ସବୁ ନ ସାରିଲେ, ବୁଝିବ ଯେ ତୁମରି ହେଳାରେ ମୋତେ ଇହଲୋକରୁ ଚାଲିଯିବାକୁ ହେଲା ।’’

 

ଏ ଚିଠିଟା ପଢ଼ି ମୁଁ ବୁଝିଲି ଯେ ଡାକ୍ତର ନାୟକ ପାଗଳ ହୋଇଯାଇଛନ୍ତି; କିନ୍ତୁ ତାର ସଠିକ ପ୍ରମାଣ ନପାଇବା ପର୍ଯ୍ୟନ୍ତ ତାଙ୍କ ବରାଦ ଅନୁଯାୟୀ କାର୍ଯ୍ୟକାରୀ ହେବାକୁ ସ୍ଥିର କଲି । ଏ ଗୋଲକଧନ୍ଦା ଭିତରେ ପ୍ରବେଶ କରିବାରେ ମୁଁ ଯେତିକି ଅସମର୍ଥ ହେଲି, ଏହାର ମୂଲ୍ୟ ମୋ ପାଖେ ସେତିକି ବଢ଼ିବାକୁ ଲାଗିଲା । ତେଣୁ ଚିଠିଟା ପଢ଼ିସାରିବା ସଙ୍ଗେ ସଙ୍ଗେ ମୁଁ ଗୋଟାଏ ଠିକା ଗାଡ଼ିରେ ବସି ଲମ୍ବେ ଲମ୍ବେ ଡାକ୍ତର ନାୟକଙ୍କ ଘରକୁ ଗଲି । ମୋ ଅପେକ୍ଷାରେ ଯଦୁନାଥ ଦୁଆରେ ଠିଆ ହୋଇଥିଲା । ସେ ମଧ୍ୟ ମୋ ପରି ସେହି ଅପରାହ୍ନରେ ଖଣ୍ଡିଏ ରେଜିଷ୍ଟ୍ରି ଚିଠି ପାଇଥିଲା । ତାହା ପାଇ ସେ ଜଣେ କମାର ଓ ଜଣେ ବଢ଼େଇକି ଅଣାଇ ରଖିଥିଲା । ସଙ୍ଗେ ସଙ୍ଗେ ଆମେମାନେ ଶୋଇବା କୋଠରୀ ପାଖକୁ ଗଲୁ । କବାଟଟା ଶିଶୁ କାଠରେ ତିଆରି, କଳାମୁଗୁନି ପଥର ପରି ଦିଶୁଛି । ସେଥିରେ ପୁଣି ଦୋହରି ଆଲିଗଡ଼ ତାଲା ପଡ଼ିଛି । କମାର ଓ ବଢ଼େଇ ଦୁହେଁ ହତାଶ ହୋଇପଡ଼ିଲେ । ଯାହାହେଉ ପୂରା ଦୁଇ ଘଣ୍ଟା ପରେ କବାଟଟା ଫିଟିଲା । ମୁଁ ବରାଦ ଅନୁସାରେ ଆଲମାରି ଫିଟାଇ ଥାକ ଭିତରୁ ଥାଳିଟି ଉଠାଇ ଆଣିଲି । ତା ପରେ ତାକୁ ଭଲରୂପେ ବନ୍ଧାବନ୍ଧି କରି ନିଜ ଘରକୁ ଫେରିଲି ।

 

ସେତେବେଳେକୁ ରାତି ଏଗାରଟା ଉପରେ । ସଅଳ ଖାଇପିଇ ଶୋଇପଡ଼ିବାକୁ ମୁଁ ଆଗରୁ ଘରେ ସମସ୍ତଙ୍କୁ କହିଥିଲି । ମୁଁ ଏକା ମୋ ଆରାମ କରିବା କୋଠରୀରେ, ଭିତରୁ କିଳିଣି ଲଗାଇ ବସି ଥାଳିରେ ଥିବା ଜିନିଷଗୁଡ଼ିକ କାଢ଼ି ଦେଖିବାରେ ଲାଗିଲି । ପ୍ରଥମେ ଚୂର୍ଣ୍ଣଟା ବାହାର କଲି । କିଣା ଚୂର୍ଣ୍ଣ ଓଷଦ ଯେପରି ଧୂଳି ସମାନ ଗୁଣ୍ଡ ହୋଇଥାଏ, ଏହା ସେପରି ହୋଇ ନ ଥିଲା, ହାତକୁ ଖଦଖଦଡ଼ିଆ ଲାଗୁଥିଲା । ୟାକୁ ନିଶ୍ଚୟ ଡାକ୍ତର ନାୟକ ନିଜ ହାତରେ ତିଆରି କରିଥିବେ-। ଏଥି ସହିତ ମେଞ୍ଚାଏ ଧଳା ଲବଣ ଥିଲା । ତାପରେ ଶିଶିଟା କାଢ଼ି ଦେଖିଲି ଯେ ସେଥିରେ ଅଧା ପର୍ଯ୍ୟନ୍ତ ଗୋଟାଏ ରକ୍ତପରି ଲାଲ୍‌ ଦ୍ରବ୍ୟ ରହିଛି । ଠିପିଟା ଫିଟାଇଲା ମାତ୍ରେ ତହିଁରୁ ତୀବ୍ର ଗନ୍ଧ ବାହାରିଲା । ଏପରି କି ସେଠାରେ ରହିହେଲା ନାହିଁ । ତେଣୁ ତା ଠିପି ବନ୍ଦକରି, ଅନ୍ୟ ଔଷଧ କିଛି ନ ଦେଖି, ମୁଁ ଖାତାଟା ଖୋଜିଲି । ସେଥିରେ କେବଳ ଅନେକ ବର୍ଷ ଧରି ଗୁଡ଼ାଏ ତାରିଖର ଉଲ୍ଲେଖ ଥିଲା; କିନ୍ତୁ ବର୍ଷେ ହେଲା ଆଉ କିଛି ଲେଖାଯାଇ ନାହିଁ ।

 

ସ୍ଥାନେ ସ୍ଥାନେ ଗୋଟାଏ ଗୋଟାଏ ତାରିଖରେ ଲେଖାଥିଲା କେବଳ ଚାରିଟା ଅକ୍ଷର ‘‘ଦୁଇ ରୂପ ।’’ ସାତ ଆଠ ଶହ ତାରିଖ ଭିତରେ ଏହା ପ୍ରାୟ ମୋଟରେ ଛ ଥର ମିଳିଲା । ପ୍ରଥମ ଥରର ଏହି ଲେଖା ପାଖେ ପୁଣି ଲେଖାଥିଲା–‘‘ସମ୍ପୂର୍ଣ୍ଣ ବିଫଳ ।’’ ଏ ସବୁରେ କୌତୂହଳର ମାତ୍ରା ସିନା ବଢ଼ିଲା; କିନ୍ତୁ ମୋର ବୁଝିବାରେ କିଛି ସାହାଯ୍ୟ ହେଲାନାହିଁ । ଡାକ୍ତର ନାୟକ ନାନାପ୍ରକାର ନୂଆ ନୂଆ ଔଷଧ ବାହାର କରିବାକୁ ବରାବର ଚେଷ୍ଟାକରି ବୁଫଳ ହୁଅନ୍ତି, ସେ କଥା ମୁଁ ଜାଣିଥିଲି-। ଏବେ ମୋ ଆଖି ଆଗରେ ତିନିଟା ଜିନିଷ ଦେଖିଲି–ଖଣ୍ଡିଏ ଖାତା, ଗୋଟିଏ ଶିଶି ଓ କେତେକ ଚୂର୍ଣ୍ଣ । ଏ ସବୁ ସହିତ ଡକ୍ତର ନାୟକଙ୍କ ମରଣ, ପାଗଳାମି କିମ୍ବା ଅପମାନର କି ସମ୍ପର୍କ ଥାଇପାରେ, ମୁଁ ଆଦୌ ଅନୁମାନ କରିପରିଲି ନାହିଁ । ତା’ପରେ ଭାବିଲି, ତାଙ୍କ ଲୋକ ଯଦି ନ ଆସେ, କଣ ହେବ; ଆସିଲେ ବା ଏକାନ୍ତରେ ଦେଖା କରିବାର ଅଭିପ୍ରାୟ କଣ ? ମୁଁ ଏସବୁ କଥା ଯେତେ ଭାବିଲି, ମୋର ଧାରଣା ସେତିକି ଦୃଢ଼ହେଲା ଯେ, ମୁଁ ଜଣେ ବିକୃତ ମସ୍ତିଷ୍କ ରୋଗୀ ସହିତ କାରବାର କରୁଛି; ତେଣୁ ମୋର ଗୋଟାଏ ଭାରି ଭୟହେଲା । ମୁଁ ବନ୍ଧୁକଟାଏ ଆଣି ଟୋଟା ପକାଇ, ପାଖରେ ରଖି ତୁନି ହୋଇ ବସି ରହିଲି ।

 

ଘଣ୍ଟାରେ ଯେତେବେଳେ ଠିକ୍‌ ବାରଟା ବାଜିଲା, ଦୁଆରେ ପାଟି ଶୁଭିଲା, ‘‘ବାବୁ ।’’ ମୁଁ ଶୁଣୁ ଶୁଣୁ ଉଠିଯାଇ କବାଟ ଫିଟାଇ ଦେଖିଲି, ଜଣେ ଗେଡ଼ାଆସିଆ ରୁକ୍ଷଲୋକ ନିଜ ମୁହଁଟା ଲୁଚାଇବା ଭଳି ଠାଣିରେ ଠିଆ ହୋଇଛି । ମୁଁ ପଚାରିଲି, ‘‘ତୁମେ କଣ ଡାକ୍ତର ନାୟକଙ୍କ ପାଖକୁ ଆସିଲ ?’’ ସେ ନିଜର ମୁଣ୍ଡଟା ନାଡ଼ି ସ୍ୱୀକୃତି ଜଣାଇଲା, ପାଟି ଫିଟାଇଲା ନାହିଁ । ମୁଁ ତାଙ୍କୁ ଘର ଭିତରକୁ ଆସିବାକୁ ଡାକିଲି । ସେ ଥରେ ପଛକୁ ଚାହିଁ, ଚୋର ପଶିଲା ପରି, ଚଉକାଠ ଡେଇଁ ଚାଲିଆସିଲା । ଖଣ୍ଡେ ଦୁରରେ ଜଣେ ପୋଲିସ ସିପାହୀ ବିଲେଇ ଆଖି ପ୍ରାୟ ଦୁଇଟା ଜ୍ୱଳନ୍ତ ଆଖି ଦେଖାଇ ଠିଆ ହୋଇଥିଲା । ମୋର ମନେ ହେଲା ଏ ଲୋକଟା ତାକୁ ହିଁ ଦେଖି ଭୟରେ ଘର ଭିତରକୁ ଚାଲିଆସିଲା । ନୋହିଲେ ସେ ସହଜରେ ମୋତେ ନିଜ ମୁହଁ ଦେଖାଇ ନଥାନ୍ତା ।

 

ମୋର ବିଲକ୍ଷଣ ମନେ ପଡ଼ୁଛି ଯେ ଲୋକଟା ଘର ଭିତରେ ପଶିବାରେ ମୋ ଛାତି ଥରିବାକୁ ଲାଗିଲା । ତେଣୁ ମୁଁ ବନ୍ଧୁକଟାକୁ ହାତରେ ଧଇଲି । ସେତେବେଳେ ଯାଇ ତା ମୁହଁକୁ ସିଧା ଚାହିଁବାକୁ ମୋର ସାହସ ଆସିଲା । ତା ମୁହଁଟା ଭାରି ବେଆଡ଼ା, ମନୁଷ୍ୟ ମୁହଁ କେବେ ସେପରି ହେବାର ମୁଁ ଦେଖି ନାହିଁ । ତା ନିକଟରେ ଦୁଇ ହାତ ଛାଡ଼ି ଠିଆ ହେବାକୁ ମୋତେ ଡର ମାଡ଼ିଲା । ମୋର ମନେ ହେଲା ସତେ ଅବା ମୋ ନାଡ଼ୀ ଛାଡ଼ିଯାଉଛି । ମୁଁ କାରଣ ତ ଖୋଜି ପାଇଲି ନାହିଁ । ଲୋକଟା ଭିତରେ ନିଶ୍ଚୟ ଏପରି କିଛି ଗୁଣ ଥିଲା ଯେ, ତା ପାଖରେ ଠିଆ ହେଲେ, ଭୟରେ ଗୋଟାଏ ଭାରା ଆସି ଠିଆହେବା ଲୋକ ମୁଣ୍ଡରେ ପଡ଼ିଯାଉଥିଲା । ମୁଁ ମନକୁ ମନ ଭାବିଲି, ‘‘ଯେମିତି ପାଗଳ ନିଜେ, ଲୋକ ବି ପଠେଇଚି ବାଛି ବାଛି ସେମିତି ।’’

 

ଲୋକଟାର ଲୁଗା ପିନ୍ଧା ମଧ୍ୟ ବିଚିତ୍ର । ଭଲ ଭଲ ଦାମିକା ଲୁଗାପଟା ଅବଶ୍ୟ ପିନ୍ଧିଥିଲା; କିନ୍ତୁ ପିନ୍ଧା ଲୁଗାଟା ଏତେ ଚଉଡ଼ା ଯେ କୁଞ୍ଚ କାନି ନାହି ପାଖେ ମେଞ୍ଚାଏ ଖୋସିଲେ ସୁଦ୍ଧା ତଳେ ଘୁଷୁରୁଥିଲା । କୁରୁତାଟା ଆଣ୍ଠୁ ତଳ ପର୍ଯ୍ୟନ୍ତ ଲମ୍ବ ଥିଲା; ଦେଖିଲେ ମନେ ହେଉଥିଲା ଯେ ଦରଜି ତା ଅଣ୍ଟାକୁ ମାପି କୁରୁତା ବେକ କାଟିଛି । ଏପରି ବେଶ ଦେଖିଲେ ହସ ମାଡ଼ିବା କଥା; କିନ୍ତୁ ମୁଁ ଶତ ଚେଷ୍ଟାକରି ସୁଦ୍ଧା, ମୁହଁରେ ସାମାନ୍ୟ ହସ ଫୁଟାଇ ପାରିଲିନାହିଁ । କେବଳ ଭାବିବାକୁ ଲାଗିଲି, ‘‘ଆଜି ଭାଗ୍ୟରେ କଣ ଅଛି କେଜାଣି । ଏ ଲୋକଟା କଣ କାହାର ପ୍ରେତ ପୁରୁଷ, ମୋତେ ଗ୍ରାସିବାକୁ ଆସିଚି ?’

 

ଏତେଗୁଡ଼ାଏ ଚିନ୍ତା ମନରେ ହେଲା । ସବୁ କିନ୍ତୁ କ୍ଷଣକ ମଧ୍ୟରେ ଘଟିଗଲା, ସେଥିପାଇଁ ସମୟ ଲାଗିଲା ନାହିଁ । ସେହି କ୍ଷଣକ ପରେ ସେ ପଚାରିଲା, ‘‘କଣ, ବାବୁ, ପାଇଚ ? ପାଇଚ ?’’ ପଚାରୁ ପଚାରୁ ମୋଠାରୁ ଉତ୍ତର ନ ପାଇ, ସେ ମୋ ଡେଣାକୁ ଧରି ହଲାଇ ଦେଇ, ପୁଣି ପଚାରିଲା, ‘‘କଣ ଶୁଭୁଚି ନା ?’’ ମୋ ଡେଣାଟା ପଲକକ ମଧ୍ୟରେ ବରଫ ପାଲଟିଗଲା । ତେଣୁ ମୁଁ ତାକୁ ଗରମ କରିବାକୁ ଉଚ୍ଚସ୍ୱରରେ ରୁକ୍ଷଭାବରେ କହିଲି, ‘‘କିପରି ଲୋକ ତୁମେ ! ତୁମ ସହିତ ମୋର ଜଣା ନାଇଁ ଶୁଣା ନାଇଁ; ଆସି ଦେହରେ ହାତ ଲଗାଇ ଦେଉଚ । ଏଟା କଣ ଭଦ୍ରତା ? ଯାଅ ସେଠି ବସ’’ କହି ମୁଁ ତାକୁ ଖଣ୍ଡେ ଦୂରରେ ପଡ଼ିଥିବା ଗୋଟାଏ ଚଉକି ଦେଖାଇଦେଲି ଓ ମୁଁ ନିଜେ ମୋ ବସିବା ଆସନରେ ବସିପଡ଼ିଲି । ସେତେବେଳେ ସେ କହିଲା, ‘‘ଡାକ୍ତରବାବୁ, ମତେ ମାଫ୍‌ କର ।

 

ମୁଁ ଜିନିଷଟା ପାଇବାକୁ ଅଧୀର ହୋଇ ପଡ଼ିଥିଲି କି ନା, ସେଥିପାଇଁ ଭଦ୍ରତା ଭୁଲିଗଲି-। ତୁମ ସାଙ୍ଗ ଡାକ୍ତର ନାୟକ ମତେ ଗୋଟାଏ ଜରୁରି କାମରେ ପଠେଇଥିଲେ । ତୁମେ ସେ ଥାଳି.......-।’’ ସେ ଆଉ କହିପାରିଲା ନାହିଁ, ତାର କଣ୍ଠରୋଧ ହୋଇଗଲା । ସେ ଦୁଇ ଚାରିଥର କାଶିଲା ସତ; କିନ୍ତୁ ଫଳ ବେଶି କିଛି ହେଲା ନାହିଁ । ତାହା ଦେଖି ମୁଁ କହିଲି, ‘‘ହଁ ଥାଳିଟା ମୁଁ ଆଣିଚି-। ସେଇଠି କଣରେ ଅଛି ।’’ କହି କୋଠରୀରେ ଗୋଟାଏ କଣ ଆଙ୍ଗୁଠିରେ ନିର୍ଦ୍ଦେଶ କଲି ।

 

ଦେଖିଲି, ସେ ବସିଲା ନାହିଁ; ଦୁଇ ପାହୁଣ୍ଡରେ ପ୍ରାୟ ଛ ହାତ ବାଟ ଡେଇଁ ସେହି କଣରେ ଯାଇ ପହଞ୍ଚିଲା । ତା ମୁହଁଟା ହଠାତ୍‌ ଅତ୍ୟନ୍ତ ବିକଟ ଦିଶିଗଲା । ଦାନ୍ତ କଡ଼ମଡ଼ କରି ସେ ଥାଳିଟା ପାଖେ ବସିପଡ଼ିଲା; କିନ୍ତୁ ତାର ଅଷ୍ଟାଙ୍ଗ ଶରୀର ଥରିବାକୁ ଲାଗିଲା । ମୋ ନିଜର ଯେ ମଧ୍ୟ ଥରୁ ନଥିଲା, ତା ନୁହେ । ତଥାପି ମୁଁ କହିଲି, ‘‘ଏତେ ଅଧୀର ହୁଅନାଇଁ, ଧୈର୍ଯ୍ୟ ଧର ।’’ ସେ ଏକ ବିକଟ ହାସ୍ୟରେ ମୋ ଆଡ଼କୁ ଚାହିଁଲା ଓ ଥାଳିଟାକୁ ହାତରେ ଧରି, ନୈଶ୍ଚିନ୍ତ୍ୟର ନିଦର୍ଶନ ସ୍ୱରୂପ, ଏପରି ଏକ ଦୀର୍ଘନିଶ୍ୱାସ ପକାଇଲା ଯେ, ମୁଁ ମନେକଲି, ତାହା ସତେ ଅବା ମୋତେ ଉଡ଼ାଇ ନେବ; କିନ୍ତୁ ମୋ ମନର ଏହି ଭାବ ବେଶି ସମୟ ରହିଲା ନାହିଁ । ସେ ମାଗିବା ଭଳି ସ୍ୱରରେ କହିଲା, ‘‘ଗୋଟିଏ ମାପ କାଚ ଗିଲାସ ଦିଅ ।’’ ମୁଁ ଗୋଟାଏ ପରିବର୍ତ୍ତନ ଲୋଡ଼ୁଥିଲି; ତେଣୁ ସେଠାରୁ ଉଠିଯାଇ, କିଛି ସମୟ ପରେ, ତାର ଅନୁରୋଧ ରକ୍ଷାକଲି । ଗିଲାସ ପାଇ ସେ ଖୁବ୍‌ ଖୁସି ହେଲା । ସେଥିରେ ସେ ଶିଶୁର ନାଲିଆ ଦ୍ରବ୍ୟ କେତେ ଟୋପା ଢାଳି, ତହିଁରେ କିଛି ଚୂର୍ଣ୍ଣ ମିଶାଇଲା । ଚୂର୍ଣ୍ଣଦ୍ରବ୍ୟ ସହିତ ଯେତିକି ମିଶିଲା, ତାହା ରକ୍ତବର୍ଣ୍ଣ ସେତିକି ହରାଇବାକୁ ବସିଲା । ଶେଷରେ ଗିଲାସରେ ଅଧେକାନ୍ତର ସ୍ୱଚ୍ଛ ପାଣି ଦେଖାଗଲା । ସେଥିରୁ ସେଁ ସେଁ ହୋଇ ବାଷ୍ପ ବାହାରୁଥାଏ । କେତେକ ସମୟ ପରେ ସେ ଜିନିଷଟା ହଠାତ୍‌ ଭରଭର ହୋଇ ଉତୁରି ପୁଣି ନାଲିଆ ଦିଶିଗଲା; ମାତ୍ର ଏ ନାଲିଆ ରଙ୍ଗ କ୍ରମେ ସବୁଜରେ ପରିଣତ ହେବାକୁ ଲାଗିଲା । ଲୋକଟା ଉତ୍କଣ୍ଠାରେ ସବୁ ଦେଖୁଥିଲା ।

 

ଶେଷରେ ସେ ଗିଲାସଟାକୁ ମେଜ ଉପରେ ଥୋଇ, ମୋ ଆଡ଼କୁ ଗୋଟାଏ ତୀବ୍ର ଦୃଷ୍ଟିରେ ଚାହିଁ କହିଲା, ‘‘ଆଉ ବାକି ରହିଲା କେବଳ ଶେଷ କଥା । ତୁମେ ଯଦି ମତେ ଏ ଗିଲାସଟା ଧରି ଏଠୁ ଚାଲଇଯିବାକୁ ଛାଡ଼ିଦେବ, ସେଟା ତୁମ ପକ୍ଷରେ ଭଲ ହବ । ତେବେ ଯଦି ତୁମେ ଭାବୁଥିବ ଯେ ଏସବୁ ନାଟ କଣ ଲାଗିଚି, ଆଉ କାହିଁରେ ଯାଇ ସରିବ, ନଦେଖି, ଛାଡ଼ିବନାଇଁ, ତାହାହେଲେ ଅଲଗା କଥା । ଭାବିକରି କହ, କଣ ତୁମର ଇଚ୍ଛା । ତୁମେ ଯାହା କହିବ, ତାଇ ହବ । ତୁମେ ଯଦି ନିଜ ଆଖିରେ ସବୁ ଦେଖିବାକୁ ଇଚ୍ଛା କରିବ, ତେବେ ଏପରି ଜିନିଷ ଦେଖିବ, ଯାହା କି ଚମ ଆଖିରେ ମଣିଷ କେବେ ଦେଖିନାଇଁ । ସେଥିରେ ତୁମର ଗୋଟାଏ ବଡ଼ ଶିକ୍ଷାହବ, ଯେପରି ଶିକ୍ଷା କି ମଣିଷ କେବେ ପାଇ ନାଇଁ କି ପାଇବ ନାଇଁ; ମାତ୍ର ଦେଖିଲେ ତୁମ ଆଖି ଝଲସିଯିବ, ଫୁଟି ଗଲାପରି ଲାଗିବ । ହୁଏତ ଫଳ ଆହୁରି ଖରାପ ହୋଇପାରେ, ତୁମ ପ୍ରାଣ ଉପରେ ପଡ଼ିପାରେ । ଦେଖ, ବିଚାର କର, ଡରନାଇଁ, କଣ ଇଚ୍ଛା କହ ।’’

 

ସେତେବେଳକୁ ମୋର କଣ ଆଉ ଧୈର୍ଯ୍ୟ ଥିଲା ? ଭାବିଲି, ଲୋକଟା ପଳାଇଲେ ମୁଁ ତ୍ରାହି ପାଇବି । ଏ ତ ମଧ୍ୟ ନିଜେ ଯିବାକୁ କହୁଚି । ଖାଲି ମୋର ଗୋଟାଏ ଚାରି ପଇସା ଦାମର ଗିଲାସ ଯିବ । ମାତ୍ର ଏ ରହସ୍ୟ ତ କିଛି ବୁଝିପାରିବି ନାଇଁ । ଦେଖାଯାଉ କଣ ହେଉଚି । ଏହିପରି ଭାବି, ମୁଁ କହିଲି, ‘‘ତୁମେ ତ ପାଗଳ ପରି ଏଣୁ ତେଣୁ ଗୁଡ଼ାଏ ବକୁଚ । ମୋର କଣ ବିଶ୍ୱାସ ହେଉଚି ? ତୁମେ ରହିଲେ ରହ, ଗଲେ ଯାଅ । ରହିଲେ, ତୁମେ ଯୁ ବୃଥା ପ୍ରୋଢ଼ି ଦେଖାଉଚ, ଧରା ପଡ଼ିଯିବ । ଧରା ପଡ଼ିବାକୁ ଇଚ୍ଛା ଥିଲେ, ରହ ।’’

 

ଏହାର ଉତ୍ତରରେ ସେ ଲୋକ କହିଲା, ‘‘ଡାକ୍ତର ବାବୁ, ଦେଖୁଚି; ତୁମ ଇଚ୍ଛା, ମୁଁ ରହେ-। ଆଚ୍ଛା, ରହୁଚି । ତୁମେ ତ ଗୋଟାଏ ବଡ଼ ଅବିଶ୍ୱାସୀ । ଦବେଇରେ କିପରି ଅସାଧ୍ୟ ସାଧନ ହୋଇପାରେ, ତୁମେ କେବେ ବିଶ୍ୱାସ କରିନାହଁ । ଡାକ୍ତର ନାୟକଙ୍କ ସହିତ ତୁମର ଯଦି କେବେ ମତଭେଦ ହୋଇଥାଏ, ତା କେବଳ ଏଇଥିପାଇଁ । ଆଚ୍ଛା, ଆଖି ବୁଜିଦବ ନାଇଁ, ଚାହିଁଥିବ; ଦେଖ, କଣ ହେଉଚି ।’’ ଏହିପରି କହି, ସେ ଗିଲାସଟା ପାଟିରେ ଢାଳି ଢୋକକେ ସବୁତକ ନିକାଶ ପିଇଦେଲା । ସଙ୍ଗେ ସଙ୍ଗେ ତା ପାଟିରୁ ଭୀଷଣ ଚିତ୍କାର ବାହାରିଲା; ସେ ନାଚିଲା, ଡେଇଁଲା, ପାଗଳଙ୍କ ପରି ହସିଲା, ତା ପାଟି ଆଁ ହୋଇଗଲା; ତା ଆଖି ଦିଓଟା ଜଳିଲା । ଏ ସବୁ ଭିତରେ ତା ଦେହରେ ମଧ୍ୟ ଗୋଟାଏ ଅବୋଧ୍ୟ ପରିବର୍ତ୍ତନ ଘଟୁଥିବାର ମୁଁ ଦେଖିଲି । ସେ ଲମ୍ବା ହୋଇଆସିଲା, ତାର ବିକଟ ବିରସ ମୁଖମଣ୍ଡଳ ପଦ୍ମର ଆଭାରେ ପ୍ରଫୁଲ୍ଲିତ ହେଲା; ତାର କଳା ବର୍ଣ୍ଣ ଗୋରା ପାଲଟିବାକୁ ଲାଗିଲା । ମୁଁ ଚମକି ପଡ଼ି ପଛକୁ ଘୁଞ୍ଚିଗଲି; ମାତ୍ର କାନ୍ଥଟା ବାଧା ଦେଲା-। ବନ୍ଧୁକଟା ମୋ ହାତରୁ ଖସିପଡ଼ିଲା । ମୁଁ ବୋଧ କଲି, ମୁହୂର୍ତ୍ତକ ଭିତରେ ସତେ ଅବା ମୋ ଆଗରେ ଗୋଟାଏ ବ୍ରହ୍ମରାକ୍ଷସ ଆସି ଠିଆ ହେବ, ଆଉ ସେତେବେଳେ ସହାୟ ହେବାକୁ ସେ ଲୋକଟା ବି ନଥିବ । ଏହିପରି ସମୟରେ, ମୁଁ ମୁହଁରେ ନାରାୟଣ, ମଧୁସୂଧନ ଜପୁଛି; ମୋ ଆଗରେ ଠିଆ ହୋଇଗଲା ସ୍ୱୟଂ ଡାକ୍ତର ନାୟକଙ୍କ ମୂର୍ତ୍ତି ।

 

ତା’ପରେ ଘଣ୍ଟାଏ ଖଣ୍ଡେ କାଳ ଡାକ୍ତର ନାୟକ ମୋତେ କଣ କହିଲେ, ମୁଁ କାଗଜ କଲମ ଧରି ଧରି ପ୍ରକାଶ କରିବାକୁ ଅକ୍ଷମ । ମୁଁ ଯାହା ଦେଖିଲି, ମୋ ଆଖିରେ ରହିଲା, ଯାହା ଶୁଣିଲି, କାନର କୁହର ତାକୁ ବାନ୍ଧିାରଖିଲା । ଏବେ ବି ମନେ ହେଉଛି ଯେ ମୁଁ ପ୍ରକୃତରେ ସେ ସବୁ କିଛି ଦେଖିନାହିଁ କି ଶୁଣିନାହିଁ, ସବୁ କେବଳ ଗୋଟାଏ କାଳସ୍ୱପ୍ନ । ମୋ ପ୍ରାଣର ମୂଳ ଉପୁଡ଼ି ପଡ଼ିଛି; ମୋର ଆଉ ଆହାର ନିଦ୍ରା ନାହିଁ; କି ଦିନ କି ରାତି ଭୟରେ ମୁଁ ଥରିବାରେ ଲାଗିଛି; ମୋ ଦିନ କାଳ ସରିଲାଣି ବୋଲି ମୋର ସର୍ବଦା ମନେ ହେଉଛି; ମୁଁ ଯେ ନିଜେ ଡାକ୍ତର ଦାସ ନୁହେ, ତାର ଭୂତ; ଅନବରତ ମୋର ଏହି ଜ୍ଞାନ ହେଉଛି । ମୁଁ ତ ମରିବି, ମାତ୍ର ନର୍କରେ ପଡ଼ି କେବଳ ସନ୍ଦେହରେ ବୁଡ଼ିରହିବି । ଓଃ, ସେ ଲୋକଟା ମୋ ଆଗରେ ପାପର କାହାଣୀମାନ ନ କହିଲା ।

 

ରାମବାବୁ, ତୁମେ ମୋର ଅନ୍ତରଙ୍ଗ ବନ୍ଧୁ; ତାର ମଧ୍ୟ; କିନ୍ତୁ ତୁମେ ଯଦି ଏ ପ୍ରହେଳିକା ସବୁ ବିଶ୍ୱାସ କର, ତେବେ ତା ପ୍ରତି ଓ ମୋ ପ୍ରତି ତୁମର ବନ୍ଧୁତାର ପ୍ରମାଣ ଦେବ । ଡାକ୍ତର ନାୟକ ସେଦିନ ରାତିରେ ମୋ ଘର ଛାଡ଼ି ଯିବା ଆଗରୁ ମୋତେ କହିଗଲା ଯେ, ଯେଉଁ ଲୋକଟା ମୋ ଘରକୁ ଆସିଥିଲା, ସେ ହେଉଛି, ଚୂଡ଼ଙ୍ଗ ଜମିଦାରଙ୍କ ହତ୍ୟାକାରୀ ବୋଲି ଯେଉଁ ସଦେଇ ଜେନାକୁ କେବଳ ପୋଲିସ କାହିଁକି, ସାରା ସଂସାର ଖୋଜିଲାଗିଛି, ସେହି ସଦେଇ ଜେନା ।

 

ଗଦାଧର ଦାସ

•••

 

ଡାକ୍ତର ନାୟକଙ୍କ ଆତ୍ମ-ପ୍ରକାଶ

 

୧୮୪୬ ମସିହାରେ ମୋର ଜନ୍ମ । ଏବେ ମୁଁ ଗୋଟିଏ ଧନୀ ପରିବାରର ଏକମାତ୍ର ପୁତ୍ର । ତା’ପରେ ପୁଣି ବିଧାତା ମୋତେ ଅନେକ ସୁଗୁଣ ଦେଇଥିଲା । ତାହା ଦେଖି ଲୋକେ କହୁଥିଲେ ଯେ ମୁଁ ଭାବୀ ବୟସରେ ଜଣେ ମହତ୍‍ ଲୋକ ହେବି । ଲୋକ ସାଧାରଣଙ୍କର ଏହି ଆଶା ଅନୁସାରେ ମୁଁ ନିଜର କ୍ରିୟାକଳାପ ନିୟନ୍ତ୍ରଣ କରିବାକୁ ବସିଲି । ମୋ ଭିତରେ ଯେ କେତେକ ମାନବସୁଲଭ ଦୁର୍ବଳତା ନ ଥିଲା, ତା ନୁହେଁ; କିନ୍ତୁ ମୁଁ ବାହାରଟା ସଫା ରଖି, ଗୋଟିଏ ଗମ୍ଭୀର ମୁଖ ଦେଖାଇ, ସେଗୁଡ଼ାକ ଘୋଡ଼ାଇ ରଖିଲି । କ୍ରମେ ମୋର ଭଲ ମନ୍ଦ ବାଛିବାର ବୟସ ଆସିଲା । ସେତେବେଳେ ମୋ ନିଜର ଦୋଷ ଗୁଣ ମୁଁ ଧରିପାରିଲି; କିନ୍ତୁ ଜୀବନଟା ତ ଗୋଟିଏ ସ୍ରୋତରେ ବହୁଦୂର ଭାସିଯାଇଥିଲା । ସେଠାରୁ ତାକୁ ଆଉ ଫେରାଇ ଆଣିବାର ଉପାୟ ନ ଥିଲା । ତେଣୁ ମୁଁ ପ୍ରକାଣ୍ଡ ଗୋଟିଏ କପଟତାର ଆଶ୍ରୟ ନେବାକୁ ବାଧ୍ୟ ହେଲି । ହୁଏତ ଅନ୍ୟ କେହି ନିଜର ପାପ ପ୍ରକାଶ କରି, ଅନୁତାପ ବହ୍ନିରେ ତାକୁ ଜାଳିପକାଇ, ଶୁଦ୍ଧ ସୁବର୍ଣ୍ଣ ହୋଇପାରି ନଥାନ୍ତା; କିନ୍ତୁ ମୁଁ ଯେ ଗୋଟିଏ ମହାତ୍ମା ବୋଲି ଲୋକରେ ପରିଚିତ; ମୋର ସେ ସାହସ ବା ଇଚ୍ଛା ହେଲାନାହିଁ ।

 

ଏକ ଦିଗରେ ମୋର ବଡ଼ ହେବା ଓ ଦେଶରେ ସୁନାମ ଅର୍ଜିବାର ଅନିବର୍ଯ୍ୟ ଲାଳସା ଓ ଅନ୍ୟ ଦିଗରେ ନାନା ଭୋଗବିଳାସରେ ମାତିବାର କାମନା । ଏ ଦୁଇଟା ଯେ ପରସ୍ପରର ବିରୋଧୀ, ମୁଁ ପ୍ରତି ମୁହୂର୍ତ୍ତରେ ହୃଦୟଙ୍ଗମ କରୁଥିଲି । ମୁଁ ବୁଝିଥିଲି, ପ୍ରଥମଟାକୁ ଛାଡ଼ିଲେ, ଦ୍ୱିତୀୟଟା ମୁଁ ଅବାଧରେ କରିପାରିବି । ସେହିପରି ଆହୁରି ମଧ୍ୟ ଜାଣିଥିଲେ ଯେ ଦ୍ୱିତୀୟଟାକୁ ଜଳାଞ୍ଜଳି ଦେଲେ, ପ୍ରଥମଟା ସହଜସାଧ୍ୟ ହେବ; କିନ୍ତୁ ଗୋଟିଏ ଛାଡ଼ି କେବଳ ଅନ୍ୟଟାରେ ଆବଦ୍ଧ ରହିବାକୁ ମୋର ସ୍ପୃହା ହେଲାନାହିଁ । ମୁଁ ବହୁତ ଚିନ୍ତା କଲି; ଅନେକ ଥର ପ୍ରତିଜ୍ଞାରେ ନିଜକୁ ବାନ୍ଧିଲି, ଥରେ ଥରେ ଆତ୍ମନିର୍ଯାତନା ଭୋଗିବା ପର୍ଯ୍ୟନ୍ତ ଗଲି । ଉଦାହରଣସ୍ୱରୂପ, ଦିନେ ମୋ ଦେହର ଗୋଟାଏ ଅଙ୍ଗ କ୍ଷତି କରି ପକାଇଲି, ଆଉଦିନେ ଅନୁତାପରେ ହାତଟାଏ ନିଆଁରେ ପୂରାଇଦେଲି; ମାତ୍ର ଏ ସବୁର ଫଳ ବିଶେଷ କିଛି ହେଲା ନାହିଁ । ଗୋଟାଏ ଆଦର୍ଶ ଚରିତ୍ରର ଲୋକ ହେବାପାଇଁ ମୁଁ ବହୁକାଳ ଚେଷ୍ଟାକରିଛି । ନିଜ ଭିତରେ ମୁଁ ବରାବର ଯୁଦ୍ଧ ଲାଗିବାର ଅନୁଭବ କରିଛି; କିନ୍ତୁ ଆମୋଦ ପ୍ରମୋଦ ଆସିଲାବେଳେ ତହିଁରେ ଭାସିଯାଇଛି; କିନ୍ତୁ ଏଣେ ଖ୍ୟାତି ଅର୍ଜିବାର ବାସନା ପ୍ରବଳ ଥିବାରୁ ସେ ଭାସିବାଟା ଖୁବ୍‍ ଗୋପନରେ କରିଛି । ମୁଁ କପଟ ଆଚରଣ କରିଛି ସିନା, ମାତ୍ର ଶଠତାରେ କେବେ ପଶି ନାହିଁ, ମୋର ଲକ୍ଷ୍ୟ ବରାବର ସ୍ଥିର ଥାଏ ।

 

ଏହିପରି ଦୁଇଟା ପରସ୍ପରର ବିରୋଧୀପ୍ରବୃତ୍ତି ପ୍ରାଣରେ ପୋଷଣ କରି ମୁଁ ଡାକ୍ତରୀ ବିଦ୍ୟାରେ ଉତ୍କର୍ଷ ଦେଖାଇବାକୁ ଉଦ୍ୟମ କଲି । ଲୋକେ ନ ଜାଣିଥିବା ତଥ୍ୟ କିପରି ଆବିଷ୍କାର କରିବି, ନୂଆ ନୂଆ ଔଷଧ କିପରି କାଢ଼ିବି, ଚିକିତ୍ସା ରାଜ୍ୟରେ ନୂତନ ବାଟ କିପରି ଦେଖାଇବି, ଏହି ଦିଗରେ ମନ ବଳାଇଲି । ଏ ଆକାଂକ୍ଷାର ଏହି ଫଳ ଉପୁଜିଲା ଯେ, ମୁଁ ବରାବର ମୋ ଆତ୍ମାର ଉଭୟ ବିଭାଗପାଇଁ ଦୁଇଟା ରୂପ ଖୋଜି ବୁଲିଲି । ଖୋଜିଲେ ନ ମିଳେ, ଏପରି ପଦାର୍ଥ ଅତି କମ୍, ଏ କଥା ମୁଁ ଜାଣିଥିଲି, ତେଣୁ ବେଶି ବେଶି ଖୋଜିଲି । ଖୋଜି ଖୋଜି ଯେତେ ନିରାଶ ହେଲି ଖୋଜିବା ପ୍ରବୃତ୍ତି ସେତିକି ବଢ଼ିଲା ।

 

କ୍ରମେ ମୋର ଦୃଢ଼ ଧାରଣା ହେଲା ଯେ ମନୁଷ୍ୟ ଗୋଟାଏ ଦେହରେ ଦୁଇଟା ଜନ୍ତୁ ବାନ୍ଧିଛି; ସେ ବାହାରକୁ ସିନା ଗୋଟାଏ, ମାତ୍ର ପ୍ରକୃତରେ ଦୁଇଟା । ମୋର ଜ୍ଞାନ ହୁଏତ ସୀମାବଦ୍ଧ ହୋଇଥିବ । ମୁଁ ମୋ ନିଜ ଭିତରେ କେବଳ ଦୁଇଟା ଜୀବ ଦେଖି ଏ କଥା କହୁଛି । ମୋ ପରେ ହୁଏ ତ ଏପରି ବଡ଼ ବଡ଼ ଜ୍ଞାନୀ ପଣ୍ଡିତ ବାହାରିବେ, ଯେଉଁମାନେ କି ମନୁଷ୍ୟ ଭିତରେ ଦୁଇରୁ ଅଧିକ ଜୀବ ଥିବାର ଆବିଷ୍କାର କରିବେ । ହୁଏତ ସମୟରେ ପ୍ରମାଣିତ ହେବ ଯେ ପୃଥିବୀର ଯେଉଁ ପ୍ରାଣୀକୁ ‘ମନୁଷ୍ୟ’ ନାମ ଦିଆଯାଇଛି, ତାହା ଅସଂଖ୍ୟ ପରସ୍ପର-ବିରୋଧୀ ଉପାଦାନରେ ଗଢ଼ା । ମୁଁ ବର୍ତ୍ତମାନ ସେତେଦୂର ଯାଇନାହିଁ । ସଭ୍ୟତା ଯେତେ ବଢ଼ିବ, ମନୁଷ୍ୟର ଆତ୍ମା-ନିରୀକ୍ଷଣ ଶକ୍ତି ସେତିକି ବୃଦ୍ଧି ପାଇବ, ଆତ୍ମବିକାଶ ଲାଗି ସୁଯୋଗ ଓ ପରିସର ମଧ୍ୟ ସେହି ଅନୁପାତରେ କ୍ରମଶ ବେଶି ହେବ । କିନ୍ତୁ ଏ କଥା ସ୍ୱୀକାର କରିବାକୁ ହେବ ଯେ ମୂଳତଃ ମନୁଷ୍ୟର ଦୁଇଟା ଉପାଦାନ । ମୁଁ ନିଜେ ଏହି ଦୁଇଟା ଉପାଦାନରେ ଗଢ଼ା । ଏ କଥା ମୁଁ ମୋର ହେତୁ ହେବା ଦିନରୁ ଅନୁଭବ କରିଛି । ମୁଁ ଦେଖିଛି ଯେ, ଯେ କୌଣସି ସମୟରେ ମୁଁ ଏଇଟା ବା ସେଇଟା । ମୁଁ ଏଇଟାରେ ଥିବାବେଳେ ସେଇଟା ଯେପରି ଆସି ହଠାତ୍‌ ଆକ୍ରମଣ କରିବାକୁ ବସେ, ସେଇଟାରେ ଥିବା ସମୟରେ ଏଇଟା ମଧ୍ୟ ସେହିପରି ଆସେ । ସ୍ୱର୍ଗ ଓ ନରକ ନିମନ୍ତେ ପ୍ରକୃତରେ ଦୁଇଟା ରାଜ୍ୟ ନାହିଁ, ଦୁହିଁଙ୍କର ସ୍ଥାନ ଏକ । ଭେଦଟା ଖାଲି ଦେଖିବାରେ ।

 

ମନୁଷ୍ୟ ଭିତରେ ଦୁଇଟା ଆତ୍ମା ଗୋଟିଏ ଦେହରେ ରଖି ବିଧାତା ଯେ ଭୁଲ କରିଛି, ମୋର ଏ ଧାରଣା କ୍ରମେ ଦୃଢ଼ ହେବାକୁ ଲାଗିଲା । ତେଣୁ ସେ ଭୁଲର ପ୍ରତିକାର ଅନୁସନ୍ଧାନରେ ମୁଁ ମୋର ଚିକିତ୍ସା ବିଦ୍ୟାର ଆଶ୍ରୟ ନେବାକୁ ଲାଗିଲି । ମନୁଷ୍ୟ ଭିତରେ ଯେଉଁ ଦେବତ୍ୱ ଅଛି, ତାକୁ ଗୋଟାଏ ଦେହରେ ଓ ଯେଉଁ ରାକ୍ଷସତ୍ୱ ଅଛି ତାକୁ ଅଲଗା କରି ଆଉ ଗୋଟାଏ ଦେହରେ ରଖିଦେଇପାରିଲେ, ସଂସାରରେ ଯେ ଏକ ମହତ୍ ଉପକାର ହେବ, ଏହ ଧାରଣାରେ ମୁଁ କ୍ରମାଗତ ପ୍ରଭାବିତ ହେଲି । ତାହା କାର୍ଯ୍ୟରେ ହୋଇପାରିଲେ, ମନୁଷ୍ୟର ଭାଗେ ସ୍ୱର୍ଗକୁ ଓ ଅପର ଭାଗଟା ନର୍କକୁ ସ୍ୱଚ୍ଛନ୍ଦରେ ଯାଇପାରନ୍ତା । ଦ୍ୱାପର ଯୁଗରୁ ଏ କାର୍ଯ୍ୟ ସମ୍ପନ୍ନ ହୋଇଥିଲେ ଯୁଧିଷ୍ଠିରଙ୍କୁ ସ୍ୱର୍ଗପଥରେ ନରକ ଦର୍ଶନ କରିବାକୁ ପଡ଼ିନଥାନ୍ତା । ଦ୍ୱାପରରେ ଯାହା ହୋଇନାହିଁ, ତାକୁ ଏହି କଳିଯୁଗରେ ଆସି କଲେ, ବିଳମ୍ବରେ ସିନା ହେବ; ହେବ ତ । ଜଗତସାରା ଲାଭବାନ୍‌ ହେବ । ଗୋଟିଏ ଛୋଟିଏ ରକ୍ତମାଂସର ଜଡ଼ପିଣ୍ଡ ମଧ୍ୟରେ ବର୍ତ୍ତମାନ ଯେଉଁ ଅନ୍ତର୍ବିବାଦ ଲାଗୁଛି, ତାହା ଆଉ ଲାଗିବ ନାହିଁ । ଏହି ସବୁ ଭାବନାରେ ପଡ଼ି, ମୁଁ ଗୋଟାଏ ଉପାୟ ବାହାର କରିବାକୁ ସ୍ଥିର କଲି ।

 

ଚିକିତ୍ସକର ଏକମାତ୍ର ଉପାୟ ଔଷଧ । ଔଷଧରେ ଅସାଧ୍ୟ ସାଧନ ହୁଏ; ମୁମୂର୍ଷୁ ପ୍ରାଣ ପାଏ; ଜୀବିତ ପ୍ରାଣ ହରାଇ ଇହସଂସାରରୁ ବିଦାୟ ନିଏ । ମୁଁ ଭାବିଲି, ସେହି ଔଷଧର କଣ ମନୂଷ୍ୟକୁ ପ୍ରାକୃତିକ ଦୁଇ ବିଭକ୍ତ କରିଦେବାର ଶକ୍ତି ନାହିଁ ? ମୋର ମନେ ହେଲା, ବିଧାତା ଦୁଇଟା ପରସ୍ପର ବିରୋଧୀ ପଦାର୍ଥକୁ ଗୋଟାଏ ଘଟରେ ରଖିଛି, କେବଳ ଭବିଷ୍ୟତରେ ମନୁଷ୍ୟ ତାର ପ୍ରତିବିଧାନ କରିବ, ଏହି ଆଶାରେ । ତେଣୁ ମୁଁ ମୋ ଓଷଦଖାନାରେ ବସି, ନାନା ଦରଞ୍ଜାମ ଘେନି, ୟା ସହିତ ତାକୁ, ତାସହିତ ୟାକୁ ମିଶାଇବାରେ ଲାଗିଲି । ମୋ ସହକର୍ମୀ ସମାନଧର୍ମୀ ସଙ୍ଗୀମାନେ ମୋତେ ଥଟ୍ଟାରେ ଉଡ଼ାଇଦାବାକୁ ଲାଗିଲେ । ଅନେକ ମୋତେ ପାଗଳ ଆଖ୍ୟା ଦେଲେ; କିନ୍ତୁ ମୁଁ ‘ଶରୀରଂ ବା ପାତୟେତ୍‌ ମନ୍ତ୍ରଂ ବା ସାଧୟତେ୍’, ଏହି ନୀତିରେ କାର୍ଯ୍ୟରେ ଲାଗିଲି; କାହାରି ପରିହାସ ବା ବିଦ୍ରୂପକୁ ଭ୍ରୂକ୍ଷେପ କଲି ନାହିଁ । ମୁଁ ଶ୍ରେୟଃ ଓ ପ୍ରେୟ ଦୁହିଁଙ୍କି ପୃଥକ୍‌ କରିବି, ଏ ବାସନା ମୋର ବଳବତୀ ହୋଇଛି ।

 

ଚେଷ୍ଟାରେ ଯେ ଫଳଲାଭ ହୁଏ, ତାହା କ୍ରମେ ମୋତେ ଜଣାଗଲା । ମୁଁ ଏପରି ଗୋଟାଏ ଓଷଧ ଆବିଷ୍କାର କଲି, ଯହିଁରେ ମୋର ଅଭିୀଷ୍ଟ ସିଦ୍ଧ ହେବ ବୋଲି ମନେହେଲା । ବାକି ରହିଲା କେବଳ ପରୀକ୍ଷା । ମନୁଷ୍ୟ ନିଜକୁ କେବେ ପରୀକ୍ଷାର ପାତ୍ର ରୂପେ ବ୍ୟବହୃତ ହେବାକୁ ଚାହେଁ ନାହିଁ; କିନ୍ତୁ ମନୁଷ୍ୟ ଯେ ଦୁଇଟା ଉପାଦାନରେ ଗଢ଼ା, ଏହାର ସତ୍ୟତା ମୋ ନିଜଠାରେ ମୁଁ ଯେତେ ଅନୁଭବ କରିଥିଲି, ଆଉ କାହାରିଠାରେ ତ କରିନଥିଲି । ତେଣୁ ପରୀକ୍ଷାଟା, ଅନ୍ତତଃ ପ୍ରଥମରୁ ମୋ ନିଜ ଉପରେ କରିବାକୁ ମୁଁ ସ୍ଥିର କଲି ।

 

କଥାଟା ମନେ ମନେ ସିନା ମୁଁ ସ୍ଥିର କରିନେଲି; କିନ୍ତୁ ଏପରି ଗୋଟାଏ ବିଷମ ପରୀକ୍ଷା ମୋ ନିଜ ଉପରେ ପ୍ରୟୋଗ କରିବାକୁ ମୋର ହଠାତ୍‍ ସାହାସ ହେଲା ନାହିଁ । ତୀବ୍ର ବିଷାୟନ ଛଡ଼ା ଅନ୍ୟ କୌଣସି ଔଷଧରେ ଯେ ଏ ଅସମ୍ଭବ ବ୍ୟାପାର ସମ୍ଭବପର ହେବ, ତା ତ ନୁହେଁ । ତେଣୁ ମୁଁ ଭାବିଲି ଯେ ବିଷାୟନର ମାତ୍ରା ଅଧିକ ହୋଇଗଲେ, ଗୋଟାଏ ଘଟ ଭାଜି ଦୁଇଟା ହେବା ପରିବର୍ତ୍ତେ, ମୂଳ ଘଟର ବିନାଶ ସାଧନ ମଧ୍ୟ କରିପାରେ । ସୁତରାଂ ଓଷଧ ଆବିଷ୍କାର କଲାପରେ ସୁଦ୍ଧା, କେତେ ଥର ତିଆରି କରି ଢାଳିଦେଇଛି, ପାଟିରେ ପକାଇ ନଢୋକି ଫଙ୍ଗିଛି; ଢୋକିସାରି ସୁଦ୍ଧା ବାନ୍ତି କରିପକାଇଛି; କିନ୍ତୁ କ୍ରମେ ମୋର ସାହାସ ବଢ଼ିଆସିଲା । ଦିନେ ଓଷଦ-ଦୋକାନରୁ ଦରକାରୀ ଲବଣ ପ୍ରଚୁର କିଣାଇ ଆଣିଲି । ରାତିରେ ସମସ୍ତେ ଶୋଇପଡ଼ିବା ଉତ୍ତାରେ ଆବଶ୍ୟକୀୟ ଦ୍ରବ୍ୟ ସହିତ ତାକୁ ମିଶାଇଲି । କିପରି ସେଁ ସେଁ ହୋଇ ଫେଣ ବାହାରିଲା, ଆଖିରେ ଦେଖିଲି । ତାର ବର୍ଣ୍ଣ ମଧ୍ୟ କ୍ଷଣକୁ କ୍ଷଣ ବଦଳିଲା । ଶାସ୍ତ୍ରରେ ଲେଖାଥିବା ଅନୁସାରେ ସବୁ କ୍ରିୟା ଘଟିଲା । ଶେଷରେ ଔଷଧର ଉତୁରିଉଠିବା ବନ୍ଦ ହେଲାରୁ, ଆଖି ବୁଜି, ନିଶ୍ୱାସ ରୋଧି, ନାରାୟଣଙ୍କୁ ସ୍ମରଣ କରି ଦୁଇ ଢୋକରେ ପାନକଯାକ ଔଷଧ ଢୋକିଦେଲି ।

 

ଦେଖିଲି, ତା ପୂର୍ବରୁ କାଚଗିଲାସ ଭିତରେ ଓଷଦରେ ଯାହା ସବୁ ମନ୍ଥନ, ସ୍ଫୁରଣ, ଆନ୍ଦୋଳନ, ଆଲୋଡ଼ନ, ବିସ୍ଫୋଟନ, ବିଦ୍ରାବଣ ହେଉଥିଲା, ତାହା ଏବେ ମୋ ନିଜ ଦେହରେ ହେବାକୁ ଆରମ୍ଭ ହେଲା । ମନେ ହେଲା, ମୋ ଅଙ୍ଗପ୍ରତ୍ୟଙ୍ଗମାନଙ୍କରେ ଯେପରି କି ପୁରୁଣା ହାଡ଼ କଡ଼ କଡ଼ ହୋଇ ଭାଜୁଛି ଓ ନୂଆ ହାଡ଼ ଚଢ଼ା ହେଉଛି; ପୁରୁଣା ଶିରାପ୍ରଶିରା ଛିଣ୍ଡୁଛି ଓ ନୂଆ ତିଆରି ହେଉଛି । ସେ ଯେ କି ଯନ୍ତ୍ରଣା, ଅନୁଭବୀ ମାତ୍ରେ ବୁଝିବ । ମୁଁ ବୁଝିପାରିଲି ଯେ ମୋର କାଳ ପୂରିଆସୁଛି । ଭାବିଲି, ‘‘ଏ କଣ ମୁଁ ଆତ୍ମହତ୍ୟା କରିବସିଲି ।’’ କିନ୍ତୁ ସଙ୍ଗେ ସଙ୍ଗେ ଗୋଟିଏ ନୂତନ ଜୀବନର ସଞ୍ଚାର ମଧ୍ୟ ଅନୁଭବ କଲି । ସେଥିରେ ଆନନ୍ଦ ଉପଭୋଗ କରିବାକୁ ଲାଗିଲି । ମୁଁ ଯେ ଡାକ୍ତର ତାରାକାନ୍ତ ନାୟକ ନୁହେ, କ୍ରମେ ସ୍ପଷ୍ଟ ବୁଝିପାରିଲି । ସତେ ଯେପରି ମୋ ଭିତରେ ଗୋଟିଏ ଦେବାସୁର ଯୁଦ୍ଧ ଚାଲିଥିଲା ଓ ସେଥିରେ ଦେବତା ହାରିଯାଇ ଅସୁର ଜିତିଲା, ଏହି ଧାରଣା ମୋର ଦୃଢ଼ ହେବାକୁ ବସିଲା । ମୁଁ ଅନୁଭବ କଲି ଯେ ମୁଁ ଗୋଟିଏ ପ୍ରଚଣ୍ଡ ରାକ୍ଷସ ଓ ସଂସାରଟାକୁ ଗିଳିଦେବା ମୋର କର୍ତ୍ତବ୍ୟ । ମୋର ଯୌବନ ଆସିଗଲା । ହାତ ଗୋଡ଼ରେ ବେଶି ବଳ ଦେଖାଦେଲା । ମୁଁ କାହାକୁ ମାରିବି ବା କାହାର କି କ୍ଷତି ସାଧନ କରିବି ଖୋଜି ବୁଲିଲି । ଧର୍ମ ଅଧର୍ମ, ନ୍ୟାୟ ଅନ୍ୟାୟ, ଭଲ ମନ୍ଦର ବିଚାର ମୋର ରହିଲା ନାହିଁ । ମୁଁ କେତେକ ମୁହୂର୍ତ୍ତ ଭିତରେ ସାକ୍ଷାତ୍‌ ଗୋଟାଏ ହିଂସ୍ର ଜନ୍ତୁ ପାଲଟିଗଲି ।

 

ଏ ସବୁରେ ବିସ୍ମିତ ହୋଇ, ମୁଁ ଦର୍ପଣରେ ମୁହଁ ଦେଖିବାକୁ ଗଲି, ଦେଖିଲି ମୋର ସେ ମୁହଁ ଆଉ ନାହିଁ; ମୁଁ ବର୍ଣ୍ଣରେ କଳା ଦିଶୁଛି; ଚହାଣି ବିକଟ ଆକାର ଧରିଛି, ଚେହେରା ବଦଳିଯାଇଛି-। ମୁଁ ଯେପରି ଲମ୍ବରେ ହାତେ କମିଯାଇଛି, ତା ମଧ୍ୟ ମୋର ମନେ ହେଲା । ମୋ ଲୁଗାପଟାଗୁଡ଼ାକ ମୋ ଦେହକୁ ହୁଗୁଳା ହୋଇଗଲା । ଏ ଯେ କି ବିଚିତ୍ର ଘଟଣା, କି ବିସ୍ମୟକର ଅନୁଭୂତି, ମୁଁ ଏକା ସିନା ବୁଝିଲି, ମୋ ଘର ସାରା ଅନ୍ୟାନ୍ୟ ସମସ୍ତେ ନିଦ୍ରାଦେବୀଙ୍କ କୋଳରେ ଅଭିଭୂତ ରହି କିଛି ଜାଣିପାରିଲେ ନାହିଁ । ଏହିପରି ଭାବରେ ମୁଁ କୋଠରୀରୁ କୋଠରୀକି ଗଲି, ବଗିଚାରେ ଯାଇ ପହଞ୍ଚିଲି । ମୋତେ ଲାଗିଲା, ମୁଁ କୌଣସି ପରଲୋକ ଘରକୁ ତା ଅଜ୍ଞାତରେ ଆସିଛି । ତେଣୁ ଧରାପଡ଼ି ଦଣ୍ଡ ପାଇବାର ଭୟରେ ବିହ୍ୱଳ ହେବାକୁ ଲାଗିଲି । ସେତେବେଳେ ମୁଁ ବୁଝିଲି ଯେ ମୁଁ ଦାଗୀ ଜାତିର ସଦେଇ ଜେନା, ଡାକ୍ତର ତାରାକାନ୍ତ ନାୟକ ନୁହେଁ । ସେତେବେଳକୁ ରାତି ପାହିବା ସମୟ । ମୋର ଭୟ କ୍ରମଶଃ ବଢ଼ିଲା । ମୁଁ ପୁଣି ଗୋଟାଏ ଔଷଧ ତିଆରି କରି ପିଇଲି । ପୁନରାୟ ମୋର ସମଗ୍ର ଦେହରେ ପରିବର୍ତ୍ତନ ଘଟିଗଲା ଓ କେତେକ ମୁହୂର୍ତ୍ତ ମଧ୍ୟରେ ସଦେଇ ଜେନା ଠିଆ ହୋଇଥିବା ସ୍ଥାନରେ ମୁଁ ସ୍ୱୟଂ ତାରାକାନ୍ତ ସ୍ୱଦେହରେ ସଶରୀରରେ ବିଦ୍ୟମାନ ହେଲି ।

 

ମନୁଷ୍ୟ ଥରେ ଅସାଧ୍ୟ ସାଧନରେ କୃତକାର୍ଯ୍ୟ ହେଲେ ତେଣିକି ତାର ଆଉ ସୀମା ମାନିବାକୁ ଇଚ୍ଛା ହୁଏ ନାହିଁ । ମୁଁ ପ୍ରତିଦିନ ରାତି ଅଧରେ ଥରେ ତାରାକାନ୍ତ ନାୟକକୁ ସଦେଇ ଜେନା ଓ ପୁଣି ସଦେଇ ଜେନାରୁ ଘଟ ବଦଳାଇ ତାରାକାନ୍ତ ନାୟକ ହେବାରେ ଆନନ୍ଦ ଅନୁଭବ କଲି । ଅଭ୍ୟାସ ଏହି ଘଟପରିବର୍ତ୍ତନ କ୍ରିୟାକୁ କ୍ରମଶଃ ସହଜ କରିବାକୁ ଲାଗିଲା । ମୁଁ ପ୍ରତିଦିନ ରାତିରେ ଘଟ ପରିବର୍ତ୍ତନ କରି, ମୋର ଦୁଇଟା ପରସ୍ପର ବିରୋଧୀ ପ୍ରକୃତିକୁ ନିଜ ନିଜର ଅଭିରୁଚି ବ୍ୟକ୍ତ କରିବାରୁ ସୁବିଧା ଦେଲି । ଏକ ଦିଗରେ ମୁଁ ଡାକ୍ତର ତାରାକାନ୍ତ ନାୟକ, ସମ୍ଭ୍ରାନ୍ତ ସମ୍ମାନିତ ସୌଜନ୍ୟପୂର୍ଣ୍ଣ ଦାନଶୀଳ ବଦାନ୍ୟ ସୁପୁରୁଷ; ଅନ୍ୟ ଦିଗରେ ନିଷ୍ଠୁର ଘୃଣିତ ସ୍ୱାର୍ଥପର ହିଂସ୍ର ସ୍ୱଭାବଯୁକ୍ତ କଦର୍ଯ୍ୟ କୁତ୍ସିତ ସଦେଇ ଜେନା । ସଦେଇ ଜେନା ଯପରି ଡାକ୍ତର ନାୟକର ଘଟରେ, ସେହିପରି ତାଙ୍କ ଆବାସରେ, ରହିବାକୁ ଅଯୋଗ୍ୟ । ତେଣୁ ତୁଳସୀପୁର ପାଣସାହୀରେ ମୁଁ ତା ପାଇଁ ଖଣ୍ଡିଏ ଘର ତୋଳାଇଲି । ସେ ସାହୀର ଲୋକେ ନିତାନ୍ତ ଦରିଦ୍ର । ନ୍ୟାଯ୍ୟ ଉପାୟରେ ସମାଜରେ ନିଜର ଜୀବିକା ଉପାର୍ଜନ କରିବାର ସୁବିଧା ତାଙ୍କର ନାହିଁ । ଅତଏବ ସେମାନେ ଚୋରି, ଡକାୟତି ଓ ଆବଶ୍ୟକ ହେଲେ, ଖୁଣି ଆଦି କରି, ଭରଣପୋଷଣ ନିର୍ବାହ କରନ୍ତି । ସେହି ସ୍ଥାନଟାକୁ ମୁଁ ସଦେଇ ଜେନାର ରହିବା ପାଇଁ ଉପଯୁକ୍ତ ବିବେଚନା କଲି ।

 

ସଦେଇ ଜେନା ନିମନ୍ତେ ମୁଁ କେବଳ ଏତିକି କାରି ନାହିଁ । ତାକୁ ଆଣି, ମୋ ଘରେ ଚାକରବାକରଙ୍କ ଆଗେ ଠିଆ କରାଇ, ଚିହ୍ନାଇ ଦେବା ଯେତେବେଳେ ଅସମ୍ଭବ, ମୁଁ ତାର ଚେହେରା ଓ ଗତିବିଧିର ବିବରଣ ସେମାନଙ୍କୁ ତନ୍ନ ତନ୍ନ କରି ବୁଝାଇ କହିଲି, ‘‘ଦେଖ ତୁମେମାନେ ମତେ ଯେପରି ମାନୁଚ, ତାଙ୍କୁ ମଧ୍ୟ ସେଇପରି ମାନି ଚଳିବ । ମୁଁ ଘରେ ନଥିବାବେଳେ ସେ ଆସିବେ ଓ ମୁଁ ଆସିଲେ ସେ ଚାଲିଯିବେ । ମୋ ନଥିବା ସମୟଯାକ ସେ ହେବେ ଏ ଘରର ମାଲିକ ! ସେ ତୁମମାନଙ୍କୁ କାମରେ ବାହାଲ ଓ ବରଖାସ୍ତ କରିପାରିବେ ।’’ ଚାକରମାନେ ଶୁଣି ମନେ ମନେ କଣ ଭାବିଲେ କେଜାଣି, କଥାରେ ଉତ୍ତର ଦେଲେ, ହଜୁର, ଯେ ଆଜ୍ଞା ।’’ ସେତିକିରେ ମୋର କାର୍ଯ୍ୟ ଶେଷ ହେଲାନାହିଁ । ମୁଁ ଭାବିଲି ଯେ ଥରେ କାଳେ ମୁଁ ସଦେଇ ଜେନା ହୋଇଥିବି ଓ ପୁଣି ଡାକ୍ତର ନାୟକ ହେବାପାଇଁ ଓଷଧ ଖାଇଲାବେଳକୁ ତାହା ଧରିବନାହିଁ, ତେବେ ମୋର ଧନସମ୍ପତ୍ତିର କି ଦଶା ହେବ ? ସୁତରାଂ ମୁଁ ସଦେଇ ଜେନା ନାମରେ ଗୋଟିଏ ଉଇଲ କରିଦେଲି-। ତାହାଦ୍ୱାରା ମୋର ସବୁ ବ୍ୟବସ୍ଥା ପୂର୍ଣ୍ଣ ହେଲା ବୋଲି ଭାବିଲି ।

 

ଏ ସବୁ ବ୍ୟବସ୍ଥା ପରେ ମୁଁ ନିଶ୍ଚିନ୍ତ ବୋଧ କଲି । ମୋ ମନରେ ସନ୍ତୋଷ ଜନ୍ମିଲା ଯେ ମୋ ପ୍ରକୃତିର ଦୁଇଟି ପରସ୍ପର ବିରୋଧୀ ବିଭାଗକୁ ମୁଁ ଦୁଇ ଗୋଟା ଭିନ୍ନ ଭିନ୍ନ ଘଟରେ ରଖିପାରିଛି । ସଦେଇ ଜେନାର ରୂପରେ ମୁଁ ନରକ ରାଜ୍ୟର ରାଜା ହୋଇ ବସିଲି । କେବଳ ସେଥିରେ ମୋର ଆନନ୍ଦ ହୁଅନ୍ତା ନାହିଁ । କାରଣ ମୋର ଉଚ୍ଚ ଅଭିଳାଷମାନ ମଧ୍ୟ ଥିଲା । ସେ ଅଭିଳାଷ ପୂର୍ଣ୍ଣ କରିବାପାଇଁ ମୋର ଦ୍ୱିତୀୟ ସ୍ୱରୂପ ରହିଲା; ଡାକ୍ତର ନାୟକ ଭାବରେ ମୁଁ ଏ ମର୍ତ୍ତ୍ୟ ଜଗତର ସ୍ୱର୍ଗ ସୁଖ ଭୋଗ କରିବାକୁ ଲାଗିଲି । ମୋର କୌଣସି ତ୍ରୁଟି, କୌଣସି ପ୍ରକାର ଦୋଷ ଦୁର୍ବଳତା ଜନନେତ୍ରରେ ଆଉ ପଡ଼ିବାକୁ ନଥିଲା । ତେଣୁ ଲୋକେ ମୋତେ ମହାତ୍ମା, ଦେବତା, ନରନାରାୟଣ–ଏପରି ନାନା ନାମରେ ଅଭିହିତ କରିବାକୁ ଲାଗିଲେ । ଡାକ୍ତର ନାୟକ ରୂପରେ ମୋ ଭିତରେ ଦେବତ୍ୱ ଫୁଟିଉଠିଲା । ତେଣେ ପାପପଙ୍କରେ ଘାଣ୍ଟି ହେବାପାଇଁ ରହିଲା ସଦେଇ ଜେନା । ଏପରି ଦୁଷ୍କର୍ମ ରହିଲା ନାହିଁ ଯାହା କି ତା ପକ୍ଷେ ଅସାଧ୍ୟ । କିନ୍ତୁ କେହି ଖୋଜି ତାର ସତ୍ତା ପାଇବାକୁ କ୍ଷମ ହେଲେନାହିଁ, ଏପରି କି ସରକାରୀ ପୋଲିସ ମଧ୍ୟ ନୁହନ୍ତି । କେହି କେବେ ତାକୁ ଅନୁସରଣ କରି ଆସିଲେ, ସେ ଶେଷରେ ଡାକ୍ତର ନାୟକଙ୍କୁ ଆସି ଭେଟେ ଓ ନିଜର ମୂର୍ଖତା ବା ଧୃଷ୍ଟତା ଯୋଗେ ଜିଭ କାମୁଡ଼ି ଫେରିଯାଏ । ଫଳରେ ଦୁରାଚାର କରିବାକୁ ସଦେଇ ଜେନାକୁ ଦିନକୁ ଦିନ ଅଧିକ ଅଧିକ ସୁବିଧା ଓ ସାହାସ ମିଳିଲା । ସଦେଇ ଜେନା ଗୋଟିଏ ଅନୀତି କରି ଫେରିଆସି ଡାକ୍ତର ନାୟକ ଘଟରେ ପଶିଗଲା ପରେ, ମୁଁ ବେଳେ ବେଳେ ବିସ୍ମିତ ହୋଇ ଚାହେଁ, ସେପରି କାର୍ଯ୍ୟ ଯେ ମୁଁ କରିଛି, ମୋର ବିଶ୍ୱାସ ହୁଏ ନାହିଁ ।

 

ସଦେଇ ଜେନା ଘଟର ଆଶ୍ରୟରେ ମୁଁ ଯେ କି କି ନୃଶଂସ କଦର୍ଯ୍ୟ କାଣ୍ଡମାନ କରିଗଲି, ଗୋଟି ଗୋଟି କରି ସେ ସବୁ ବର୍ଣ୍ଣନା କରିବା ଦରକାର ମଣୁ ନାହିଁ । ତେବେ ଏତିକି କହିପାରେ ଯେ ମୋର ପ୍ରତ୍ୟେକ କାର୍ଯ୍ୟରେ ମୋତେ ନୂଆ ନୂଆ ଶିକ୍ଷା ମିଳିଲା । ଧରା ନ ପଡ଼ି ମୁଁ କିପରି ନିର୍ବିଘ୍ନରେ ଚଳି ପାରିବି, ତାର ବାଟ କ୍ରମଶଃ ପ୍ରାଞ୍ଜଳ ହେବାକୁ ଲାଗିଲା । ଏହାର ଗୋଟାଏ ଉଦାହରଣ ମୁଁ ଦେଇପାରେ । ଥରେ ଗୋଟିଏ ଅଳ୍ପ ବୟସର କୋମଳ ବାଳିକା ପ୍ରତି ମୁଁ ନିଷ୍ଠୁର ଆଚରଣ କରି ଧରା ପଡ଼ିଗଲି । ମକଦ୍ଦମାରେ ଘଣ୍ଟିହୋଇ, କଚେରୀକୁ ଧରା ହୋଇ ଯାଇଥିଲେ ପରିଣାମ ନିତାନ୍ତ ଖରାପ ହୋଇଥାନ୍ତା । ଅତଏବ ମୁଁ ଟଙ୍କା ଖର୍ଚ୍ଚ କରି ସେଥିରୁ ଉଦ୍ଧାର ପାଇବାକୁ ଚେଷ୍ଟା କଲି; କିନ୍ତୁ ସେଥିରେ ଡାକ୍ତର ନାୟକଙ୍କୁ ଟାଣି ଭର୍ତ୍ତି କରିବାକୁ ପଡ଼ିଲା । ନଗଦ ଟଙ୍କା ନ ଥିବାରୁ ତାଙ୍କ ଦସ୍ତଖତରେ ଚେକ କାଟିବାକୁ ହେଲା । ଏପରି ଏକାଧିକ ଥର ହେଲେ, ଲୋକେ କାଳେ ସଦେଇ ଜେନାକୁ ମୋ ସହିତ ଯୋଡ଼ିବେ, ତେଣୁ ମୁଁ ତା ପରେ ସଦେଇ ଜେନା ନାମରେ ବ୍ୟାଙ୍କରେ ସ୍ୱତନ୍ତ୍ର ଭାବରେ ଟଙ୍କା ଜମା କରି ରଖିଲି ।

 

ମୁଁ ଦିନଯାକ ମୋର ମକର୍ବା ବାସଭବନରେ ରହେ । ରାତିକି ଯେତେବେଳେ ମୁଁ ଓଷଧ ଖାଇ ସଦେଇ ଜେନା ଘଟରେ ପ୍ରବେଶ କରେ, ଯାଇ ତୁଳସୀପୁର ପାଣସାହୀରେ ଶୁଏ । ଦିନେ ମୁଁ ଔଷଧ ନଖାଇ ମକର୍ବାରେ ଶୋଇଲି । ରାତିଯାକ କେତେ ସ୍ୱପ୍ନ ଦେଖିଲି, କେତେ ଚିନ୍ତା ଆସି ମୋ ମନରୂପ ରଙ୍ଗମଞ୍ଚରେ ଖେଳି ପୁଣି ଚାଲିଗଲା । ସକାଳେ ଯେତେବେଳେ ନିଦ ଭାଜିଲା, ମୁଁ ଆଖି ଫିଟାଇ ଦେଖିଲି, ମୋ ହାତଦୁଇଟାଯାକ କଳା ବାଳୁବାଳୁଆ ଅସୁନ୍ଦର ଦିଶୁଛି । ମୁଁ ଚମକି ପଡ଼ିଲି । ହଠାତ୍‌ ଶେଯରୁ ଉଠି ଦର୍ପଣରେ ଯାଇ ମୁହଁ ଦେଖେ ତ, ମୋ ମୁହଁ ଦିଶିଲାନାହିଁ, ପ୍ରତିଫଳିତ ହେଲା ସଦେଇ ଜେନାର ବିକଟ ମୁଖମଣ୍ଡଳ । ଚାକରବାକର ଚାଲିଆସିବେ ଓ ମୋତେ ଦେଖି କଣ ମେନ କରିବେ, ଏହି ଚିନ୍ତାରେ ମୁଁ ଘାରିହେବାକୁ ଲାଗିଲି । ଔଷଧ ଖାଇବାର ଉପାୟ ନ ଥିଲା; କାରଣ ତାର ଉପାଦାନ ସବୁ ମୋର ଖାସ୍‌ କାମରାରେ ରହିଥିଲା । ବାଟରେ ଚାକରବାକରଙ୍କୁ ନ ଭେଟି ସେଠାକୁ ମୁଁ ଯାଇପାରନ୍ତି ନାହିଁ । ମୁଁ ମନେ ମନେ ଅତ୍ୟନ୍ତ ଆନ୍ଦୋଳିତ ହେବାକୁ ଲାଗିଲି । କେହି ବାଟରେ ଅଛି କି ନାହିଁ ଓ ନ ଥିଲେ ଛପି ଛପି ଖାସକାମରାକୁ ଚାଲିଯିବି ଏପରି ବିଚାରି ଦୁଆର ଫିଟାଇ ମୁହଁ ଗଳାଇ ବାହାରକୁ ଚାହିଁଲି; କିନ୍ତୁ ଛାତିରେ ସତେ ଅବା ଗୋଟିଏ ପଥର ଦୁମ୍‌କିନା ବାଜିଲା, ରାହାସିଆର ଆଖି ମୋ ଉପରେ ପଡ଼ିଗଲା । ସେଟା ସଦେଇ ଜେନାର ଆସିବା ସମୟ ନୁହେଁ । ମୋତେ ସେପରି ବେଶରେ ଦେଖି, ସେ ଅବାକ୍‌ ହୋଇ ଚାହିଁରହିଲା । ମୁଁ ଲମ୍ବେ ଲମ୍ବେ ଖାସ୍‌ କାମରାକୁ ଯାଇ ଔଷଧ ଖାଇ ନିଜ ଘଟକୁ ଫେରିଆସିଲି; କିନ୍ତୁ ବିନା ଔଷଧରେ ମୋର ଯେ କାହିଁକି ଏପରି ପରିବର୍ତ୍ତନ ଘଟିଲା, ତାର କାରଣ ବୁଝିପାରିଲି ନାହିଁ । ଯାହାହେଉ ସେହି ଦିନ ପାନେ ଦୁଇ ପାନ ହେବା ଭଳି ଔଷଧ ଶୋଇବା ଘରେ ଆଣି ଥୋଇଲି ।

 

ସେଦିନ ଓ ତାପରେ ଅନେକ ଦିନ ବିତିଗଲା । ମୁଁ କ୍ରମେ କ୍ରମେ ଜାଣିପାରିଲି ଯେ ଡାକ୍ତର ନାୟକ ଘଟରୁ ସଦେଇ ଜେନା ଘଟକୁ ଯିବା ମୋ ପକ୍ଷରେ ଯେତେ ସହଜ ହେଉଛି, ତାର ବିପରୀତ କ୍ରିୟା, ଅର୍ଥାତ୍‌ ସଦେଇ ଜେନା ଘଟରୁ ଡାକ୍ତର ନାୟକ ଘଟକୁ ଫେରିବା, ସେପରି ସହଜ ହେଉ ନାହିଁ । ତେଣୁ ଔଷଧର ମାତ୍ରା କ୍ରମେ ବଢ଼ାଇବାକୁ ପଡ଼ିଲା । ଦିନେ ଦିନେ ସେଥିରେ ମଧ୍ୟ ହଠାତ୍‌ ଫଳ ଫଳିଲା ନାହିଁ । ମୋର ଡାକ୍ତର ନାୟକ ପ୍ରକୃତି କ୍ରମେ କ୍ଷୀଣ ହୋଇ ସଦେଇ ଜେନା ପ୍ରକୃତି ବଳବତ୍ତର ହେବାକୁ ବସିଲା । ମୁଁ ଅନୁଭବ କଲି ଯେ ସଦେଇ ଜେନା ବରାବର ଡାକ୍ତର ନାୟକଙ୍କୁ ପରାଭୂତ କରି ତାଙ୍କର ସତ୍ତା ଲୋପ କରିବାକୁ ବସିଛି, ଅଥଚ ଏପରି ଗୋଟାଏ ଅନିପ୍‌ସିତ କ୍ରିୟାର ପ୍ରତିରୋଧ କରିବାପାଇଁ ମୋର ଆଉ ଶକ୍ତି ସାମର୍ଥ୍ୟ ନାହିଁ ।

 

ମୁଁ ଯେ ଜୀବନପଥରେ କ୍ରମେ ରସାତଳକୁ ଗତି କରୁଛି, ତାହା ସ୍ପଷ୍ଟ ହୃଦୟଙ୍ଗମ କଲି । ସେତେବେଳେ ମୋର ଗୋଟାଏ ପ୍ରବଳ ଅନୁତାପ ଜନ୍ମିଲା ଓ ମୁଁ ଆଉ ନରକ ପଥରେ ଗତି ନ କରିବାକୁ ଦୃଢ଼ ପ୍ରତିଜ୍ଞା ହେଲି । କୁଟା ସିନା ସାମାନ୍ୟ ନିଆଁରେ ଜଳେ, ଲୁହା ଖାଡ଼ି ଜଳେ ନାହିଁ; କିନ୍ତୁ କମାର ଭାତିରେ ଶାବଳ ସୁଦ୍ଧା ପାଚି ତରଳିଯାଏ । ମୁଁ କିଛିଦିନ ପ୍ରତିଜ୍ଞା ରକ୍ଷାକରି ରହିଲି; ମାତ୍ର ଦିନେ ହଠାତ୍‌ ବନ୍ଧ ଭାଜିଗଲା ଓ ପ୍ରବଳ ବନ୍ୟା ମାଡ଼ି ଆସିଲା । ମୁଁ ତତ୍‌କ୍ଷଣାତ୍‌ ଔଷଧ ତିଆରି କରି ଖାଇ, ସଦେଇ ଜେନା ଘଟରେ ପ୍ରବେଶ କଲି । ମୋ ଦେହକୁ ସ୍ଫୂର୍ତ୍ତି ଆସିଗଲା । ମୁଁ ଜଡ଼ତା ଫଙ୍ଗିଦେଇ ମକର୍ବା ଆବାସରୁ ବାହାରକୁ ବାହାରି ପଡ଼ିଲି । ଅନେକ ଦିନର ରୁଦ୍ଧ ଆକାଙ୍‌କ୍ଷା ଅପ୍ରତିହତ ଗତିରେ ଛୁଟିବାକୁ ଲାଗିଲା । ତା ଫଳରେ ମୁଁ ଚୂଡ଼ାଙ୍ଗ ଜମିଦାରଙ୍କ ପରି ନିରୀହ ଭଦ୍ରବ୍ୟକ୍ତିଙ୍କ ନିବେଦନ ପ୍ରତି କର୍ଣ୍ଣପାତ ନ କରି, ତାଙ୍କୁ ପିଟି ପିଟି ମାରି ପକାଇଲି ।

 

ଏଡ଼େ ବଡ଼ ନୃଶଂସ କାଣ୍ଡଟାଏ ତ ଭିଆଇ ପକାଇଲି; କିନ୍ତୁ ସଙ୍ଗେ ସଙ୍ଗେ ମୋର ଚୈତନ୍ୟ ଆସିଗଲା । ମୁଁ ଭୟରେ କମ୍ପିବାକୁ ଲାଗିଲି । ତୁଳସୀପୁର ଘରକୁ ଯାଇ ସେଠାରେ ଯେ କେତେ କି ପ୍ରଳାପ କଲି, ତାର ସୀମା ନାହିଁ । ମନେ ମନେ ସ୍ଥିର କଲି, ‘‘ନା, ଆଉ ଏ ସଦେଇ ଜେନା ସତ୍ତା ରଖିବି ନାହିଁ । ଏଥର ଯେ ଡାକ୍ତର ନାୟକ ଘଟରେ ପଶିବି, ଆଉ ତହିଁରୁ ବାହାରିବି ନାହିଁ । ଏ ବ୍ୟାପାର ଏତିକି । ଓଃ, ଏଥିରେ କି ବିପଦ ରହିଚି ।’’ ଏହିପରି ଭାବି ମୁଁ ତୁଳସୀପୁର ଘରେ ସଦେଇ ଜେନା ନାମରେ ଥିବା ସମୁଦାୟ କାଗଜପତ୍ର ପୋଡ଼ିପକାଇଲି । ତାପରେ ମକର୍ବା ଯାଇ ପାନେ ଓଷଦ ଟାଣୁଆ କରି ପେଟରେ ଭର୍ତ୍ତି କଲି । ଚାହୁଁ ଚାହୁଁ ମୋର ଡାକ୍ତର ନାୟକ ଘଟ ଫେରିଆସିଲା । ମୁଁ ଜୀବନଯାକର ଘଟଣାବଳୀ ଥରେ ଆଖିଆଗରେ ଆଣି ଥୋଇଲି । ଅନୁତାପ ବହ୍ନିରେ ମୋର ସମଗ୍ର ଶରୀର ଜଳିଗଲା । ଡାକ୍ତର ନାୟକ ଘଟରେ ମୋ ପ୍ରାଣରେ ଆନନ୍ଦ ଓ ଶାନ୍ତିର ଲହରୀ ଖେଳିଲା । ମୁଁ ସଦେଇ ଜେନା ଯିବା ଆସିବା ଦ୍ୱାରେ ଭିତରୁ ତାଲା ପକାଇ ଚାବିକାଠିଟାକୁ ଦରଭଙ୍ଗା କରି ଫିଙ୍ଗିଦେଲି । ତାହା କେଉଁଠାରେ ଯାଇ ପଡ଼ିଲା, ଜାଣିବାକୁ ଇଚ୍ଛା କଲି ନାହିଁ । ମୁଁ ତାଲା ଗୋଟିଏ ରଖିଥାଏ । ଘରୁ ବାହାରିଗଲାବେଳେ ତାକୁ ବାହାରେ ପକାଏ; ଘରକୁ ଫେରିଲେ ଭିତର ପଟରେ ଲଗାଏ ।

 

ସେଦିନ ରାତି ପାହିବା ସଙ୍ଗେ ସଙ୍ଗେ ଚୂଡ଼ଙ୍ଗ ଜମିଦାରଙ୍କ ହତ୍ୟା ସମ୍ବାଦ କଟକସାରା ରାଷ୍ଟ୍ର ହୋଇଗଲା । ହତ୍ୟାକାରୀର ନାମ ମଧ୍ୟ ପ୍ରତ୍ୟେକ ମୁହଁରେ ଶୁଣାଗଲା । ଚୂଡ଼ାଙ୍ଗ ଜମିଦାରଙ୍କ ଲାଗି ସହାନୁଭୂତିରେ ଯେ ଥରେ ଚୁଚୁ କଲା, ସେ ଦଶଥର ସଦେଇ ଜେନାର ଚଉଦ ପୁରୁଷ ଶ୍ରାଦ୍ଧ କରିବାରେ ଲାଗିଲା; କିନ୍ତୁ ସେ ସଦେଇ ଜେନା ଯେ ଆଜି ମିଳିଲା ନାହିଁ, ସେ ଡାକ୍ତର ନାୟକଙ୍କ ଘଟମଧ୍ୟରେ ଲୁଚି ଲୀନ ହୋଇଯାଇଛି, ଡାକ୍ତର ନାୟକଙ୍କ ପ୍ରତି ଜନସାଧାରଣଙ୍କ ସମ୍ମାନ ଭିତରେ ତାର ନିନ୍ଦା ଢାଙ୍କି ହୋଇପଡ଼ିଚି । ଥରେ ସେହି ଆବରଣ ଭିତରୁ ସେ ବାହାରକୁ ବାହାରିଲେ, ତା ମୁଣ୍ଡ ଯେ ଛତୁ ହୋଇଯାଇଥାଆନ୍ତା, ସେଥିରେ ତିଳେ ସନ୍ଦେହ ନଥିଲା ।

 

ସେହି ଘଟଣାରେ ମୋର ଗୋଟାଏ ଚେତନା ଆସିଗଲା । ମୁଁ କାର୍ଯ୍ୟକଳାପରେ ଖୁବ୍‌ ସଂଯତ ହୋଇ ଚଳିବାକୁ ଲାଗିଲି । ସଙ୍ଗୀମାନେ ମୋର ପୂର୍ବ ଢଙ୍ଗରଙ୍ଗ ଫେରି ଆସିବାର ଦେଖି ଖୁସିହେଲେ । ମୁଁ ସଦେଇ ଜେନାକୁ ପ୍ରାୟ ପାସୋରି ପକାଇଲି । ସବୁ ସୁରୁଖୁରୁରରେ ଚାଲିଲା; କିନ୍ତୁ କେଉଁ ଅଜ୍ଞାତ ରାଜ୍ୟରେ ଏକ କ୍ଷୁଦ୍ର କ୍ଷୀଣ ଧାର ରହିଗଲା, ଯାହାଦ୍ୱାରା କି ମୋ ମନ ଭିତର ପାପକୁଣ୍ଡାଟା କ୍ରମେ ଭର୍ତ୍ତି ହେବାକୁ ଲାଗିଲା । ପାତ୍ର ଯେତେ ବଡ଼ ହେଉ ପଛକେ, ତହିଁରେ ସର୍ବଦା କିଛି କିଛି ପଦାର୍ଥ ପଡ଼ି ଜମା ହେଲେ, ଦିନେ ତାହା ପୂର୍ଣ୍ଣ ହେବା ଅବଶ୍ୟମ୍ଭାବୀ । ଦିନ ପରେ ଦିନ ଯେପରି ବିତିଲା, ମୋର ସକଳ ସଂଯମ ମଧ୍ୟରେ ଭୋଗର ଲାଳସା ବଢ଼ି ଲାଗିଲା । ଶେଷରେ ଦିନେ ମୁଁ ରାତି ପାହାନ୍ତିଆରେ ମହାନଦୀ କୂଳରେ ବସି ଭାବନାରେ ବୁଡ଼ିରହିଛି; ଆଖି ଫିଟାଇ ମୁଁ ଚାହିଁଛି, ମୋ ପିନ୍ଧା ଲୁଗାପଟାଗୁଡ଼ାକ ହଠାତ୍‌ ହୁଗୁଳା ହୋଇଆସିଲା, ମୋ ଦେହରେ ବର୍ଣ୍ଣ କଳା ପଡ଼ିଗଲା ଓ ମୋ ହାତ ଗୋଡ଼ ସବୁ ରୋମରେ ଘୋଡ଼ାଇ ହୋଇପଡ଼ିଲା । କ୍ଷଣକ ଭିତରେ ଡାକ୍ତର ତାରାକାନ୍ତ ନାୟକ ସ୍ଥାନରେ ବସିଲା ସଦେଇ ଜେନା । କିନ୍ତୁ ସେ ପରିପର୍ତ୍ତନରେ ଯେ କି ବିପଦର ସମ୍ଭାବନା ଥିଲା, ମୁଁ ମୁହୂର୍ତ୍ତକ ମଧ୍ୟରେ ଉପଲବ୍ଧି କରି ପକାଇଲି । ଶୀଘ୍ର ଓଷଦଟା ପାନେ ପେଟରେ ନ ପଡ଼ିଲେ ଯେ ମୋର ରକ୍ଷା ନାହିଁ, ମୁଁ ବୁଝିଲି ସିନା; କିନ୍ତୁ ଓଷଦ ମିଳିବ କିପରି, ତାର ବାଟ ମୋତେ ଦିଶିଲା ନାହିଁ ।

 

ବେଳେ ବେଳେ, ସବୁଠାରୁ ଯାହା ବେଶି ଦରକାର, ସେହି ଜିନିଷଟା ପାଇବା ଅସମ୍ଭବ ହୋଇ ଉଠେ । ମରୁଭୂମି ପଥିକର ଆବଶ୍ୟକ ହୁଏ । ପାଣି; କିନ୍ତୁ ସେହି ପାଣି ତାକୁ ସାରା ମରୁ ରାଜ୍ୟରେ ଟୋପାଏ ମିଳେ ନାହିଁ । ଓଷଦ ରହିଥିଲା ମୋର ଖାସ୍‌ କାମରାରେ । ଓଷଦଖାନାର ଦୁଆରେ ମୁଁ ତ ନିଜ ହାତରେ, ଭିତରୁ ତାଲା ବନ୍ଦ କରି, ଚାବିକାଠି ଭାଙ୍ଗି ଘର ଭିତରେ ଫିଙ୍ଗି ଦେଇଛି; ତେଣୁ ଖାସ୍‌ କାମରାକୁ ଯିବାକୁ ହେଲେ, ସଦର ଦରଜା ବାଟେ ଯିବା ଛଡ଼ା ଅନ୍ୟ ଉପାୟ ନ ଥିଲା । ସେ ବାଟେ ଗଲେ ତ ମୋରି ନିଜ ଚାକରବାକର ମୋତେ ଚୂଡ଼ଙ୍ଗ ଜମିଦାରଙ୍କ ହତ୍ୟାକାରୀ ଭାବରେ ଧରି ପୋଲିସ ହାତକୁ ବଢ଼ାଇ ଦେବେ । ପୁଣି ସେ ଘରେ ଆଉ କେତେ କଣ ଗୋପନୀୟ ଜିନିଷ ଥିଲା, କେବଳ ପାନେ କାନ୍ତର ଓଷଦ ଅଲଗା ରଖା ହୋଇଥିଲା ମୋର ଶୋଇବା କୋଠରୀରେ । ସେଠାକୁ ଯେ ସହଜରେ ଯିବାର ବାଟ ଥିଲା, ତାହା ନୁହେଁ । ତେବେ ସେତିକି ଓଷଦ ହେଲେ ମୋ କାମ ଚଳନ୍ତା । ମୁଁ ଉପାୟାନ୍ତର ନ ଦେଖି ଡାକ୍ତର ଦାସଙ୍କ ସାହାଯ୍ୟ ନେବାକ ସ୍ଥିର କଲି; ମାତ୍ର ତାଙ୍କ ପାଖକୁ ଯିବି କିପରି ? ବାଟରେ ପୋଲିସ ହାବୁଡ଼ରେ ପଡ଼ିବାର ଭୟ ମୋତେ ଗ୍ରାସିପକାଇଲା । ତା ପରେ ପୁଣି ଭାବିଲି ଯେ ତାଙ୍କ ପାଖେ କୌଣସି ପ୍ରକାରେ ଯାଇ ପହଞ୍ଚିଲେ ମଧ୍ୟ ସେ ମୋତେ ଚିହ୍ନିବେ କିପରି ? ଅନେକ ବିଚାରି ବିଚାରି ସେହି ପୁରୁଣା ତୁଳସୀପୁର ଘରଟାରେ ଯାଇ ପହଞ୍ଚିଲି । ସେଠାରୁ କାଗଜ କଲମ ନେଇ ଦୁଇଖଣ୍ଡ ଚିଠି ଲେଖିଲି । ସେ ମଧ୍ୟରୁ ଖଣ୍ଡିଏ ଡାକ୍ତର ଦାସଙ୍କ ପାଖକୁ ଓ ଆରଖଣ୍ଡିକ ଯଦୁନାଥକୁ, ଉଭୟ ଚିଠି ଠିକ୍‌ ଯେପରି ମିଳିବ, ସେଥିଲାଗି ଲୋକ ପଠାଇ ରେଜେଷ୍ଟ୍ରି କରାଗଲି ।

 

ସାରା ଦିନଟାଯାକ ତୁଳସୀପୁର ଘର ଭିତରେ ଗୋଟାଏ ବନ୍ଦୀପରି ବସିରହିବା ମୋ ପକ୍ଷେ ମହା ଯାତନାର ବିଷୟ ହୋଇଉଠିଲା । ମାତ୍ର ତା ଛଡ଼ା ଯେତେବେଳେ ଅନ୍ୟ ପନ୍ଥା ନଥିଲା, ସେ ଯାତନା ନୀରବରେ ସହିଲି ଓ ରାତି କେତେବେଳେ ଆସିବ, ତା ଲାଗି ଅପେକ୍ଷା କଲି । ସେ ଦିନ ସୂର୍ଯ୍ୟ ଦେବତାଙ୍କୁ ବାର ଘଣ୍ଟା ମଧ୍ୟରେ ମୁଁ ବାର ହଜାର ଥର ନାନା ଭର୍ତ୍ସନା କରିଥିବି । ବିପଥଗାମିନୀ ଯୁବତୀ ପରି ଏତେ ଭର୍ତ୍ସନାରେ ସୁଦ୍ଧା, ତାଙ୍କର ତିଳେ ପରିବର୍ତ୍ତନ ହେଲା ନାହିଁ; ସେ ଯଥାସମୟରେ ଯାଇ ସୁଦୂର ଗଡ଼ଜାତର ପର୍ବତମାଳା ପଛରେ ମୁହଁ ଲୁଚାଇଲେ । ମୁଁ ଏତେକାଳ ସୂର୍ଯ୍ୟାସ୍ତ ଅପେକ୍ଷାରେ ଥିଲି, ୟା ପରେ ନିଶୀଥ ଅପେକ୍ଷାରେ ରହିଲି; କିନ୍ତୁ ବେଶି ସମୟ ଘରଟା ଭିତରେ ବସିପାରିଲି ନାହିଁ । ତେଣୁ ଅନ୍ଧାର ରାତିରେ ରାସ୍ତାକୁ ବାହାରିପଡ଼ିଲି । ମନେ ପଡୁଛି, ବାଟରେ ଜଣେ ସ୍ତ୍ରୀଲୋକ ଗୋଟିଏ ଲଣ୍ଠନ ଧରି ଆସୁଥିଲା । ଏପରି ଗୋଟାଏ ବିଧା ତା ପିଠିରେ ଦେଲି ଯେ ସେ ଶୋଇପଡ଼ିଲା ଓ ତା ଲଣ୍ଠନଟା ତଳେ ପଡ଼ି ଲିଭିଗଲା । ଆଗ ପଛକୁ ଚାହିଁ, ମୁଁ ବିଡ଼ାନାସୀ ଆଡ଼େ ନିତାନ୍ତ ନିର୍ଜନ ସ୍ଥାନକୁ ପଳାଇଲି ।

 

ରାତି ବାରଟାବେଳେ ମୁଁ ଡାକ୍ତର ଦାସଙ୍କ ଘରେ ଯାଇ ପହଞ୍ଚିଲି । ସେଠାରେ ଓଷଦ ଖାଇ ଯେତେବେଳେ ମୋର ଘଟପରିବର୍ତ୍ତନ ହେଲା, ମୁଁ ବୁଝିପାରିଲି ଯେ ଡାକ୍ତର ଦାସ ମନରେ ମୋ ପ୍ରତି କି ଧାରଣା କରିଥିବେ । ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟାକଲି । କିନ୍ତୁ ବେଶି ସମୟ ତାଙ୍କ ଆଗେ ମୁହଁ ନଦେଖାଇ ପଳାଇ ଆସି ନିଜ ଘରକୁ ଗଲି । ମୁଁ ଯେ ପୂର୍ବ ରାତିରେ ବଡ଼ିପାହାନ୍ତିରୁ ଘର ଛାଡ଼ି ଯାଇଥିଲି, କେଉଁଆଡ଼େ ଗଲି, କେଉଁଠାରେ ରହିଲି, କଣ ଖାଇଲି, ଏଥିପାଇଁ ସବୁ ଚାକରବାକର ବ୍ୟସ୍ତ ନହୁଅନ୍ତୁ ପଛକେ, ଯଦୁନାଥ ହୋଇଥିଲା । ମୋତେ ଫେରିବାର ଦେଖି ସେ ନିଶ୍ଚିନ୍ତ ହେଲା । ମୁଁ ଖାଇବସିଲି; ମାତ୍ର ଖାଇସାରିଛି ବୋଲି କହି, ଉଠି ଶୋଇବାକୁ ଚାଲିଗଲି । ସେ ଦିନ ରାତିଟାର ବାକି ଅଂଶ ମୁଁ ଗୋଟାଏ ମୁର୍ଦାର ପରି ଶୋଇଗଲି । ଆର ଦିନ ସକାଳେ ସୂର୍ଯ୍ୟୋଦୟର ଅନେକ ସମୟ ପରେ ଯାଇ ଉଠିଲି । ଉଠି ପ୍ରାତଃକୃତ୍ୟ ସାରି, ବଗିଚାର ଯାଇ ବୁଲୁଛି, ସେତେବେଳେ ହଠାତ୍‌ ମୋର ଘଟପରିବର୍ତ୍ତନର ପୂର୍ବ ଲକ୍ଷଣ ଅନୁଭବ କଲି । ତହୁଁ ମୁଁ ଧାଇଁଯାଇ ଖାସ୍‌ କାମରାରେ ବସି, ଦୁଇ ପାନ ଓଷଦ ଏକା ଥରକେ ଚଢ଼ାଇଦେଲି । ସେ ଘାଟି ବର୍ତ୍ତିଗଲି ସତ; କିନ୍ତୁ ଛ ଘଣ୍ଟା ପରେ ପୁଣି ଥରେ ଘଟପରିବର୍ତ୍ତନର ବେଦନା ମାଡ଼ିଆସିଲା; ସୁତରାଂ ପୁଣିଥରେ ଓଷଦର ଆଶ୍ରୟ ନେଲି । ତେଣିକି ବିନା ଓଷଦରେ ଡାକ୍ତର ନାୟକ ଘଟ ରକ୍ଷାକରିବା ମୋ ପକ୍ଷେ ଅସମ୍ଭବ ହୋଇଉଠିଲା । ମୁଁ ଟିକିଏ ଢୋଳେଇ ପଡ଼ି ପୁଣି ଚାହିଁଲା ବେଳକୁ ଦେଖେ ଯେ ମୁଁ ସେଦଇ ଜେନା ଘଟରେ ବସିଛି । ମୁଁ ଟିକିଏ ଅନ୍ୟମନସ୍କ ହୋଇଗଲେ; ସେହି ସଦେଇ ଜେନା ଘଟ ମୋ ସାରା ଦେହଟାକୁ ଆସି ଘୋଟିଯାଏ ।

 

ମୋ ପାଖ ଯେତେ ଔଷଧଥିଲା, କ୍ରମେ ସରି ଆସିଲା । ଦ୍ରବ ଓ ଲବଣ ସମାନ ମାତ୍ରାରେ ମୁଁ ପ୍ରଥମରୁ ରଖିଥିଲି; ମାତ୍ର ଦୋହରି ଓ ତିନିହୋରି ପାନ ଚଢ଼ାଇବା ଫଳରେ ଲବଣ ପ୍ରଥମେ ସରିଗଲା । ମୁଁ କଟକ ସାରା ନୂଆ ଲବଣ ଖୋଜାଇଲି । ଏପରି ଔଷଧ ଦୋକାନ ରହିଲାନାହିଁ, ଯେଉଁଠାକୁ ମୁଁ କୋଡ଼ିଏ ଥର ମୋ ବରାଦି ଚିଠା ପଠାଇ ନ ଥିବି । ସବୁ ଯଦୁନାଥକୁ ଜଣାଅଛି । ଯେତେଦିନ ଯେତେ ଲବଣ ଯେତେ ଦାମ ଦେଇ ଆଣାଇଲି ଓ ଦ୍ରବ୍ୟ ସହିତ ମିଶାଇଲି, କାହିଁରେ ଫଳ ତ ହେଲା ନାହିଁ; ଓଷଦର ବର୍ଣ୍ଣ ମଧ୍ୟ ଆସିଲାନାହିଁ । ମୁଁ କେତେଦିନ କେତେ ଘାଣ୍ଟି ନ ହୋଇଛି; କିନ୍ତୁ ଫଳ କିଛି ହେଲା ନାହିଁ । ମୁଁ ସଦେଇ ଜେନା ଘଟରେ ଏକାଧିକ୍ରମେ ଅନେକଦିନ ରହିଗଲି । ଥରେ ମୋ ପୂର୍ବ ଘଟକୁ ଫେରିବାକୁ ଯେତେ ଇଚ୍ଛାକଲେ ସୁଦ୍ଧା ଫଳ କିଛି ହେଲାନାହିଁ । ଦିନସାରା ମୋର ବିରାମ ନାହିଁ କି ରାତିସାରା ପଲକ ପଡ଼ିନାହିଁ, ଏପରି କେତେ ଦିନ କେତେ ରାତି ବିତିଗଲା । ଦିନେ ହଠାତ୍‌ କେତେଟା ପୁରୁଣା ଶିଶି ମୋ ଆଖିରେ ପଡ଼ିଲା । ତାକୁ ସବୁ କୋରି ଝାଡ଼ି ଚାରିଟିପ ଲବଣ ଜମା କଲି । ମୋ ମନରେ ସେତେବେଳର ଆନନ୍ଦ କଥାରେ କହି ହେବାର ନୁହେଁ । ମୁଁ ପାନେ ତିଆରି କରି ଢକ୍‌ ଢକ୍‌ ପାଟିରେ ଢାଳିଦେଲି । ମୁହୂର୍ତ୍ତକ ମଧ୍ୟରେ ମୋର ଘଟ ବଦଳିଗଲା ।

 

ବର୍ତ୍ତମାନ ଘଣ୍ଟାଏ ହେଲା ମୁଁ ଡାକ୍ତର ତାରାକାନ୍ତ ନାୟକ ରୂପରେ ଆତ୍ମକାହାଣୀ ଲେଖି ବସିଛି । ମୋର ଯାହା ବକ୍ତବ୍ୟ ଥିଲା, ପ୍ରାୟ ସାରି ତ ଦେଲିଣି; ଆଉ ଦୁଇ ଚାରିଟା ଧାଡ଼ି ଅବା ଲେଖିବି । ତାଠାରୁ ଆଉ ବେଶି ଲେଖିବାକୁ କଣ ଫୁରସତ୍‌ ମିଳିବ ? ମୋତେ ଏବେ ନିଶା ଘାରିଆସିଲାଣି । ମୋର ହାତ ଗୋଡ଼ ବିନ୍ଧିଲାଣି । ଏ ଘଟଟା ଯେ ଆଉ କେତେଟା ମୁହୂର୍ତ୍ତ ମଧ୍ୟରେ ଚାଲିଯିବ, ମୋତେ ଜଣା ପଡ଼ିଗଲାଣି । ଏହାହିଁ ମୋର ଶେଷ ଲେଖା । ତାରାକାନ୍ତର ଅସ୍ତିତ୍ୱ ଚାହୁଁ ଚାହୁଁ ଲୋପ ପାଇଯିବ । ଏ ସ୍ଥାନରେ ବସିବ କୁତ୍ସିତ ସଦେଇ ଜେନା, କି ତାରାକାନ୍ତରେ ପ୍ରେତ ପୁରୁଷ । ସେ କଣ ଆଉ ସ୍ଥିର ହୋଇ ବସିପାରିବ ? କେବଳ ଅସ୍ଥିର ଭାବରେ ଘରର ଏ ପାଖରୁ ଏ ପାଖରୁ ସେ ପାଖକୁ ସେ କେତେ କାଳ କଟାଇବ କେଜାଣି ! ଓଃ, ଆଉ ମୁହୂର୍ତ୍ତେ ସହିଲା ନାହିଁ । ବିଦାୟ ତାରାକାନ୍ତ, ଆ ସଦେଇ ଜେନା ! ଏଣିକି ରାଜତ୍ୱ ତୋର, ଯେତେଦିନ ପୋଲିସ ହାତେ ନ ପଡ଼ିଛୁ ଓ ପାଣି ଖମ୍ବରେ ନ ଝୁଲିଛୁ ।

Image